Advertisment

ମୟୂରଭଞ୍ଜ ଦଖଲ ପାଇଁ ବାଲେଶ୍ୱରରେ ଗୁପ୍ତ ବୈଠକ; ବବି ଘୋଷଣା କଲେ ୪ BJD ସମ୍ଭାବ୍ୟ ପ୍ରାର୍ଥୀ ନାଁ!

ଶୁଣିବାକୁ ମିଳୁଛି ବୈଠକରେ ମୟୂରଭଞ୍ଜ ଜିଲ୍ଲାର ସବୁ ଆସନକୁ ଅକ୍ତିଆର କରିବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ବବି। ସେ ଖାଲି ଗୁରୁମନ୍ତ୍ର ଦେଇନାହାନ୍ତି, କିଏ କେଉଁ ନିର୍ବାଚନମଣ୍ଡଳୀରୁ ଲଢ଼େବେ ନାଁ ମଧ୍ୟ ଘୋଷଣା କରିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

୨୦୧୯ ସାଧାରଣ ନିର୍ବାଚନ ପରି ୨୦୨୪ରେ ଯେମିତି ବିଜେଡି ହାତରୁ ଖସିନଯିବ ମୟୂରଭଞ୍ଜ। ସେଥିପାଇଁ ବାଲେଶ୍ୱରରେ ବସିଲା ଗୁପ୍ତ ବୈଠକ। ଆଉ ସେହି ବୈଠକରେ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍‌ ବବି ଯୋଗଦେଇଥିବା ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, ବବି ମୟୂରଭଞ୍ଜ ପାଇଁ ରଣନୀତି ପ୍ରସ୍ତୁତି କରିବା ସହିତ ୪ ବିଜେଡି ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ତେବେ ଏଠି ମନରେ ପ୍ରଶ୍ନ ଉଠୁଥିବ, କିଏ କେଉଁ ନିର୍ବାଚନମଣ୍ଡଳୀରୁ ଲଢ଼ିବେ? କାହା ନାଁ ଘୋଷଣା ହୋଇଛି?

Advertisment

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବାଲେଶ୍ଵର ନୋସି ପାର୍କରେ ବିଜେଡିର ଏକ ଗୁପ୍ତ ବୈଠକ ବସିଥିଲା। ବିଜେଡି ସାଙ୍ଗଠନିକ ସମ୍ପାଦକ ବବିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସାଙ୍ଗଠନିକ ନେତୃବୃନ୍ଦ ସାମିଲ୍‌ ହୋଇଥିଲେ। ଶୁଣିବାକୁ ମିଳୁଛି ବୈଠକରେ ମୟୂରଭଞ୍ଜ ଜିଲ୍ଲାର ସବୁ ଆସନକୁ ଅକ୍ତିଆର କରିବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ବବି। ସେ ଖାଲି ଗୁରୁମନ୍ତ୍ର ଦେଇନାହାନ୍ତି, କିଏ କେଉଁ ନିର୍ବାଚନମଣ୍ଡଳୀରୁ ଲଢ଼େବେ ନାଁ ମଧ୍ୟ ଘୋଷଣା କରିଛନ୍ତି। ଏଥିସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଆଶାୟୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଜିଲ୍ଲାରେ ଚର୍ଚ୍ଚା ହେଉଛି।

ଶୁଣିବାକୁ ମିଳୁଛି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଆଡେ ବାରିପଦାରୁ ସାନନ୍ଦ ମାରାଣ୍ଡି, ମୋରଡାରୁ ପାଟଣା ବିଧାୟକ ରାଜକିଶୋର ଦାସଙ୍କ ପତ୍ନୀ ପ୍ରିତିଲତା କାନୁନଗୋ, ବାଙ୍ଗିରିପୋଷୀରୁ ସୁଦାମ ମାରାଣ୍ଡି ଓ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀରୁ ପୁଲିସ ବିଭାଗରୁ ଅବସର ନେଇଥିବା ରାଇସେନ ମୁର୍ମୁଙ୍କୁ ଆଶାୟୀ ପ୍ରାର୍ଥୀ କରିଛନ୍ତି। ଅର୍ଥାତ ଆସନ୍ତା ନିର୍ବାଚନରେ ଏମାନେ ପ୍ରାର୍ଥୀ ହେବା ପାଇଁ ସ୍ଥିର ହୋଇଥିବା ଏକ ପ୍ରକାର ନିଶ୍ଚିତ ବୋଲି ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଆଲୋଚନା ହେଉଛି।

Advertisment
BJDବାଲେଶ୍ୱରରେ ବସିଥିବା ଗୁପ୍ତ ବୈଠକ

ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ସବୁଠାରୁ ଅଧିକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ହେଉଛି ମୋରଡା। ଗତ ନିର୍ବାଚନରେ ସେଠାରୁ ୨୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ବିଜେପିରୁ ଆସି ବିଜେଡିରେ ଯୋଗଦେଇଥିବା ରାଜକିଶୋର ଦାସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ସ୍ତ୍ରୀ ପ୍ରିତିଲତା କାନୁନଗୋ ମଧ୍ୟ ଜଣେ ଦକ୍ଷ ନେତ୍ରୀ। ସେ ମଧ୍ୟ ନିର୍ବାଚନମଣ୍ଡଳୀରେ ନିଜ କାର୍ଯ୍ୟ ଜାରି ରଖିଛନ୍ତି। ପ୍ରିତିଲତା କାନୁନଗୋ ନାଁ ପାଇଁ ବିଜେଡି ସୁପ୍ରିମୋଙ୍କ ପାଖରେ ଲବି ହୋଇଥିବା ଆଲୋଚନା ହେଉଛି।

ବାଙ୍ଗିରିପୋଷୀ ନିର୍ବାଚନମଣ୍ଡଳୀ ହେଉଛି ସୁଦାମ ମାରାଣ୍ଡିଙ୍କ ଗଡ଼। ସେ ଜେଏମଏମରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସୁଦାମ ମାରାଣ୍ଡି ବିଜେଡିରେ ଯୋଗଦେଲେ ବାଙ୍ଗିରିପୋଷୀ ନିର୍ବାଚନମଣ୍ଡଳୀରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏବେ ସେ ଜିଲ୍ଲାର ବିଜେଡି ସଭାପତି ରହିବା ସହିତ ଗଣଶିକ୍ଷା ବିଭାଗର ମନ୍ତ୍ରୀ ରହିଛନ୍ତି। ସେପଟେ ବାଙ୍ଗିରିପୋଷୀରୁ ବିଜେଡିରୁ ନିର୍ବାଚନ ଲଢ଼ୁଥିବା ସରୋଜିନୀ ହେମ୍ବ୍ରମ ରାଜ୍ୟସଭାକୁ ଯାଇଥିଲେ।

ବାରିପଦା ନିର୍ବାଚନମଣ୍ଡଳୀରୁ ସାନନ୍ଦ ମାରାଣ୍ଡି ତିନି ଥର ବିଧାୟକ ହୋଇଥିଲେ। ସେଥିରୁ ସେ ଦୁଇ ଥର ବିଧାନସଭାରେ ଉପ ବାଚସ୍ପତି ପଦ ସମ୍ଭାଳିଥିଲେ। ତେବେ ଗତ ନିର୍ବାଚନରେ ସେ ଟିକଟ ରେସ୍‌ରେ ହାରି ଯାଇଥିଲେ।

BJDବୈଠକରେ ଯୋଗଦେଇଥିବା ରାଜନେତା

ତେବେ ଗତ ନିର୍ବାଚନରେ ବିଜେଡି ଗଣିତକୁ ଭୁଲ୍‌ ପ୍ରମାଣିତ କରିଥିଲା ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ। ବିଜେଡି ପ୍ରାର୍ଥୀଙ୍କୁ ମାତ୍‌ଦେଇ ବିଜେପି ବିଜୟୀ ହୋଇଥିଲା। ତେଣୁ ଚଳିତ ନିର୍ବାଚନରେ ବିଜେଡି ପୁଲିସ ବିଭାଗରୁ ଅବସର ନେଇଥିବା ରାଇସେନ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ପାଇଁ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି।

ନୋସି ପାର୍କରେ ହୋଇଥିବା ରୁଦ୍ଧ ଦ୍ଵାର ବୈଠକରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯଦି ପ୍ରକୃତରେ ଏହି ୪ ପ୍ରାର୍ଥୀଙ୍କ ନାଁ ପରୋକ୍ଷରେ ଘୋଷଣା କରି ଥିବେ, ତା’ହେଲେ ରହିଯାଇଥିବା ବଡ଼ସାହି, ସାରସକଣା, ଉଦଳା, ଯଶିପୁର, କରଞ୍ଜିଆ ପାଇଁ ଲମ୍ବା ଧାଡ଼ିରେ ଥିବା ଆଶାୟୀ ଏବଂ ବାରିପଦା, ବାଙ୍ଗିରିପୋଷୀ, ରାଇରଙ୍ଗପୁର, ମୋରଡା ନିର୍ବାଚନମଣ୍ଡଳୀର ଆଶାୟୀଙ୍କ ମଧ୍ୟରେ ବିଦ୍ରୋହର ସ୍ୱର ଉଠିବାର ଆଶଙ୍କା ରହିଛି। ମୟୂରଭଞ୍ଜ ଜିଲ୍ଲାର ସାଙ୍ଗଠନିକ ସଭାପତି ଏହାକୁ କିଭଳି ମେନେଜ କରିବେ, ତାହା ଦେଖିବାକୁ ବାକି ରହିଛି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

BjD Mayurbhanj