ରାଜ୍ୟସଭା ପ୍ରାର୍ଥୀତ୍ୱକୁ ନେଇ ଦଳ ଭିତରେ ବଢ଼ୁଥିବା ଛକାପଞ୍ଝା ଓ ତୀବ୍ର ଅସନ୍ତୋଷକୁ ଏଡ଼ାଇବା ପାଇଁ ବିଜେଡି ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ଆଜି ତରବରିଆ ଭାବେ ଦଳର ରାଜନୀତିକ ବ୍ୟାପାର କମିଟି(ପିଏସି) ବୈଠକ ଡାକି ରାଜ୍ୟସଭା ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ କ୍ଷମତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରି ଦଳ ଏବେ ସୁରକ୍ଷିତ ମୋଡକୁ ଚାଲିଯାଇଛି। ‘ପିଏସି’କୁ ମୋହରା କରି ନବୀନଙ୍କ ନିଷ୍ପତ୍ତିକୁ ସର୍ବମାନ୍ୟ କରିବାର ମାର୍ଗ ପ୍ରଶସ୍ତ ହୋଇଛି।
ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ବିଜେଡି (Biju Janata Dal) ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବୋଲି ପିଏସି ବୈଠକରେ ନବୀନ ସଙ୍କେତ ଦେଇଥିବା ଜଣାପଡ଼ିଛି। ଦଳର ସବୁ ବିଧାୟକମାନଙ୍କୁ ଆସନ୍ତାକାଲି ସନ୍ଧ୍ୟା ୫ଟାରେ ନବୀନ ନିବାସରେ ନିଶ୍ଚିତ ଭାବେ ପହଂଚିବାକୁ କୁହାଯାଇଛି ।ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ଫର୍ମ ମଧ୍ୟ ମିଳିବା ଆରମ୍ଭ ହୋଇଛି।
ନବୀନଙ୍କୁ ପୂର୍ଣ୍ଣ କ୍ଷମତା: କ’ଣ କହିଲେ ପ୍ରମିଳା
ଆଜି ନବୀନ ନିବାସରେ ଅନୁଷ୍ଠିତ ଦଳର ପିଏସି ବୈଠକରେ ରାଜ୍ୟସଭା ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବୈଠକ ପରେ ଦଳର ଉପସଭାପତି ତଥା ପିଏସି ସଦସ୍ୟ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ,ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ପିଏସି ଅଧିକୃତ କରିଛି। ଦଳ କେତୋଟି ଆସନରେ ପ୍ରାର୍ଥୀ ଦେବ ଓ କାହାକୁ ପ୍ରାର୍ଥୀ କରିବ ସେ ନିଷ୍ପତ୍ତି ନବୀନ ବାବୁ ହିଁ ନେବେ ବୋଲି ସେ କହିଛନ୍ତି। (BJD Naveen Patnaik)ନବୀନଙ୍କୁ ଦଳର ସମସ୍ତ ଗୋଷ୍ଠୀ ନେତା ସ୍ୱୀକାର କରୁଥିବାରୁ ପିଏସିର ଏଭଳି ପଦକ୍ଷେପ ଦ୍ୱାରା ଭବିଷ୍ୟତରେ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗକୁ ନେଇ ବିଭିନ୍ନ ଗୋଷ୍ଠୀଙ୍କ ଅସନ୍ତୋଷକୁ ପ୍ରଶମିତ କରାଯାଇପାରିବ ବୋଲି କୁହାଯାଉଛି ।
ତରବରିଆ ପିଏସି ବୈଠକ ଓ ‘ଗୋଟିଏ ଗୁଳିରେ ଦୁଇଟି ଶିକାର'
ସୂଚନା ଅନୁସାରେ, ଆଜିର ପିଏସି ବୈଠକ ବେଶ୍ ସୁଚିନ୍ତିତ ଢଙ୍ଗରେ ଓ ତରବରିଆ ଭାବେ ଡକାଯାଇଥିଲା। ଦିନ ୧୧ଟାରେ ସଦସ୍ୟମାନଙ୍କୁ ବୈଠକ ବାବଦରେ ଅବଗତ କରାଯାଇଥିଲା। ଏହି ତରବରିଆ ବୈଠକ ଡାକିବା ପଛରେ ଦୁଇଟି ପ୍ରମୁଖ କାରଣ ଥିବା କୁହାଯାଉଛି।
