ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଖୁସି କରିବାକୁ ବୟାନ ଦେଉଛନ୍ତି ବିଜେଡି ମୁଖପାତ୍ର: ବିଜେପି

ଓଡ଼ିଶାରେ ସରକାର ଚଲାଉଛି କିଏ ବୋଲି ରାଜ୍ୟର ଲୋକମାନେ ସିଧାସଳଖ ପ୍ରଶ୍ନ କଲେଣି । ଏହି କଥା ମୁଖପାତ୍ରଙ୍କ ହୃଦୟକୁ ବାଧୁଛି ।

BJP

  • Published: Friday, 23 June 2023
  • , Updated: 23 June 2023, 10:41 PM IST

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସରକାରକୁ ଭଡ଼ାରେ ଲଗାଇଛନ୍ତି ଓ ଆଉଟସୋର୍ସିଂରେ ଶାସନ ଚାଲିଛି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି କଡ଼ା ଭାଷାରେ ସମାଲୋଚନା କରିବା ପରେ ବିଜେଡିରେ ହଇଚଇ ସୃଷ୍ଟି ହୋଇଛି । ଶ୍ରୀ ନଡ୍ଡାଙ୍କ ପ୍ରଶ୍ନ ଉପରେ ସିଧାସଳଖ ଉତ୍ତର ନରଖି ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଖୁସି କରିବାକୁ ମନଇଚ୍ଛା ବୟାନ ଦେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ବିଜେଡି ସାଂସଦ ସସ୍ମିତ ପାତ୍ର ଏକ ପ୍ରେସ୍ ବିବୃତ୍ତି ଜାରି କରି ଶ୍ରୀ ନଡ୍ଡା ଉଠାଇଥିବା ପ୍ରସଙ୍ଗରେ ଉପରେ ପ୍ରତିକ୍ରିୟା ନରଖି ଅନ୍ୟାନ୍ୟ ପ୍ରସଙ୍ଗକୁ ଉଠାଇଛନ୍ତି ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ବିଜେଡ଼ି ମୁଖପାତ୍ର ହେଉଛନ୍ତି ମୁଦା ବସା ମାଙ୍କଡ଼ । ଫକୀର ଯାହା କହିବ ମାଙ୍କଡ଼ ସେଇ ଅନୁସାରେ ନାଚିବ । ଅତୀତରେ ସେ ନିଜେ ଓ ତାଙ୍କ ନିଜର ପରିବାରର ଯାବତୀୟ କୁକର୍ମର ସୁରକ୍ଷା ଡୋରି ଫକୀର ହାତରେ ଥିବାରୁ ସେ ସବୁଥିରେ ମୁଣ୍ଡ ଟୁଙ୍ଗାରିଛନ୍ତି । ସେହିଭଳି ଭାବରେ ଏହି ଦଳର ମୁଖପାତ୍ର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଖୁସି କରିବା ପାଇଁ ମନଇଚ୍ଛା ବୟାନ ଦେଉଛନ୍ତି । ବିଜେପି ଏବେ ବିରୋଧୀ ଦଳର ଭୂମିକା ନେଇଥିବାବେଳେ ଆଗାମୀ ଦିନରେ ସରକାର ଗଢ଼ିବା ପାଇଁ ପ୍ରସ୍ତୁତ । ହୁଏତ ଏଥିରେ ବିଜେଡ଼ି ମୁଖପାତ୍ର ଭୟଭୀତ ଅଛନ୍ତି ।

ଓଡ଼ିଶାରେ ସରକାର ଚଲାଉଛି କିଏ ବୋଲି ରାଜ୍ୟର ଲୋକମାନେ ସିଧାସଳଖ ପ୍ରଶ୍ନ କଲେଣି । ଏହି କଥା ମୁଖପାତ୍ରଙ୍କ ହୃଦୟକୁ ବାଧୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଭୟରେ ରାଜ୍ୟ ସରକାର ରାଜନୈତିକ ଅଭିସନ୍ଧି ରଖି ଦୀର୍ଘ ୫ବର୍ଷ ହେଲା ଓଡ଼ିଶାର ପ୍ରାୟ ୬୦ଲକ୍ଷ ଗରିବ ପରିବାରକୁ ଆୟୁଷ୍ମାନ ଭାରତ ଯୋଜନାରୁ ବଂଚିତ ରଖିଛନ୍ତି । ଗ୍ରାମୀଣ ଓଡ଼ିଶାର ପ୍ରାୟ ୩୩.୪୫ ପ୍ରତିଶତ ପରିବାର କାମ କରିବା ପାଇଁ ବାହାର ରାଜ୍ୟକୁ ଯାଆନ୍ତି । ଗଞ୍ଜାମ ସମେତ ଏହି ପ୍ରବାସୀ ଓଡ଼ିଆମାନଙ୍କ ସଂଖ୍ୟା ଆଜି କୋଟିଏ ଟପିଲାଣି । ଏହା କେଉଁ ପ୍ରକାରର ସାର୍ବଜନୀନ ସ୍ୱାସ୍ଥ୍ୟସେବା ବୋଲି ବିଜେପି ପ୍ରଶ୍ନ କରିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ସାଢେ ୯ ଲକ୍ଷ ଘର ଅନୁମୋଦନ ଦେବା ପରେ ରାଜ୍ୟ ସରକାର ଏଥିରେ ଷଡ଼ଯନ୍ତ୍ର କରିଛନ୍ତି । ଦଳୀୟ ଆଧାରରେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ସହ ହାତଗୁଞ୍ଜା ନିଆଯାଉଛି । ରାଜ୍ୟରେ ଗରିବ ଯୋଗ୍ୟ ହିତାଧିକାରୀ ଘର ପାଉନାହାନ୍ତି । ବିଜେଡି ମୁଖପାତ୍ର ଓ ତାଙ୍କ ମୁଖିଆଙ୍କ ଆଧାରରେ ଏହି ବିଷୟ ଯଦି ଓଡ଼ିଶାବାସୀଙ୍କୁ ଜଣାଇବା ଭୁଲ ତେବେ ସେ ଏପରି ଅଯଥା ବୟାନ ଦେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରନ୍ତୁ ନାହିଁ । ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଯଦି ବାସ୍ତବରେ ଲଢେଇ କରିବାର ଅଛି ତା’ହେଲେ ସେ ବାସ୍ତବ କଥା କୁହନ୍ତୁ । ଅନ୍ୟ କାହା କଥା ଆଧାରରେ କିଛି ବୟାନ ଦିଅନ୍ତୁ ନାହିଁ ବୋଲି ଶ୍ରୀ ପାତ୍ରଙ୍କୁ ବିଜେପି ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।

Related story