Advertisment

ଦକ୍ଷିଣ ଓଡ଼ିଶାରେ ମୂଳପୋଛ ହୋଇଯିବକି ବିଜେଡି: ତଥାପି ଅହଙ୍କାର ଛାଡ଼ିପାରୁନି, ଅନୁଗତଙ୍କ ବେପାରବଣିଜକୁ ସୁରକ୍ଷା

ଦକ୍ଷିଣ ଓଡ଼ିଶାରେ ଦଳର ପ୍ରଭାବଶାଳୀ ନେତା ତଥା ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ସମେତ ମୋଟ ୪୦ଜଣ ଆଗଧାଡ଼ିର ବିଜେଡି ନେତା ଆଜି ଆନୁଷ୍ଠାନିକ ଭାବେ ବିଜେଡିରୁ ଇସ୍ତଫା ଦେଇଛନ୍ତି ।

author-image
Ordigital Desk
BJD

BJD

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା, ସାଂଗଠନିକ କାର୍ଯ୍ୟରେ ଅନାଗ୍ରହ ଓ ଅନ୍ୟ ଉପରେ ମାତ୍ରାଧିକ ନିର୍ଭରଶୀଳତାର ପରିଣତି ଏବେ ବିଜେଡିକୁ ମହଙ୍ଗା ପଡ଼ିବାରେ ଲାଗିଛି । ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ ଓ ତାଙ୍କ ଟିମ ସଦସ୍ୟଙ୍କ ମାତ୍ରାଧିକ ଗର୍ବ-ଅହଙ୍କାର ଏବଂ ତ୍ରୁଟିପୂର୍ଣ୍ଣ ରଣନୀତି  ଯୋଗୁ ୨୦୨୪ ସାଧାରଣ ନିର୍ବାଚନରେ ଦକ୍ଷିଣ ଓଡ଼ିଶାର ମୋଟ ୨୯ଟିରୁ ମାତ୍ର ୩ଟି ବିଧାନସଭା ସିଟ୍ ଆଣିଥିବା ବିଜେଡିକୁ ଆଜି ଶକ୍ତଧକ୍କା ଲାଗିଛି ।

Advertisment

ଦକ୍ଷିଣ ଓଡ଼ିଶାରେ ଦଳର ପ୍ରଭାବଶାଳୀ ନେତା ତଥା ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ସମେତ ମୋଟ ୪୦ଜଣ ଆଗଧାଡ଼ିର ବିଜେଡି ନେତା ଆଜି ଆନୁଷ୍ଠାନିକ ଭାବେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏହା ସତ୍ତ୍ୱେ ବିଜେଡି ନିଜର ଅହଙ୍କାର ଛାଡ଼ିପାରିନି ଓ ସେମାନଙ୍କ ଇସ୍ତଫାର କିଛି ପ୍ରଭାବ ରାୟଗଡ଼ା ଜିଲ୍ଲା ଓ ଦଳ ଉପରେ ପଡ଼ିବ ନାହିଁ ବୋଲି ଦମ୍ଭୋକ୍ତି ବାଢ଼ିଛି ।

ଭାସ୍କର ଓ ଲାଲବିହାରୀଙ୍କ କ୍ଷୋଭ

ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ଦକ୍ଷିଣ ଓଡ଼ିଶାରେ ପ୍ରଭାବଶାଳୀ ଅଣକଂଗ୍ରେସ ନେତା ଭାବେ ପରିଚିତ ଏନ ଭାସ୍କରରାଓ, ପୂର୍ବତନ ମନ୍ତ୍ରୀ ଶ୍ରୀ ହିମିରିକାଙ୍କ ସମେତ ରାୟଗଡ଼ାର ଆଗଧାଡ଼ିର ନେତା ଅମୀୟ ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ପ୍ରମୁଖ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଏହି ନେତାମାନେ କୌଣସି ଦଳରେ ସାମିଲ ହେବେ ନାହିଁ ଓ ‘ବିଜୁ ସ୍ୱାଭିମାନ ମଂଚ’ ବ୍ୟାନରରେ ନିଜର ଜନସେବା ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି । ଶ୍ରୀ ରାଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି ଜିଲ୍ଲା ସଭାପତି ନିଯୁକ୍ତିରେ ଏକତରଫା ନିଷ୍ପତ୍ତ  ନିଆଯାଇଛିି । ନିଷ୍ପତ୍ତି ଉପରେ ଯଦିଓ କିଛି ଟିପ୍ପଣୀ ଦେବାକୁ ଉଚିତ୍ ମଣୁନାହିଁ ତଥାପି ଦଳକୁ ଆମେ ଦେଇଥିବା ୩ଜଣଙ୍କ ନାଁ ମଧ୍ୟରୁ ଅବା ଅନ୍ୟ କାହାରିକୁ ଜିଲ୍ଲା ସଭାପତି କରିଥିଲେ କୌଣସି ଆପତ୍ତି ନଥାନ୍ତା ।

Advertisment

ଦଳର କର୍ମୀମାନଙ୍କ ମତାମତ ଆଧାରରେ ଆଜି ଏଭଳି ନିଷ୍ପତ୍ତି ନିଆଯାଇଛି । ରାୟଗଡ଼ା ଜିଲ୍ଲାରେ ଦଳର ହଜାର ହଜାର କର୍ମୀଙ୍କ ଭାବନାକୁ ସମ୍ମାନ ଜଣାଇ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି । ନବୀନ ପଟ୍ଟନାୟକଙ୍କ ବିରୋଧରେ କିଛି ମନ୍ତବ୍ୟ ଦେବୁ ନାହିଁ ଓ  ବିଜୁବାବୁଙ୍କ ଆଦର୍ଶଙ୍କୁ ନେଇ ଆମେ ‘ବିଜୁ ସ୍ୱାଭିମାନ ମଞ୍ଚ’ ଗଠନ କରି ଆଗାମୀ ଦିନରେ ସାମାଜିକ କାର୍ଯ୍ୟ ଜାରି ରଖିବୁ । ପଂଚାୟତ ନିର୍ବାଚନରେ ଏକା ଶକ୍ତି ପ୍ରଦର୍ଶନ କରିବୁ ।

ଦଳ ବିଗତ ଦିନରେ ଆମକୁ ଅନେକ କିଛି ଦେଇଛି ଓ ଆମେ ମଧ୍ୟ ଦଳକୁ ବହୁତ କିଛି ଦେଇଛୁ । ଦଳ ପାଇଁ ନିଜ ଦୁଇଭାଇଙ୍କୁ ହରାଇଛି ଓ ବହୁ କର୍ମୀ ଅନେକ ବଳିଦାନ ଦେଇ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଜେଡିକୁ ସୁଦୃଢ଼ କରାଇଥିଲେ ବୋଲି ସେ କହିଛନ୍ତି । ପୂର୍ବତନ ମନ୍ତ୍ରୀ ଶ୍ରୀ ହିମିରିକା ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇ ଦଳରେ ସେ ୫ବର୍ଷ ଧରି କୋଣଠେସା ହୋଇ ରହିଥିବା କହିବା ସହ ଆଭ୍ୟନ୍ତରୀଣ ସାଂଗଠନିକ ପରିଚାଳନାରେ ଅସନ୍ତୁଷ୍ଟ ଥିବା କହିଛନ୍ତି ।

ବିଜେଡିର ପାଲଟା ଜବାବ ଓ ତଥାଗତଙ୍କ ଏକ୍ସପାରୀ ଟିପ୍ପଣୀ

ରାୟଗଡ଼ା ଜିଲ୍ଲା ବିଜେଡିର ସଭାପତି ଜଗନ୍ନାଥ ସାରକା କହିଛନ୍ତି ଯେ, ରାୟଗଡ଼ା ଜିଲ୍ଲାରେ ବିଜେଡି ସୁଦୃଢ଼ ଅଛି । ସେମାନେ ଇସ୍ତଫା ଦେଲେ ମଧ୍ୟ ଦଳ ଉପରେ କିଛି ଫରକ ପଡ଼ିବ ନାହିଁ । ଦଳ ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି । ଦଳର ମୁଖପାତ୍ର ଲେନିନ୍ ମହାନ୍ତି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଭାସ୍କର ରାଓ ଓ ଅନ୍ୟମାନଙ୍କ ଇସ୍ତଫାର କିଛି ପ୍ରଭାବ ପଡ଼ିବ ନାହିଁ ବୋଲି କହି ଦମ୍ଭୋକ୍ତି ବାଢ଼ିଛନ୍ତି ।

