ବିଜେଡିର ଛାୟାମୁଖ୍ୟଙ୍କୁ ହ୍ୟାଙ୍ଗଓଭର ଛାଡ଼ୁନି: କନ୍ଦଳ ଏଡ଼ାଇବାକୁ ବିରୋଧୀ ଦଳର ନାଟକ ନା ସାଂସଦଙ୍କୁ ଲଗାମ୍‌

ସଂସଦର ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକ ସମସ୍ତ ୯ଜଣ ରାଜ୍ୟସଭା ସାଂସଦଙ୍କ ସହ ବୈଠକ କରିଥିଲେ ।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କ ଦଳର ୯ ରାଜ୍ୟସଭା ସାଂସଦ

  • Published: Monday, 24 June 2024
  • , Updated: 24 June 2024, 09:03 PM IST

ବିଜେଡିର ଛାୟାମୁଖ୍ୟଙ୍କୁ ହ୍ୟାଙ୍ଗଓଭର ଛାଡୁନି । ଦଳକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ପରଦା ପଛରେ ରହି ସାଂସଦଙ୍କ ସ୍ୱାଧୀନତା ଉପରେ ଲଗାମ ଦେବାକୁ ପ୍ରୟାସ ଜାରି ରଖିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ‘ପୋଷାଶୁଆ’ କରି ଦଳର ଛାୟାମୁଖ୍ୟ ଆଜି ସଂସଦୀୟ ଦଳ ବୈଠକକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି । ସମଦୂରତ୍ୱ ଓ ପ୍ରସଙ୍ଗଭିତ୍ତିକ ସମର୍ଥନ ବଦଳରେ ଏଣିକି ଦୃଢ଼ ବିରୋଧୀ ଦଳ ଭାବେ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗରେ ରାଜ୍ୟସଭାରେ ଲଢ଼େଇ କରିବାକୁ ଆଜି ସଂସଦୀୟ ବୈଠକରେ ନିଷ୍ପତ୍ତି ନେଇଥିବା ବିଜେଡି ନିଜର ସାଂସଦମାନଙ୍କୁ ରାଜ୍ୟସଭା ଭିତରେ ପ୍ରସଙ୍ଗ ଚୟନର ସ୍ୱାଧୀନତା ଦେବା ପରିବର୍ତ୍ତେ ଲିଖିତ ଭାବେ ଲମ୍ବାଚଉଡ଼ା ପ୍ରସଙ୍ଗର ତାଲିକା ଦେଇଛି ଯାହାକି ଦଳର ଆଉ ଏକ ଅପରିପକ୍ୱତାର ପ୍ରମାଣ ଦେଇଛି । ଦୀର୍ଘ ଦଶନ୍ଧି ଧରି ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ଦାବିଗୁଡ଼ିକୁ ପୂରଣ ପାଇଁ ସ୍ୱର ଶାଣିତ ନକରି କେନ୍ଦ୍ରରେ ବିଜେପି ସରକାର ପାଖରେ ନିଜକୁ ସମର୍ପି ଦେବା ସହ ଦଳୀୟ ସାଂସଦମାନଙ୍କ ଉପରେ ହୁଇପ୍ ଜାରି କରିବାକୁ ବି ବିଜେଡି ପଛାଉନଥିଲା । ତେବେ ବିଜେଡିର ଏଭଳି ଦୋମୁହାଁ ଓ ସୁବିଧାବାଦୀ ନୀତିକୁ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିବା ପରେ ଦଳର ଚେତା ପଶିଛି ତଥା ବିରୋଧୀ ଦଳ ଭଳି ରାଜ୍ୟସଭାର ମଧ୍ୟଭାଗରେ ହଟ୍ଟଗୋଳ କରିବାକୁ ଦଳ ପଛାଇବ ନାହିଁ ବୋଲି ଆଜି କହିଛି । ମାତ୍ର ସାଧାରଣ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ଓ ଅନଭିଜ୍ଞଙ୍କୁ ରାଜ୍ୟସଭା ପଠାଇଥିବା ବିଜେଡି ସତରେ କ’ଣ ରାଜ୍ୟସଭାରେ ସ୍ୱର ଶାଣିତ କରିପାରିବ ନା ନିର୍ବାଚନୀ ପରାଜୟକୁ ନେଇ ଦଳ ଭିତରେ ବଢ଼ୁଥିବା କନ୍ଦଳକୁ ଶାନ୍ତ କରିବାକୁ ଏଭଳି ରଣନୀତି କରିଛି ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

