Advertisment

ସଂସଦରେ ‘ଅପରେସନ ସିନ୍ଦୂର’ ଆଲୋଚନାକୁ ନେଇ ବିଜେଡିରେ ଫାଟ: ଚର୍ଚ୍ଚାରେ ଦେବାଶିଷ ଓ ମୁନ୍ନା

ଲୋକସଭାରେ ମୂଳପୋଛ ହୋଇସାରିଥିବା ବିଜେଡି ରାଜ୍ୟସଭାରେ ‘ଅପରେସନ୍ ସିନ୍ଦୂର’ ପ୍ରସଙ୍ଗରେ ଆଲୋଚନାରେ କେଉଁ ଆଭିମୁଖ୍ୟ ଆପଣାଉଛି ତାକୁ ନେଇ ସଂଶୟ ଲାଗି ରହିଛି।

author-image
Ordigital Desk
ଅଦ୍ୟତନ ହୋଇଛି
Odisha

Odisha

ରାଜ୍ୟସଭାରେ ଆଜି ‘ଅପରେସନ୍ ସିନ୍ଦୁର’କୁ ନେଇ ହେବାକୁ ଥିବା ଆଲୋଚନା ପୂର୍ବରୁ ବିଜେଡିକୁ ପୁଣିଥରେ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିବା ସୂଚନା ମିଳିଛି । ଗତ ଏପ୍ରିଲ ମାସରେ ୱକଫ୍ ବିଲକୁ ସମର୍ଥନ କରିବା ପ୍ରସଙ୍ଗରେ ବିଜେଡିର ସଂସଦୀୟ ଦଳରେ ଫାଟ ଯେଭଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା ଏବେ ଅନୁରୂପ ସ୍ଥିତି ପୁଣିଥରେ ଉପୁଜିବାର ଆଶଙ୍କା ଦେଖାଦେଇଛି ।

Advertisment

ଲୋକସଭାରେ ମୂଳପୋଛ ହୋଇସାରିଥିବା ବିଜେଡି ରାଜ୍ୟସଭାରେ ‘ଅପରେସନ୍ ସିନ୍ଦୂର’ ପ୍ରସଙ୍ଗରେ ଆଲୋଚନାରେ କେଉଁ ଆଭିମୁଖ୍ୟ ଆପଣାଉଛି ତାକୁ ନେଇ ସଂଶୟ ଲାଗି ରହିଛି। ତେବେ ରାଜ୍ୟସଭାରେ ଆଲୋଚନାବେଳେ ‘ଅପରେସନ୍ ସିନ୍ଦୂର’କୁ ପ୍ରଶଂସା ଓ ସକାରାତ୍ମକ ଚର୍ଚ୍ଚା କରିବା ନିମନ୍ତେ ବିଜେଡି ଜାରି କରିଥିବା  ଫତୱାକୁ ଦଳର ଦୁଇ ସାଂସଦ ଦେବାଶିଷ ସାମନ୍ତରାୟ ଓ ମୁନ୍ନା ଖାନ୍ ତୀବ୍ର ବିରୋଧ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।

ଯେଉଁଥିପାଇଁ ଏହି ଦୁଇ ବରିଷ୍ଠ ନେତା ତଥା ଉଭୟ ସାଂସଦଙ୍କୁ ରାଜ୍ୟସଭାରେ ଆଲୋଚନାରୁ ଦୂରେଇ ରଖିବାକୁ ଅଘୋଷିତ ନିର୍ଦ୍ଦେଶନାମା ଜାରି ହୋଇଥିବା ବିଜେଡି ସୂତ୍ରରୁ ସୂଚନା ମିଳିଛି । ବିଜେଡିର ଅଘୋଷିତ ସର୍ବେସର୍ବାଙ୍କ ଦ୍ୱାରା ଜାରି ୬ସୂତ୍ରୀୟ ଗୁରୁମନ୍ତ୍ର ମଧ୍ୟ ଏବେ ଦଳୀୟ ମହଲରେ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି,ଯେଉଁଥିରେ ସାଂସଦମାନେ କିଭଳି କହିବେ, କ’ଣ ଓ କେତେ କହିବେ ସେସବୁକୁ ନବୀନ ନିବାସରୁ ନିୟନ୍ତ୍ରିତ ପାଇଁ ପ୍ରୟାସ ହୋଇଥିବା ଜଣାପଡ଼ିଛି ।

Advertisment

ଚିହିଁକି ଉଠିଲେ ଦେବାଶିଷ ଓ ମୁନ୍ନା!

ସଂସଦରେ ‘ଅପରେସନ୍ ସିନ୍ଦୂର’ ପ୍ରସଙ୍ଗରେ ଆଲୋଚନା ପାଇଁ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହେବାପରେ ଦଳର ଆଭିମୁଖ୍ୟ କ’ଣ ରହିବ ସେ ସମ୍ପର୍କରେ ବିଜେଡି ସାଂସଦମାନଙ୍କୁ ନବୀନ ନିବାସରୁ ହ୍ୱାଟସଅପ୍ ମାଧ୍ୟମରେ ୬ସୂତ୍ରୀୟ ଗୁରୁମନ୍ତ୍ର ଜାରି କରାଯାଇଛି । ବିଜେଡି ଲୋକସଭାରେ ମୂଳପୋଛ ହୋଇଥିବାବେଳେ ରାଜ୍ୟସଭାରେ ୭ଜଣ ସାଂସଦ ଅଛନ୍ତି । ନବୀନ ନିବାସରୁ ଯାଇଥିବା ହ୍ୱାଟସଅପ୍ ସନ୍ଦେଶକୁ ଦଳର ସମସ୍ତ ୭ ସାଂସଦଙ୍କୁ ବଂଟନ କରାଯିବା ପରେ ବରିଷ୍ଠ ନେତା ଦେବାଶୀଷ ସାମନ୍ତରାୟ ଓ ମୁନ୍ନା ଖାନ୍ ଚିହିଁକି ଉଠିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ।

ସେମାନେ ହ୍ୱାଟସଆପରେ ଯାଇଥିବା ସନ୍ଦେଶକୁ ସିଧାସଳଖ ଖାରଜ କରି ‘ଅପରେସନ୍ ସିନ୍ଦୂର’  ଆଲୋଚନାରେ ଦଳ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଦୋଷତ୍ରୁଟିକୁ ଗୃହ ବିବରଣୀରେ ରେକର୍ଡ କରୁ ବୋଲି ଚାହୁଁଥିଲେ । ବିଜେଡି ସୂତ୍ର ଅନୁସାରେ, ଦଳର ଏହି ଦୁଇ ବରିଷ୍ଠ ନେତାଙ୍କ ଏଭଳି ଆଭିମୁଖ୍ୟ ଦେଖି ପାଣ୍ଡିଆନମାର୍କା ବିଜେଡି ସାଂସଦମାନେ(ପାଣ୍ଡିଆନଙ୍କ ଦୟାରେ ରାଜ୍ୟସଭା ସାଂସଦ ହୋଇଥିବା) ସଙ୍ଗେସଙ୍ଗେ ନବୀନ ନିବାସକୁ ଅବଗତ କରାଇଥିଲେ ।

ଆଉ ସେଠାରୁ ଯେଉଁ ସନ୍ଦେଶ ଯାଇଥିଲା ତାହା ଦଳରେ ପୁଣିଥରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ଉଭୟ ସାଂସଦଙ୍କୁ ଏହି ଆଲୋଚନାରୁ ଦୂରେଇ ରଖିବାକୁ ନବୀନ ନିବାସରୁ ଅଘୋଷିତ ସର୍ବେସର୍ବା ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ହେଉଛି । ଏହି ପ୍ରସଙ୍ଗରେ ଉଭୟ ଦେବାଶୀଷ ଓ ମୁନ୍ନା ଖାନଙ୍କ ମତାମତ ଜାଣିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବପର ହୋଇପାରିନାହିଁ ।

ସାଂସଦଙ୍କୁ ନବୀନ ନିବାସର ୬ସୂତ୍ରୀୟ ଗୁରୁମନ୍ତ୍ର

ଚଳିତଥର ସଂସଦ ଅଧିବେଶନ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂସଦୀୟ ଦଳ ବୈଠକ ଅନୁଷ୍ଠିିତ ହୋଇନାହିଁ । ମାତ୍ର ଅପରେସନ୍ ସିନ୍ଦୂର  ଆଲୋଚନାରେ ଦଳର ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ନବୀନ ନିବାସ ପକ୍ଷରୁ ସାଂସଦମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶନାମାଟି ଦଳର ନେତୃତ୍ୱଙ୍କ ଅନୁମୋଦନ କରାଯାଇଛି ବୋଲି ଉଲ୍ଲେଖ ଅଛି । ଯେଉଁ ୬ଟି ସୂତ୍ରୀୟ ଗୁରୁମନ୍ତ୍ର ପଠାଯାଇଛି ତାହା କେନ୍ଦ୍ରର ଏନଡିଏ ସରକାରଙ୍କୁ ସିଧାସଳଖ ଶ୍ରେୟ ଦେବା ପିରବର୍ତ୍ତେ  ‘ଭାରତୀୟ ସଶସ୍ତ୍ର ବାହିନୀ’ର ସାହାସିକତା ଓ ପ୍ରଶଂସା କରି ପରୋକ୍ଷରେ ସମର୍ଥନ ଦେବାଭଳି ହୋଇଛି ।

ସେନାବାହିନୀର ଅତୁଳନୀୟ ସାହାସ, ଅନୁୂଶାସନ ଓ ବୃତ୍ତିଗତ ଉତ୍କର୍ଷତା, ସେମାନଙ୍କର ମାନବୀୟ ଶ୍ରେଷ୍ଠତା ଓ ‘ଅପରେସନ ସିନ୍ଦୂର’ର ପରିଚାଳନାଗତ ସଠିକତା ଉପରେ ଆଲୋକପାତ କରିବାକୁ କୁହାଯାଇଛି । ସଶସ୍ତ୍ର ବାହିନୀ ପାଇଁ ନିରନ୍ତର ସମର୍ଥନ ଓଡ଼ିଶା ଦେଇଆସୁଛି । ଅପରେସନ୍ ସିନ୍ଦୁର ହେଉଛି ଆମ ପାଇଁ ରାଷ୍ଟ୍ରୀୟ ଗୌରବ ତଥା ଜାତୀୟ ସୁରକ୍ଷା ଓ ନିରାପତ୍ତା ହେଉଛି ରାଜନୀତିରୁ ଉର୍ଦ୍ଧ୍ୱ ଆଦିକୁ ଆଲୋଚନାରେ ସାମିଲ କରିବାକୁ କୁହାଯାଇଛି । ଅଣରାଜନୀତିକ ପ୍ରଶଂସା ଉପରେ ଗୁରୁତ୍ୱ ଦେଇ ଭାରତ ସରକାରଙ୍କ ନେତୃତ୍ୱ କିମ୍ବା କେନ୍ଦ୍ର ସରକାରଙ୍କୁ ସିଧାସଳଖ ପ୍ରଶଂସା କରିବା ଭଳି ଶବ୍ଦ ଉପଯୋଗରୁ ଦୂରେଇ ରହିବାକୁ ସାଂସଦମାନଙ୍କୁ ଗୁରୁମନ୍ତ୍ର ଦିଆଯାଇଛି । ସମସ୍ତ ସାଂସଦ  କହିବାବେଳେ ଏହି ନିର୍ଦ୍ଧାରିତ ୬ସୂତ୍ରୀୟ ଗୁରୁମନ୍ତ୍ର ଓ ଗାଇଡଲାଇନ୍ ମଧ୍ୟରେ ନିଜକୁ ସୀମିତ ରଖିବାକୁ ନବୀନ ନିବାସରୁ ଅଘୋଷିତ ସର୍ବେସର୍ବା ନିର୍ଦ୍ଦେଶ ଜାରି କରିଥିବା ଚର୍ଚ୍ଚା ହେଉଛି ।

ୱକଫ୍ ବିଲ୍ ଭଳି ସ୍ଥିତି ଉପୁଜିବାର ଆଶଙ୍କା

ବିଜେଡି ନିଜର ମୌଳିକ ବିଚାରଧାରାରୁ ଓହରି ଗତ ଏପ୍ରିଲ ମାସରେ ଯେଭଳି ଢଙ୍ଗରେ କେନ୍ଦ୍ର ସରକାରଙ୍କ ୱକଫ୍ ବିଲକୁ ସମର୍ଥନ କଲା ତାକୁ ନେଇ ଦଳ ଭିତରେ ତୀବ୍ର ଆକ୍ରୋଶ ସୃଷ୍ଟି ହୋଇଥିଲା । କିଏ ସାଂସଦମାନଙ୍କୁ ଏଭଳି ନିଷ୍ପତ୍ତି ନେବାକୁ କହିଥିଲା ତାହା ସମସ୍ତେ ଜାଣିଥିଲେ ମଧ୍ୟ କେହି ସିଧାସଳଖ ମୁହଁ ଖୋଲିନଥିଲେ । ଓଲଟା ନିଜର ବସ୍ (ପାଣ୍ଡିଆନ)ଙ୍କୁ ଖୁସି କରିବାକୁ କିଛି ସାଂସଦ ମଧ୍ୟ ଦଳର ନୀତି-ନୈତିକତାକୁ ବଳି ପକାଇ ଦେଇଥିଲେ । ଦେବାଶୀଷ ଓ ମୁନ୍ନାଙ୍କୁ ବାଦ୍ ଦେଇ ପାଣ୍ଡିଆନଙ୍କ ଖାସ୍ ଅନୁଗତ ଥିବା ଏହି ସାଂସଦମାନେ ୱକଫକୁ ଭୋଟ୍ ଦେଇଥିବା ପ୍ରମାଣିତ ହୋଇଥିଲା ।

ଏବେ ସେହି ପ୍ରସଙ୍ଗ ଥମି ନଥିବାବେଳେ ‘ଅପରେସନ ସିନ୍ଦୂର’କୁ ନେଇ ଦଳର ଆଭିମୁଖ୍ୟ ପୁଣିଥରେ ସାଂସଦମାନଙ୍କ ଭିତରେ ଫାଟ ଓ ଆକ୍ରୋଶର କାରଣ ପାଲଟିଥିବା ଚର୍ଚ୍ଚା । ବିଜେଡି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ହୋଇଥିବାରୁ ବିଭିନ୍ନ ପ୍ରସଙ୍ଗରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସିଧାସଳଖ ସମର୍ଥନ ଦେବା ଦ୍ୱାରା ରାଜ୍ୟରେ ଦଳୀୟ ସଂଗଠନ ଦୁର୍ବଳ ହେଉଥିବା କର୍ମୀ-ନେତାମାନେ ଅନୁଭବ କରୁଛନ୍ତି । ଯାହାକୁ ଆକଳନ କରି ଦେବାଶୀଷ ଓ ମୁନ୍ନାଙ୍କ ଭଳି ପୁରୁଖା ବିଜେଡି ନେତାମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିବାରେ ଲାଗିଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବଢ଼ୁଥିବା ମହିଳା ବିରୁଦ୍ଧ ହିଂସାରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଜାତୀୟସ୍ତରରେ ଲୋକଲୋଚନକୁ ଆଣିବା ପାଇଁ ସଂସଦ ଭବନ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଦଳୀୟ ସାଂସଦମାନଙ୍କୁ ପ୍ରତିବାଦ କାର୍ଯ୍ୟକ୍ରମ କରିବାକୁ କୁହାଯାଇଥିଲା । ସଂସଦ ଅଧିବେଶନ ଆରମ୍ଭରୁ ଏହି କାର୍ଯ୍ୟକ୍ରମ କରିବାକୁ ଦଳୀୟସ୍ତରରେ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଅଘୋଷିତ ସର୍ବେସର୍ବାଙ୍କ ଗ୍ରୀନ୍ ସିଗନାଲ ନମିଳିବାରୁ ଏହି ପ୍ରତିବାଦ କାର୍ଯ୍ୟକ୍ରମ ପ୍ରାୟ ଏକ ସପ୍ତାହ ଧରି ସମ୍ଭବପର ହୋଇପାରିନଥିଲା ।

ତେବେ ଗତ ଦୁଇଦିନ ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରକାଶିତ ହେବାପରେ ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ବାଦ୍ ଦେଇ ଦଳର ସାଂସଦମାନେ(ଦଳ ପକ୍ଷରୁ ଜାରି ଫଟୋରେ ୬ଜଣ ସାଂସଦ ଅଛନ୍ତି) ଗାନ୍ଧିମୂର୍ତ୍ତି ତଳେ ଆଜି ମଙ୍ଗଳବାର ପୋଷ୍ଟରବ୍ୟାନର ଧରି ପ୍ରତିବାଦ କରିଥିବା ସୂଚନା ମିଳିଛି । ଆଜି ଦିନ ଦୁଇଟା ପରେ ରାଜ୍ୟସଭାରେ ‘ଅପରେସନ ସିନ୍ଦୂର’ ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହେବ ଓ ସାଂସଦ ସୁଭାଶିଷ ଖୁଣ୍ଟିଆ ବିଜେଡି ପକ୍ଷରୁ ଆଲୋଚନାରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

Odisha BjD Parliament