ବିଜେଡିର ଏ କି ବିଚିତ୍ର ଅବସ୍ଥା!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘବର୍ଷ ଧରି କ୍ଷମତାସୀନ ଆଂଚଳିକ ଦଳ ବିଜେଡିରେ ଏବେ ବିଚିତ୍ର ଅବସ୍ଥା । କିଛି ବିଜେଡି ନେତାଙ୍କ ତୁଣ୍ଡ ଏବେ ବେଲଗାମ ପାଲଟିଛି ତ ଆଉ କିଛି ନେତାଙ୍କୁ ନିଜର ମୁହଁ ବନ୍ଦ ରଖିବାକୁ ତାଗିଦ୍ କରାଯାଉଛି । ଓଲଟା ଯିଏ ଖୋଲିଲେ ତାଙ୍କଠୁ ଦଳ ନିଜକୁ ଦୂରେଇ ରଖି ଏହାକୁ ଉଦାହରଣ ଭାବେ ନନେବାକୁ ବିଜେଡି ସାଂଗଠନିକ ସମ୍ପାଦକଙ୍କୁ ସଫେଇ ଦେବାକୁ ପଡ଼ୁଛି । ସେହିପରି ଗଣମାଧ୍ୟମ ଆଗରେ ସବୁବେଳେ ବାହାସ୍ଫୋଟ ମାରୁଥିବା […]

BJD

BJD

Ordigital Desk
  • Published: Saturday, 01 October 2022
  • Updated: 01 October 2022, 09:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘବର୍ଷ ଧରି କ୍ଷମତାସୀନ ଆଂଚଳିକ ଦଳ ବିଜେଡିରେ ଏବେ ବିଚିତ୍ର ଅବସ୍ଥା । କିଛି ବିଜେଡି ନେତାଙ୍କ ତୁଣ୍ଡ ଏବେ ବେଲଗାମ ପାଲଟିଛି ତ ଆଉ କିଛି ନେତାଙ୍କୁ ନିଜର ମୁହଁ ବନ୍ଦ ରଖିବାକୁ ତାଗିଦ୍ କରାଯାଉଛି । ଓଲଟା ଯିଏ ଖୋଲିଲେ ତାଙ୍କଠୁ ଦଳ ନିଜକୁ ଦୂରେଇ ରଖି ଏହାକୁ ଉଦାହରଣ ଭାବେ ନନେବାକୁ ବିଜେଡି ସାଂଗଠନିକ ସମ୍ପାଦକଙ୍କୁ ସଫେଇ ଦେବାକୁ ପଡ଼ୁଛି । ସେହିପରି ଗଣମାଧ୍ୟମ ଆଗରେ ସବୁବେଳେ ବାହାସ୍ଫୋଟ ମାରୁଥିବା ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏବେ ଓଡ଼ିଶାର ପରିଚୟ କେବଳ ନବୀନ ପଟ୍ଟନାୟକ କହି ବିବାଦୀୟ ହୋଇଥିଲେ ମଧ୍ୟ ଏନେଇ ଦଳ କିମ୍ବା ତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ସୂଚନା ଅନୁସାରେ, ବିଜେଡି ଆସନ୍ତାକାଲିଠୁ ଏକମାସ ଧରି ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିବାକୁ ଯାଉଥିବାବେଳେ ଗତ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଏନେଇ ପ୍ରସ୍ତୁତି ଓ ପ୍ରଶିକ୍ଷଣ ଶିବିର କରିଥିଲା । ଆଉ ସେହି କାର୍ଯ୍ୟକ୍ରମରୁ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ବିଜେଡି ନେତାମାନେ କ’ଣ ଶିକ୍ଷା ଲାଭ କଲେ ତାହା ଭିନ୍ନ କଥା । ମାତ୍ର ଜଣେ ଅଣଓଡ଼ିଆ ମୋଟିଭେସନାଲ ସ୍ପିକର ଉଜ୍ୱଳ ପଟ୍ଟନୀଙ୍କ କଥାରେ ପ୍ରସ୍ତୁତି ଶିବିରର ପ୍ରଥମ ଦିନରେ ବିଜେଡିର ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜନ ପ୍ରତିନିଧିମାନେ ସମୂହ ୩ଥର କାନଧରି ବସଉଠ ହେବା ଭଳି ଅଭାବନୀୟ ଘଟଣାକୁ ନେଇ ଦଳରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ପ୍ରାୟ ୬ରୁ ୮ହଜାର ବିଜେଡି ପଦାଧିକାରୀ, ନେତା, ବିଧାୟକ ଓ ସାଂସଦମାନେ କିଭଳି କାନ ଧରିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କୌଣସି ଦଳୀୟ କାର୍ଯ୍ୟକ୍ରମରେ ଅଳସ ଭାଙ୍ଗିବା ଆଳରେ ସମସ୍ତ ନେତାଙ୍କୁ ଠିଆ କରି କାନଧରି ଉଠବସ୍ କରାଇବା ବିଶ୍ୱରେ ବିରଳ । ଓଡ଼ିଶାର ମହିଳାମାନଙ୍କୁ କାନଧରି ବସଉଠ କରାଇବା କେତେଦୂର ଗ୍ରହଣୀୟ ଓ ଦଳର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସତରେ କ’ଣ ବିଜେଡି ନେତାମାନେ ଶୋଇ ପଡ଼ିଥିଲେ, ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

କେବଳ ସେତିକି ନୁହେଁ, ଦ୍ୱିତୀୟ ଦିନରେ ବି ଶ୍ରୀ ପଟ୍ଟନୀ ବିଜେଡି ନେତାମାନଙ୍କୁ ନେତୃତ୍ୱ ନେବାର କଳାକୌଶଳ ଶିଖାଇବାବେଳେ କହୁ କହୁ ଏଭଳି କିଛି କଥା କହିଗଲେ ଯାହା ବିଜେଡି ନେତାମାନଙ୍କ ସିଲାବସ୍ ବାହାରେ । ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେଉନଥିବା ନେତା ବେଶୀଦିନ ନିଜର ସାମ୍ରାଜ୍ୟକୁ ବଂଚାଇ ରଖିପାରେନି । ତେଣୁ ଲୋକଙ୍କ ସହ ସୋସିଆଲ ମିଡିଆ ଓ ସିଧାସଳଖ ଯୋଡ଼ି ହେବାକୁ ସେ ପରାମର୍ଶ ଦେଇଥିଲେ । ତେବେ ପଟ୍ଟନୀ କାହାକୁ ଇଙ୍ଗିତ କରି ଏକଥା କହିଥିଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଦୁଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବେଲଗାମ ବୟାନକୁ ନେଇ ମଧ୍ୟ ବିଜେଡି ମହଲରେ ଚର୍ଚ୍ଚା ଜୋର ଧରିଛି । ମନ୍ତ୍ରୀ ପ୍ରତାପ କେଶରୀ ଦେବ ନିଜର ଚାଟୁକାରିତାରେ ଏତେ ମଜ୍ଜି ଯାଇଥିଲେ ଯେ ଏବେ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶାର ପରିଚୟ ହୋଇ ନାହାନ୍ତି ବରଂ ନବୀନ ପଟ୍ଟନାୟକ ଓଡ଼ିଶାର ପରିଚୟ ବୋଲି କହିବାକୁ ପଛାଇ ନାହାନ୍ତି । ସେ ନବୀନ ପଟ୍ଟନାୟକଙ୍କ ସହ ଚାରିଆଡ଼େ ଯାଇ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ରୋଡ୍ ଶୋ’ କରୁଛନ୍ତି । ଆଉ ସେଠାରେ ଓଡ଼ିଶାର ଏହି ନୂଆ ପରିଚୟ କଥା ଜାଣିବାକୁ ପାଉଥିବା କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଓଡ଼ିଆଙ୍କ ଅସ୍ମିତା ଓ ଜୀବନଶୈଳୀ ସହ ଜଡ଼ିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନିତ କରିବା ଭଳି ବୟାନ ଜଣେ କ୍ୟାବିନେଟ୍ ମନ୍ତ୍ରୀ କିଭଳି ଦେଇପାରିଲେ? ଏହା କ୍ଷମତାର ଅହଙ୍କାର ନା ନିମ୍ନସ୍ତରର ଚାଟୁକାରିତାର ପ୍ରମାଣ-ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ପରିତାପର ବିଷୟ, ଓଡ଼ିଆଙ୍କ ଭାବନା ସହ ଜଡ଼ିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପରୋକ୍ଷରେ ଅପମାନିତ କରିବା ଭଳି ବୟାନ ମନ୍ତ୍ରୀ ଶ୍ରୀ ଦେବ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ ଦଳ ବିଜେଡି ପକ୍ଷରୁ ଏହାକୁ ନେଇ ସ୍ପଷ୍ଟୀକରଣ ବି ଦିଆଯାଉନି । ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି ।

ସେହିପରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ରାଜା) ନିଜ ଭାଷଣ ଛଳରେ କହିଦେଲେ ଯେ, ତାଙ୍କୁ ବେଶୀ କିଛି(ବିଜେପିକୁ ଇଙ୍ଗିତ) ନକହିବାକୁ ମନା କରାଯାଇଛି। ଓଡ଼ିଶାରେ ଧାର୍ମିକକରଣ ରାଜନୀତି ଗ୍ରହଣୀୟ ନୁହେଁ । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଲିଙ୍ଗରାଜଙ୍କୁ ନେଇ ରାଜନୀତି କରାଗଲା । ଜଗନ୍ନାଥଙ୍କୁ ଦର୍ଶନ କରି ନିଜ ପାଇଁ ତଥା ନିଜ ଦଳ ପାଇଁ ଆଶୀର୍ବାଦ ଭିକ୍ଷା କରନ୍ତୁ, କିନ୍ତୁ ପ୍ରଭୁଙ୍କ ନାମ ବ୍ୟବହାର କରି ରାଜନୀତିଠାରୁ ଦୂରେଇ ରୁହନ୍ତୁ । ଏହା ତାଙ୍କର ମାଗଣା ପରାମର୍ଶ ବୋଲି ଶ୍ରୀ ସ୍ୱାଇଁ କହିଥିଲେ ।

ତେବେ ଶ୍ରୀ ସ୍ୱାଇଁଙ୍କ ଭାଷଣ ସରିବା ମାତ୍ରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ପ୍ରସଙ୍ଗରେ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ । ସେ ମଂଚରୁ ସମସ୍ତ ଉଦ୍ଦେଶ୍ୟରେ କହିଥିଲେ ଯେ, ରାଜା ଦା ଯାହା କହିଲେ ତାହା ଉଦାହରଣ ନୁହେଁ କି ଆପଣମାନଙ୍କ ପାଇଁ ନୁହେଁ । ରାଜା ଦା ଓ ତାଙ୍କ ପିତା(ଦିବଂଗତ ଅଶୋକ ଦାସ) ଆଉଟ୍ ଅଫ୍ ବକ୍ସ ଯାଇ କାମ କରନ୍ତି । ଦଳର ଆଭିମୁଖ୍ୟ ସ୍ପଷ୍ଟ ଓ ନବୀନ ପଟ୍ଟନାୟକ ହେଉଛନ୍ତି ଆମ ଆଦର୍ଶ । ସମସ୍ତେ ଶୃଙ୍ଖଳା ଭିତରେ ରହିବା ଉଚିତ୍ । ତେବେ ନିଜ ଜୀବଦ୍ଦଶାରେ ବିଜେଡି ସହ ସାମାନ୍ୟତମ ସମ୍ପର୍କ ରଖିନଥିବା ଦିବଂଗତ ଅଶୋକ ଦାସଙ୍କ ନାଁ ଦଳୀୟ କାର୍ଯ୍ୟକ୍ରମରେ ପ୍ରଣବ କାହିଁକି ନେଲେ ତାକୁ ନେଇ ଏବେ ବିଜେଡି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos