ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରଠୁ ଲଗାମଛଡ଼ା ପାଲଟିଥିବା ବିଜେଡି ସଂଗଠନରେ ଏବେ ବିସ୍ଫୋରକ ସ୍ଥିତି। ଦଳରେ ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ନେଇ ବଢ଼ୁଥିବା ଆକ୍ରୋଶକୁ ଦେଖି ତାଙ୍କର ଖାସ୍ ସହଯୋଗୀ(ପାଣ୍ଡିଆନ ମାର୍କା ନେତା ଓ ସାଂସଦମାନେ) ଏବେ ନୂଆ ଫନ୍ଦି ବାହାର କରିଛନ୍ତି। ବିଜେଡିର ବିପର୍ଯ୍ୟୟ ପାଣ୍ଡିଆନଙ୍କ ଏକଛତ୍ରବାଦ ନୀତି ଓ ରାଜନୈତିକ ମହତ୍ୱାକାଂକ୍ଷା ପାଇଁ ହୋଇନି ବରଂ ନିର୍ବାଚନ ଆୟୋଗଙ୍କ ନିର୍ବାଚନୀ ପରିଚାଳନାଗତ ତ୍ରୁଟି ଯୋଗୁ ବିଜେଡି ପରାଜିତ ହୋଇଛି ବୋଲି ସନ୍ଦେଶ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି।
ଦଳ ଆଉ ୨ଦିନ ପରେ ନିଜର ୨୮ତମ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଥିବାବେଳେ ଗତ ସପ୍ତାହରେ ନବୀନଙ୍କୁ ଭେଟି ଜିଲ୍ଲାଠୁ ରାଜ୍ୟସ୍ତରର ନେତାମାନେ ଖୋଲାଖୋଲି ଭାବେ ପାଣ୍ଡିଆନଙ୍କୁ ବିରୋଧ କରିଥିବାରୁ ପାଣ୍ଡିଆନମାର୍କା ନେତାମାନେ ଏବେ ନିଜର ‘ବସ୍’ଙ୍କ ତୁଷ୍ଟୀକରଣ ପାଇଁ ଲାଗିପଡ଼ିଛନ୍ତି। ଆଉ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ନିର୍ବାଚନ ପଦ୍ଧତି ଓ ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତା ଉପରେ ଅଙ୍ଗୁଳି ଉଠାଇବାକୁ ପଛାଇନାହାନ୍ତି। ଗତ ଅଗଷ୍ଟ ୯ତାରିଖରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ଯେଉଁ ଅଭିଯୋଗ ଆଣିଥିଲା ଆଜି ଆନୁଷ୍ଠାନିକ ଭାବେ ନିର୍ବାଚନ କମିଶନଙ୍କୁ ଭେଟି ଓଡ଼ିଶାରେ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ପରିଚାଳନାର ଅଭିଯୋଗ କରିଛି। ଏଭଳି ଅଭିଯୋଗ ବିଜେଡି ପାଇଁ ‘ସମୟ’ର ‘ଆବଶ୍ୟକତା’ ଅନୁରୂପ ହୋଇଛି ନା ପାଣ୍ଡିଆନଙ୍କୁ କଳଙ୍କମୁକ୍ତ କରିବାକୁ ଏହା ଏକ ‘ବାଧ୍ୟବାଧକତା’, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ବିଜେଡିର ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ୭ଜଣ ରାଜ୍ୟସଭା ସାଂସଦ ଆଜି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟକୁ ଯାଇ ୨୦୨୪ ସାଧାରଣ ନିର୍ବାଚନ ପରିଚାଳନାରେ ତ୍ରୁଟି ହୋଇଥିବାର ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଅମର ପଟ୍ଟନାୟକ କହିଛନ୍ତି ଯେ, “ଦେଶରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରାଇବା ନେଇ ନାଗରିକମାନେ ନିର୍ବାଚନ ଆୟୋଗଙ୍କ ଉପରେ ବହୁତ ଭରସା କରନ୍ତି। ଆମେ ନିର୍ବାଚନ ଆୟୋଗଙ୍କ ଉପରେ ସନ୍ଦେହ ନକରି ଯେଉଁ ୩ଟି ଦିଗ ବା ବିସଙ୍ଗତି ସମ୍ପର୍କରେ ଆଲୋକପାତ କରିଛୁ, ତାକୁ ଦୂର କରିବା ପାଇଁ ଅନୁରୋଧ କରିଛୁ। ଭୋଟହାର, ଭୋଟ ଗଣତି ଓ ଭୋଟ୍ ଫଳାଫଳ ମଧ୍ୟରେ ଯେଉଁ ପାର୍ଥକ୍ୟ ରହିଛି ସେସବୁ ମେସିନଜନିତ ତ୍ରୁଟି ନା ମାନୁଆଲ ତ୍ରୁଟି ନା ପ୍ରକ୍ରିୟାର ତ୍ରୁଟି ତାହା ସ୍ପଷ୍ଟ ହେବାର ଆବଶ୍ୟକତା ରହିଛି ବୋଲି ଆମେ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛୁ। ଦଳ ଏନେଇ ୨ମାସ ପୂର୍ବରୁ ଏନେଇ ତଥ୍ୟ ନିମନ୍ତେ ଆବେଦନ କରିଥିଲା, ଯାହା ମିଳିନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ତେବେ ପାଣ୍ଡିଆନମାର୍କା ବିଜେଡି ନେତାମାନେ ଆଜି ଯେଉଁ ୩ଟି ଦିଗ ଉପରେ ଅଭିଯୋଗ କରିଛନ୍ତି ସେଥିରେ ପ୍ରଥମଟି ହେଉଛି- ବୁଥରେ ପଡ଼ିଥିବା ଭୋଟ୍ ପରିମାଣ ଯାହାକି ପ୍ରିଜାଇଡିଂ ଅଫିସରଙ୍କ ଦ୍ୱାରା ଫର୍ମ-୧୭(ସି)ରେ ଉଲ୍ଲେଖ ଅଛି ଓ ଭୋଟଗଣନାବେଳେ ରିଟର୍ଣ୍ଣିଂ ଅଫିସର ଫର୍ମ-୨୦ରେ ଦେଇଥିବା ଭୋଟ୍ ପରିମାଣ ଦେଇଥିବା ତଥ୍ୟ ଅମେଳ ରହୁଛି। କନ୍ଧମାଳ ସଂସଦୀୟ କ୍ଷେତ୍ରର ବୁଥ ନମ୍ବର-୫୭ରେ ଏଭଳି ୬୮୨ଖଣ୍ଡ ଭୋଟ ଅମେଳ ହୋଇଛି।
ସେହିପରି ଦ୍ୱିତୀୟଟି ହେଉଛି, ମତଦାନ ଦିନ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପଡ଼ିଥିବା ଭୋଟ୍ ପ୍ରତିଶତ ହାର ଓ ଦୁଇଦିନ ପରେ ନିର୍ବାଚନ କମିଶନ ଦେଇଥିବା ଭୋଟ ପ୍ରତିଶତ ହାର ମଧ୍ୟରେ ୧୫ରୁ ୩୦ପ୍ରତିଶତ ପର୍ଯ୍ୟନ୍ତ ପାର୍ଥକ୍ୟ ପ୍ରାୟ ୯୦ଟି ବିଧାନସଭା ଆସନରେ ରହିଛି। ଯାହାକି ଓଡ଼ିଶା ନିର୍ବାଚନ ଇତିହାସରେ ପ୍ରଥମ। ଏଭଳି ପାର୍ଥକ୍ୟ ମାତ୍ର ୦ରୁ ୨ପ୍ରତିଶତ ମଧ୍ୟରେ ରହିଥାଏ।