ସଂସଦର ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକ ସମସ୍ତ ୯ଜଣ ରାଜ୍ୟସଭା ସାଂସଦଙ୍କ ସହ ବୈଠକ କରିଥିଲେ । ଅବଶ୍ୟ ଲୋକସଭାରେ ମୂଳପୋଛ ବିଜେଡି ଆଜିର ବୈଠକକୁ ସଂସଦୀୟ ଦଳ ବୈଠକ ବୋଲି କହିଛି । ଆଉ  ବୈଠକରେ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟସଭାରେ ବିଜେଡି ନେତା ସସ୍ମିତ ପାତ୍ର କହିଛନ୍ତି ଯେ,  ବିଜେଡି ସାଂସଦମାନେ ରାଜ୍ୟସଭାରେ ନିଜକୁ କେବଳ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ମଧ୍ୟରେ ସୀମିତ ରଖିବେ ନାହିଁ । ଯଦି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରନ୍ତି ତା’ହେଲେ ଗୃହର ମଧ୍ୟଭାଗକୁ ଯାଇ ବିରୋଧ କରିବାକୁ ଦଳ ପଛାଇବ ନାହିଁ । ସଂସଦରେ ରାଜ୍ୟର ଅଧିକାର ପାଇଁ ଲଢ଼େଇ କରିବାକୁ ଦଳର ସଭାପତି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ କେନ୍ଦ୍ରରେ ବିଜେପି ସରକାରକୁ ବିଜେଡି ପୂର୍ବଭଳି ନିଜର ସମଦୂରତ୍ୱ ନୀତି ଓ ପ୍ରସଙ୍ଗଭିତ୍ତିକ ସମର୍ଥନ ଜାରି ରଖିବ କି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି ଯେ, ବିଜେପିକୁ ଆଉ ସମର୍ଥନ ଦିଆଯିବନି । ବିରୋଧୀ ଦଳ ଭାବେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଆମେ ସବୁପ୍ରକାର ଲଢ଼େଇ କରିବୁ ।

