/odisha-reporter/media/post_attachments/uploadimage/library/16_9/16_9_0/BJD_1754319771.jpg)
BJD
ଆସନ୍ତାକାଲିଠୁ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବିଜେଡି ବିଧାୟକ ଦଳରେ ଫାଟ ସୃଷ୍ଟି ହୋଇଛି । ବିଧାନସଭାକୁ ସମ୍ପୂର୍ଣ୍ଣ ଠପ୍ କରିଦେବାକୁ ଖୋଲାଖୋଲି ଭାବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଅନ୍ୟ ପଦାଧିକାରୀଙ୍କ ଅଗଣତାନ୍ତ୍ରିକ ଫତୱା ଜାରିକୁ ନେଇ ଦୁଇ ବିଧାୟକ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ସୂଚନା ମିଳିଛି । ଏପରିକି କଂଗ୍ରେସର ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ମୁହଁ ନଖୋଲିବାକୁ ମଧ୍ୟ ତାଗିଦ୍ କରାଯାଇଥିବା ଜଣାପଡ଼ିଛି । ଯାହାକି ଏବେ ବିଜେଡି ରାଜନୀତିକୁ ସରଗରମ କରିଦେଇଛି ।
ବିଧାୟକ ଦଳ ବୈଠକରେ ଅଗଣତାନ୍ତ୍ରିକ ନିଷ୍ପତ୍ତି
ବିଜେଡି ସୂତ୍ର ଅନୁସାରେ, ଶଙ୍ଖଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ଦଳର ଅଗଣତାନ୍ତ୍ରିକ ଫତୱାକୁ ନେଇ ବିଧାୟକମାନେ ମୁହାଁମୁହିଁ ହୋଇଛନ୍ତି । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଅଧିବେଶନରେ ସାମିଲ ହେଉନଥିବାରୁ ଦଳ ମଧ୍ୟ ନିଜର ଦୋମୁହାଁ ଚରିତ୍ରକୁ ବଜାୟ ରଖିବା ନିମନ୍ତେ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚରେ ଚାଲିବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନକୁ ସମ୍ପୂର୍ଣ୍ଣ ଠପ୍ କରିବାକୁ ଷଡ଼ଯନ୍ତ୍ର କରିଥିବା ଜଣାପଡ଼ିଛି ।
ଏପରିକି ଆଜିର ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦିଲ୍ଲୀରୁ ସାମିଲ ହୋଇଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଗୃହକୁ ଚଳାଇ ନଦେବା ପାଇଁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।
ବିଧାୟକ ଗୋଷ୍ଠୀ ମଧ୍ୟରେ ଫାଟ, ତୁତୁମେମେ
ବିଜେଡି ସୂତ୍ର ଅନୁସାରେ, ବିଧାୟକ ଦଳ ବୈଠକ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୌସୁମୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବାକୁ ନେଇ ନିଜର ମତ ରଖିଥିଲେ । ଏହାସହିତ ଦଳର ବିଧାୟକମାନେ ଗୃହରେ କେଉଁସବୁ ପ୍ରସଙ୍ଗ ଉଠାଇବେ ସେ ନେଇ ସୂଚନା ଦେଇଥିଲେ ।
ପ୍ରମିଳାଙ୍କ ପରେ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ ବିଧାନସଭା ଅଧିବେଶନରେ ଦଳର ଆଭିମୁଖ୍ୟକୁ ନେଇ ଅଧିକ ସ୍ପଷ୍ଟତା ଆଣିଥିଲେ । ଗୃହକୁ ୬ଦିନ(୧୯ରୁ ୨୫ତାରିଖ ପର୍ଯ୍ୟନ୍ତ) ସମ୍ପୂର୍ଣ୍ଣ ଅଚଳ କରିଦିଆଯିବ ଓ ଗୃହ ଚାଲିବାକୁ ଦିଆଯିବ ନାହିଁ ବୋଲି ସୂଚନା ଦେଇଥିଲେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।
ପ୍ରତାପଙ୍କ ଏଭଳି ମନ୍ତବ୍ୟକୁ ଖୋଲାଖୋଲି ବିରୋଧ କରିଥିଲେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା । ପ୍ରମୁଖ ବିରୋଧୀ ଦଳ ଭାବେ ବିଜେଡି କିଭଳି ଏପରି ନିଷ୍ପତ୍ତି ନେଉଛି ବୋଲି ସେ ପ୍ରଶ୍ନ କରିଥିଲେ । ଯଦି ବିଧାନସଭାକୁ ବନ୍ଦ କରିବା ପାଇଁ ବିରୋଧୀ ଦଳ ନିଷ୍ପତ୍ତି ନେଉଛି, ତା’ହେଲେ ଆମେ କାହିଁକି ଆସିବୁ ଓ ଲୋକଙ୍କୁ କ’ଣ ଉତ୍ତର ଦେବୁ ବୋଲି ସେ କ୍ଷୋଭର ସହ କହିଥିଲେ । ମାତ୍ର ଏହା ଦଳର ନିଷ୍ପତ୍ତି କହି ପ୍ରମିଳା ତାଙ୍କୁ ଚୁପ୍ ରହିବାକୁ ପରୋକ୍ଷରେ ତାଗିଦ୍ କରିଥିବା ସୂଚନା ମିଳିଛି ।
ଗଣେଶ୍ୱରଙ୍କ ପରେ ନୟାଗଡ଼ ବିଧାୟକ ଅରୁଣ ସାହୁ ମଧ୍ୟ ଦଳର ଏଭଳି ନିଷ୍ପତ୍ତିକୁ ବିରୋଧ କରିଥିବା ଜଣାପଡ଼ିଛି । ଶ୍ରୀ ସାହୁ କହିଥିଲେ ଯେ, ଦଳ ଯଦି ଗୃହକୁ ୬ଦିନ ଯାକ ଅଚଳ କରିଦେବାକୁ ଚାହୁଁଛି ତା’ହେଲେ ପୂର୍ବାହ୍ନରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ସେଥିରୁ ବାଦ୍ ଦେଉ । କାରଣ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଧାୟକମାନେ ନିଜ ନିଜ ଅଂଚଳର ସମସ୍ୟାକୁ ଉଠାଇବାର ସୁଯୋଗ ଆଉ ପାଇବେ ନାହିଁ । ସେ ତାଙ୍କର ଏହି ମତାମତ ଉପରେ ଦଳ ଯାହା ନିଷ୍ପତ୍ତି ନେବ ବୋଲି କହିଥିବା ସୂଚନା ମିଳିଛି ।
ନବୀନଙ୍କ ଅନୁପସ୍ଥିତି ଓ କଂଗ୍ରେସକୁ ମାଇଲେଜ୍ ନଦେବା ପାଇଁ ନାଟ
ବିଧାନସଭାର ୭ଦିନିଆ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେଉଥିଲେ ମଧ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ରହିବେ ନାହିଁ ବୋଲି ଜଣାପଡ଼ିଛି । ବିଜେଡି ସରକାରୀ ଦଳରେ ଥିବାବେଳେ ନବୀନଙ୍କର ଗୃହରେ ଉପସ୍ଥିତି କମ୍ ରହୁଥିଲା ।
ବିରୋଧୀ ଦଳକୁ ମ୍ୟାନେଜ୍ କରି ଗୃହକୁ ଆଗୁଆ ବନ୍ଦ କରିଦେଉଥିଲେ । ଏବେ ବିରୋଧୀ ଦଳକୁ ଆସିବା ପରେ ମଧ୍ୟ ନବୀନଙ୍କ ମାନସିକତାରେ ପରିବର୍ତ୍ତନ ହୋଇନି । ଗୃହକୁ କିଭଳି ବନ୍ଦ କରାଯିବ ସେଭଳି ଅଗଣତାନ୍ତ୍ରିକ ଫତୱା ଦଳୀୟ ବିଧାୟକମାନଙ୍କ ଉପରେ ଜାରି କରିବାକୁ ପଛାଉନଥିବା ଦଳୀୟ ମହଲରେ ଚର୍ଚ୍ଚା ।
ନିଜର ଅପକର୍ମ ଲୁଚାଇବା ପାଇଁ ବିଜେପିର କେନ୍ଦ୍ରୀୟ ନେତୃତ୍ୱକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିବା ବିଜେଡି ସୁପ୍ରିମୋ ମଧ୍ୟ ବିଧାନସଭାରେ ବିଜେପି ସରକାର ବିରୁଦ୍ଧରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଉପରେ ଯେଭଳି କେହି ଦଳୀୟ ବିଧାୟକ ଓ ନେତା ମୁହଁ ନଖୋଲିବେ ସେଥିପାଇଁ ତାଗିଦ୍ କରିଥିବା ଜଣାପଡ଼ିଛି । କଂଗ୍ରେସର ଅନାସ୍ଥାକୁ ସମର୍ଥନ କଲେ ବିଜେପି ନେତୃତ୍ୱ ଅସନ୍ତୁଷ୍ଟ ହେବାର ଆଶଙ୍କା କରି ଗୃହକୁ ଅଚଳ କରିଦେବାର ଷଡ଼ଯନ୍ତ୍ର ବିଜେଡି କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ, ଲୋକଙ୍କ ସମସ୍ୟା ଆଣି ସରକାରଙ୍କ ସମ୍ମୁଖରେ ରଖିବାର ଏକ ପ୍ରକୃଷ୍ଟ ଗଣତାନ୍ତ୍ରିକ ମଂଚ ଭାବେ ବିଧାୟକମାନେ ବିଧାନସଭାକୁ ଉପଯୋଗ କରୁଥିଲେ ମଧ୍ୟ ବିଜେଡିର ଅଗଣତାନ୍ତ୍ରିକ ନିଷ୍ପତ୍ତି ଯୋଗୁ ଗୃହ କାର୍ଯ୍ୟ ଠପ୍ ହେବାର ଆଶଙ୍କା ରହିଛି । ବିଧାନସଭାର ଗୋଟିଏ ଦିନର ଅଧିବେଶନ ପାଇଁ ରାଜ୍ୟ ରାଜକୋଷରୁ ପ୍ରାୟ ୧.୮୦କୋଟିରୁ ୨କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
