Advertisment

ଅଂଶୁମାନଙ୍କୁ ନେଇ BJDରେ ଝଡ଼; ଧ୍ରୁବ ସାହୁଙ୍କୁ ଘାଇଲା କଲେ କର୍ମୀ!

ଶୁଣିବାକୁ ମିଳୁଛି ରାଜନଗର ବ୍ଲକ୍‌ ଡାଙ୍ଗମାଳସ୍ଥିତ ଜୟଦୁର୍ଗା ମଣ୍ଡପରେ ଏକ ରୁଦ୍ଧଦ୍ଵାର ବୈଠକ ବସିଥିଲା। ଯେଉଁଥିରେ ଜିଲ୍ଲାର BJD ଛାମୁଆ କର୍ମୀ ଓ ବିଧାୟକ ଯୋଗଦେଇଥିଲେ। କର୍ମୀମାନେ କୁଆଡ଼େ ସିଧା ସିଦା ବିଧାୟକଙ୍କୁ ଜବାବ ମାଗିଥିଲେ।

ଅଦ୍ୟତନ ହୋଇଛି
BJD

BJD

Advertisment

କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି ଅଂଶୁମାନ ମହାନ୍ତି। କିନ୍ତୁ ତାଙ୍କୁ ଗ୍ରହଣ କରିପାରୁନାହାନ୍ତି ରାଜନଗର ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ। ଯିଏ ଦିନେ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରୁଥିଲେ ଏବଂ କୁଶପୁତ୍ତଳିକା ଦାହ କରିଥିଲେ, ତାଙ୍କୁ କେମିତି ମିଶାଗଲା ବୋଲି ପ୍ରଶ୍ନ କରିଛନ୍ତି କର୍ମୀ। କର୍ମୀଙ୍କ ପ୍ରଶ୍ନ ବାଣରେ ବିଧାୟକ ଧ୍ରୁବ ଚରଣ ସାହୁ ଘାଇଲା ହୋଇଥିବା ଚର୍ଚ୍ଚା ହେଉଛି।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ପୂର୍ବତନ ବିଧାୟକ ହେଉଛନ୍ତି ଅଂଶୁମାନ ମହାନ୍ତି। ୨୦୧୪ରେ ସେ ଏଠାରୁ ବିଜୟୀ ହୋଇଥିଲେ। ବର୍ତ୍ତମାନ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କୁ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଅଂଶୁମାନ। ତେବେ ୨୦୧୯ ସାଧାରଣ ନିର୍ବାଚନରେ ଚିତ୍ର ପୂରା ଓଲଟି ଯାଇଥିଲା। ଅଂଶୁମାନଙ୍କୁ ପରାସ୍ତ କରି ଧ୍ରୁବ ସାହୁ ବିଜୟୀ ହୋଇଥିଲେ। ନିର୍ବାଚନରେ ପରାସ୍ତ ପରେ ଅଂଶୁମାନ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ ଖୁବ୍ ବର୍ଷିଥିବା ଅଭିଯୋଗ ହୋଇଥିଲା। ଏହା ସତ୍ତ୍ୱେ ସେ ବିଜେଡିରେ ଯୋଗଦେବାକୁ ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଶୁଣିବାକୁ ମିଳିଛି, ଗତକାଲି ରାଜନଗର ବ୍ଲକ୍‌ ଡାଙ୍ଗମାଳସ୍ଥିତ ଜୟଦୁର୍ଗା ମଣ୍ଡପରେ ଏକ ରୁଦ୍ଧଦ୍ଵାର ବୈଠକ ବସିଥିଲା। ଯେଉଁଥିରେ ଜିଲ୍ଲାର BJD ଛାମୁଆ କର୍ମୀ ଓ ବିଧାୟକ ଯୋଗଦେଇଥିଲେ। କର୍ମୀମାନେ କୁଆଡ଼େ ସିଧା ସିଧା ବିଧାୟକଙ୍କୁ ଜବାବ ମାଗିଥିଲେ। ବିଜେଡି କର୍ମୀଙ୍କ ବିନା ପରାମର୍ଶରେ ଭୁବନେଶ୍ୱରରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କିପରି ସାମିଲ କରାଗଲା? ଆମକୁ ନଜଣାଇ ଆପଣ କିପରି ସେଠାରେ ଉପସ୍ଥିତ ରହିଲେ? ଯେଉଁମାନେ ଦୀର୍ଘ ବର୍ଷ ଧରି ଯିଏ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରୁଥିଲେ, ଆମେ ସେମାନଙ୍କୁ କିଭଳି ଗ୍ରହଣ କରିବୁ? ଏମିତି କେତେ କ’ଣ ପ୍ରଶ୍ନ ବିଜେଡି କର୍ମୀ ବିଧାୟକଙ୍କୁ ପଚାରି ଥିଲେ।

Advertisment

କର୍ମୀଙ୍କ ପ୍ରଶ୍ନ ଶୁଣି ଶେଷରେ ବିଧାୟକ ଧ୍ରୁବ ସାହୁ କୁଆଡ଼େ କର୍ମୀମାନଙ୍କୁ କହିଥିଲେ, ଦଳର ମୁଁ ଜଣେ ଶୃଙ୍ଖଳିତ କର୍ମୀ। ମୋ ମୂରବୀ ହେଉଛନ୍ତି ନବୀନ ପଟ୍ଟନାୟକ। ତାଙ୍କ ନିର୍ଦ୍ଦେଶ ଓ ଆଦେଶ ମାନିବା ମୋ କାମ।

ବିଧାୟକଙ୍କ ଉତ୍ତର କର୍ମୀମାନଙ୍କ ଅସନ୍ତୋଷକୁ ଦୂର କରିପାରିନାହିଁ। ସେମାନେ ଏହି କଥାକୁ ସହଜରେ ହଜମ କରି ପାରୁ ନାହାନ୍ତି। ରୁଦ୍ଧଦ୍ୱାର ବୈଠକ ଓ ଦଳ ଭିତରେ ସୃଷ୍ଟି ହେଉଥିବା ଗୁଞ୍ଜରଣକୁ ନେଇ ବିଜେଡି ବା ଧ୍ରୁବ ସାହୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସେହିପରି ଅଂଶୁମାନ ମହାନ୍ତିଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରି ନାହିଁ।

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

BjD Congress Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe