Advertisment

ଯୁବ ବିଜେଡି ନେତାଙ୍କ ଗୁଣ୍ଡାଗର୍ଦ୍ଦି, ସମସ୍ୟା ଜଣାଇବାରୁ ଲୋକଙ୍କୁ ପିଟିଲେ!

ଭୋଟ ମାଗିବା ବେଳେ ଲୋକେ ସମସ୍ୟା ଜଣାଇବାରୁ ଚିହିଁକି ଉଠିଛନ୍ତି ବିଜେଡିର ଜଣେ ଯୁବ ନେତା।

BJD

BJD

Advertisment

ସୀମା ଟପିଲେ କ୍ଷମତାସୀନ ବିଜେଡିର ଜଣେ ଯୁବ ନେତା। ନିର୍ବାଚନରେ ଜିତିବା ପାଇଁ ଲୋକଙ୍କୁ ଭୋଟ ମାଗୁଛି ଦଳ। କିନ୍ତୁ ଲୋକଙ୍କ ସମସ୍ୟା ଶୁଣିବାକୁ ବିଜେଡିର କିଛି କୁହାଳିଆ ନେତା ନାରାଜ। ଏହାର ଉଦାହରଣ ହେବେ ସାମ୍ନାକୁ ଆସିଛି। ଭୋଟ ମାଗିବା ବେଳେ ଲୋକେ ସମସ୍ୟା ଜଣାଇବାରୁ ଚିହିଁକି ଉଠିଛନ୍ତି ବିଜେଡିର ଜଣେ ଯୁବ ନେତା।

Advertisment

ସେ ସର୍ବସମ୍ମୁଖରେ ନିଜର ଗୁଣ୍ଡାଗର୍ଦ୍ଦି ଦେଖାଇବା ସହ ସମସ୍ୟା ଜଣାଉଥିବା କିଛି ଲୋକଙ୍କୁ ମାଡ଼ ମାରିଛନ୍ତି। ସେମାନଙ୍କୁ ସେ ଅଭଦ୍ର ଭାଷାରେ ଗାଳିଗୁଲଜ ମଧ୍ୟ କରିଛନ୍ତି। ଏହାର ଭିଡିଓ ବି ଭାଇରାଲ ହେବାରେ ଲାଗିଛି। ଏପରି ଘଟଣା ରାୟଗଡ଼ା ଜିଲ୍ଲା ବିଷମକଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୁନିଗୁଡା ବ୍ଲକ ରଘୁବାରି ଗାଁରେ ଘଟିଛି।

ଆଜି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ତଥା ବିଷମକଟକ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ସାରକା ରଘୁବାରୀ ଗାଁକୁ ନିଜର ପ୍ରଚାର ପାଇଁ ଯାଇଥିଲେ। ତାଙ୍କ ସହ ବିଜେଡିର ଅନେକ ନେତା ଓ କର୍ମୀ ମଧ୍ୟ ଗାଁରେ ପହଞ୍ଚି ଶ୍ରୀ ସାରକାଙ୍କୁ ଆଗାମୀ ନିର୍ବାଚନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ।

Advertisment

ତେବେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକଙ୍କୁ ପାଖରେ ପାଇଁ ଗାଁର ମହିଳା ଓ ପୁରୁଷମାନେ ଉତ୍ସାହିତ ହୋଇପଡ଼ିଥିଲେ। ସେମାନେ ନିଜର ଜନପ୍ରତିନିଧିଙ୍କୁ ସମସ୍ୟା ସମ୍ପର୍କରେ ଜଣାଇବାକୁ ଚେଷ୍ଟା କରିଥିଲେ। ଦୀର୍ଘ ଦିନ ହେଲା ଗାଁରେ ପାନୀୟ ଜଳ ସମସ୍ୟା ରହିଛି। ଲୋକମାନେ ଠିକ ଭାବେ ପିଇବା ପାଣି ପାଉ ନାହାନ୍ତି। ଏବେ ଖରା ଦିନ ଆସିବାରୁ ସ୍ଥିତି ଆହୁରି ଉତ୍କଟ ହୋଇଛି। ତେଣୁ ଗାଁ ଲୋକମାନେ ମନ୍ତ୍ରୀଙ୍କ ନିକଟରେ ଗୁହାରି କରିବା ତାଙ୍କୁ ଘେରି ଯାଇ ସମସ୍ୟା ସମାଧାନ କରିବାକୁ ଜିଦ କରିଥିଲେ।

ହେଲେ ଲୋକଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ବିଜେଡିର ଯୁବ ନେତା ଧୀରେନ୍ଦ୍ର ପାଣିଗ୍ରାହୀ ଦବଙ୍ଗିର ଦେଖାଇଥିଲେ। ସେ ଗାଁର କିଛି ଲୋକଙ୍କୁ ଗାଳିଗୁଲଜ କରିଥିଲେ। ସେହିପରି ୨ ଜଣ ଯୁବକଙ୍କୁ ଧକ୍କା ମାରିଥିଲେ। ଏହାର ଦୃଶ୍ୟ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପାଣିଗ୍ରାହୀ ଗାଁର ଯୁବକଙ୍କୁ ମାଡ଼ ମାରୁ ଥିବା ବେଳେ ସେଠାରେ ରାୟଗଡ ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାସ ଉପସ୍ଥିତ ରହିଥିଲେ। କିନ୍ତୁ ସେ ବି ଏହାର ବିରୋଧ କରି ନଥିଲେ। ଧରେନ୍ଦ୍ର ପାଣିଗ୍ରାହୀ ବେଶ କିଛି ସମୟ ଗାଁରେ ନିଜର ଦାଦାଗିରି ଦେଖାଇ ଲୋକଙ୍କୁ ଚୁପ କରିବାକୁ ଚେଷ୍ଟା କରିଥିଲେ।

ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଧରେନ୍ଦ୍ର ପାଣିଗ୍ରାହୀ କହିଛନ୍ତି ଯେ “ଆମେ ପ୍ରଚାର ପାଇଁ ଯାଇଥିବା ବେଳେ ମା’ ମାନେ ଗାଡ଼ି ଅଟକାଇଥିଲେ। ସେମାନେ ପାନୀୟ ଜଳ ସମସ୍ୟା କଥା କହିଥିଲେ। ନିର୍ବାଚନ ସମୟରେ ଜାଣିଶୁଣି ଏମିତି ପ୍ରସଙ୍ଗ ଉଠାଯିବାରୁ ଆମେ ସେମାନଙ୍କ ସହ ଆଲୋଚନା କରୁଥିଲୁ।

କିନ୍ତୁ ଏହି ସମୟରେ କିଛି କଂଗ୍ରେସ ସମର୍ଥିତ ଯୁବକ ସେଠାରେ ପହଞ୍ଚି ଭିଡିଓ ଶୁଟିଂ କରିଥିଲେ। ମୁଁ ସେମାନଙ୍କୁ ଭିଡିଓ ନ କରିବାକୁ କହିଥିଲି। ବାସ୍‌ ଏହାକୁ ବିରୋଧ କରି ମୁଁ ଜଣେ ଯୁବକଙ୍କ ମୋବାଇଲ ଛଡ଼ାଇ ଆଣିବାକୁ ଚେଷ୍ଟା କରିଥିଲି। ମୁଁ କାହାକୁ ମାରି ନାହିଁ।” ତେବେ ସାମ୍ନାକୁ ଆସିଥିବା ଭିଡିଓରେ ଧୀରେନ୍ଦ୍ର ଜଣେ ୨ ଜଣ ଯୁବକଙ୍କୁ ଧକ୍କା ମାରୁଥିବା ଦେଖିବାକୁ ମିଳୁଛି।

ରିପୋର୍ଟ: ଟି ଗୌରୀଶଙ୍କର 

Odisha BjD Jeypore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe