Advertisment

ରାଜ୍ୟରେ ଦୁର୍ନୀତି ଓ ଅପରାଧକୁ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାର: ବିଜେପି

ବିଜେପିର ନେତାମାନଙ୍କୁ ଆକ୍ଷେପ କରିବା ପରିବର୍ତ୍ତେ ଶାସକ ବିଜେଡିର ବିଧାୟକ ଓ ନେତାମାନେ ନିଜ ଦଳର ବିଧାୟକ, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀଙ୍କ କାର୍ଯ୍ୟକୁ ସମୀକ୍ଷା କରନ୍ତୁ ବୋଲି ବିଜେପି  କହିଛି ।

ଅଦ୍ୟତନ ହୋଇଛି
Manoj kumar Mohapatra

Manoj kumar Mohapatra

Advertisment

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ତଦନ୍ତକୁ ବାଟବଣା କରାଇ ଅଭିଯୁକ୍ତ ଗୋପାଳ ଦାସଙ୍କୁ ପାଗଳ ସଜାଇବାର ଉଦ୍ୟମ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କର ରାଜନେତା ଲିଙ୍କ୍ ପ୍ରସଙ୍ଗକୁ ନେଇ ବିଜେପି ଆଜି ବିଜେଡି ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି । ବିଜେପିର ନେତାମାନଙ୍କୁ ଆକ୍ଷେପ କରିବା ପରିବର୍ତ୍ତେ ଶାସକ ବିଜେଡିର ବିଧାୟକ ଓ ନେତାମାନେ ନିଜ ଦଳର ବିଧାୟକ, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀଙ୍କ କାର୍ଯ୍ୟକୁ ସମୀକ୍ଷା କରନ୍ତୁ ବୋଲି ବିଜେପି  କହିଛି ।

Advertisment

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ମୁଖପାତ୍ର ମନୋଜ କୁମାର ମହାପାତ୍ର କହିଛନ୍ତି ଯେ, ରାଜ୍ୟର ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି । ଆଜି କୋରାପୁଟ ଜିଲ୍ଲାର ଜଣେ ବନଖଣ୍ଡ ଅଧିକାରୀଙ୍କ ଗାଡ଼ିରୁ ବିପୁଳ ପରିମାଣର ଟଙ୍କା ଭିଜିଲାନ୍ସ ଜବତ କରି ତଦନ୍ତ କରୁଛି । କିଛିଦିନ ତଳେ ଭୁବନେଶ୍ୱର ଆର୍‌ଡବ୍ଲ୍ୟୁଏସ୍‌ଏସ୍ ସୁପରିଟେଣ୍ଡେଂଟ ଇଞ୍ଜିନିୟର ବିଜୟାନନ୍ଦ ସାହୁ ଓ  ଏମଆଇ ଡିଭିଜନର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କଠୁ କୋଟି କୋଟି ଟଙ୍କାର ସମ୍ପତି ଜବତ କରିବା ସହ ଉଭୟଙ୍କୁ ଗିରଫ କରିଛି ।

ତେବେ ଏହି ଦୁଇ ଅଫିସରଙ୍କର ପରଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ ସହ ସମ୍ପର୍କ କଣ? ରାଜନୈତିକ ଛତ୍ରଛାୟାରେ ରହି ଏହି ଦୁଇ ଅଫିସର ଦୁର୍ନୀତି କରୁଥିଲେ କି? ଏ ସମ୍ପର୍କରେ ମଧ୍ୟ ଭିଜିଲାନ୍ସ ତଦନ୍ତ କରିବା ଜରୁରୀ । ନିକଟରେ ଧରାପଡ଼ିଥିବା ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଯୋଡ଼ାରେ ଖଣି ବିଭାଗର ଉପନିର୍ଦ୍ଦେଶକ ଥିବାବେଳେ ତାଙ୍କ ଭୂମିକା ବିବାଦୀୟ ହୋଇଥିଲା । ବହୁଚର୍ଚ୍ଚିତ ଉଲିବୁରୁ , ହିସାବୁରୁ ଖଣି ଦୁର୍ନୀତିରେ ବହୁ ଲୋକ ଗିରଫ ହୋଇଛନ୍ତି, ଅଥଚ ଏହି ତତକାଳୀନ ଖଣି ଅଧିକାରୀଙ୍କୁ କାହିଁକି ତଦନ୍ତ ପରିସରକୁ ଅଣାଯାଇନଥିଲା । ଏବେ ଭିଜିଲାନ୍ସ ଏହି ଅଭିଯୁକ୍ତ ଅଧିକାରୀଙ୍କ ଖଣି ମାଫିଆ, ଖଣି ମାଫିଆଙ୍କ ଲିଙ୍କ୍ ଉପରେ ତଦନ୍ତ କଲେ ଆହୁରି ତଥ୍ୟ ପଦାକୁ ଆସିବ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

Advertisment

ସେହିପରି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କୁ ପାଗଳ ସଜାଇବାକୁ କ୍ରାଇମବ୍ରାଂଚ ପ୍ରୟାସ କରୁଛି ବୋଲି ବିଜେପି ଅଭିଯୋଗ କରିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟର ଗୋଟିଏ  ପ୍ରତିଷ୍ଠିତ ଡାକ୍ତରଖାନାର ଡାକ୍ତରଙ୍କୁ ନେଇ ଗଠିତ ମେଡିକାଲ ଟିମ୍ ଅଭିଯୁକ୍ତର ମାନସିକ ସ୍ଥିତି ଯାଂଚ କରି ରିପୋର୍ଟ ଦେବା ପରେ ବାଙ୍ଗାଲୋର ନେବା ପାଇଁ ଆବେଦନ କରିବା କିମ୍ବା ଏଫବିଆଇ ସହଯୋଗ ଲୋଡ଼ିବା କେତେଦୂର ଯୁକ୍ତିଯୁକ୍ତ । ଆଉ କ୍ରାଇମବ୍ରାଂଚ ହତ୍ୟାର କାରଣ, ଷଡ଼ଯନ୍ତ୍ରକାରୀମାନଙ୍କ ଷଡ଼ଯନ୍ତ୍ର ପ୍ରସଙ୍ଗକୁ ନଯିବା ଦୁର୍ଭାଗ୍ୟଜନକ । ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାର ତଦନ୍ତ ବାଟବଣା ହେବା ପ୍ରତିବାଦରେ ଆନ୍ଦୋଳନ କରିଥିବା ବିଜେପି ଯୁବମୋର୍ଚ୍ଚାର କର୍ମକର୍ତ୍ତାଙ୍କ ବିରୋଧରେ ୩୦୭ଦଫା କେସ୍ କରି ଜେଲ୍ ପଠାଇବା ସରକାର ଓ ପୁଲିସର ଦମନମୂଳକ ପଦକ୍ଷେପ ବୋଲି ଶ୍ରୀ ମହାପାତ୍ର କହିଛନ୍ତିି ।

ଏବେ ବିଜେପିର ନେତାମାନଙ୍କ ବିରୁଦ୍ଧରେ ବିଜେଡି ନେତାମାନେ ରୁଚିହୀନ ମନ୍ତବ୍ୟ ଦେଉଛନ୍ତି । ବିଜେଡି ତାଙ୍କ ଦଳ ନେତାଙ୍କ କାର୍ଯ୍ୟକୁ ସମୀକ୍ଷା କରିବା ଉଚିତ୍ ।  ଯିଏ ବିଜେଡି ଓ ନବୀନ ବାବୁଙ୍କୁ ବେଇମାନ କହିଥିଲେ ସେ ଏବେ ଦଳର ଜଣେ ରାଜ୍ୟସଭା ସାଂସଦ । ଯିଏ ଜଣେ ଥାନାଧିକାରୀଙ୍କୁ ଅପହରଣ ଓ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ସେ ରାଜ୍ୟ ସରକାରଙ୍କ ଜଣେ କ୍ୟାବିନେଟ୍ ମନ୍ତ୍ରୀ । ଯିଏ ରାଜ୍ୟରେ ଏବେ ବିଟ୍ରିଶ ଶାସନଠୁ ବଳି ଲୁଟ୍ ଚାଲିଛି ବୋଲି କହିଥିଲେ, ସେ ବିଜେଡିର କାର୍ଯ୍ୟାଳୟ ସାଧାରଣ ସମ୍ପାଦକ । ରାଜ୍ୟର ଜଣେ ନିରୀହ ଝିଅକୁ ପୋଡ଼ି ମାରିବା ଓ ପୋତିବା ଭଳି ଅମାନବୀୟ ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀ ଭାବେ ସେହି ଝିଅର ପରିବାର କାହା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ ତାହା ରାଜ୍ୟବାସୀ ଜାଣନ୍ତି, କିନ୍ତୁ ବିଜେଡିର ନେତା ଓ ବିଧାୟକ ଏସବୁ ଭୁଲି ଯାଉଛନ୍ତିି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀ ମଲ୍ଲିକ ଓ ମୁଖପାତ୍ର ଅନୀଲ ବିଶ୍ୱାଳ ଉପସ୍ଥିତ ଥିଲେ ।

Odisha Politics Crime Branch Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe