ବିଜେଡିର ଏଥର ୧୦ଦିନିଆ ପଦଯାତ୍ରା, ୧୨ରୁ ମାସେବ୍ୟାପୀ ଜୋନସ୍ତରୀୟ ପ୍ରଶିକ୍ଷଣ ଶିବିର

ଡିସେମ୍ବର ୨୬ରେ ଦଳର ୨୭ତମ ପ୍ରତିଷ୍ଠା ଦିବସ ନିର୍ବାଚନମଣ୍ଡଳୀସ୍ତରରେ ପାଳନ କରାଯିବ ଓ ଏହି ଅବସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଂକଳ୍ପ ନିଆଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • Published: Tuesday, 26 September 2023
  • , Updated: 26 September 2023, 08:27 PM IST

ନିର୍ବାଚନୀ ବର୍ଷରେ ବିଜେଡି ନିଜର ପଦଯାତ୍ରା କାର୍ଯ୍ୟକ୍ରମକୁ ମାତ୍ର ୧୦ଦିନ ମଧ୍ୟରେ ସୀମିତ କରି ଦଳୀୟ କର୍ମୀମାନଙ୍କ ପାଇଁ ଜିଲ୍ଲାପରିଷଦ ଜୋନ ଓ ପୌରାଂଚଳସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ଜନସମ୍ପର୍କ ପଦଯାତ୍ରା ନିର୍ବାଚନମଣ୍ଡଳୀସ୍ତରରେ ପାଳନ କରାଯିବ ଓ ଦଳର ୨୭ତମ ପ୍ରତିଷ୍ଠା ଦିବସ ମଧ୍ୟ ଆସନ୍ତା ଡିସେମ୍ବର ୨୬ତାରିଖରେ ନିର୍ବାଚନମଣ୍ଡଳୀସ୍ତରରେ ପାଳନ ହେବ । ଏହାସହିତ ପଦଯାତ୍ରା ସମାପନବେଳେ ଦଳୀୟ କର୍ମୀମାନେ ନେଉଥିବା ସମୂହ ଶପଥର ‘ପ୍ରସଙ୍ଗ’କୁ ମଧ୍ୟ ଦଳ ପରିବର୍ତ୍ତନ କରିଛି । ପ୍ରତିବର୍ଷ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ବିଜେଡି ରାଜ୍ୟବ୍ୟାପୀ ପଦଯାତ୍ରା ଆୟୋଜନ କରିଥାଏ ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ସମସ୍ତ ଛାମୁଆ ସଂଗଠନର ରାଜ୍ୟ,ଜିଲ୍ଲା ଓ ବ୍ଲକ ସଭାପତିଙ୍କ ସମେତ ବିଧାୟକ, ସାଂସଦ, ପର୍ଯ୍ୟବେକ୍ଷକ ଓ ଦଳୀୟ ରାଜ୍ୟ କର୍ମକର୍ତ୍ତାମାନଙ୍କୁ ଚିଠି ଲେଖି ଚଳିତବର୍ଷ ବିଜୁ ଜନତା ଦଳ ଅକ୍ଟୋବର ୨ ତାରିଖ ‘ଗାନ୍ଧି ଜୟନ୍ତୀ’ଠାରୁ ଅକ୍ଟୋବର ୧୧ ଲୋକପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ‘ଜନସମ୍ପର୍କ ପଦଯାତ୍ରା’ ପାଳନ କରାଯିବ ବୋଲି ଜଣାଇଛନ୍ତି। ଅକ୍ଟୋବର ୧୨ରୁ ମାସେ ବ୍ୟାପୀ ଦଳର ସକ୍ରିୟ ସଦସ୍ୟମାନଙ୍କୁ ନେଇ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଜିଲ୍ଲା ପରିଷଦ ଜୋନସ୍ତରୀୟ ଓ ପୌରାଂଚଳସ୍ତରରେ ପ୍ରଶିକ୍ଷଣ ଶିବିରମାନ ଆୟୋଜନ କରାଯିବ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ବୈଠକ ଓ ଜନସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ୱାର୍ଡରେ ଆମ ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତା ପହଂଚାଯିବ ବୋଲି ନବୀନ କହିଛନ୍ତି । ସେହିପରି ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ ଓ ପରିବେଶ ପ୍ରତିବଦ୍ଧତାର କାର୍ଯ୍ୟକ୍ରମ ମଧ୍ୟ କରାଯିବ ।

ଡିସେମ୍ବର ୨୬ରେ ଦଳର ୨୭ତମ ପ୍ରତିଷ୍ଠା ଦିବସ ନିର୍ବାଚନମଣ୍ଡଳୀସ୍ତରରେ ପାଳନ କରାଯିବ ଓ ଏହି ଅବସରରେ ମହାନ ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ସଂକଳ୍ପ ନିଆଯିବ । ଏହି ପଦଯାତ୍ରା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନେ ତଦାରଖ କରିବେ । ଏହି ସାଂଗଠନିକ କାର୍ଯ୍ୟକ୍ରମରେ ଦଳର ସବୁ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସମେତ ପଂଚାୟତ ଓ ପୌର ନିର୍ବାଚିତ ଲୋକପ୍ରତିନିଧି ,ବିଧାୟକ ଓ ସାଂସଦମାନେ ସାମିଲ ହେବା ପାଇଁ ନବୀନ ନିର୍ଦ୍ଦେଶ ଦେବା ସହ ସବିଶେଷ ବିବରଣୀ ତାଙ୍କୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି ।

ତେବେ କରୋନା ଯୋଗୁ ପ୍ରାୟ ୨ବର୍ଷ ପଦଯାତ୍ରା ବନ୍ଦ କରିଥିବା ବିଜେଡି ପ୍ରାୟତଃ ପ୍ରତିବର୍ଷ ନିଜର ପଦଯାତ୍ରା କାର୍ଯ୍ୟକ୍ରମକୁ ଏକମାସ ପର୍ଯ୍ୟନ୍ତ ଜାରି ରଖିଥାଏ । ମାତ୍ର ଚଳିତଥର ଦଳରେ ତୀବ୍ର ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ସହ ସ୍ଥାନୀୟ ନେତୃତ୍ୱଙ୍କୁ ନେଇ ରହିଥିବା ବିରୋଧାଭାସକୁ ଦୃଷ୍ଟିରେ ରଖି ପଦଯାତ୍ରା କାର୍ଯ୍ୟକ୍ରମକୁ ୧୦ଦିନ ମଧ୍ୟରେ ସୀମିତ କରିଛି । ଦଳ ପୂର୍ବରୁ ନିଜର ପଦଯାତ୍ରାକୁ ପ୍ରାୟ ଏକମାସ ଧରି ପାଳନ କରୁଥିବାବେଳେ ଚଳିତବର୍ଷ ପ୍ରଥମଥର ପାଇଁ ଜୋନସ୍ତରରେ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ କରିଛି । ଅର୍ଥାତ୍ ନିର୍ବାଚିତ ପ୍ରତିନିଧି ଯଥା ବିଧାୟକ ଓ ସାଂସଦମାନେ ଏକମାସ ବ୍ୟାପୀ ନିଜ ନିଜ ଅଂଚଳରେ ପଦଯାତ୍ରା କଲେ କାଳେ ଜନଆକ୍ରୋଶର ଶିକାର ହେବେ ସେହି ଭୟରେ ଦଳ ଅତ୍ୟନ୍ତ ଚତୁରତାର ସହ ସ୍ଥାନୀୟ ଦଳୀୟ ଶୀର୍ଷ ନେତା(ବିଧାୟକ ବା ବିଧାୟକ ପ୍ରାର୍ଥୀ)ଙ୍କୁ ବାଦ୍ ଦେଇ ସକ୍ରିୟ କର୍ମୀମାନଙ୍କ ମାଧ୍ୟମରେ ଘରେଘରେ ପହଂଚିବାର ରଣନୀତି ପ୍ରସ୍ତୁତ କରିଛି ।

ଏହାସହିତ ଦଳ ପୂର୍ବରୁ ପଦଯାତ୍ରା ସମାପନ ଦିନ କର୍ମୀମାନେ ‘ସମୂହ ଶପଥ’ ନେଇ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ପୁନଃଉତ୍ସର୍ଗ କରିବା ସହିତ ରାଜ୍ୟର ଉନ୍ନତି ଓ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ନିରନ୍ତର ଉର୍ତ୍ସଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ ନେଉଥିବାବେଳେ ଚଳିତବର୍ଷ ଓଡ଼ିଶାର ବିକାଶକୁ ଶୀର୍ଷସ୍ଥାନକୁ ନେବା ପାଇଁ ସଂକଳ୍ପ ନେବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।

Related story