ପ୍ରଥମତଃ, ରାଜ୍ୟସଭା ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ରହିଥିବାରୁ ୟା’ ଭିତରେ ଦୋଳ-ହୋଲି ପାଇଁ ସରକାରୀ ଅଫିସ ଛୁଟି ରହିବ। କେବଳ ଆସନ୍ତାକାଲି ଶୁକ୍ରବାର ଓ ସୋମବାର ଦୁଇଦିନ ସରକାରୀ ଅଫିସ୍ ଖୋଲା ରହିବ। ତେଣୁ ପ୍ରାର୍ଥୀଙ୍କୁ ନିଜର ଦସ୍ତାବିଜ ପ୍ରସ୍ତୁତିରେ ଯେପରି କୌଣସି ଅସୁବିଧା ନହୁଏ, ତାକୁ ଦୃଷ୍ଟିରେ ରଖି ଏହି ବୈଠକ ହୋଇଛି।
ଦ୍ୱିତୀୟତଃ, ନୂଆପଡ଼ା ଉପନିର୍ବାଚନରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଚୟନ କରାଯିବାକୁ ନେଇ ଦଳ ଓ ଗଣମାଧ୍ୟମରେ ଯେଭଳି ନକରାତ୍ମକ ଚର୍ଚ୍ଚା ହେଲା ଓ ବିବାଦ ବଢ଼ିଲା ତାକୁ ଏଡ଼ାଇବା ପାଇଁ ‘ପିଏସି’କୁ ମୋହରା କରାଯାଇଛି। ଆଉ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ପଛରେ ପିଏସିର ସହମତି ଥିବାର ସନ୍ଦେଶ ଦେଇ ନିଷ୍ପତ୍ତିକୁ ଦଳ ଉପରେ ଲଦି ଦିଆଯିବ ବୋଲି ଜଣାପଡ଼ିଛି।
ଆଜିର ପିଏସି ବୈଠକରେ ପ୍ରମିଳାଙ୍କ ସମେତ ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ସଞ୍ଜୟ ଦାସବର୍ମା, ପ୍ରଣବପ୍ରକାଶ ଦାସ, ସସ୍ମିତ ପାତ୍ର, ସୁଦାମ ମାର୍ଣ୍ଡି, ସନ୍ତୃପ୍ତ ମିଶ୍ର ଓ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ ।
ସବୁ ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା
ଦଳର ସବୁ ବିଧାୟକମାନଙ୍କୁ ନବୀନ ନିବାସ ଡକାଯାଇଛି । ଆସନ୍ତାକାଲି ସନ୍ଧ୍ୟା ୫ଟାରେ ନବୀନ ନିବାସରେ ନିଶ୍ଚିତ ଭାବେ ପହଂଚିବାକୁ କୁହାଯାଇଛି । ନବୀନ ନିବାସରେ ବିଧାୟକମାନଙ୍କ ବୈଠକ ସହ ରାଜ୍ୟସଭା ନାମାଙ୍କନ ପତ୍ର ଫର୍ମରେ ପ୍ରସ୍ତାବକ ଭାବେ ଦସ୍ତଖତ କରାଇବା ପାଇଁ ନବୀନ ନିବାସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଧାୟକମାନଙ୍କ ଦସ୍ତଖତ ରଖାଯିବା ପରେ ଦଳର ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି ଜଣାପଡ଼ିଛି ।
ବଢ଼ୁଛନ୍ତି ଆଶାୟୀ, ୬ସେଟ୍ ଫର୍ମକୁ ନେଇ ସସପେନ୍ସ
ଦଳ ପକ୍ଷରୁ ସାଂସଦ ସସ୍ମିତ ପାତ୍ର ଆଜି ବିଧାନସଭାରୁ ୬ଟି ର୍ଫମ ସେଟ୍ ଆଣିଥିବା ପରେ ବିଜେଡି ଦୁଇଟି ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଦଳ ସୂତ୍ରରୁ ଜଣାପଡ଼ିଛି ଯେ, ଦଳ ଏତେସଂଖ୍ୟକ ଫର୍ମ ଆଣି ବିଧାୟକମାନଙ୍କ(ପ୍ରସ୍ତାବକ) ଦସ୍ତଖତ ଆଗୁଆ ସଂଗ୍ରହ କରିବାକୁ ଚାହିଁଛି । ଆଉ ବିରୋଧୀଙ୍କୁ ଚକମା ଦେବାକୁ ମଧ୍ୟ ଚାହିଁଛି। ସେପଟେ ଦଳରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରାର୍ଥୀ ରେସରେ ନିଜକୁ ଆଗରେ ରଖିଥିବା ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ରଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦଳରେ ମାତ୍ର ୨ ବର୍ଷର ଦଳୀୟ ଅଭିଜ୍ଞତା ଥାଇ ସନ୍ତୃପ୍ତ କିଭଳି ରାଜ୍ୟସଭା ଯିବେ, ସେ ନେଇ ବରିଷ୍ଠ ନେତାମାନେ ପ୍ରଶ୍ନ ଉଠାଇଥିବା ଚର୍ଚ୍ଚା ହେଉଛି ।
ଅନ୍ୟପଟେ ଆୟୁବ ଖାଁ ଓ ପଦ୍ମନାଭ ବେହେରାଙ୍କ ଭଳି ନେତାମାନେ ନବୀନ ନିବାସ ଯାଇ ରାଜ୍ୟସଭା ଯିବା ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି। ଯଦିଓ ବରିଷ୍ଠ ନେତାମାନଙ୍କ ମଧ୍ୟରେ ଦେବୀ ପ୍ରସାଦ ମିଶ୍ର ରେସରେ ଆଗରେ ରହିଛନ୍ତି କିନ୍ତୁ ଅନ୍ୟତମ ପ୍ରଭାବଶାଳୀ ନେତା ପ୍ରଣବପ୍ରକାଶ ଦାସ ଓରଫ ବବି ବେଶ୍ ଚତୁରତାର ସହ ନିଜର ଗୋଟିଚାଳନା କରୁଥିବା ଜଣାପଡ଼ିଛି।
ବିଜେପି ଓ କଂଗ୍ରେସର ରଣନୀତି: କଣ ହେବ ସଂଖ୍ୟା ଗଣିତ?
ରାଜ୍ୟସଭା ନିର୍ବାଚନରେ ବିଜେପି ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ। ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲସିଂ ତୋମାର କହିଛନ୍ତି ଯେ, ଦିନେ ଦୁଇଦିନ ମଧ୍ୟରେ ସଂସଦୀୟ ବୋର୍ଡ ବୈଠକ ବସି ପ୍ରାର୍ଥୀ ଚୂଡ଼ାନ୍ତ କରିବ। କୋର କମିଟି ବୈଠକରେ ଆଲୋଚନା ପରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦିଲ୍ଲୀ ପଠାଇ ଦିଆଯାଇଛି।
ସେହିପରି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ୨୮ତାରିଖରେ ଦଳର ହାଇକମାଣ୍ଡ ସହ ଆଲୋଚନା ପାଇଁ ସେ ଦିଲ୍ଲୀ ଯିବେ। ଦଳ ବାହାରୁ ପ୍ରାର୍ଥୀ ଦିଆଯିବ କି ନାହିଁ ସେ ନେଇ ସ୍ପଷ୍ଟ କରିନାହାନ୍ତି। ମାତ୍ର କଂଗ୍ରେସ ରାଜ୍ୟସଭା ନିର୍ବାଚନରେ ସକ୍ରିୟ ଭୂମିକା ତୁଲାଇବ ବୋଲି କହିଛନ୍ତି। ସାକ୍ଷାତ ପାଇଁ ନବୀନବାବୁ ସମୟ ଦେବେ ବୋଲି ସେ ଆଶାୟୀ ଅଛନ୍ତି।
ସୂଚନାଯୋଗ୍ୟ, ବିଧାନସଭାର ସଂଖ୍ୟା ଗଣିତ ଅନୁସାରେ, ଜଣେ ପ୍ରାର୍ଥୀ ଜିତିବା ପାଇଁ ପ୍ରଥମ ପସନ୍ଦର ୩୦ଜଣ ବିଧାୟକଙ୍କ ଭୋଟ୍ ଜରୁରୀ ଥିବାବେଳେ ବିଜେଡି ପାଖରେ ୪୮ଜଣ ଓ କଂଗ୍ରେସ ପାଖରେ ୧୪ଜଣ ବିଧାୟକ ଅଛନ୍ତି। ବିଜେଡି ନିଜର ସଂଖ୍ୟା ଆଧାରରେ ଗୋଟିଏ ଆସନ ସହଜରେ ହାତେଇବ। ବିଜେପି ପାଖରେ ୩ ସ୍ୱାଧୀନଙ୍କ ସମେତ ମୋଟ ୮୨ଜଣ ବିଧାୟକ ଥିବାରୁ ଦଳ ସହଜରେ ୨ଟି ଆସନ ଜିଣିବ। ତେବେ ଦଳ ରାଜ୍ୟରେ କ୍ଷମତାରେ ଥିବାରୁ ଚତୁର୍ଥ ଆସନକୁ ହାତେଇବ ବୋଲି ଦୃଢ଼ୋକ୍ତି ବାଢ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us