ତୃତୀୟଟି ହେଉଛି ଲୋକସଭା ଓ ବିଧାନସଭା ଭୋଟ୍ ହାର ମଧ୍ୟରେ ସମାନତା ନାହିଁ । କନ୍ଧମାଳ ଲୋକସଭା ଆସନରେ ୩୫୨୧ଟି,ଢେଙ୍କାନାଳରେ ୪୦୫୬ଟି,ବଲାଙ୍ଗୀରରେ ୨୭୦୧ଟି ଓ ଯାଜପୁର ଲୋକସଭା ଆସନରେ ୬୭୭ଟି ଭୋଟ୍ ପାର୍ଥକ୍ୟ ରହିଛି ।
ଅନ୍ୟପକ୍ଷରେ ଚର୍ଚ୍ଚା ହେଉଛି, ଦଳରେ ପାଣ୍ଡିଆନଙ୍କୁ ନେଇ ବଢ଼ୁଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ଏଭଳି ଅଭିଯୋଗ ଅଣାଯାଇଛି। ଏଭଳି ଅଭିଯୋଗ ଯେ ନିରାଧାର ତାହା ବହୁଧା ପ୍ରମାଣିତ ହୋଇସାରିଛି। ପୂର୍ବରୁ ଅନେକ ଦଳ ଏପରି ଅଭିଯୋଗ ଆଣିସାରିଛନ୍ତି। ଦେଶର ନିରପେକ୍ଷ ନିର୍ବାଚନ ପଦ୍ଧତିକୁ ସମଗ୍ର ବିଶ୍ୱ ଦେଖିଛି। ନିର୍ବାଚନରେ ହାରିଗଲେ ଇଭିଏମ୍ ମେସିନକୁ ଦାୟୀ କରିବା ହେଉଛି କଂଗ୍ରେସର ପୁରୁଣା ରୋଗ। କିନ୍ତୁ ଏବେ ବିଜେଡିକୁ ରୋଗ ଡେଇଁଛି। ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇବା ପୂର୍ବରୁ ଦଳୀୟସ୍ତରରେ ବରିଷ୍ଠ ନେତାମାନଙ୍କ ସହ ଏନେଇ ବିଚାରବିମର୍ଶ କରାଯାଇ ନାହିଁ। ବିଜେଡିରେ କନ୍ଦଳ ବଢ଼ିବାରେ ଲାଗିଛି।
ଆସନ୍ତା ମାସରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ହେବାକୁ ଯାଉଛି। ଚଳିତମାସରେ ପାଣ୍ଡିଆନଙ୍କ ଦୁଇ ଖାସ୍ ସହଯୋଗୀ ଡିଏସ୍ କୁଟ୍ଟେ ଓ ଆଶୀଷ ସିଂଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିଥିବାରୁ ଦଳ ଭିତରେ ପାଣ୍ଡିଆନଙ୍କ ସନ୍ଦେହଜନକ ଭୂମିକାକୁ ନେଇ ଆକ୍ରୋଶ ରହିଛି। ତେଣୁ ଏସବୁକୁ ଦେଖି ରାଜନୀତିରୁ ସନ୍ୟାସ ଘୋଷଣା କରିଥିବା ପାଣ୍ଡିଆନଙ୍କ ମୁଣ୍ଡରୁ କଳଙ୍କ ଛଡ଼ାଇବାକୁ ତାଙ୍କ ଦୟାରେ ସାଂସଦ ହୋଇଥିବା କିଛି ତୋଷାମଦକାରୀ ନେତା ଏବେ ଏଭଳି ଅଭିଯୋଗ ଆଣିଛନ୍ତି। ବିଜେଡି କାହିଁକି ପରାଜୟ ହେଲା ଓ ନବୀନଙ୍କ ୨୪ବର୍ଷର ଦୁର୍ଗ ଭୁଷୁଡ଼ି ପଡ଼ିଲା ତା’ର ସମୀକ୍ଷା ନକରି ପାଣ୍ଡିଆନମାର୍କା ନେତାମାନେ ଏବେ ନିର୍ବାଚନ ଆୟୋଗଙ୍କୁ ଦୋଷ ଦେବା କେବଳ ଏକ ବାଧ୍ୟବାଧକତା ବୋଲି ଚର୍ଚ୍ଚା ହେଉଛି।