ବିଜେଡି ମୁଖପାତ୍ରମାନଙ୍କ ଦାବି ‘ବାକ୍ ସ୍ୱାଧୀନତା’ ଦିଅ : ୧୬ଜଣିଆ ପ୍ୟାନେଲିଷ୍ଟ କରିବେ କ’ଣ?

ସୂଚନା ଅନୁସାରେ, ଗତ ଶନିବାର ବିଜେଡିର ମୁଖପାତ୍ରମାନଙ୍କ ଏକ ବୈଠକରେ ଅଧିକାଂଶ ମୁଖପାତ୍ର ସେମାନଙ୍କୁ ‘ବାକ୍ ସ୍ୱାଧୀନତା’ ମିଳୁ ବୋଲି ଦାବି କରିଥିବା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Published: Monday, 22 July 2024
  • , Updated: 22 July 2024, 09:17 PM IST

ଗଣମାଧ୍ୟମରେ କେଉଁ ପ୍ରସଙ୍ଗରେ କିଏ କ’ଣ କହିବ ସେଥିପାଇଁ ନିଜର ୧୯ଜଣିଆ ମୁଖପାତ୍ରଙ୍କୁ ବାକ୍ ସ୍ୱାଧୀନତା ଦେଇନଥିବା ବିଜେଡି ଆଜି ୧୬ ଜଣିଆ ପ୍ୟାନେଲିଷ୍ଟ ତାଲିକା ଘୋଷଣା କରିଛି । ତେବେ ଏପର୍ଯ୍ୟନ୍ତ ସାଧାରଣ ନିର୍ବାଚନୀ ବିପର୍ଯ୍ୟୟର ସମୀକ୍ଷା କରିନଥିବା ବିଜେଡିର ଏହି ପ୍ୟାନେଲିଷ୍ଟମାନେ ଟିଭି ଡିବେଟରେ ଦଳର ପରାଜୟର କାରଣ ଓ ଏହାର ସମୀକ୍ଷା ନହେବା ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ କି ସଫେଇ ଦେବେ ତାକୁ ନେଇ ପ୍ରଶ୍ନ ଉଠିଛି । ଦଳର ସାଂଗଠନିକ ପରିଚାଳନାକୁ ନେଇ ବୃହତ୍ ଗୋଷ୍ଠୀ ଅସନ୍ତୁଷ୍ଟ ଥିବାରୁ ବିଜେଡିର ଏହି ମୁଖପାତ୍ର ଓ ପ୍ୟାନେଲିଷ୍ଟ ଟିମ୍ କେବଳ ‘ଧର୍ମକୁ ଆଖିଠାର ମାରିବା’ ଭଳି ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ଗତ ଶନିବାର ବିଜେଡିର ମୁଖପାତ୍ରମାନଙ୍କ ଏକ ବୈଠକରେ ଅଧିକାଂଶ ମୁଖପାତ୍ର ସେମାନଙ୍କୁ ‘ବାକ୍ ସ୍ୱାଧୀନତା’ ମିଳୁ ବୋଲି ଦାବି କରିଥିବା ଜଣାପଡ଼ିଛି । ଏପରିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାବେଳେ ଦଳର ନେତା ପ୍ରଦୀପ ମାଝୀ ମଧ୍ୟ ଏହି ପ୍ରସଙ୍ଗ ଉତଥାପନ କରିବାକୁ ପଛାଇନଥିଲେ । ଶନିବାର ନବୀନଙ୍କ ରାଜନୀତିକ ସଚିବ ସନ୍ତୃପ୍ତ ମିଶ୍ରଙ୍କ ପରିଚାଳନାରେ ଶଙ୍ଖଭବନରେ ଶନିବାର ଆୟୋଜିତ ବୈଠକରେ ବରିଷ୍ଠ ବିଧାୟକ କଳିକେଶ ସିଂହଦେଓ ଓ ଅମର ପଟ୍ଟନାୟକ ଉଭୟ ଗଣମାଧ୍ୟମରେ ଦଳର ଆଭିମୁଖ୍ୟ ରଖିବା ପାଇଁ ସେମାନଙ୍କୁ ‘ଫ୍ରିଡମ’ ବା ସ୍ୱାଧୀନତା ମିଳୁ ବୋଲି ଦାବି ଜଣାଇଥିଲେ । ମୁଖପାତ୍ରମାନେ ସମସ୍ତେ ଅଭିଜ୍ଞ ଏବଂ ଦଳର ଚିନ୍ତାଧାରା ଓ ଆଭିମୁଖ୍ୟ ପ୍ରତି ସଚେତନ ଅଛନ୍ତି । ତେଣୁ ସବୁକଥାରେ ଅନୁମତିକୁ ଅପେକ୍ଷା କଲାବେଳକୁ ଗଣମାଧ୍ୟମରେ ସମ୍ପୃକ୍ତ ପ୍ରସଙ୍ଗ ଭିନ୍ନମୋଡ଼ ନେଇଯାଉଛି । ଯାହାର ପ୍ରତିକୂଳ ପ୍ରଭାବ ଦଳ ଉପରେ ପଡ଼ୁଛି ବୋଲି କିଛି ମୁଖପାତ୍ର ବୈଠକରେ ନିଜର ଉଦବେଗ ଜଣାଇଥିଲେ । ଏହାପରେ ସମସ୍ତ ମୁଖପାତ୍ର ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଥିଲେ । ଆଉ ନବୀନଙ୍କୁ ଭେଟିବାବେଳେ  ମୁଖପାତ୍ରମାନେ ସେମାନଙ୍କୁ ମିଡିଆରେ କହିବା ପାଇଁ ଫ୍ରିଡମ୍ ଦିଆଯାଉ ଓ ଏହାସହିତ ‘ଓଟିଭି ଓ ଅର୍ଗସ’ ଚ୍ୟାନେଲକୁ ଯିବାଉପରେ ରହିଥିବା କଟକଣାକୁ ହଟାଇବାକୁ ଦାବି ଜଣାଇଥିଲେ । ତେବେ ଏହି ଦୁଇ ଚ୍ୟାନେଲ ଉପରେ ବିଜେଡିର ‘କଟକଣା’ କିଏ ଓ କାହିଁକି ଲଗାଇଛି ବୋଲି ଆଶ୍ଚର୍ଯ୍ୟ ହୋଇ ନବୀନ ଓଲଟା ପ୍ରଶ୍ନ କରିଥିଲେ । ତେବେ ନବୀନ ଉକ୍ତ ଦୁଇ ଚ୍ୟାନେଲକୁ ଯିବା ପାଇଁ ଅନୁମତି ଦେଇଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ଦଳ ପକ୍ଷରୁ ଆଜି ଘୋଷଣା ହୋଇଥିବା ପ୍ୟାନେଲିଷ୍ଟ କମିଟିର ସଦସ୍ୟ ଭାବେ ବରିଷ୍ଠ ନେତା ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟ, ସୁବାସ ସିଂ, ଗୌତମବୁଦ୍ଧ ଦାସ, ଶାରଦା ଜେନା, ଲତିକା ପ୍ରଧାନ, ରମେଶ ବେହେରା, ମନ୍ମଥ ରାଉତରାୟ, ତୁମ୍ବନାଥ ପଣ୍ଡା, ମିହିର ରାୟ, ଚିନ୍ମୟ ସାହୁ, ଇପସିତା ସାହୁ, ସୋଫିଆ ଆଲମ୍ , ଇରାନୀ ରାୟ, ବିଶ୍ୱପ୍ରତାପ ସାହୁ ଓ ଅରୂପ ଶ୍ରୀଚନ୍ଦନଙ୍କୁ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମର ବିତର୍କ କାର୍ଯ୍ୟକ୍ରମରେ ଦଳର ପ୍ରତିନିଧି ଭାବେ ଦଳୀୟ ଆଭିମୁଖ୍ୟ ଉତଥାପନ କରିବାକୁ ଅନୁମତି ଦିଆଯାଇଛି ବୋଲି ଜଣାପଡ଼ିଛି ।

Related story