Advertisment

୪ ନେତାଙ୍କୁ ବିଜେଡିର ଗ୍ରୀନ୍ ସିଗନାଲ୍‌: ସମ୍ବଲପୁରରୁ ଲୋକସଭା ଲଢ଼ିବେ ବବି, କନଫର୍ମ କଲା ତାଙ୍କ ଅଫିସ୍

ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରଣବପ୍ରକାଶ ଗତକାଲି ଶୁକ୍ରବାର ସିଧାସଳଖ ନହେଲେ ବି ବୁଲେଇବଙ୍କେଇ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିପାରନ୍ତି ବୋଲି ଇସାରା ଦେଇଥିଲେ ।

Babi Das

Babi Das

Advertisment

ବିଜେଡିର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ(ବବି) ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବେ । ଗଣମାଧ୍ୟମରେ ଏଭଳି ଚର୍ଚ୍ଚା ଉପରେ ଆଜି ବବିଙ୍କ ଅଫିସ୍ ମୋହର ଲଗାଇଛି । କେବଳ ସମ୍ବଲପୁର ନୁହେଁ ବ୍ରହ୍ମପୁର, କନ୍ଧମାଳ ଓ ଭୁବନେଶ୍ୱର ଲୋକସଭା ଆସନରେ ବିଜେଡି ନିଜର ପ୍ରାର୍ଥୀଙ୍କୁ ଏବେଠୁ ପ୍ରଚାର ଅଭିଯାନ ଜୋରଦାର କରିବାକୁ ଗ୍ରୀନ୍ ସିଗନାଲ ଦେଇଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରଣବପ୍ରକାଶ ଗତକାଲି ଶୁକ୍ରବାର ସିଧାସଳଖ ନହେଲେ ବି ବୁଲେଇବଙ୍କେଇ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିପାରନ୍ତି ବୋଲି ଇସାରା ଦେଇଥିଲେ । ସମ୍ବଲପୁରରେ ତାଙ୍କର ଘର ଥିଲା, ତାଙ୍କ ବାପା ସେଠାରେ ରହୁଥିଲେ । ମୁଖ୍ୟମନ୍ତ୍ରୀଙ୍କର ସେ ଏକ ନମ୍ବର କର୍ମୀ ଆଉ ଏକ ନମ୍ବର ଯୋଦ୍ଧା । ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁଠୁ ଲଢ଼ିବାକୁ ଆଦେଶ କରିବେ ସେ ସେଠାରେ ଲଢ଼ିବେ ବୋଲି କହିଥିଲେ । ଇସାରା ଇସାରାରେ ବବି କହିଥିବା ଏହି କଥାକୁ ଗଣମାଧ୍ୟମ ଆଜି ଖବର ଆକାରରେ ପ୍ରକାଶ କରିଥିଲା।

ସମ୍ବଲପୁର ଲୋକସଭା ଆସନରୁ ବବି ବିଜେଡି ପ୍ରାର୍ଥୀ ଭାବେ ଲଢ଼ିପାରନ୍ତି ବୋଲି ଗଣମାଧ୍ୟମରେ ସମ୍ଭାବନା ବ୍ୟକ୍ତ ହୋଇଥିଲା । ମାତ୍ର ବବିଙ୍କ ଅଫିସ୍ ଏହି ଖବରକୁ ମୋହର ମାରିଛି । ବବିଙ୍କ ବ୍ୟକ୍ତିଗତ କର୍ମଚାରୀ ତଥା ତାଙ୍କର ଖାସ୍ ଅନୁଗତ ପ୍ରକାଶ କୁମାର ମହାନ୍ତି ସୋସିଆଲ ମିଡିଆରେ ଏହି ଖବରକୁ ଶେୟାର କରିଛନ୍ତି । ଆଉ ପ୍ରକାଶଙ୍କ ଏହି ଫେସବୁକ ପେଜରେ ନିଜେ ବବି ଓ ଅନ୍ୟ ବରିଷ୍ଠ ବିଜେଡି ନେତାମାନେ ମଧ୍ୟ ରହିଛନ୍ତି ।

Advertisment

ସମ୍ବଲପୁର ଲୋକସଭା ଆସନରୁ ବିଜେପି ନିଜର ହେଭିୱେଟ୍ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ଥିବାରୁ ସେହି ଆସନରୁ ଲଢ଼ିବା ପାଇଁ ବବି ଇସାରା ଦେବା ଓ ତାଙ୍କ ଅଫିସ୍ ଏହାକୁ ମୋହର ମାରିବାକୁ ନେଇ ରାଜନୀତିକ ମହଲରେ ନାନାଦି ଚର୍ଚ୍ଚା । ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ଯେ, ଏହା ବିଜେଡିର ‘ରାଜନୀତିକ ଗୁଗ୍‌ଲି’ ।
ଆତ୍ମପ୍ରଚାର ପାଇଁ ବବିଙ୍କ ଏହା ଷ୍ଟ୍ରାଟେଜୀ ହୋଇଥାଇପାରେ । ବବି ସେଭଳି ପରିପକ୍ୱ ଓ ଗ୍ରହଣୀୟ ରାଜନେତା ହୋଇନାହାନ୍ତି ଯେ, ଓଡ଼ିଶାର ଯେଉଁଠି ଲଢ଼ିଲେ ଜିତିବେ । ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କ ଅନୁଗତ ଭାବେ ବବି କେବଳ ପୋଷ୍ଟମ୍ୟାନ୍ କାର୍ଯ୍ୟ କରୁଛନ୍ତି ଓ ଦଳରେ ପତିଆରା ଦେଖାଉଛନ୍ତି । ତେଣୁ ଧର୍ମେନ୍ଦ୍ରଙ୍କ ସହ ଲଢ଼ି ବବି କେବେ ବି ନିଜର ରାଜନୀତିକ ଆତ୍ମହତ୍ୟା କରିବେ ନାହିଁ । ଏହା କେବଳ ବବିଙ୍କ ରାଜନୀତିକ ଡ୍ରାମାବାଜି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଶ୍ରୀ ପାଣ୍ଡିଆନ ନିଜର ଏହି ଖାସ୍ ଅନୁଗତମାନଙ୍କୁ ଆଗୁଆ ଟିକେଟ୍ ପାଇଁ ଗ୍ରୀନ ସିଗନାଲ୍ ଦେଇଛନ୍ତି । ବିଶେଷକରି ଏବେ ଅନ୍ୟ ୩ ଲୋକସଭା ଆସନରୁ ଯଥା କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ଭୁବନେଶ୍ୱର ଆସନରୁ ଶ୍ରୀମୟୀ ମିଶ୍ର ଓ ବ୍ରହ୍ମପୁର ଆସନରୁ ମାନସ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଆପାତତଃ ନିଷ୍ପତ୍ତି ନେଇଛି ଏବଂ ସମ୍ପୃକ୍ତ ନେତାମାନଙ୍କୁ ନିର୍ବାଚନୀ ପ୍ରଚାର ଓ ସାଂଗଠନିକ କାର୍ଯ୍ୟ ଜୋରଦାର କରିବା ନିମନ୍ତେ ଗ୍ରୀନ୍ ସିଗନାଲ ଦେଇଥିବା ଚର୍ଚ୍ଚା ହେଉଛି।

BjD Sambalpur Bjd Leader Pranab Prakash Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe