ବିଜେଡି ‘ତୁଣ୍ଡ’ରେ ତୁଣ୍ଡି: କେହି ଯୋଗ୍ୟ ହେଲେନି, ସୁଲୋଚନାଙ୍କ ମୁହଁରେ କୁହାଇଲା ଦଳ

ସୁଲୋଚନା ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ, ଗତକାଲି ପୁରୀରେ ପହଣ୍ଡିବେଳେ ମହାପ୍ରଭୁ ଶ୍ରୀବଳଭଦ୍ର ତଳେ ପଡ଼ିଯିବା ଘଟଣା ସଭିଙ୍କ ମନରେ ଗଭୀର ଦୁଃଖ ଓ କଷ୍ଟ ଦେଇଛି।

ମେୟର ସୁଲୋଚନା ଦାସ

  • Published: Wednesday, 10 July 2024
  • , Updated: 10 July 2024, 10:13 PM IST

ନିର୍ବାଚନୀ ବିପର୍ଯ୍ୟୟର ସମୀକ୍ଷାକୁ ଏଡ଼ାଇ ଯାଇ ଦଳ ପ୍ରାୟ ମାସେପରେ ନିଜକୁ ସଜାଡ଼ିବାକୁ ପ୍ରୟାସ କରୁଥିବା ବିଜେଡିର ଏବେ ସବୁ ଅଙ୍କ ଭୁଲ୍ ହେବାରେ ଲାଗିଛି । ପାଣ୍ଡିଆନ ସିଣ୍ଡ୍ରୋମରେ ଆକ୍ରାନ୍ତ ବିଜେଡିର ସାଂଗଠନିକ ନିଷ୍ପତ୍ତି ଯାହା ହେଉଛି ତା’ର ଓଲଟା ପ୍ରତିଫଳନ ଏବେ ଦେଖିବାକୁ ମିଳୁଛି। ରଥଯାତ୍ରା ଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୧୯ଜଣିଆ ମୁଖପାତ୍ର ଟିମ୍ ଘୋଷଣା କଲେ । ବରିଷ୍ଠ ନେତାମାନଙ୍କୁ ନେଇ ଗଠିତ ଏହି ମୁଖପାତ୍ର ଟିମର ସଦସ୍ୟମାନଙ୍କୁ କିନ୍ତୁ ଦଳ ବିଶ୍ୱାସକୁ ନେଇପାରିଲା ନାହିଁ । ଏହି ‘ମୁଖପାତ୍ର’ ବା ‘ଦଳର ତୁଣ୍ଡ’ମାନଙ୍କୁ ବାଦ୍ ଦେଇ ଆଜି ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କୁ ଡାକି ଗଣମାଧ୍ୟମକୁ ବୟାନ ଜାରି କଲା । ଠିକ୍ ସେହିପରି ଗତକାଲି ସୁବାସ ସିଂଙ୍କ ନେତୃତ୍ୱରେ ବିଜୁ ଶ୍ରମିକ ସାମ୍ମୁଖ୍ୟର କମକର୍ତ୍ତାମାନେ ନବୀନଙ୍କୁ ଭେଟିଲେ । ଦଳର ସବୁ କମିଟିକୁ ନବୀନ ଭାଙ୍ଗିଥିବାବେଳେ ବିଜୁ ଶ୍ରମିକ ସାମ୍ମୁଖ୍ୟ ବ୍ୟାନରରେ ଏହାର କର୍ମକର୍ତ୍ତା କିଭଳି ଭେଟିଲେ ବୋଲି ପ୍ରଶ୍ନ ଉଠିଛି ।

ସୂଚନା ଅନୁସାରେ, ପୁରୀରେ ପହଣ୍ଡିବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ପଡ଼ିଯିବା ଘଟଣାକୁ ନେଇ ବିଜେଡି ଗତକାଲି କୌଣସି ପ୍ରତିକ୍ରିୟା ଗଣମାଧ୍ୟମରେ ନଦେବା ପାଇଁ ନିଜର ମୁଖପାତ୍ରମାନଙ୍କୁ ନିର୍ଦ୍ଦେଶ ଦେଇଥିଲା । ହ୍ୱାଟସଅପ୍ ମେସେଜ୍ ମାଧ୍ୟମରେ ଦଳ ନିଜର ତୁଣ୍ଡମାନଙ୍କ ଉପରେ କଟକଣା ଜାରି କରିଥିଲା । ମାତ୍ର ଆଜି ଦଳ ପକ୍ଷରୁ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କୁ ଗଣମାଧ୍ୟମ ଆଗରେ ବୟାନ ଦେବାକୁ ଆଗକୁ ଅଣାଯାଇଥିଲା । ଦଳ ପାଖରେ ୧୪ଜଣ ରାଜ୍ୟସ୍ତରୀୟ ଓ ୫ଜଣ ଜାତୀୟସ୍ତରୀୟ ମୁଖପାତ୍ର ଅଛନ୍ତି । କିନ୍ତୁ ସେମାନଙ୍କ ମୁହଁରେ ଦଳର ଆଭିମୁଖ୍ୟକୁ ନକୁହାଇ ବିଜେଡି ସୁଲୋଚନାଙ୍କୁ ଆଗକୁ ଆଣିବା ପରୋକ୍ଷରେ ବିଜେଡି ନେତୃତ୍ୱ ନିଜର ମୁଖପାତ୍ରମାନଙ୍କୁ ଭରସାକୁ ନେଉଥିବା ସ୍ପଷ୍ଟ ହୋଇଛି ।

ସୁଲୋଚନା ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ, ଗତକାଲି ପୁରୀରେ ପହଣ୍ଡିବେଳେ ମହାପ୍ରଭୁ ଶ୍ରୀବଳଭଦ୍ର ତଳେ ପଡ଼ିଯିବା ଘଟଣା ସଭିଙ୍କ ମନରେ ଗଭୀର ଦୁଃଖ ଓ କଷ୍ଟ ଦେଇଛି । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ଆଦୌ ଗ୍ରହଣୀୟ ନୁହେଁ । ଏହି ଅକ୍ଷମଣୀୟ ତ୍ରୁଟି କାହିଁକି ହେଲା ତା’ର ଅନୁଧ୍ୟାନ କରିବା ବଦଳରେ ଉପମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଦାୟିତ୍ୱହୀନ ମନ୍ତବ୍ୟ ପ୍ରଦାନ କରିଛନ୍ତି । ଏହାକୁ ମହାପ୍ରଭୁଙ୍କ ଇଚ୍ଛା ବୋଲି ସେମାନେ ରଖିଥିବା ଉକ୍ତି କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ପ୍ରତି ଉପହାସ ସଦୃଶ । ବିଶ୍ୱର ସମସ୍ତ ଜଗନ୍ନାଥପ୍ରେମୀ ମର୍ମାହତ,ଦୁଃଖିତ ଓ ଲଜ୍ଜିତ ମଧ୍ୟ ବୋଲି ସୁଲୋଚନା କହିଛନ୍ତି।

ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ସମ୍ବେଦନଶୀଳ ପ୍ରସଙ୍ଗରେ ସୁଲୋଚନାଙ୍କ ମୁହଁରେ ବିଜେଡି ନିଜର ଆଭିମୁଖ୍ୟ ରଖିଥିଲେ ମଧ୍ୟ କାହିଁକି ଦଳୀୟ ମୁଖପାତ୍ରମାନଙ୍କୁ ସାମ୍ନାକୁ ଆଣିଲା ନାହିଁ । ଦଳ ଏହି ଅଭିଜ୍ଞ ଓ ପୁରୁଖା ମୁଖପାତ୍ରମାନଙ୍କୁ ଭରସାକୁ ନେଉନି ନା ଏତେ ବିପର୍ଯ୍ୟୟ ପରେ ବି ପାଣ୍ଡିଆନ ନିଜର ମନମର୍ଜି ଜାରି ରଖିଥିବାର ପ୍ରମାଣ ଦେବାକୁ ପ୍ରୟାସ କରୁଛନ୍ତି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତା’ଛଡ଼ା ପହଣ୍ଡିବେଳେ ମହାପ୍ରଭୁ ଶ୍ରୀବଳଭଦ୍ର ତଳେ ପଡ଼ିଯିବା ଭଳି ସମ୍ବେଦନଶୀଳ ଘଟଣାରେ ବିଜେଡି ନିଜର ରାଜନୀତିକ ରୋଟି ସେକିବାକୁ ଅପଚେଷ୍ଟା କରୁଥିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । କାରଣ ବିଜେଡି ସରକାର ସମୟରେ ହିଁ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ, ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ସହ ଦଳଚକଟା ମୃତ୍ୟୁ ଆଦି ବିଭିନ୍ନ ଅବ୍ୟବସ୍ଥା ହୋଇଥିଲା । ସେବାୟତଙ୍କ ଦ୍ୱାରା ମହାପ୍ରଭୁଙ୍କ ପହଣ୍ଡି ହେଉଥିଲା ଓ କେଉଁଠି ତ୍ରୁଟି ଯୋଗୁ ଏଭଳି ଅକ୍ଷମଣୀୟ ଅଘଟଣ ହେଲା ତା’ର ଖୋଳତାଡ଼ ପାଇଁ କମିଟି ଗଠନ ସରିଛି । କିନ୍ତୁ ବିଜେଡି ଯେଉଁ ଢଙ୍ଗରେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରିବାକୁ ପ୍ରୟାସ କରୁଛି ତାହା ହିଁ ଦଳର ହୀନ ମାନସିକତାକୁ ପଦାରେ ପକାଇ ଦେଇଛି ବୋଲି ସାଧାରଣରେ ଚର୍ଚ୍ଚା ।

ଉଲ୍ଲେଖଯୋଗ୍ୟ, ରଥଯାତ୍ରା ଦିନ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଦଳର ସମସ୍ତ କମିଟିକୁ ଭଙ୍ଗ କରିଦେଇଥିଲେ ମଧ୍ୟ ପ୍ରଣବ ପ୍ରକାଶ ଦାସ ଏବେବି ବିଜେଡି ସଂଗଠନ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ତାଙ୍କ ଭେରିଫାଏଡ୍ ‘ଏକ୍ସ’ରୁ ସ୍ପଷ୍ଟ ପ୍ରତିଫଳିତ ହେଉଛି । ସେହିପରି ଗତକାଲି ବିଜୁ ଶ୍ରମିକ ସାମ୍ମୁଖ୍ୟ ବ୍ୟାନରରେ ସୁବାସ ସିଂ ଓ କର୍ମକର୍ତ୍ତାମାନେ ନବୀନ ନିବାସ ଯାଇ ନବୀନଙ୍କୁ ଭେଟି ଫଟୋ ଉଠାଇଛନ୍ତି । ଯଦି ନବୀନ କମିଟି ଭାଙ୍ଗିଛନ୍ତି ତା’ହେଲେ ପ୍ରଣବ ଓରଫ ବବି କିଭଳି ଏବେବି ନିଜକୁ ସଂଗଠନ ସମ୍ପାଦକ କହି ବୁଲୁଛନ୍ତି ଓ ସୁବାସ ସିଂ ବିଜୁ ଶ୍ରମିକ ସାମ୍ମୁଖ୍ୟର ନେତୃତ୍ୱ ନେଉଛନ୍ତି ତାହା ବି ଦଳୀୟ ନେତା-କର୍ମୀଙ୍କୁ ଦ୍ୱନ୍ଦ୍ୱରେ ପକାଇ ଥିବା ଜଣାପଡ଼ିଛି ।

Related story