Advertisment

ସୁରକ୍ଷା ମାଗିଲେ ବିଜେଡି ନେତ୍ରୀ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଦେଲେ ଏଫଆଇଆର

ବିଜେଡିର ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି ତାଙ୍କରି ଦଳର ନେତ୍ରୀ ସଂଯୁକ୍ତା ମହଲା।

Sanjukta Mahala

Sanjukta Mahala

Advertisment

ବିଜେଡିର ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି ତାଙ୍କରି ଦଳର ନେତ୍ରୀ ସଂଯୁକ୍ତା ମହଲା। ତା’ସହିତ ସେ ପୁଲିସ କମିଶନରଙ୍କୁ ଭେଟି ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

Advertisment

ସଂଯୁକ୍ତା କହିଛନ୍ତି, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦୀର୍ଘ ୯ ବର୍ଷ ଧରି ମୋ ସହିତ ସଂପର୍କ ରଖି ଏବେ ପ୍ରତାରଣା କରିଛନ୍ତି। ସେ ମୋତେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଛନ୍ତି। ତେଣୁ ମୋତେ ମୋ ଅଧିକାର ପ୍ରଦାନ କରିବା ତଥା ତାଙ୍କୁ ଦଣ୍ଡ ଦେବା ପାଇଁ ମୁଁ ଥାନାର ଦ୍ୱାରସ୍ଥ ହୋଇଛି।

ସେ କହିଛନ୍ତି, ଶ୍ରୀକାନ୍ତ ସାହୁ ମୋତେ ମାରି ଦେବାକୁ ଧମକ ଦେଉଛନ୍ତି। ଦୁଇ ଦିନ ହେଲାଣି ମୋ ପଛରେ ଲୋକ ଲଗାଇଛନ୍ତି। ମୁଁ ଯେଉଁଆଡ଼େ ଯାଉଛି ୪ରୁ ୬ ଜଣ ଲୋକ ମୋତେ ପିଛା କରୁଛନ୍ତି। ଯେଉଁ ସଂସ୍ଥାଗୁଡ଼ିକ ସହିତ ମୁଁ ଜଡ଼ିତ ସେହି ସବୁ ସ୍ଥାନକୁ ତାଙ୍କ ଦ୍ୱାରା ନିଯୁକ୍ତ ଲୋକେ ସେଠାରେ ପହଞ୍ଚି ଧମକଚମକ ଦେଉଛନ୍ତି। ଘରୁ ବାହାରିବାକୁ ମୋତେ ଡର ଲାଗୁଛି। ମୋ ଜୀବନ ପ୍ରତି ବିପଦ ଅଛି। ମୋତେ ବର୍ତ୍ତମାନ ସୁରକ୍ଷା ଦରକାର। ଆଶା କରୁଛି ମୋତେ ନ୍ୟାୟ ମିଳିବ। ନହେଲେ ମୁଁ ମୋ ଦଳର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଯିବି।

Advertisment

କିଛି ଦିନ ତଳେ ସଂଯୁକ୍ତାଙ୍କ ବିରୋଧରେ ତାଙ୍କ ମା’, ଭଉଣୀ ଓ ଭାଉଜ ନିର୍ଯାତନା ଅଭିଯୋଗ ଆଣିଥିଲେ। ବିଜେଡି ନେତ୍ରୀ ହୋଇଥିବାରୁ ସେହି ବଳରେ ସେ ତାଙ୍କ ବାପଘର ଲୋକଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ଆସିଥିଲା। ସେ ତାଙ୍କ ଭାଇଙ୍କୁ ହଇରାଣ କରୁଥିବା ଓ ବାପାଙ୍କ ପେନସନ ହଡ଼ପ କରୁଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂଯୁକ୍ତା।

ସେ କହିଛନ୍ତି, ମୋ ବାପ ଘର ଲୋକଙ୍କ ସହିତ ମୋର ୭ ବର୍ଷ ହେଲାଣି କିଛି ସଂପର୍କ ନାହିଁ। ସେମାନଙ୍କୁ ମୁଁ ନିର୍ଯାତନା ଦେଉଥିବା କଥା ମିଛି। ମୋ ଭାଇ କୋରାପୁଟରେ ଚାକିରି କରୁଛି। ତାକୁ ସେଠାକୁ ବଦଳି କରିବାର କ୍ଷମତା ମୋର ନାହିଁ। ସେ ସେଠାରେ କେବଳ ଖାତାପତ୍ରରେ ରହୁଛି। ବାସ୍ତବରେ ସେ ଏଠାରେ ରହି ଲେବର କାର୍ଡ ଓ ଅନ୍ୟାନ୍ୟ କାମ କରୁଛି। ସେମାନଙ୍କୁ ଶ୍ରୀକାନ୍ତ ସାହୁ ମୋହରା କରିଛନ୍ତି। ସେମାନଙ୍କୁ ମୋହାରା କରି ମୋ ଚରିତ୍ର ଓ ଛବି ଖରାପ କରିବାକୁ ସୁଚିନ୍ତିତ ଯୋଜନା କରିଛନ୍ତି।

ସଂଯୁକ୍ତା ମହଲା ପୂର୍ବରୁ ୨ ଥର ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ପୁଲିସରେ ଏତଲା ଦେବାକୁ ଯାଇଥିଲେ। ତେବେ ତାଙ୍କୁ ଦଳୀୟ ନେତାମାନେ ବୁଝାସୁଝା କରି ସେଥିରୁ ନିବୃତ୍ତ କରିଥିଲେ। ଏହା ସତ୍ତ୍ୱେ ପରେ ସଂଯୁକ୍ତା ଏତଲା ଦେଇଥିଲେ। ହେଲେ ଏହାକୁ ପ୍ରତ୍ୟାହାର କରି ନେଇଥିଲେ। ଆଉ ଆଜି ପୁଣି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି।

BjD Commissionerate Police Srikanta Sahu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe