Advertisment

ହାତରେ ଫାଇଲ୍‌ ଧରି ନବୀନ ନିବାସ ଆଗରେ ଆଶାୟୀଙ୍କ ଭିଡ଼

ଦୁଇ ଜାତୀୟ ଦଳ ମଧ୍ୟ ଆଗୁଆ ଟିକେଟ ଘୋଷଣା ପାଇଁ ଯୋଜନା କରି ସାରିଛନ୍ତି। ଦୁର୍ବଳ ଥିବା ଆସନ ଗୁଡିକରେ ଆଗୁଆ ପ୍ରାର୍ଥୀଙ୍କୁ ଓହ୍ଲାଇବ ବିଜେପି। ଖୁବ୍‌ଶୀଘ୍ର ୧୦୦ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ।

author-image
Manoranjan Sial
BJD

BJD

ନବୀନ ନିବାସରେ ଟିକେଟ୍‌ ଆଶାୟୀଙ୍କର ଲାଗିଛି ଭିଡ଼। ଟିକେଟ୍‌ ପାଇଁ ଜୋରଦାର ଲବି କରୁଛନ୍ତି। ୧୦ ହଜାର ଆଶାୟୀଙ୍କ ପରେ ମଧ୍ୟ ପ୍ରତିଦିନ ବଢ଼ି ଚାଲିଛି ଆବେଦନଙ୍କ ସଂଖ୍ୟା। କିଏ ବାୟୋଡାଟା ସହ ଆସିଛି ତ ଆଉ କିଏ ସାଙ୍ଗରେ ବିଭିନ୍ନ ସଙ୍ଗଠନକୁ ଧରି ଦମ୍‌ ଦେଖାଇବା ପାଇଁ ଚେଷ୍ଟା କରୁଛି। ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେବା ଆଳରେ ଟିକେଟ ପାଇଁ କସରତ କରୁଛନ୍ତି

Advertisment

ନବୀନ ନିବାସ ଆସିଛନ୍ତି ପ୍ରିୟଙ୍କା ମଲ୍ଲିକ। ସେ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ଆଶାୟୀ ଅଛନ୍ତି। ତେଣୁ ହାତରେ ବାୟୋଡାଟା ଧରି ସେ ଆଜି ନବୀନ ନିବାସ ଗେଟ ପାଖରେ ପହଞ୍ଚିଛନ୍ତି। ତାଙ୍କ କହିବା କଥା ଢେରେଦିନ ଧରି ତାଙ୍କ ଶାଶୁ-ଶ୍ୱଶୂର ଓ ପୂରା ପରିବାର ଦଳରେ ଅଛନ୍ତି। ତେଣୁ ତାଙ୍କ ଆଶା, ମହିଳା ପ୍ରାର୍ଥୀ ଭାବେ ଦଳ ତାଙ୍କୁ ପ୍ରାଧାନ୍ୟ ଦେବ।

ଅନ୍ୟପଟେ ବିଭିନ୍ନ ସଂଗଠନ ସହ ନବୀନ ନିବାସରେ ପହଞ୍ଚିଥିଲେ ସାଂସଦ ରମେଶ ମାଝୀ, ଅଶୋକ ପଣ୍ଡା ଓ ଶ୍ରୀମୟୀ ମିଶ୍ର। ସେଠୁ ବାହାରିବା ପରେ ରମେଶ ମାଝୀ କହିଛନ୍ତି, କେଉଁଠୁ ଲଢିବି ସେ ନେଇ ଦଳକୁ କହିଛି। ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ। କୁହାଯାଉଛି ଦଳ ଏଥର ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ତେଣୁ ପ୍ରାୟ ୫୦ ପ୍ରତିଶତ ବିଧାୟକଙ୍କୁ ଗ୍ରୀନ ସିଗନାଲ ଦିଆଯାଇ ସରିଛି। ଆଉ ଯେଉଁଠି ଯେଉଁଠି ବଦଳିବେ ସେ କସରତ ଆରମ୍ଭ ହୋଇଛି।

Advertisment

ସେପଟେ ଦୁଇ ଜାତୀୟ ଦଳ ମଧ୍ୟ ଆଗୁଆ ଟିକେଟ ଘୋଷଣା ପାଇଁ ଯୋଜନା କରି ସାରିଛନ୍ତି। ଦୁର୍ବଳ ଥିବା ଆସନ ଗୁଡିକରେ ଆଗୁଆ ପ୍ରାର୍ଥୀଙ୍କୁ ଓହ୍ଲାଇବ ବିଜେପି। ଖୁବ୍‌ଶୀଘ୍ର ୧୦୦ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। ଯେଉଁଥିରେ ଓଡ଼ିଶାର ୨ରୁ ୩ଟି ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାଁ ରହିପାରେ। ମାର୍ଚ୍ଚ ୧ ତାରିଖ ପୂର୍ବରୁ ରାଜ୍ୟର ସମସ୍ତ ଲୋକସଭା କ୍ଷେତ୍ର ପାଇଁ ସମ୍ଭାବ୍ୟପ୍ରାର୍ଥୀଙ୍କ ନାଁ ସହ ରିପୋର୍ଟ ଦେବାକୁ ଅବଜର୍ଭରମାନଙ୍କୁ କୁହାଯାଇଛି। ସେହିପରି ୨ ତାରିଖରେ କୋର୍ କମିଟି ଓ ନିର୍ବାଚନ ପରିଚାଳନା ବୈଠକ କରି ୩ ତାରିଖ ସୁଦ୍ଧା ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଦେବାକୁ ମଧ୍ୟ କୁହାଯାଇଛି।

ଅନ୍ୟପଟେ କଂଗ୍ରେସ ମଧ୍ୟ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ୭୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ଲକ୍ଷ୍ୟରେ ଜୋରଦାର କସରତ ଚଳାଇଛି। ଆଜି ଦିଲ୍ଲୀରେ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ଶେଷ ହୋଇଛି। ଯେଉଁଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ପ୍ରଭାରୀ ଅଜୟ କୁମାର ଯୋଗ ଦେଇଥିଲେ। ବୈଠକରେ ୨୧ ଲୋକସଭା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ୯ ତାରିଖରେ ଦ୍ୱିତୀୟ ବୈଠକରେ ବିଧାନସଭା ପାଇଁ ପ୍ରାର୍ଥୀ ଚୟନ ଉପରେ ଆଲୋଚନା ହେବ।

ଆଗୁଆ ଟିକେଟ ପାଇଁ ସବୁ ଦଳ କସରତ କରିଥିଲେ ମଧ୍ୟ କୁହାଯାଉଛି ନିର୍ବାଚନ ବେଳେ ଦଳବଦଳ ଶାସକ ଦଳକୁ ଅଧିକ ଅଡୁଆରେ ପକାଇପାରେ। କାହିଁକିନା, ଗୋଟିଏ ଟିକେଟ ପାଇଁ ଏକାଧିକ ଆଶାୟୀ ଥିବାରୁ ଆଗୁଆ ଘୋଷଣା ବିଦ୍ରୋହ ପାଇଁ ସମୟ ଦେବ। ଏମିତି ମଧ୍ୟ ଏବେଠୁ ଅନେକ ବିଜେଡି ନେତା ଦଳ ଛାଡ଼ି ଅନ୍ୟ ଦଳରେ ମିଶିଲେଣି।

BjD Bjp Congress Naveen Patnaik