
ଯେଉଁ ସୁପ୍ରିମୋଙ୍କ ଗୋଟିଏ ଇଙ୍ଗିତରେ ଦିନେ ଦଳର ବଡ଼ବଡ଼ ମୁଣ୍ଡ ଗଡ଼ୁଥିଲା, ଆଜି ତାଙ୍କର ଅସହାୟ ସ୍ଥିତି ପଦାରେ ପଡ଼ିଛି । ବିଜେଡି ଇତିହାସରେ ବୋଧହୁଏ ପ୍ରଥମଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ନିଜର ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇବା ନିମନ୍ତେ ପ୍ରାୟ ୬ଦିନ ପରେ ସଫେଇ ଦେବାକୁ ବାଧ୍ୟ ହୋଇଛନ୍ତି । ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ପାଟକୁରାରେ ଦଳୀୟ କର୍ମୀମାନଙ୍କ ଖୋଲାଖୋଲି ଚ୍ୟାଲେଞ୍ଜ ଓ ବରିଷ୍ଠ ନେତାମାନଙ୍କ ରହସ୍ୟମୟ ନିରବତାକୁ ଦେଖି ଶେଷରେ ୬ଦିନ ପରେ ନବୀନ ନିଜେ ମଇଦାନକୁ ଓହ୍ଲାଇ ସ୍ପଷ୍ଟୀକରଣ ରଖିବା ତାଙ୍କ ଦୁର୍ବଳ ନେତୃତ୍ୱର ସବୁଠୁ ବଡ଼ ‘ସେଟବ୍ୟାକ୍’ ବୋଲି ଚର୍ଚ୍ଚା ହେଉଛି । ଆଉ ଏସବୁ ମଧ୍ୟରେ ‘ଆପଣମାନଙ୍କ ପାଇଁ ଜଣେ ଭଲ ମୁଖିଆ ନିଶ୍ଚୟ ଦେବି’ ବୋଲି କହି ନବୀନ ପାଟକୁରା ପାଇଁ ମୁଖିଆ ଚୟନ କରିବେ ନା ଦଳର ନୂଆ ଉତ୍ତରାଧିକାରୀ ଚୟନର ସଙ୍କେତ ଦେଇଛନ୍ତି ତାହା ଏବେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ଉଷ୍ମ କରିଦେଇଛି ।
ଶେଷରେ ନିଜ ନିଷ୍ପତ୍ତିର ସଫେଇ ନିଜେ ଦେଲେ ନବୀନ
ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକର ଆଖ୍ୟା ଦେଇ ଗତ ଗୁରୁବାର ସନ୍ଧ୍ୟାରେ ବିଜେଡିରୁ ନିଲମ୍ବିତ କରିଥିଲେ ନବୀନ । ପରେ ଦଳର ମୁଖପାତ୍ର ‘ମିଡ୍ ଡେ ଅପରେସନ’ର କାହାଣୀ କହି ଅରବିନ୍ଦ ଓ ସନାତନଙ୍କୁ ବିଶ୍ୱସାଘାତକର ଚିତ୍ରଣ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ଏଭଳି କାଳ୍ପନିକ ଷଡ଼ଯନ୍ତ୍ର ଅଭିଯୋଗକୁ ନେଇ ବିଜେଡି ଭିତରେ ଓ ବାହାରେ ତୀବ୍ର ସମାଲୋଚନା ହେବା ସହ ଦଳର ବରିଷ୍ଠ ନେତାମାନେ ମଧ୍ୟ ରହସ୍ୟମୟ ଢଙ୍ଗରେ ନିରବତା ଅବଲମ୍ବନ କଲେ । ମାତ୍ର ୨୨ମାସର ଯୁବ ବିଧାୟକ ଅରବିନ୍ଦଙ୍କ ବିରୁଦ୍ଧରେ ବିଜେଡି ନେତୃତ୍ୱ ଆଣିଥିବା ଅଭିଯୋଗକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସହ ତାଙ୍କ ସପକ୍ଷରେ ସହାନୁଭୂତି ବଢ଼ିବାରେ ଲାଗିଲା ।
ଏପରିକି ପାଟକୁରାରେ ବିଗତ ୬ଦିନ ମଧ୍ୟରେ ଦୁଇ ଦୁଇଥର ଦଳୀୟ କର୍ମୀମାନେ ବୈଠକ କରି ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ ମଧ୍ୟ ଦେଲେ । ଏହାପରେ ମଧ୍ୟ ନବୀନଙ୍କ ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇବା ପାଇଁ ଦଳର ବରିଷ୍ଠ ନେତାମାନେ ଆଗକୁ ନଆସିବା ପରେ ଆଜି ଶେଷରେ ବାଧ୍ୟ ହୋଇ ନବୀନ ମଇଦାନକୁ ଓହ୍ଲାଇ ନିଜ ନିଷ୍ପତ୍ତିର ସ୍ପଷ୍ଟୀକରଣ ନିଜେ ରଖିଛନ୍ତି । ପ୍ରାୟୋଜିତ ଢଙ୍ଗରେ ପାଟକୁରାରୁ ଦଳୀୟ କର୍ମୀ-ନେତାଙ୍କୁ ନବୀନ ନିବାସ ଡକାଯାଇ ନବୀନଙ୍କ ସ୍ପଷ୍ଟୀକରଣ ରଖିବା ନିମନ୍ତେ ମାର୍ଗ ପ୍ରଶସ୍ତ କରାଯାଇଥିବା ଜଣାପଡ଼ିଛି । ଏପରିକି ନିଲମ୍ବନ ନିଷ୍ପତ୍ତି ସପକ୍ଷରେ ଗଣମାଧ୍ୟମରେ ଯୁକ୍ତି ବାଢ଼ିବା ପାଇଁ ଦଳର ବରିଷ୍ଠ ନେତାମାନଙ୍କୁ ବିଗତ ୪-୫ଦିନ ଧରି ନବୀନ ନିବାସରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ କେହି ଧରାଛୁଆଁ ଦେଇନଥିଲେ ବୋଲି ସୂଚନା ମିଳିଛି ।
ନବୀନଙ୍କ ‘ଇମୋସନାଲ କାର୍ଡ', ଅରବିନ୍ଦଙ୍କ ଉପରେ ଦୋଷ ଲଦିଲେ
ଦଳର ଦୁଇ ବିଧାୟକଙ୍କ ନିଲମ୍ବନ ନିଷ୍ପତ୍ତିକୁ ନେଇ ବଢ଼ୁଥିବା ଅସନ୍ତୋଷ ଓ ସାଂଗଠନିକ କନ୍ଦଳକୁ ପ୍ରଶମିତ କରିବା ପାଇଁ ନବୀନ ଆଜି ଇମୋନସନାଲ କାର୍ଡ ଖେଳିଛନ୍ତି । ଅରବିନ୍ଦଙ୍କ ନାଁ ନନେଇ ଥିଲେ ମଧ୍ୟ ପାଟକୁରାରୁ ଆସିଥିବା ଦଳୀୟ କର୍ମୀମାନଙ୍କୁ ନବୀନ ନିବାସରେ ‘ଆପଣମାନେ ଭଲ ଅଛନ୍ତି ତ କହି’ ନବୀନ ନିଜର ସ୍ପଷ୍ଟୀକରଣ ରଖିଥିଲେ ।
ନବୀନ କହିଥିଲେ ଯେ “ ଆପଣମାନେ ଜାଣିଛନ୍ତି, ପାଟକୁରା ନିର୍ବାଚନମଣ୍ଡଳୀ ଓ ଆପଣମାନଙ୍କ ପାଇଁ କିଛି କାମ କରିବା ନିମନ୍ତେ ମୁଁ ଜଣେ ବ୍ୟକ୍ତିଙ୍କୁ ସୁଯୋଗ ଦେଇଥିଲି । କିନ୍ତୁ ପରେ ଜାଣିଲି ପାଟକୁରାରେ ସେ ଆମର ଭଲ କାମକୁ କାଟୁଥିଲା । ଆଉ ପାଟକୁରାବାସୀ ହଇରାଣ ହେଉଥିଲେ । ଯେଉଁମାନେ ଆମ ଦଳରେ ରହି ଲୋକମାନଙ୍କୁ ହଇରାଣ କରନ୍ତି ସେମାନଙ୍କୁ ମୁଁ ସବୁବେଳେ ଦଳରୁ ବାହାର କରିଦିଏ । ଆପଣମାନେ ଖୁସିରେ ଯାଆନ୍ତୁ । ଭଲ କାମ କରନ୍ତୁ । ଆପଣମାନଙ୍କ ପାଇଁ ଜଣେ ‘ଭଲ ମୁଖିଆ’ ଖୁବଶୀଘ୍ର ଦେବି ।” ନବୀନଙ୍କ ଏଭଳି ବୟାନ ଦେଇ ଅରବିନ୍ଦଙ୍କୁ ବିଶ୍ୱାସଘାତକର ଆଖ୍ୟା ଦେବା ସହ କର୍ମୀଙ୍କ ପାଖରେ ଇମୋସନାଲ କାର୍ଡ ଖେଳିଛନ୍ତି ।
ବିଗତ ୫ଦିନ ଧରି ପାଟକୁରାରେ ବିଜେଡି କର୍ମୀ-ନେତାମାନେ ଦୁଇଦୁଇଥର ଅରବିନ୍ଦଙ୍କ ସମର୍ଥନରେ ବୈଠକ କରି ନବୀନଙ୍କୁ ଚ୍ୟାଲେଞ୍ଜ ଦେବା ଏବଂ ବରିଷ୍ଠ ନେତାମାନେ ନିରବ ରହିବା ପରେ ନବୀନ(BJD Naveen Patnaik) ଆଜି ଆଗକୁ ଆସି ଏହି ଇମୋନସନାଲ କାର୍ଡ ଖେଳିଥିବା ଜଣାପଡ଼ିଛି ।
‘ଭଲ ମୁଖିଆ ' ନା ସୁଜାତାଙ୍କ ପାଇଁ ଶେଷ କଣ୍ଟା ସଫା?
ଆଜି ସ୍ପଷ୍ଟୀକରଣ ଦେବାବେଳେ ନବୀନଙ୍କ ଶେଷ ଧାଡ଼ି ଥିଲା- “ଆପ୍ କେ ଲିଏ ଏକ ଆଚ୍ଛା ଲିଡର ଜରୁର ଦେଙ୍ଗେ” । ନବୀନଙ୍କ ଏହି ଗୋଟିଏ ଧାଡ଼ି ଏବେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ଉଷ୍ମ କରିଦେଇଛି । ବିଜେଡି ସୂତ୍ର ଅନୁସାରେ, ଅରବିନ୍ଦଙ୍କୁ ପାଟକୁରାରୁ ହଟାଇବା ପଛରେ ‘ମିଡ୍ ଡେ ଅପରେସନ’ ଷଡ଼ଯନ୍ତ୍ରର କାଳ୍ପନିକ କାହାଣୀ ରଚିବା ପଛର ପ୍ରକୃତ ଉଦ୍ଦେଶ୍ୟକୁ ନବୀନ ସାମ୍ନାକୁ ଆଣିଛନ୍ତି । ଦଳର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ରାଜନୀତି ମଇଦାନକୁ ଓହ୍ଲାଇବା ପାଇଁ ଏବେଠୁ ଗ୍ରାଉଣ୍ଡ ପ୍ରସ୍ତୁତ କରାଯାଉଛି ।
ସୁଜାତାଙ୍କ ଦିବଂଗତ ଡାକ୍ତର ପିତାଙ୍କ ଜନ୍ମ କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବାରୁ ନୂଆ ମୁଖିଆ ଦେବା ଆଳରେ ସୁଜାତାଙ୍କୁ ପାଟକୁରାବାସୀଙ୍କ ଉପରେ ଲଦି ଦେବା ପାଇଁ ଏହା ଏକ ପୂର୍ବପ୍ରସ୍ତୁତ ରଣନୀତି ବୋଲି ଚର୍ଚ୍ଚା ହେଉଛି । ସୁଜାତାଙ୍କ ହାତରେ ବିଜେଡିର ନେତୃତ୍ୱ ଟେକି ଦେବା ପାଇଁ ଚାଲିଥିବା ହଟଚମଟ ମଧ୍ୟରେ ନବୀନଙ୍କ ଏହି କୌଶଳ ବିଜେଡିକୁ ରକ୍ଷା କରିବ ନା ସମ୍ପୂର୍ଣ୍ଣ ବୁଡ଼ାଇ ଦେବ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତାମିଲ ବୋହୂ ସୁଜାତା(Sujata Karthikeyan) ଙ୍କୁ କେନ୍ଦ୍ରାପଡ଼ାର ଝିଅ ବୋଲି ପ୍ରମାଣିତ କରାଇବା ପାଇଁ ଏଭଳି ବଡ଼ଧରଣର ଗେମପ୍ଲାନ୍ ପ୍ରସ୍ତୁତ କରାଯାଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।
ବବି ଦାସଙ୍କ ପକ୍ଷଛେଦନ, ଚର୍ଚ୍ଚାରେ ଶ୍ରୀମୟୀଙ୍କ ପୋଷ୍ଟ
ବିଜେଡିର ‘ନମ୍ବର-୩’ ଭାବେ ପରିଚିତ ଥିବା ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କୁ ଦଳ ଏବେ ଯାଜପୁର ଜିଲ୍ଲା ନୁହେଁ ବରଂ ଗୋଟିଏ ନିର୍ବାଚନମଣ୍ଡଳୀସ୍ତରୀୟ ନେତା ମଧ୍ୟରେ ସୀମିତ ରଖିଦେଇଛି । ବିଜେଡିରେ ଅସନ୍ତୁଷ୍ଟଙ୍କ ମେଳି ଓ ଅସ୍ଥିରତା ପଛରେ ବବିଙ୍କ ପ୍ରମୁଖ ଭୂମିକା ରହିଥିବା ତଥା ଏକ ବୃହତ୍ ଗୋଷ୍ଠୀର ବିରୋଧକୁ ଦୃଷ୍ଟିରେ ରଖି ତାଙ୍କର ପକ୍ଷଛେଦନ କରାଯାଇଥିବା ଜଣାପଡ଼ିଛି । ବବିଙ୍କୁ ଏବେ ଦଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଓ ସାଂଗଠନିକ ବ୍ୟାପାରରେ ସାମିଲ କରାଯାଉନଥିବାବେଳେ ସୁଜାତାଙ୍କ ଏଂଟ୍ରିକୁ ସଫଳ ରୂପ ଦେବା ପାଇଁ ପରଦା ପଛରେ ଜୋରସୋରରେ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି ।
ଆଉ ଏସବୁ ମଧ୍ୟରେ ବିଜେଡିରୁ ନିଲମ୍ବିତ ନେତ୍ରୀ ଶ୍ରୀମୟୀ ମିଶ୍ର ନିଜ ସୋସିଆଲ ମିଡିଆରେ ‘ବିଜେଡି ବିଭାଜନ ପ୍ରକ୍ରିୟା ଖୁବଶୀଘ୍ର’ ବୋଲି ଲେଖି ଦଳ ଭିତରେ ଚାଲିଥିବା ବିଭାଜନ ଚର୍ଚ୍ଚାକୁ ଅଧିକ ବଳ ଯୋଗାଇଛନ୍ତି । ଦଳର ନେତୃତ୍ୱ ଏବେ ପାଣ୍ଡିଆନ ଦମ୍ପତିଙ୍କ ପାଖରେ ରହିବା ଏକରକମ ସ୍ପଷ୍ଟ ହୋଇଯାଇଥିବାରୁ ବବି ଓ ତାଙ୍କ ଅନୁଗତମାନେ ଦଳରେ ବଡ଼ଧରଣର ବିଦ୍ରୋହ ପାଇଁ ସଜବାଜ ହେଉଥିବା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ନବୀନଙ୍କର ଆଜିର ବୟାନ ମଧ୍ୟ ଦଳ(Biju Janata Dal)ର ଆଭ୍ୟନ୍ତରୀଣ ରାଜନୀତି ଓ କନ୍ଦଳକୁ ଅଧିକ ସରଗରମ କରିଦେଇଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
