/odisha-reporter/media/post_attachments/uploadimage/library/16_9/16_9_0/BJD_1753541703.jpg)
BJD
ଦେଶରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ରାଜ୍ୟର ପ୍ରମୁଖ ବିରୋଧ ଦଳ ବିଜେଡି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଛି । ଗତ ଏପ୍ରିଲ ମାସରେ ୱକଫ୍ ବିଲକୁ ସମର୍ଥନ କରି କଳଙ୍କ ମୁଣ୍ଡାଇଥିବା ବିଜେଡି ଏବେ ସେହି ଦାଗ ଛଡ଼ାଇବା ପାଇଁ ପ୍ରୟାସ ଆରମ୍ଭ କରିଛି ।
ରାଜ୍ୟରେ ବର୍ତ୍ତମାନର ରାଜନୀତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପରାଷ୍ଟ୍ରପତି ନିର୍ବାଚନରେ ଏଭଳି ଆଭିମୁଖ୍ୟ ଗ୍ରହଣ କରିବାକୁ ଦଳର ବରିଷ୍ଠ ନେତାମାନେ ସର୍ବସମ୍ମତିରେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସେମାନେ ନିଜର ନିଷ୍ପତ୍ତି ସମ୍ପର୍କରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇସାରିଥିବା ସୂଚନା ମିଳିଛି । ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ନବୀନ ଦଳୀୟ ନେତାମାନଙ୍କ ପରାମର୍ଶକୁ ଗୁରୁତ୍ୱ ଦେବେ ନା ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଉପରେ ପଡ଼ି ଖୁସି କରିବାକୁ ନିଜ ଦଳ ସହ ବିଶ୍ୱାସଘାତ କରିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।
ବିଜେଡି ନେତାଙ୍କ ଗୁୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି
ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଶଙ୍ଖଭବନରେ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶନିବାର ସାଂଗଠନିକ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମ ବିଶେଷକରି ୯ଟି ଜିଲ୍ଲାରେ ଖାଲିପଡ଼ିଥିବା ଦଳୀୟ ସଭାପତି ପଦବୀ ପୂରଣ, କଲେଜ ନିର୍ବାଚନ ପାଇଁ କ୍ୟାମ୍ପସ ବାହାରେ ବିଭିନ୍ନ କାର୍ଯ୍ୟକ୍ରମ, ଧାନକିଣାରେ ଅବ୍ୟବସ୍ଥାକୁ ବିରୋଧ କରି ପ୍ରତିବାଦ କାର୍ଯ୍ୟକ୍ରମ ଆଦି ସହ ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।
ତେବେ ଉପରାଷ୍ଟ୍ରପତି ନିର୍ବାଚନ ବହୁତ ସମୟ ଅଛି ଓ ପରବର୍ତ୍ତୀ ସମୟରେ ଆଲୋଚନା କରିବା ନେଇ ଦେବୀ ମିଶ୍ର ମତ ରଖିଥିଲେ ମଧ୍ୟ ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବ ଏହି ପ୍ରସଙ୍ଗରେ ଦଳ ଏବେଠୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି କହିଥିଲେ । ଯାହାକୁ ବୈଠକରେ ଉପସ୍ଥିତ ଥିବା ଅନ୍ୟ ନେତାମାନେ ମଧ୍ୟ ସମର୍ଥନ କରିଥିଲେ । ସାମ୍ପ୍ରତିକ ରାଜନୀତିକ ପରିସ୍ଥିତିରେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ ତାହା ଆତ୍ମଘାତୀ ସଦୃଶ ହେବ ଓ ଲୋକେ ଆଉ ବିଜେଡିକୁ ଭରସା କରିବେ ନାହିଁ ବୋଲି ଅଧିକାଂଶ ନେତା ମତ ଦେଇଥିଲେ ।
ପୂର୍ବରୁ ୱାକଫ୍ ବିଲ୍ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ଯାହା ରହିଲା ତାହା ଦଳ ପାଇଁ ବହୁତ କ୍ଷତି ହୋଇଛି । ତେଣୁ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ କୌଣସି ପରିସ୍ଥିତିରେ ବି ସମର୍ଥନ ନକରିବାକୁ ଦଳର ନେତାମାନେ ନିଷ୍ପତ୍ତି ନେଇଥିଲେ । ଆଉ ଏହି ନିଷ୍ପତ୍ତିକୁ ତୁରନ୍ତ ନବୀନ ନିବାସକୁ ଜଣାଇ ଦିଆଯାଇଥିବା ସୂଚନା ମିଳିଛି । ଏହି ବୈଠକରେ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ଓ ପ୍ରଣବପ୍ରକାଶ ଦାସ ଉପସ୍ଥିତ ଥିଲେ ।
ଦିଲ୍ଲୀରେ ମହିଳା ହିଂସା ବିରୁଦ୍ଧରେ ଆନ୍ଦୋଳନ ପାଇଁ ମିଳୁନି ଅନୁମତି
ରାଜ୍ୟରେ ମହିଳା ବିରୋଧୀ ହିଂସା ଓ ନିର୍ଯାତନା ବଢ଼ି ଚାଲିଥିବାରୁ ତା’ର ପ୍ରତିବାଦ ଦିଲ୍ଲୀରେ ଦଳୀୟ ସାଂସଦମାନେ କରିବେ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ସଂସଦ ଅଧିବେଶନ ଚାଲିଥିବାବେଳେ ଦଳର ସାଂସଦମାନେ ସଂସଦ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ପ୍ରତିବାଦ କାର୍ଯ୍ୟକ୍ରମ କରିବାକୁ କୁହାଯାଇଥିଲା । କିନ୍ତୁ ସଂସଦ ଅଧିବେଶନ ଆରମ୍ଭ ହେବାପରେ ଦଳର କିଛି ସାଂସଦ ଏନେଇ ନବୀନ ନିବାସକୁ ଅନୁମତି ମାଗିଥିଲେ । ପୋଷ୍ଟର-ବ୍ୟାନରରେ କାହା ନାଁ ରହିବ ଓ ପ୍ରତିବାଦ କିଭଳି ଢଙ୍ଗରେ କରାଯିବ ବୋଲି ପରାମର୍ଶ ସହ ଅନୁମତି ଲୋଡ଼ିଥିଲେ ।
ମାତ୍ର ଦଳୀୟ ସାଂସଦମାନଙ୍କୁ ଏଥିପାଇଁ ନବୀନ ନିବାସରୁ ସବୁଜ ସଙ୍କେତ ଦିଆଯାଇନଥିବା ଜଣାପଡ଼ିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଯୋଗୁ ଚଳିତ ମୌସୁମୀ ଅଧିବେଶନ ପୂର୍ବରୁ ସଂସଦୀୟ ଦଳ ବୈଠକ ବସିବା ସମ୍ଭବପର ହୋଇନାହିଁ । ଚର୍ଚ୍ଚା ହେଉଛି, ନବୀନଙ୍କ ଅସୁସ୍ଥତା ଓ ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ଅନାଗ୍ରହକୁ ଦେଖି ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନ କୁଆଡ଼େ ଦିଲ୍ଲୀରେ ଏଭଳି ପ୍ରତିବାଦ କାର୍ଯ୍ୟକ୍ରମ ନିମନ୍ତେ ଅନୁମତି ଦେବାରେ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି ।
ଯଦିଓ ଦଳର ବରିଷ୍ଠ ନେତାମାନଙ୍କ ବୈଠକରେ ବହୁପୂର୍ବରୁ ଏନେଇ ନିଷ୍ପତ୍ତି ହୋଇସାରିଥିଲା । ତେଣୁ ଏବେ ଅନୁରୂପ ଭାବେ ଦଳର ନେତାମାନେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ନଦେବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ବିଜେଡି ଅଘୋଷିତ ସର୍ବେସର୍ବା ଏହାକୁ ସମ୍ମାନ ଜଣାଉଛନ୍ତି ନା ନିଜର ପତିଆରା ଦେଖାଇବାକୁ ୱାକଫ ବିଲ୍ ଭଳି ଦଳୀୟ ସାଂସଦମାନଙ୍କ ଭିତରେ ଫାଟ ସୃଷ୍ଟି କରାଇବାରେ ସକ୍ଷମ ହେବେ, ତାହା ଉପରେ ସମସ୍ତଙ୍କ ନଜର ।
ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ମତଦାନ କରିବାର ଅଧିକାର ରହିଛି । ଲୋକସଭାରେ ବିଜେଡି ମୂଳପୋଛ ହୋଇସାରିଛି ଓ ରାଜ୍ୟସଭାରେ ଦଳର ୭ଜଣ ସାଂସଦ ଅଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ମତଦାନ ସିକ୍ରେଟ୍ ବାଲାଟରେ ହୁଏ ଓ ସାଂସଦମାନେ ନିଜସ୍ୱ ମତାଧିକାର ସାବ୍ୟସ୍ତ କରନ୍ତି। ଏଥିପାଇଁ ଦଳୀୟ ହୁଇପ୍ ଜାରି କରାଯିବାର ପ୍ରାବଧାନ ନାହିଁ ।
ଅବଶ୍ୟ ସଂଖ୍ୟାଦୃଷ୍ଟିରୁ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ଜିତିବା ପାଇଁ ୩୯୬ଟି ଭୋଟ୍ ଆବଶ୍ୟକ ଥିବାବେଳେ ଏନଡିଏ ସପକ୍ଷରେ ଏବେ ୪୨୬ଜଣ ସାଂସଦ(ଲୋକସଭାରେ ୨୯୩ ଓ ରାଜ୍ୟସଭାରେ ୧୩୩)ଙ୍କ ସମର୍ଥନ ରହିଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
