pratap-deb
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ ବିଜେଡିର ଏକତରଫା ବିଜୟ ବିରୋଧୀଙ୍କ ହୋଶ୍ ଉଡାଇ ଦେଇଛି। ଖୋଦ୍ ବିଜେଡି ମଧ୍ୟ ଏତେ ବିପୁଳ ପରିମାଣରେ ବିଜୟ ହାସଲ କରିବ ବୋଲି ମଧ୍ୟ ଆକଳନ କରିନଥିଲା। ପଞ୍ଚାୟତ ନିର୍ବାଚନରେ ବିଜେଡି ୬୦୦ରୁ ୬୫୦ ଜିଲ୍ଲା ପରିଷଦ ଆସନ ଜିତିବ ବୋଲି ଆକଳନ କରିଥିଲା। କିନ୍ତୁ ଦଳ ଏହାଠାରୁ ଅଧିକ ସଫଳତା ପାଇଛି। ଦଳ ୯୦ ପ୍ରତିଶତରୁ ଅଧିକ ଭୋଟ୍ ପାଇଥିବା ବେଳେ ପୂରା ବିରୋଧୀ ମିଶି ମଧ୍ୟ ବିଜୟ ସଂଖ୍ୟା ୧୦୦ ଛୁଇଁ ପାରିନାହାନ୍ତି।
ତେବେ ବିଜେଡିର ଏହି ବିପୁଳ ବିଜୟ ପଛର କାରଣ କ’ଣ। ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଦଳର ମୁଖପାତ୍ର ପ୍ରତାପ ଦେବ। ପ୍ରତାପ ଦେବ ମଧ୍ୟ ଦଳ ଆଶା ଠାରୁ ଅଧିକ ସଫଳତା ପାଇଥିବାରୁ ଲୋକଙ୍କ ପାଖରେ କୃତଜ୍ଞ ଜ୍ଞାପନ କରିଛନ୍ତି। ସେ ଏହି ଦଳର ଏହି ସଫଳତାର ସଫଳତାର ଶ୍ରେୟ ନେତୃତ୍ୱ ଠାରୁ ଆରମ୍ଭ କରି ତୃଣମୂଳସ୍ତର କର୍ମୀଙ୍କୁ ଦେଇଛନ୍ତି।
ସେ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନ ପରେ କୋଭିଡ୍ ମହାମାରୀ ଅଚାନକ ପ୍ରବେଶ କରିଥିଲା। ଏହି ସମୟରେ କୌଣସି କାର୍ଯ୍ୟକ୍ରମ କରାଯାଇ ପାରିନଥିଲା। ରାସ୍ତାଘାଟ ବନ୍ଦ ହେଲା। ଲୋକଙ୍କ ଧନଜୀବନ ପ୍ରଭାବିତ ହେଲା। ଏମିତି ଅନେକ କଠିନ ପରିସ୍ଥିତିରେ ପଞ୍ଚାୟତ ନିର୍ବାଚନ ପାଇଁ ଆମେ କେମିତି ଲୋକଙ୍କ ପାଖକୁ ଯିବୁ, ତାହା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଆଉ ଏଭଳି ପ୍ରତିକୂଳ ପରିସ୍ଥିତିରେ ସରକାର କାମ କଲେ। ଲୋକେ କିପରି ଅନୁଭବ ନକରନ୍ତ ଯେ ସରକାର ସେମାନଙ୍କ ସହ ନାହାନ୍ତି, ତାହା ଆମର ମୂଳ ଲକ୍ଷ୍ୟ ଥିଲା। କଠିନ ପରିସ୍ଥିତିରେ ଲୋକଙ୍କୁ ସାମ୍ନା କରିଥିବାରୁ ଆଜି ଏହି ସଫଳତା ଆମ ଦଳକୁ ମିଳିଛି ବୋଲି ପ୍ରତାପ ଦେବ କହିଛନ୍ତି।
ନିର୍ବାଚନରେ ବିରୋଧୀଙ୍କ ରଣନୀତିକୁ ନେଇ ଖୁବ୍ ପ୍ରଶ୍ନ ଉଠିଛି। ଏ ନେଇ ପ୍ରତାପ ଦେବ କହିଛନ୍ତି, ବିରୋଧୀ ସେମାନଙ୍କ ଭୂମିକା ନିଭାଇଲେନି। ବିଶେଷ କରି ସେମାନେ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ଫୋକସ୍ କଲେ। ମୋ ମତରେ ଲୋକଙ୍କ ପାଖକୁ ଯିବା ସଫଳତାର ମୂଳ ମନ୍ତ୍ର, ଯାହା ଆମେ ଅନୁଭବ କରିଛୁ। ତା’ ଛଡ଼ା ସାଙ୍ଗଠନିକ ଦକ୍ଷତା ଓ ଲୋକସଂପର୍କ ଉପରେ ଦଳର ସଫଳତା ନିର୍ଭର କରେ। ବିରୋଧୀ ହାରିଗଲା ପରେ ସ୍କିମ କଥା କହୁଛନ୍ତି, ଯାହାର କିଛି ମାନେ ନାହିଁ। ନବୀନ ଓ ବିଜେଡି ଯାହା ପ୍ରତିଶ୍ରୁତି ଦିଅନ୍ତି, ତାହା ପାଳନ କରନ୍ତି। ହେଲେ ବିଜେପି କଥା କୁହେ, କାମ କରେନାହିଁ ବୋଲି ପ୍ରତାପ କହିଛନ୍ତି।
କେନ୍ଦ୍ର ସରକାରଙ୍କ ପ୍ରଶଂସା ସଂପର୍କରେ ବିରୋଧୀଙ୍କ ଆରୋପର ପ୍ରତିକ୍ରିୟା ଦେଇ ପ୍ରତାପ କହିଛନ୍ତି, ସଂଘୀୟ ବ୍ୟବସ୍ଥାରେ କାମ କରିବା ନବୀନଙ୍କଠୁ ଶିଖନ୍ତୁ ମୋଦି କହିଥିଲେ। ପୂର୍ବରୁ ୟୁପିଏ ସରକାର ବି ନବୀନଙ୍କୁ ଏପରି ପ୍ରଶଂସା କରିଛନ୍ତି। ବିରୋଧୀ ଅପାରଗତା ସ୍ୱୀକାର କରନ୍ତୁ, ନିଷ୍ଠାପରତା ଉପରେ ପ୍ରଶ୍ନ କରନ୍ତୁନି। ବିରୋଧୀ ଯେଉଁ ବ୍ୟୁରୋକ୍ରାଟଙ୍କ ଦ୍ୱାରା ନିର୍ବାଚନ ପରିଚାଳନା ଅଭିଯୋଗ ଆଣୁଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ବର୍ତ୍ତମାନର ବିପୁଳ ଜନାଦେଶ ଆମର ଦାୟିତ୍ୱ ବଢ଼ାଇ ଦେଇଛି ବୋଲି ପ୍ରତାପ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/pratap-deb.jpg)