ଏସବୁ ଭିତରେ ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏନ୍ ଭାସ୍କରରାଓ ଜଣେ ଟାଣୁଆ ନେତା । ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିପାଇଁ ଆମେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛୁ । ବିଜେଡିର ଏକ୍ସପାରୀ ଡେଟ୍ ପଳେଇଗଲାଣି । ଦଳ ଏବେ ନୂଆ ନାଁ ନୂଆ ରୂପରେ ଆସିବାର ସମ୍ଭାବନା ରହିଛି । ଅବଶ୍ୟ ବିଜେଡିର ଆଭ୍ୟନ୍ତରୀଣ କଥା କହିବା ଉଚିତ୍ ନୁହେଁ ବୋଲି ତଥାଗତ କହିବା ସହ  ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଯେଉଁ ନିଷ୍ପତ୍ତି ନେଲା ତାହା ସେ ଦଳର ଶେଷ ପର୍ଯ୍ୟାୟ ବୋଲି ଜଣାପଡ଼ିଗଲାଣି । ସେମାନଙ୍କ ଶେଷ ସମୟ ଆରମ୍ଭ ହୋଇଗଲାଣି ବୋଲି ସେମାନେ ମଧ୍ୟ ବୁଝିସାରିଥିବା ତଥାଗତ କଟାକ୍ଷ କରିଛନ୍ତି ।

ଅନୁଗତଙ୍କୁ ସୁରକ୍ଷା ପାଇଁ ସଂଗଠନକୁ ବଳି ପକାଇଲେ

ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଜେଡିର ପାଣ୍ଠି ଓ ନିବେଶକୁ ସୁରକ୍ଷା ଦେବା ପାଇଁ ସଂଗଠନକୁ ବଳି ପକାଇ ଦିଆଯାଇଥିବା ଭଳି ଚାଂଚଲ୍ୟକର ତଥ୍ୟ ଏବେ ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଆଉ ଏହି ବ୍ୟବସାୟିକ କାରବାରରେ ବିଜେଡିର ଅଘୋଷିତ ସର୍ବେସର୍ବାଙ୍କ ୨-୩ଜଣ ଖାସ୍ ଅନୁଗତଙ୍କ ସମ୍ପୃକ୍ତି ରହିଥିବାରୁ ସେମାନଙ୍କ କାରବାରକୁ ସୁରକ୍ଷା ଦେବାକୁ ଭାସ୍କର ରାଓଙ୍କ ଭଳି ବରିଷ୍ଠ ପ୍ରଭାବଶାଳୀ ନେତାମାନଙ୍କୁ ଦଳରୁ ବିଦା କରିବାର ମାର୍ଗ ପ୍ରଶସ୍ତ ହୋଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏକର ଏକର ଜମି କେଉଁ ପ୍ରଭାବଶାଳୀ ବିଜେଡି ନେତାମାନେ କିଣିଛନ୍ତି ତାକୁ ଖୋଳତାଡ଼ କଲେ ଯେକେହି ସହଜରେ ସେମାନଙ୍କର ଚକ୍ରାନ୍ତ ବୁଝିପାରିବ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

ଦକ୍ଷିଣ ଓଡ଼ିଶାରେ ମୂଳପୋଛ ହୋଇଯିବ କି

ଦକ୍ଷିଣ ଓଡ଼ିଶାର ମୋଟ ୬ଟି ଜିଲ୍ଲାର ୨୯ଟି ବିଧାନସଭା ଆସନ ମଧ୍ୟରୁ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ମାତ୍ର ୩ଟି ଆସନ ଜିତିବାରେ ସକ୍ଷମ ହୋଇଛି । କଂଗ୍ରେସକୁ ୯ଟି ଓ ବିଜେପିକୁ ୧୭ଟି ଆସନ ମିଳିଛି । କୋରାପୁଟ,ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଖାତା ଖୋଲିପାରିନଥିବା ବିଜେଡି ଗଞ୍ଜାମ, ନବରଙ୍ଗପୁର ଓ ଗଜପତିରେ ଗୋଟିଏ ଲେଖାଏଁ ବିଧାନସଭା ଆସନ ଜିତିଥିଲା ।

ଏବେ ଭାସ୍କରଙ୍କ ଭଳି ପ୍ରଭାବଶାଳୀ ନେତାଙ୍କ ଇସ୍ତଫା ପରେ ଦକ୍ଷିଣ ଓଡ଼ିଶାରେ ବିଜେଡି ନେତୃତ୍ୱହୀନ ଓ ଚେହେରାହୀନ ହୋଇପଡ଼ିଛି । ବିଜେଡିରେ ବଢ଼ୁଥିବା ତୀବ୍ର ଗୋଷ୍ଠୀକନ୍ଦଳ ମଧ୍ୟରେ ଭାସ୍କରଙ୍କ ‘ବିଜୁ ସ୍ୱାଭିମାନ ମଂଚ’ ମଧ୍ୟ ଦଳର ଅନ୍ୟ ଅସନ୍ତୁଷ୍ଟ ନେତାମାନଙ୍କ ପାଇଁ ଏକ ନୂଆ ମାର୍ଗ ଓ ମଂଚ ଦେଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।

Odisha BjD Bjd Leader