Advertisment

BJD ଚାଷୀ ସମାବେଶ: ନବୀନଙ୍କ କଟାକ୍ଷ ‘ଜୟ କିଷାନ ନୁହେଁ ଭାଗୋ କିଷାନ’, ମୋହନଙ୍କ ପ୍ରଶ୍ନ କେତେ ଆସିଥିଲେ ଚାଷୀ

ଗତ ଆଠ ଦିନ ହେଲା ବିଜେଡି ବିଧାନସଭାରେ ଚାଷୀଙ୍କ ପାଇଁ ଲଢୁଛି, କିନ୍ତୁ ସରକାରଙ୍କର କୌଣସି ଖାତିର ନାହିଁ। ଏହି କୁମ୍ଭକର୍ଣ୍ଣ ନିଦରେ ଶୋଇଥିବା ସରକାରଙ୍କୁ ଜଗାଇବା ପାଇଁ ବିଜେଡି ଲଢ଼େ଼ଇ ଜାରି ରଖିବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।

bjd-samabesh
Advertisment

ଚାଷୀଙ୍କ ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୁଦ୍ଧରେ ରାଜଧାନୀ ଭୁବନେଶ୍ୱରରେ ବିଜେଡି ଆଜି ନିଜର ଶକ୍ତି ପ୍ରଦର୍ଶନ କରିଛି। ଚାଷୀଙ୍କୁ ବିଜେପି ସରକାର ଅଣଦେଖା କରୁଥିବା ଅଭିଯୋଗ ଆଣି ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଘୋଷଣା କରିଛି। ଆଜିର ‘ଚାଷୀ ସୁରକ୍ଷା ସମାବେଶ’ରେ ସାମିଲ ହୋଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ବିଜେପି ସରକାର  ସ୍ଲୋଗାନରେ ‘ଜୟ କିଷାନ’ କହୁଥିବାବେଳେ କାମରେ ‘ଭାଗୋ କିଷାନ ନୀତିରେ ଚାଲିଛି କହି ସମାଲୋଚନା କରିଛନ୍ତି।

Advertisment

ଆଉ ନବୀନଙ୍କ ଏଭଳି ସମାଲୋଚନାର ପାଲଟା ଜବାବ ବିଧାନସଭାରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିର ଆନ୍ଦୋଳନରେ କେତେଜଣ ଚାଷୀ ଆସିଥିଲେ ବୋଲି ପ୍ରଶ୍ନ କରି ଆଗାମୀ ୨୪ବର୍ଷ ପର୍ଯ୍ୟନ୍ତ ବିଜେଡି ଆଉ କ୍ଷମତାକୁ ଫେରିବ ନାହିଁ କହି କଟାକ୍ଷ କରିଛନ୍ତି।


ପ୍ରବଚନ-କାହାଣୀରେ ସରକାର ଚାଲେନି: ନବୀନ

ବିଜେଡି ଚାଷୀ ସୁରକ୍ଷା ସମାବେଶରେ ଯୋଗ ଦେଇ ନବୀନ(BJD Naveen Patnaik) କହିଥିଲେ ଯେ, ସରକାର କେବଳ ପ୍ରବଚନ ଓ କାହାଣୀରେ ଚାଲେନି, ଏଥିପାଇଁ କାମ ଦରକାର। ସାଧାରଣ ଲୋକଙ୍କ ସେବା କରିବା ପରିବର୍ତ୍ତେ ଏ ସରକାର ଶହ ଶହ କୋଟି ଟଙ୍କା କେବଳ ପ୍ରଚାରରେ ଉଡ଼ାଉଛନ୍ତି। ଶାସନକୁ ଆସିବା ପୂର୍ବରୁ ବିଜେପି ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଦୁଇ ବର୍ଷ ପୂରଣ ହେବାକୁ ଯାଉଥିଲେ ମଧ୍ୟ ଚାଷୀଙ୍କୁ କିଛି ମିଳିଲାନି।

Advertisment

ସେ ସରକାରଙ୍କୁ ଚିଠି ଲେଖି କଟନୀଛଟନୀ ବନ୍ଦ ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ, ମିଲର-ଅଫିସର ମେଳି ଭାଙ୍ଗିବା, ୧୫୦ କ୍ୱିଂଟାଲ ସିଲିଂ ହଟାଇବା ଓ ୪୮ ଘଂଟା ମଧ୍ୟରେ ପଇସା ଦେବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ୧୫ଦିନ ପରେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲାନି ବୋଲି ନବୀନ କହିଛନ୍ତି। ଚାଷୀଙ୍କୁ ହକ୍ ମିଳୁନି, ମା’ମାନଙ୍କୁ ସୁରକ୍ଷା ନାହିଁ ଓ ଯୁବ ସମାଜକୁ ରୋଜଗାର ମିଳୁନି।

ଗତ ଆଠ ଦିନ ହେଲା ବିଜେଡି ବିଧାନସଭାରେ ଚାଷୀଙ୍କ ପାଇଁ ଲଢୁଛି, କିନ୍ତୁ ସରକାରଙ୍କର କୌଣସି ଖାତିର ନାହିଁ। ଏହି କୁମ୍ଭକର୍ଣ୍ଣ ନିଦରେ ଶୋଇଥିବା ସରକାରଙ୍କୁ ଜଗାଇବା ପାଇଁ ବିଜେଡି ଲଢ଼େ଼ଇ ଜାରି ରଖିବ ବୋଲି ସେ ସୂଚନା ଦେଇଥିଲେ ।

୨୪ ବର୍ଷ ଯାଏଁ ଶାସନକୁ ଫେରିବନି ବିଜେଡି, ଡ୍ରାମା ବନ୍ଦ କରନ୍ତୁ: ମୋହନ

ବିଜେଡିର ଏହି ସମାବେଶକୁ କଟାକ୍ଷ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଶାଣିତ ଢଙ୍ଗରେ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ବିରୋଧୀ ଦଳ ଚାଷୀଙ୍କ ନାଁରେ କେବଳ ରାଜନୈତିକ ଫାଇଦା ପାଇଁ ନାଟକ କରୁଛନ୍ତି। ବିରୋଧୀ ଦଳ ଭୂମିକା ନିର୍ବାହ କରି ଲୋକଙ୍କ ସମସ୍ୟାକୁ ଗୃହରେ ଉଠାଇବା ବଦଳରେ କେବଳ ହୋହାଲ୍ଲା କରୁଛନ୍ତି।

ବିଜେଡି କହୁଥିଲା ଲକ୍ଷାଧିକ ଚାଷୀଙ୍କୁ ନେଇ ବିଧାନସଭା ଘେରାଉ କରିବ। କିନ୍ତୁ ଆଜି କେତେ ଲୋକ ଆସିଛନ୍ତି। ସେଥିରେ କେତେ ଚାଷୀ ବୋଲି ପ୍ରଶ୍ନ କରିଛନ୍ତି। ସେ ବିଜେଡିକୁ କଟାକ୍ଷ କରି କହିଛନ୍ତି ଯେ, ୨୪ ବର୍ଷ ଶାସନରେ ଥିବାବେଳେ ଚାଷୀଙ୍କ କଥା ମନେ ପଡ଼ିଲାନି, ଏବେ କ୍ଷମତା ହରାଇବା ପରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

ସବୁଥିରେ ରାଜନୀତିକ ଫାଇଦା ପାଇଁ ବିରୋଧୀ ଉଦ୍ୟମ କରୁଛନ୍ତି। ସେଥିପାଇଁ କଂଗ୍ରେସକୁ ଲୋକେ ବିଦା କରିଥିଲେ। ଏବେ ବିଜେଡିକୁ ବି ହଟେଇ ଦେଇଛନ୍ତି। ୨୪ବର୍ଷ ଶାସନରେ ଥିଲେ, ଏବେ ଯାଇଛନ୍ତି। ଆଉ ଆଗାମୀ ୨୪ବର୍ଷ ଯାଏଁ ସେମାନେ ଫେରିପାରିବେ ନାହିଁ ବୋଲି  ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି ଯେ, ଚାଷୀଙ୍କ ନାଁ ରେ ଯେମିତି ରାଜନୀତି କରି ଗୃହକୁ ବାରମ୍ବାର ଅଚଳ କରି ଦିଆଗଲା, ତାହା ଓଡିଶାବାସୀ ଦେଖିଛନ୍ତି। ମୁଖ୍ୟ ବିରୋଧୀଦଳ(ବିଜେଡି) ବାରମ୍ବାର ଚାଷ ଓ ଚାଷୀଙ୍କୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଯଦି କୃଷି ପାଇଁ ଏତେ ଭଲ କାମ ବିଜେଡି ସରକାର କରିଥିଲେ ତା’ହେଲେ ସେହି ସମୟରେ ଚାଷୀଙ୍କ ଆୟ ସାରା ଦେଶରେ ଶେଷ ଆଡୁ ଦ୍ୱିତୀୟରେ କାହିଁକି ଥିଲା? ଓଡିଶାର ଚାଷୀଙ୍କ ଆୟ ମାସକୁ ମାତ୍ର ୫୧୧୫ ଟଙ୍କା କାହିଁକି ଥିଲା? ଏହାର ଉତ୍ତର କିଏ ଦେବ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିବା ସହ ଚାଷୀଙ୍କ ସବୁ ସମସ୍ୟାର ସମାଧାନ କରାଯିବ ଓ ସବୁ ଯୋଗ୍ୟ ଚାଷୀଙ୍କ ସବୁ କ୍ରୟଯୋଗ୍ୟ ସବୁ ଧାନକୁ ଉଠାଇବୁ ବୋଲି ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ନେତୃତ୍ୱରେ ବିଧାନସଭା ସମ୍ମୁଖ ମହାତ୍ମା ଗାନ୍ଧି ମାର୍ଗରେ ବିଜେଡିର ଚାଷୀ ସୁରକ୍ଷା ସମାବେଶରେ ଦଳର ବରିଷ୍ଠ ନେତାମାନେ ସରକାରଙ୍କ କଡ଼ା ଭାଷାରେ ସମାଲୋଚନା କରିବା ସହ ଆଗାମୀ ଦିନରେ ରାଜରାସ୍ତାରେ ଲଢ଼େଇ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଆଜି ରାଜଧାନୀରେ ବିଜେଡି ୧୨-୧୫ହଜାର କର୍ମୀ-ନେତାଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଥିଲେ ମଧ୍ୟ ପ୍ରକୃତ ଚାଷୀଙ୍କୁ ଦେଖିବାକୁ ମିଳିନାହିଁ ।

BJD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe