ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଦଳର ବରିଷ୍ଠ ବିଧାୟକମାନେ ମୁହଁ ଖୋଲିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଏବେ ଆବଶ୍ୟକତା ନାହିଁ କହିଥିଲେ ମଧ୍ୟ ସୁଜାତାଙ୍କ ବିଜେଡିରେ ସମ୍ଭାବ୍ୟ ସାମିଲ ପ୍ରସଙ୍ଗରେ ବୁଲେଇବଙ୍କେଇ ମତ ରଖିଛନ୍ତି ।
ବିଜେଡିର ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ନିଜ ସୋସିଆଲ ମିଡିଆରେ ସୁଜାତାଙ୍କୁ ଦଳରେ ସାମିଲ ପାଇଁ ଚକ୍ରାନ୍ତ ଚାଲିଛି ବୋଲି କହିବା ପରଠୁ ବିଜେଡି ରାଜନୀତି ସରଗରମ ହୋଇଛି । ଗତକାଲି ବରିଷ୍ଠ ନେତା ଦେବୀ ମିଶ୍ର ଓ ଆଜି ଅନ୍ୟ ଦୁଇ ନେତା ମନୋହର ରନ୍ଧାରୀ ଓ ପ୍ରଦୀପ ଦିଶାରୀ ମଧ୍ୟ ମୁହଁ ଖୋଲିଛନ୍ତି । ଏପଟେ ବିଜେପି ସାଂସଦ ପ୍ରଦୀପ ପୁରୋହିତ କଟାକ୍ଷ କରି କହିଛନ୍ତି ଯେ, ବିଜେଡି ଏବେ ଏକ ଅସ୍ତଗାମୀ ସୂର୍ଯ୍ୟ ଓ ୨୦୨୯ ମସିହା ପୂର୍ବରୁ ଏହା ଇତିହାସ ପାଲଟିବ ।
ସୁଜାତାଙ୍କ ଏଂଟ୍ରିକୁ ନେଇ ଚାଲିଛି ଚର୍ଚ୍ଚା
ଡିସେମ୍ବର ୨୬ରେ ଦଳର ପ୍ରତିଷ୍ଠା ଦିବସ ପୂର୍ବରୁ ସୁଜାତା ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଶ୍ରୀମୟୀଙ୍କ ବୟାନ ପରେ ରାଜନୀତିକ ଚର୍ଚ୍ଚା ଜୋର ଧରିଛି । ବରିଷ୍ଠ ନେତା ଦେବୀ ମିଶ୍ର ଗତକାଲି ଗଣମାଧ୍ୟମକୁ ବୟାନ ଦେବା ପରେ ଆଜି ଦଳର ବିଧାୟକ ମନୋହର ରନ୍ଧାରୀ ଓ ପ୍ରଦୀପ ଦିଶାରୀ ଉଭୟ ନବୀନଙ୍କ ଉତ୍ତରାଧିକାରୀ ଏବେ ଆବଶ୍ୟକତା ନାହିଁ ବୋଲି ରୋକଠୋକ୍ କହିଛନ୍ତି । ତେବେ ସୁଜାତାଙ୍କ ବିଜେଡିରେ ସାମିଲ ହେବା ସମ୍ପର୍କିତ ପ୍ରଶ୍ନକୁ ସେମାନେ ଏଡ଼ାଇ ଯାଇଛନ୍ତି । ତେବେ ସୁଜାତାଙ୍କ ବିଜେଡିରେ ସାମିଲକୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ଜୋରଦାର ପ୍ରଚାରପ୍ରସାର ସହ ମାହୋଲ ପ୍ରସ୍ତୁତ କରାଯାଉଥିବାବେଳେ ଦଳର ପୂର୍ବତନ ନେତ୍ରୀ ଶ୍ରୀମୟୀଙ୍କୁ ଦଳ ସମର୍ଥିତ ସାଇବର ଆର୍ମିଙ୍କ ଦ୍ୱାରା କଟୂ ସମାଲୋଚନା କରାଯାଉଥିବା ଜଣାପଡ଼ିଛି ।
ନବୀନ ହିଁ ନେତା ଓ ମାଗର୍ଦଶର୍କ : ବିଜେଡି
ବିଜେଡିର ବରିଷ୍ଠ ବିଧାୟକ ଶ୍ରୀ ରନ୍ଧାରୀ ଓ ଶ୍ରୀ ଦିଶାରୀ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଏବେବି ଦଳର ସୁପ୍ରିମୋ ଓ ଦଳର ସମସ୍ତ ଦାୟିତ୍ୱ ବହନ କରୁଛନ୍ତି । ଦଳୀୟ ନେତା ଓ କର୍ମୀମାନଙ୍କୁ ସେ ଉପଯୁକ୍ତ ମାଗର୍ଦର୍ଶନ ଦେଉଛନ୍ତି ଏବଂ ତାଙ୍କ ନିର୍ଦ୍ଦେଶରେ ହିଁ ଦଳ ପରିଚାଳିତ ହେଉଛି । ତେଣୁ ସେ ଥିବା ପର୍ଯ୍ୟନ୍ତ ଦଳରେ ଅନ୍ୟ କାହାରିକୁ ଉତ୍ତରାଧିକାରୀ ଚୟନ କରିବା କିମ୍ବା ସେ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ଥିବା ଦଳ ଅନୁଭବ କରୁନାହିଁ । ଏଭଳି ଆଲୋଚନା ବର୍ତ୍ତମାନ ପାଇଁ ଅପ୍ରାସଙ୍ଗିକ ବୋଲି ଉଭୟ ସ୍ପଷ୍ଟ କରିଛନ୍ତି ।
ବିଧାୟକ ଶ୍ରୀ ଦିଶାରୀ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ଦଳର ଉତ୍ତରାଧିକାରୀ ଚୟନ ଓ ସୁଜାତାଙ୍କ ନାଁକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସେ କହିଛନ୍ତି ଯେ, କିଏ କ’ଣ ଆଲୋଚନା କରୁଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତିି ନେବେ ତାହା ହିଁ ଚୂଡ଼ାନ୍ତ । ସୁଜାତାଙ୍କୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପ୍ରଶ୍ନ ହେବାରୁ ସେ ପରୋକ୍ଷରେ ଏହାକୁ ଏଡ଼ାଇ ଯାଇଥିଲେ ଏବଂ ନବୀନଙ୍କ ନିଷ୍ପତ୍ତି ହିଁ ସବର୍ମାନ୍ୟ ବୋଲି ଦୋହରାଇଥିଲେ । ନବୀନବାବୁ ସଂପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ଦଳର ସାଂଗଠନିକ କାର୍ଯ୍ୟ ତଦାରଖ କରୁଛନ୍ତି । ଦଳର ଆଗାମୀ କାର୍ଯ୍ୟପନ୍ଥା ସଂର୍ପକରେ ସୂଚନା ଦେଇ ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲା ଓ ବ୍ଲକ ସ୍ତରରେ ସଂଗଠନକୁ ମଜବୁତ କରିବା ପାଇଁ କମିଟି ଗଠନ ଏବଂ ବୈଠକମାନ ଆୟୋଜନ କରାଯାଉଛି । ଗତ ଦୁଇ ଦିନପୂର୍ବରୁ ପିଏସି ବୈଠକ ବସିଥିଲା ବୋଲି ସେ କହିଛନ୍ତି ।
ବିଜେଡି ଏକ ଅସ୍ତଗାମୀ ସୂର୍ଯ୍ୟ : ବିଜେପି
ସୁଜାତାଙ୍କ ବିଜେଡିରେ ସାମିଲକୁ ନେଇ କଟାକ୍ଷ କରିଛି ବିଜେପି । ଦଳର ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ବିଜେଡି ଏକ ଅସ୍ତଗାମୀ ସୂର୍ଯ୍ୟ, ଓଡ଼ିଶା ମାଟିରେ ଆଉ କେବେ ବି ଏହାର ସୂର୍ଯ୍ୟ ଉଦୟ ହୋଇ ପାରିବ ନାହିଁ । ବିଜେଡି ୨୦୨୪ରେ ହିଁ ଅସ୍ତମିତ ହୋଇସାରିଛି । ପାଣ୍ଡିଆନଙ୍କ ଦେହରେ ଯେଉଁ କଳଙ୍କ ଲାଗିଛି ତାକୁ ସୁଜାତା କାର୍ତ୍ତିକେୟନ କେବେବି ଲିଭାଇ ପାରିବେ ନାହିଁ ।
ପାଣ୍ଡିଆନ ହୁଅନ୍ତୁ କି ସୁଜାତା ଯିଏ ବି ଦାୟିତ୍ୱ ନିଅନ୍ତୁ ବିଜେଡି ଆଉ ଉଧେଇ ପାରିବ ନାହିଁ ବରଂ ସୁଜାତା ଯଦି ଦାୟିତ୍ୱ ନିଅନ୍ତି ତେବେ ତାହା ବିଜେପି ପାଇଁ ଅଧିକ ସୁବିଧା ହେବ ବୋଲି ସେ କହିଛନ୍ତି ।
ବିଜେଡିର ୮୦ ଭାଗ ନେତା ଏବେ ବିଜେପି ସହ ଯୋଗାଯୋଗରେ ଥିବା ଦାବି କରି ସେ କହିଛନ୍ତି ଯେ, ଦଳରେ ଆଉ ଭବିଷ୍ୟତ ନାହିଁ ବୋଲି ବିଜେଡି ନେତାମାନେ ଜାଣିସାରିଲେଣି । ତେଣୁ ସେମାନେ ବିଜେପି ସହିତ ଯୋଗାଯୋଗରେ ଅଛନ୍ତି । ପଂଚାୟତ ନିର୍ବାଚନ ପୂର୍ବରୁ କିଛି ଓ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଓଡ଼ିଶାରେ ଇତିହାସ ହୋଇଯିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us