/odisha-reporter/media/post_attachments/uploadimage/library/16_9/16_9_0/BJD_1674919832.jpg)
BJD
ଓଡ଼ିଶା କିମ୍ବା ଅନ୍ୟ କୌଣସି ରାଜ୍ୟକୁ ଭବିଷ୍ୟତରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାର ପ୍ରଶ୍ନ ଉଠୁନି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରୋକଠୋକ୍ ମନା କରିଦେବା ପରେ ରାଜ୍ୟରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ‘ପ୍ରସଙ୍ଗ’ ଖୋଜୁଥିବା ବିଜେଡି ଏବେ ଏହି ସ୍ୱତନ୍ତ୍ର ପାହ୍ୟା ଦାବିକୁ ନେଇ ନିଜର ରାଜନୀତିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସଜବାଜ ହେଉଛି ।
ତେବେ ‘ପ୍ରତିଶ୍ରୁତି ଦେଇ ଧୋକା ଦେଲେ ଓଡ଼ିଶାବାସୀ କେବେ କ୍ଷମା ଦେବେନି, ମାଟି ପାଇଁ ପାର୍ଟି ଆଗରେ ମୁଣ୍ଡ ନ ନୁଆଁଇ ଓଡ଼ିଶାର ହକ୍ ନିମନ୍ତେ ଲଢ଼େଇ କରିବାକୁ’ ରାଜ୍ୟ ବିଜେପିର ୮ ସାଂସଦ ଓ ୩ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ ଦେଇ ବିଜେଡି ନିଜେ ରାଜନୀତିକ ଅଭିସନ୍ଧି ରଖି ରାଜ୍ୟବାସୀଙ୍କ ସହ ପ୍ରତାରଣା କରିଥିବା ଜଣାପଡ଼ିଛି । ନିଜର ୨୦୧୪ ସାଧାରଣ ନିର୍ବାଚନ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା କେନ୍ଦ୍ର ସରକାର ନଦେବା ପର୍ଯ୍ୟନ୍ତ ଲଢ଼େଇକୁ ବ୍ୟାପକ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବିଜେଡି କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ଇସ୍ତାହାରରେ ଏହି ଲଢ଼େଇ ଜାରି ରଖିବା ସମ୍ପର୍କରେ ପଦୁଟିଏ କହିନି । ଓଲଟା ‘ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ’ ଦାବି ପ୍ରସଙ୍ଗକୁ ରାଜ୍ୟ ବିଜେପି କାହିିଁକି ନିଜର ୨୦୧୯ ସାଧାରଣ ନିର୍ବାଚନ ଇସ୍ତାହାରରୁ ବାଦ୍ ଦେଲା ବୋଲି ବିଜେପି ଉପରେ ଅଭିଯୋଗ ଲଦି ଅତ୍ୟନ୍ତ ଚତୁରତାର ସହ ନିଜର ଏହି ଲଢ଼େଇ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ଚତୁର୍ଦ୍ଦଶ ଅର୍ଥ କମିଶନ ସାଧାରଣ ରାଜ୍ୟ ଓ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମଧ୍ୟରେ କୌଣସି ପ୍ରଭେଦ ରଖିନଥିବାରୁ ଭବିଷ୍ୟତରେ ଓଡ଼ିଶା କିମ୍ବା କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବାର ପ୍ରଶ୍ନ ଉଠୁନି ବୋଲି କହିବା ପରେ ଆଜି ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟ୍ୱିଟ୍ ମାଧ୍ୟମରେ ରାଜ୍ୟ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, “ରାଜ୍ୟ ବିଜେପି ୨୦୧୪ ସାଧାରଣ ନିର୍ବାଚନ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିବ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଓଡ଼ିଶା ମାଟରେ ଠିଆ ହୋଇ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ରୋକଠୋକ୍ ମନା କରିଦେଲେ । ଏହା ଓଡ଼ିଶାବାସୀଙ୍କୁ ଚକିତ ଓ କ୍ଷୁବ୍ଧ କରିଛି । ସେ ଓଡ଼ିଶା ବିଜେପିକୁ ଆହ୍ୱାନ କରି କହିଛନ୍ତି ଯେ, ରାଜ୍ୟବାସୀ ୮ଜଣ ସାଂସଦ ଓ ୩ଜଣ କେନ୍ଦ୍ରମନ୍ତ୍ରୀ ଦେଇଛନ୍ତି । ତେଣୁ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରନ୍ତୁ । ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର ସାଜିଥିବାରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ପାଇଁ ବିଜେଡି ଯେଉଁ ସଂଗ୍ରାମ ଜାରି ରଖିଛି, ଆଗାମୀ ଦିନରେ ତାକୁ ଆହୁରି ଶାଣିତ କରାଯିବ।”
ବିଜେଡିର ନିର୍ବାଚନୀ ଇସ୍ତାହାରତା’ଛଡ଼ା ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି ଥରୁଟିଏ ବି ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା’ ଦାବି ପ୍ରସଙ୍ଗରେ ରାଜନୀତିକ କାର୍ଯ୍ୟକ୍ରମ ବି କରିନାହିଁ । କେବଳ ଏହି ପ୍ରସଙ୍ଗକୁ ନିଜର ରାଜନୀତିକ ଉଦ୍ଦେଶ୍ୟ ପାଇଁ ଉପଯୋଗ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ଜୁନ ଓ ୨୦୨୨ ଅଗଷ୍ଟ ତାରିଖରେ ନୀତି ଆୟୋଗ ଗଭର୍ଣ୍ଣି କାଉନସିଲ ବୈଠକରେ ସ୍ପେଶାଲ ଷ୍ଟେଟ୍ ଷ୍ଟାଟସ ପରିବର୍ତ୍ତେ ‘ସ୍ପେଶାଲ ଫୋକସ୍ ଷ୍ଟେଟ’ ମାନ୍ୟତା ଦାବି ଉତଥାପନ କରିଥିଲେ । ଆଉ ନିର୍ବାଚନ ପାଖେଇ ଆସୁଥିବାରୁ ଗତ ୨୦୨୨ ଡିସେମ୍ବରରେ ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ମଧ୍ୟ ଏକ ସ୍ୱତନ୍ତ୍ର ଆଲେଖ୍ୟରେ ଏହି ପ୍ରସଙ୍ଗ ଉଠାଇ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ନିମନ୍ତେ ଥିବା ଗାଇଡଲାଇନକୁ ସଂଶୋଧନ ପାଇଁ ଦାବି କରିଥିଲେ । ଶେଷଥର ପାଇଁ ଲୋକସଭାରେ ୨୦୧୯ ଜୁଲାଇ ୧୫ତାରିଖରେ ସାଂସଦ ରମେଶ ମାଝୀ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଲିଖିତ ପ୍ରଶ୍ନ କରିଥିଲେ।
ବିଜେଡିର ନିର୍ବାଚନୀ ଇସ୍ତାହାରସୂଚନାଯୋଗ୍ୟ, ଚତୁର୍ଦ୍ଦଶ ଅର୍ଥ କମିଶନ ତାଙ୍କ ସୁପାରିଶ ଓ ମାନଦଣ୍ଡରେ ସାଧାରଣ ରାଜ୍ୟ ଓ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମଧ୍ୟରେ କୌଣସି ପାର୍ଥକ୍ୟ ରଖିନଥିବା ତଥା ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ବ୍ୟବସ୍ଥାକୁ ରଦ୍ଦ କରିଦେଇଛନ୍ତି । ଏହି ନିୟମ ସର୍ବଭାରତୀୟସ୍ତରରେ ଲାଗୁ ହୋଇଥିବା ତଥା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରୁଥିବା ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ମଧ୍ୟ ବିଜେଡି ଏବେ ୨୦୨୪ ସାଧାରଣ ନିର୍ବାଚନୀ ବୈତରଣୀ ପାର ହେବାକୁ କେନ୍ଦ୍ର ବିରୁଦ୍ଧରେ ଏହି ମୃତ ପ୍ରସଙ୍ଗକୁ ଜୀବନ୍ତ କରି ରାଜନୀତିକ ମାହୋଲ ପ୍ରସ୍ତୁତ ନିମନ୍ତେ ଉଦ୍ୟମ କରୁଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
