ବିରୋଧ ଦେଖି ବିଜେଡି ବଦଳାଇଲା ସ୍ୱର, କେବଳ ପ୍ରତୀକାତ୍ମକ ଜନଜାଗରଣ ଅଭିଯାନ

ବିଜେପି ସରକାର ବିରୁଦ୍ଧରେ ‘ନିର୍ବାଚନ ପ୍ରତିଶ୍ରୁତି ପୂରଣ’କୁ ପ୍ରସଙ୍ଗ କରି ଜନଜାଗରଣ ଅଭିଯାନ ପାଇଁ ବିଜେଡି କରିଥିବା ଘୋଷଣାକୁ ନେଇ ଦଳୀୟ କର୍ମୀ ଓ ନେତାମାନେ ଆଗ୍ରହ ଦେଖାଇନଥିଲେ ।

BJD ପାର୍ଟି ଅଫିସ୍‌

  • Published: Wednesday, 14 August 2024
  • , Updated: 14 August 2024, 10:51 PM IST

ତୀବ୍ର ଗୋଷ୍ଠୀକନ୍ଦଳ ଓ ଅସନ୍ତୋଷ ମଧ୍ୟ ଦେଇ ଗତି କରୁଥିବା ବିଜେଡିର ଅଗଷ୍ଟ ୧୬ରେ ପ୍ରସ୍ତାବିତ ଜନଜାଗରଣ ଅଭିଯାନକୁ ନେଇ ବିରୋଧ ବଢ଼ିବା ପରେ ଦଳ ନିଜର ଆଭିମୁଖ୍ୟ ବଦଳାଇଛି । ବିଜେପି ସରକାର ବିରୁଦ୍ଧରେ ପ୍ରତି ପଂଚାୟତରେ ‘ଜନଜାଗରଣ ଅଭିଯାନ’ କରିବା ପାଇଁ ଗତ ଦୁଇଦିନ ତଳେ ଘୋଷଣା କରିଥିବା ବିଜେଡି ଆଜି ବ୍ୟାକଫୁଟକୁ ଯାଇ ଅଗଷ୍ଟ ୧୬ରୁ ଏକ ସପ୍ତାହ ମଧ୍ୟରେ ଯେକୌଣସି ଦିନ ପ୍ରତୀକାତ୍ମକ ଭାବେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଚିଠି ଲେଖି ଅବଗତ କରାଇଛି । ତେବେ ଦଳ ଅଚାନକ ନିଜର ଆଭିମୁଖ୍ୟ ବଦଳାଇ ‘ସପ୍ତାହର ଯେକୌଣସି ଦିନ କେବଳ ପ୍ରତୀକାତ୍ମକ’ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ବିଜେପି ସରକାର ବିରୁଦ୍ଧରେ ‘ନିର୍ବାଚନ ପ୍ରତିଶ୍ରୁତି ପୂରଣ’କୁ ପ୍ରସଙ୍ଗ କରି ଜନଜାଗରଣ ଅଭିଯାନ ପାଇଁ ବିଜେଡି କରିଥିବା ଘୋଷଣାକୁ ନେଇ ଦଳୀୟ କର୍ମୀ ଓ ନେତାମାନେ ଆଗ୍ରହ ଦେଖାଇନଥିଲେ । ଏପରିକି ରାଜ୍ୟର ୯୦ ପ୍ରତିଶତ ଅଂଚଳରେ ଏହି କାର୍ଯ୍ୟକ୍ରମ ଫ୍ଲପ୍ ହେବାର ଆଶଙ୍କା ରହିଥିବା ଆକଳନ କରି ବିଜେଡି ଆଜି ତରବରିଆ ଭାବେ ‘ଦେବୀ ମିଶ୍ର ନେତୃତ୍ୱାଧୀନ କମିଟି’କୁ ଏଥିରେ ସାମିଲ କରାଇଥିବା ଜଣାପଡ଼ିଛି । ଯଦିଓ ପୂର୍ବରୁ ଏହି କମିଟିର ବିନା ପରାମର୍ଶରେ ଜନଜାଗରଣ ଅଭିଯାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେବା ସହ ଗଣମାଧ୍ୟମରେ ବି ଖବର ପ୍ରକାଶ ପାଇଥିଲା । କମିଟିର ଅସନ୍ତୋଷକୁ ଦେଖି ଆଜି ତରବରିଆ ଭାବେ ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସଙ୍କ ଉପସ୍ଥିତିରେ ‘ଦେବୀ ମିଶ୍ର କମିଟି’ର ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦେବୀ ମିଶ୍ରଙ୍କ ସମେତ ବିକ୍ରମ କେଶରୀ ଆରୁଖ, ମହେଶ ସାହୁ, ଅଶ୍ୱିନୀ ପାତ୍ର ପ୍ରମୁଖ ସାମିଲ ହୋଇ ଦଳ ଘୋଷଣା କରିଥିବା ଜନଜାଗରଣ ଅଭିଯାନ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଅଲୋଚନା କରିଥିବା ସୂଚନା ମିଳିଛି ।

ଏହାପରେ ସନ୍ଧ୍ୟାରେ ‘ବିଜେଡି ସମନ୍ୱୟ କମିଟି’ ନାଁରେ ଆଜି ଏକ ଚିଠି ଦଳର ସମସ୍ତ ଜିଲ୍ଲା ସଭାପତି, ସାଂସଦ,ବିଧାୟକ, ପରାଜିତ ପ୍ରାର୍ଥୀ, ଜିଲ୍ଲା ପରିଷଦ ସଭାପତି, ପୌରାଧ୍ୟକ୍ଷ ଓ ନଗର ସଭାପତିଙ୍କୁ ପଠାଯାଇଛି । ଏଥିରେ ଦସ୍ତଖତ କାହାର ଅଛି ତାହା ଜଣାପଡ଼ିନି ମାତ୍ର କମିଟି ନାଁରେ ହିଁ ଚିଠି ଦିଆଯାଇ ୧୫-୧୬ ତାରିଖ ପରଠୁ ଏକ ସପ୍ତାହ ମଧ୍ୟରେ ଯେକୌଣସି ଦିନ ପଂଚାୟତରେ ପ୍ରତୀକାତ୍ମକ ଭାବେ ଜନସଚେତନତା କାର୍ଯ୍ୟକ୍ରମ କରିବାକୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମର ବିବରଣୀ ହ୍ୱାଟସଅପ୍ ମାଧ୍ୟମରେ ଶଙ୍ଖ ଭବନକୁ ପଠାଇବାକୁ ମଧ୍ୟ କୁହାଯାଇଛି ।

ବିଜେଡିର ଚିଠି...

ତେବେ ପ୍ରଶ୍ନ ଉଠୁଛି, ଅଗଷ୍ଟ ୧୬ରେ ପ୍ରତି ପଂଚାୟତରେ ଜନଜାଗରଣ ଅଭିଯାନକୁ ଜୋରଦାର ଢ଼ଙ୍ଗରେ କରିବା ପାଇଁ ନିଷ୍ପତ୍ତି ନେଇଥିବା ସମ୍ପର୍କରେ ଗତ ଦୁଇଦିନ ତଳେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିବା ବିଜେଡି ଆଜି କାହିଁକି ଏଭଳି ପ୍ରତୀକାତ୍ମକକୁ ପରିବର୍ତ୍ତନ କଲା । ଗୋଟିଏ ନିର୍ବାଚିତ ସରକାରକୁ ମାତ୍ର ୨ମାସ ପୂରଣ ହୋଇଥିବାରୁ ତା’ର ନିର୍ବାଚନୀ ପ୍ରତିଶ୍ରୁତି ପୂରଣକୁ ପ୍ରସଙ୍ଗ କରି ଜନଜାଗରଣ କାର୍ଯ୍ୟକ୍ରମ କରିବାକୁ ସବୁମହଲରେ ନାପସନ୍ଦ କରାଗଲା ପରେ ନିଜର ସମ୍ମାନ ରକ୍ଷା ପାଇଁ ଏଭଳି ପ୍ରୟାସ ହୋଇଥିବା ଜଣାପଡ଼ିଛି । କାର୍ଯ୍ୟକ୍ରମକୁ ନେଇ ଦେବୀମିଶ୍ର କମିଟିକୁ କାହିଁକି ପୂର୍ବରୁ ଅବଗତ କରାଯାଇନଥିଲା ଓ ଆଜି କାହିଁକି ତରବରିଆ ଭାବେ କମିଟି ବୈଠକ କଲା ଏବଂ କମିଟିରେ ସଦସ୍ୟ ନଥାଇ ପ୍ରଣବପ୍ରକାଶ ଓରଫ ବବି ସେଥିରେ କିଭଳି ଉପସ୍ଥିତ ରହିଲେ ତାକୁ ନେଇ ମଧ୍ୟ ନୂଆ ବିବାଦ ଦଳ ଭିତରେ ସୃଷ୍ଟି ହୋଇଛି । ଭିକେ ପାଣ୍ଡିଆନ ଓ ବବିଙ୍କ ମାମଲାତି ଯୋଗୁ ବିଜେଡିକୁ ନିର୍ବାଚନୀ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ଦଳର ନେତା ଓ କର୍ମୀମାନେ ଖୋଲାଖୋଲି କହିବା ସହ ସେମାନଙ୍କୁ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରଖିବାକୁ ଦାବି କରି ଆସୁଛନ୍ତି । ତଥାପି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଭାବିତ କରି ପାଣ୍ଡିଆନ ନିଜ ଟିମକୁ ଧରି ଦଳୀୟ ସଂଗଠନକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଏଭଳି ଗୋଟିଚାଳନା କରୁଥିବା ଜଣାପଡ଼ିଛି ।

Related story