ସେ କହିଥିଲେ ଯେ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ସମେତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ୧୫ଲକ୍ଷ ଘର, କୋଇଲା ରୟାଲିଟି ସଂଶୋଧନ , କେନ୍ଦୁପତ୍ର ଉପରୁ ଜିଏସଟି ସମ୍ପୂର୍ଣ୍ଣ ଛାଡ଼, ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଓ ଦୁର୍ବଳ ରକ୍ଷଣାବେକ୍ଷଣ, ଓଡ଼ିଶାରେ ରେଳ ସଂଯୋଗକୁ ଅଧିକ ସମ୍ପ୍ରସାରଣ ଓ ବ୍ୟାପକ କରିବା, କୋଷ୍ଟାଲ ହାଇୱେ ଓ ଭୁବନେଶ୍ୱର ରିଙ୍ଗରୋଡ୍ ନିର୍ମାଣ, ପ୍ରତ୍ୟେକ ପଂଚାୟତରେ ବ୍ୟାଙ୍କ ଶାଖା ଖୋଲିବା, ରାଜ୍ୟର ସବୁ ପଂଚାୟତରେ ମୋବାଇଲ ଓ ଇଂଟରନେଟ୍ ସେବା ଯୋଗାଣ, ମହାନଦୀ ପ୍ରକଳ୍ପ ସମେତ ଅଟକିଥିବା ସମସ୍ତ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ, ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ପ୍ରତିଶତ ସଂରକ୍ଷଣକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଚାଷୀଙ୍କୁ ୩୧୦୦ଟଙ୍କା ଧାନ ଏମଏସପି ଓ ସାର ଉପଲବ୍ଧ କରାଇବା, ଓଡ଼ିଶାର ୧୬୨ଟି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବା, ପ୍ରତ୍ୟେକ ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ ସହ ଆଦିବାସୀ ଅଧ୍ୟୁଷ୍ୟିତ ପ୍ରତି ବ୍ଲକରେ ଏକଲବ୍ୟ ବିଦ୍ୟାଳୟ ସ୍ଥାପନ, ଇଣ୍ଡଷ୍ଟ୍ରିଆଲ,ଆଇଟି ଓ ଟେକ୍ସଟାଇଲ ପାର୍କ ସହ ସମ୍ବଲପୁର-କୋରାପୁଟ ଓ ବାଲେଶ୍ୱରରେ ଏମ୍ସ ସ୍ଥାପନ ଭଳି ଦାବି ପ୍ରସଙ୍ଗକୁ ରାଜ୍ୟସଭାରେ ବିଜେଡି ସାଂସଦମାନେ ଉତଥାପନ କରିବେ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ନିଜର ଅହଙ୍କାର ଓ ସଂଖ୍ୟାବଳରେ ରାଜ୍ୟସଭାକୁ ନିଜର ପ୍ରୟୋଗଶାଳା କରିଥିବା ବିଜେଡି ନିଜର ଏହି ସାଂସଦମାନଙ୍କୁ ଦୃଢ଼ ବିରୋଧୀ ଦଳର ସଦସ୍ୟ ଭାବେ ରାଜ୍ୟସଭାରେ ପ୍ରସଙ୍ଗ ଚୟନର ସ୍ୱାଧୀନତା ଦେବାରେ ଅସୁବିଧା ଥିଲା କେଉଁଠି? ସମଦୂରତ୍ୱର କଥା କହୁଥିବା ବିଜେଡି ଏବେ ସଂସଦରେ ୟୁଟର୍ଣ୍ଣ ନେଇ ବିରୋଧୀ ଦଳ ଭୂମିକା ତୁଲାଇବ ବୋଲି କହୁଛି । ବିରୋଧୀ ଦଳର ସଦସ୍ୟ ଭାବେ ରାଜ୍ୟସଭାରେ ବିଜେଡି ନେତାମାନେ ଗୃହରେ ସେମାନଙ୍କ ବିବେକାନୁମୋଦିତ ପ୍ରସଙ୍ଗ ଉଠାଇବା ବଦଳରେ ‘ଛାୟାମୁଖ୍ୟ’ଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରସଙ୍ଗ ଉତଥାପନ କରିବେ ବୋଲି ଜଣାପଡ଼ିଛି। ଦଳର ନିର୍ବାଚନୀ ବିପର୍ଯ୍ୟୟର ସମୀକ୍ଷା କରିବାକୁ ପଛାଉଥିବା ନବୀନ ଏବେବି ଛାୟାମୁଖ୍ୟଙ୍କ ‘ସଖିକଣ୍ଢେଇ’ ଭଳି ତାଙ୍କ କଥାରେ ବିଜେଡିକୁ ପରିଚାଳନା କରୁଥିବା ଚର୍ଚ୍ଚା ହେଉଛି । ଏତେ ବିପର୍ଯ୍ୟୟ ପରେ ମଧ୍ୟ ବିଜେଡିକୁ ଛାୟାମୁଖ୍ୟ ଭିକେ ପାଣ୍ଡିଆନ ଓ ପ୍ରଣବପ୍ରକାଶ ଦାସଙ୍କୁ କବଜା କରି ରଖିଥିବା ଜଣାପଡ଼ିଛି ।

Related story