Advertisment

‘ପାପ’ ଧୋଇବା ଷ୍ଟ୍ରାଟେଜୀ ମାରିଲା ଫେଲ୍‌: ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ରହିଛି ଜବାବ, ତଥାପି ପ୍ରଶ୍ନ କରିଛି ବିଜେଡି

ନିର୍ବାଚନ କମିଶନଙ୍କୁ ବିଜେଡି ପଚାରିଥିବା ପ୍ରଶ୍ନର ଉତ୍ତର ପୂର୍ବରୁ ଦେଇ ସାରିଛନ୍ତି କମିଶନ। ପ୍ରତିଷ୍ଠା ଦିବସ ଓ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାରେ ଆନୁଷ୍ଠାନିକ ଭାବେ ପୁଣିଥରେ ପାଣ୍ଡିଆନଙ୍କ ଗୁରୁତ୍ୱ ବଢ଼ାଇବାକୁ ଆରମ୍ଭ ହୋଇଛି ଉଦ୍ୟମ।

BJD Leaders at Delhi ECI Office

BJD Leaders at Delhi ECI Office

Advertisment

ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ‘ପାପ’ ଧୋଇବା ଷ୍ଟ୍ରାଟେଜୀ ମାରିଲା ଫେଲ୍। ସାଧାରଣ ନିର୍ବାଚନ ଫଳାଫଳ ଘୋଷଣାର ପ୍ରାୟ ୬ମାସ ପରେ ବିଜେଡି ଯେଉଁ ୩ଟି ପ୍ରସଙ୍ଗରେ ଗତକାଲି ନିର୍ବାଚନ ଆୟୋଗଙ୍କୁ ଭେଟି ସ୍ପଷ୍ଟୀକରଣ ମାଗିଥିଲା, ସେହି ସମାନ ପ୍ରଶ୍ନକୁ ଆୟୋଗ ତାଙ୍କଆଡ଼ୁ ‘ବାରମ୍ବାର ପଚାରାଯାଉଥିବା ପ୍ରଶ୍ନ(ଏଫଏକ୍ୟୁ)’ ବର୍ଗରେ ସ୍ଥାନିତ କରି ତା’ର ଉତ୍ତର ଦେଇସାରିଛନ୍ତି।

Advertisment

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସର ଅଭିଯୋଗ ପରେ ନିର୍ବାଚନ ଆୟୋଗ ଏଭଳି ମୋଟ ୪୪ଟି ପ୍ରଶ୍ନକୁ ‘ବାରମ୍ବାର ପଚରାଯାଉଥିବା ପ୍ରଶ୍ନ’ ବର୍ଗରେ ସ୍ଥାନିତ କରି ତା’ର ଉତ୍ତର ଦେଇଛନ୍ତି। ଆଉ ସେପ୍ଟେମ୍ବର ୬, ନଭେମ୍ବର ୩୦ ଓ ଡିସେମ୍ବର ୨୪ତାରିଖରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା କଂଗ୍ରେସକୁ ଲିଖିତ ଭାବେ ମଧ୍ୟ ଜଣାଇ ଦିଆଯାଇଛି। ତେବେ କଂଗ୍ରେସ ରାସ୍ତାରେ ଯାଇ ବିଜେଡି ନିଜର ପରାଜୟର ଦୋଷ ନିର୍ବାଚନ କମିଶନଙ୍କ ଉପରେ ଲଦିବା ଓ ପାଣ୍ଡିଆନଙ୍କ ତ୍ରୁଟିକୁ ଘୋଡ଼ାଇବାକୁ ପାଣ୍ଡିଆନମାର୍କା ନେତାମାନେ ଯେଉଁ ରଣନୀତି କରିଥିଲେ ତାହା ଫେଲ୍ ମାରିଛି ଓ ସେମାନଙ୍କ ଅସଲ ଚେହେରା ମଧ୍ୟ ପଦାରେ ପଡ଼ିଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଭୋଟ ହେରଫେର, ଭୋଟ୍ ହାରରେ ତାଳମେଳ ନଥିବା ଆଦିର ଅଭିଯୋଗ ଅଣାଯାଇଥିଲା। କମିଶନ ଯାହାକୁ ଗୁରୁତ୍ୱର ସହ ନେଇ ନିଜଆଡ଼ୁ ଏଭଳି ୪୪ଟି ପ୍ରଶ୍ନକୁ ‘ବାରମ୍ବାର ପଚରାଯାଉଥିବା ପ୍ରଶ୍ନ’ ବର୍ଗରେ ସ୍ଥାନିତ କରିଛନ୍ତି, ଆଉ ତା’ର ଉତ୍ତର ମଧ୍ୟ ଦେଇଛନ୍ତି। କିନ୍ତୁ ଆୟୋଗଙ୍କ ଏହି ଉତ୍ତର ୱେବସାଇଟରେ ରହିଥିବା ସତ୍ତ୍ୱେ ବିଜେଡିର ପାଣ୍ଡିଆନମାର୍କା ନେତାମାନେ ୬ମାସ ପରେ କାହିଁକି ସେହି ୩ଟି ପୁରୁଣା ପ୍ରଶ୍ନ ପୁଣି ପଚାରିଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ମତଦାନ ବନ୍ଦ ଓ ମତଦାନ ଶେଷ ପରର ଭୋଟହାର, ମତଦାନ ପରିମାଣ ଓ ଭୋଟ ଗଣନା ପରିମାଣ, ବିଧାନସଭା ଓ ଲୋକସଭାରେ ଭୋଟ୍ ହାରରେ ତାଳମେଳ ନଥିବା ନେଇ ବିଜେଡି ଅଭିଯୋଗ ବାଢ଼ିଥିଲା। ଏହାସହ ଦଳ ବିଭିନ୍ନ ସଂସଦୀୟ ଓ ବିଧାନସଭା ଆସନର କିଛି ହିସାବ ମଧ୍ୟ ଦେଇଛି।

Advertisment

ମାତ୍ର ନିର୍ବାଚନ ଆୟୋଗଙ୍କ ପକ୍ଷରୁ କଂଗ୍ରେସକୁ ଯେଉଁ ଲିଖିତ ଜବାବ ଦିଆଯାଇଛି ଏବଂ ନିଜ ୱେବସାଇଟରେ ଯେଉଁ ତଥ୍ୟ ରଖିଛନ୍ତି ତାକୁ ବିଜେଡି ଭଳି ରାଜନୈତିକ ଦଳଗୁଡ଼ିକ ସ୍ୱତଃ ସଂଜ୍ଞାନକୁ ନେଇ ଆଇନଗତ ଦିଗର ତଜର୍ମା କରିପାରିବେ। କିନ୍ତୁ ବିଜେଡି ସେଭଳି ନକରି କେବଳ ରାଜନୈତିକ ହଟଚମଟ ପାଇଁ ସବୁ ଜାଣିଶୁଣି ଏପରି ଅଭିଯୋଗ ଆଣିଥିବା ଚର୍ଚ୍ଚା ହେଉଛି। ଦଳର ପ୍ରତିଷ୍ଠା ଦିବସ ଓ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାରେ ଆନୁଷ୍ଠାନିକ ଭାବେ ପୁଣିଥରେ ପାଣ୍ଡିଆନଙ୍କ ଗୁରୁତ୍ୱ ବଢ଼ାଇବା ପାଇଁ ପାଣ୍ଡିଆନମାର୍କା ନେତାମାନେ ଏଭଳି ଉଦ୍ୟମ କରିଛନ୍ତି। ଯାହାଫଳରେ ଭୋଟ ଅନିୟମିତତାର ଅଭିଯୋଗ ସହ ନିର୍ବାଚନ କମିଶନଙ୍କ ଉପରେ ଦୋଷ ଲଦି ପାଣ୍ଡିଆନଙ୍କୁ କଳଙ୍କମୁକ୍ତ କରିବା ସହଜ ହୋଇପାରିବ। ମାତ୍ର ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ଓକିଲଙ୍କୁ ନିର୍ବାଚନ ଆୟୋଗ ଲେଖିଥିବା ଚିଠି ଆଜି ସାର୍ବଜନୀନ ହେବାପରେ ବିଜେଡି ଯେ ସେହି ସମାନ ପୁରୁଣା କଥା ନେଇ ଆୟୋଗଙ୍କୁ ଭେଟିଛି ତାହା ଏବେ ସ୍ପଷ୍ଟ ହେବାରେ ଲାଗିଛି। ତା’ଛଡ଼ା ନିର୍ବାଚନ ଆୟୋଗଙ୍କ ୱେବସାଇଟରେ ଏସବୁ ପ୍ରଶ୍ନର ଉତ୍ତର ବିସ୍ତୃତ ଭାବେ ରହିଥିବାବେଳେ ବିଜେଡି ଏଭଳି ସ୍ପଷ୍ଟୀକରଣ ମାଗିବାକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି।

ରାଜନୈତିକ ବିଶ୍ଳେଷକଙ୍କ ମତରେ, ବିଜେଡିରେ ତୀବ୍ର ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରି ପୁଣିଥରେ ନେତୃତ୍ୱ ପ୍ରତି ବିଶ୍ୱାସ ସୃଷ୍ଟି କରାଇବା ଓ ପାଣ୍ଡିଆନଙ୍କ ମୁଣ୍ଡରୁ ନିର୍ବାଚନୀ ବିପର୍ଯ୍ୟୟର ‘ପାପ’ ଧୋଇବାକୁ ରଣନୀତି ହୋଇଛି। ଦଳରେ ବାରମ୍ବାର ଦାବି ସତ୍ତ୍ୱେ ନିର୍ବାଚନୀ ବିପର୍ଯ୍ୟୟର ସମୀକ୍ଷା କରାଇ ଦିଆଯାଉନାହିଁ। ଦଳର ଜିଲ୍ଲା ଓ ରାଜ୍ୟସ୍ତରର ନେତାମାନେ ମଧ୍ୟ ଏହାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ସେମାନେ ଖୋଲାଖୋଲି ଭାବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟରେ ପାଣ୍ଡିଆନଙ୍କୁ ବିରୋଧ କରିବାରେ ଲାଗିଛନ୍ତି। ତେଣୁ ପାଣ୍ଡିଆନମାର୍କା ନେତାମାନେ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ‘ନିର୍ବାଚନ ସଂସ୍ଥା’ର ବିଶ୍ୱସନୀୟତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ।

ସୂଚନାଯୋଗ୍ୟ, ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ପ୍ରାୟ ୬ମାସ ପରେ ବିଜେଡିର ପାଣ୍ଡିଆନମାର୍କା ନେତାମାନେ ଗତକାଲି ନୂଆଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କୁ ଭେଟି ସ୍ମାରକପତ୍ର ଦେବା ସହ ‘ଭୋଟିଂ ପ୍ରକ୍ରିୟାରେ ହେରଫେର’ର ଅଭିଯୋଗ ଆଣି ୩ଟି ପ୍ରସଙ୍ଗରେ ସ୍ପଷ୍ଟୀକରଣ ମାଗିଥିଲେ। ଦିଲ୍ଲୀରେ ଏହି ପାଣ୍ଡିଆନମାର୍କା ନେତାମାନେ (ପାଣ୍ଡିଆନଙ୍କ ଦୟାରେ ସାଂସଦ ହୋଇଛନ୍ତି) ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ସମ୍ପର୍କରେ ସୂଚନା ଦେବାପରେ ଆଜି ପୁଣିଥରେ ଭୁବନେଶ୍ୱରରେ ଦଳର ପ୍ରଭାବଶାଳୀ ନେତା ଅରୁଣ ସାହୁ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ‘ଅଦୃଶ୍ୟ ଶକ୍ତିର ଚାପରେ ନିର୍ବାଚନ ଆୟୋଗ ଚେପା’ ହୋଇଯାଇଛନ୍ତି ବୋଲି କହିଛନ୍ତି। ଅରୁଣଙ୍କ ସହ ଆଜିର ସାମ୍ବାଦିକ ସମ୍ମିଳନୀରେ ନବୀନ ନିବାସର ପୂର୍ବତନ କର୍ମଚାରୀଙ୍କ ପତ୍ନୀ ଶର୍ମିଷ୍ଠା ସେଠୀ ମଧ୍ୟ ଉପସ୍ଥିତ ଥିଲେ।

BjD Bjp Naveen Patnaik Vk Pandian Election Commission Of India Odisha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe