Advertisment

BJD’s ‘Mid-Day Operation’ Drama : ସୁଚିନ୍ତିତ ଷଡ଼ଯନ୍ତ୍ର ନା ‘ଭୟ’,କାହିଁକି ପ୍ରମାଣ ରଖିପାରୁନି ଦଳ

ଦଳର ନିୟନ୍ତ୍ରଣ ତାଙ୍କ ହାତରୁ ଖସିଯିବା ଭୟରେ ବିଜେଡିର ଅଘୋଷିତ ସର୍ବେସର୍ବା ଏଭଳି ମିଛ ‘ମିଡ୍ ଡେ ଅପରେସନ’ କାହାଣୀର ରଚନା କରିଥିବା ଓ ଶଙ୍ଖ ଭବନର କର୍ମଚାରୀଙ୍କ ମୁହଁରେ ଏହାକୁ କୁହାଇବାକୁ ପଛାଇନଥିବା ଚର୍ଚ୍ଚା ହେଉଛି ।

author-image
Prakaash Sethi
Lenin and Aravinda

ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ନିଲମ୍ବନ ଏବେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ବିସ୍ଫୋରକ ମୋଡ ଦେଇଛି । ଦୁଇ ବିଧାୟକଙ୍କୁ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକର ଟ୍ୟାଗ୍ ଲଗାଇ ନିଲମ୍ବନ କରିବା ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇବାକୁ ଯାଇ ବିଜେଡି ଆଜି ‘ମିଡ୍ ଡେ ଅପରେସନ’ କଥା କହି ପ୍ରଥମଥର ଆନୁଷ୍ଠାନିକ ଭାବେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ମଧ୍ୟ ବିବାଦ ଭିତରକୁ ଟାଣିବା ମଧ୍ୟ ନିଆଁରେ ଘିଅ ଢ଼ାଳିବା ସଦୃଶ ହୋଇଛି । ଶଙ୍ଖଭବନର କର୍ମଚାରୀଙ୍କ ମୁହଁରେ ‘ମିଡ୍ ଡେ ଅପରେସନ’ର କଥା କହି ବିଜେଡି ଯେଉଁ ରାଜନୀତିକ କାହାଣୀ ରଚିଛି ତାହା ଦଳର ଶୃଙ୍ଖଳା ନୁହେଁ ବରଂ ଦଳ ଭିତରେ ଥିବା ଏକଛତ୍ରବାଦୀ ମାନସିକତାକୁ ଉଜାଗର କରିଛି ବୋଲି ଚର୍ଚ୍ଚା ହେଉଛି ।

Advertisment

ସୁଚିନ୍ତିତ ଷଡ଼ଯନ୍ତ୍ର ନା ଭୟ ?

୪୮ଘଣ୍ଟା ବିତିଯିବା ପରେ ମଧ୍ୟ ଦୁଇ ବିଧାୟକଙ୍କୁ ନିଲମ୍ବନ କରାଯିବା ପଛର ପ୍ରକୃତ ଉଦ୍ଦେଶ୍ୟକୁ ଉଜାଗର କରିବାରେ ବିଫଳ ହୋଇଥିବା ବିଜେଡି ଆଜି ନିଜର ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ମୁହଁରେ ଯେଉଁ ଢଙ୍ଗରେ ‘ମିଡ୍‌-ଡେ ଅପରେସନ୍‌' କଥା କହି ବିଜୟ ମହାପାତ୍ର ଓ ତାଙ୍କ ପୁଅ ଅରବିନ୍ଦଙ୍କୁ ଟାର୍ଗେଟ୍ କରିଛନ୍ତି, ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଏତେ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ଚାଲିଥିଲା, ତେବେ ତା’ର ସାମାନ୍ୟତମ ସୁରାକ କିଭଳି ଦଳର ବରିଷ୍ଠ ନେତା ଓ ଅନ୍ୟ ରାଜନୀତିକ ଦଳ ପାଇଲେ ନାହିଁ?

ଦୁଇ ବିଧାୟକଙ୍କୁ ର୍ଦୁନୀତିଗ୍ରସ୍ତ ଓ ବିଶ୍ୱାସଘାତକ ବୋଲି ଆଖ୍ୟା ଦିଆଯିବା ଓ ବିଜୟଙ୍କ ପୁଅ ଅରବିନ୍ଦ ସିଧାସଳଖ ଏହାର ପ୍ରମାଣ ଦେବାକୁ ଚ୍ୟାଲେଞ୍ଜ କରିବା ପରେ ମଧ୍ୟ ବିଜେଡି ନିରବ ରହିବା ଦଳର ଦୁର୍ବଳ ରଣନୀତିକୁ ପଦାରେ ପକାଇ ଦେଇଛି । ଦଳର ନିୟନ୍ତ୍ରଣ ତାଙ୍କ ହାତରୁ ଖସିଯିବା ଭୟରେ ବିଜେଡିର ଅଘୋଷିତ ସର୍ବେସର୍ବା ଏଭଳି ମିଛ ‘ମିଡ୍ ଡେ ଅପରେସନ’ କାହାଣୀର ରଚନା କରିଥିବା ଓ ଶଙ୍ଖ ଭବନର କର୍ମଚାରୀଙ୍କ ମୁହଁରେ ଏହାକୁ କୁହାଇବାକୁ ପଛାଇନଥିବା ଜଣାପଡ଼ିଛି, ଯାହାକି ଦଳକୁ ରକ୍ଷା କରିବା ପାଇଁ ନୁହେଁ ବରଂ ତାଙ୍କର ସ୍ୱାର୍ଥ ସିଦ୍ଧି ପାଇଁ ଏକ ମନଗଢ଼ା କାହାଣୀ ବୋଲି ଚର୍ଚ୍ଚା ହେଉଛି ।

Advertisment


ଷଡ଼ଯନ୍ତ୍ରର ଟେର ପାଇଲେନି ବରିଷ୍ଠ ନେତା: କି ପ୍ରକାରର ଅପରେସନ?


ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତିଙ୍କ ଅନୁସାରେ, ଯଦି ବିଜେଡିକୁ ବିଭାଜନ କରିବାକୁ ଏକ ‘ମିଡ୍‌-ଡେ ଅପରେସନ୍‌’ ଚାଲିଥିଲା,ତା’ହେଲେ ତା’ର ସୁରାକ ଦଳର ଅନ୍ୟ କୌଣସି ବରିଷ୍ଠ ନେତା କିମ୍ବା ରାଜ୍ୟ ରାଜନୀତିରେ ସକ୍ରିୟ ଥିବା ଅନ୍ୟ କୌଣସି ଦଳ କିଭଳି ପାଇଲେ ନାହିଁ । ରାଜ୍ୟ ରାଜନୀତିରେ କୌଣସି ଜଣେ ହେଲେ ବି ବ୍ୟକ୍ତି ଏହି ଷଡ଼ଯନ୍ତ୍ରର ଆଭାସ ପାଇଲେ ନାହିଁ । ଏହା କୌଣସି ପ୍ରକୃତ ଷଡ଼ଯନ୍ତ୍ର ନୁହେଁ, ବରଂ ରାଜ୍ୟସଭା ନିର୍ବାଚନ ସମୀକରଣକୁ ସଫଳ କରିବା ପାଇଁ ଏବେଠୁ ପାଣ୍ଡିଆନଙ୍କ ଦ୍ୱାରା ରଚିତ ଏକ କୁତ୍ସିତ ଷଡ଼ଯନ୍ତ୍ର ବୋଲି ଚର୍ଚ୍ଚା ହେଉଛି । ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ନିଲମ୍ବନ ଆଦେଶ ପ୍ରକାଶ ପାଇଥିଲେ ମଧ୍ୟ ଏହା ପଛର ସୂତ୍ରଧର ପାଣ୍ଡିଆନ ବୋଲି ସନ୍ଦେହ କରାଯାଉଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମିଡ୍ ଡେ ଅପରେସନ ମାଧ୍ୟମରେ ଦଳକୁ ବିଭାଜନ ପାଇଁ ଉଦ୍ୟମ ହେଉଥିଲା ବୋଲି ମୁଖପାତ୍ର କହୁଛନ୍ତି କିନ୍ତୁ ବିଜେଡି ନେତୃତ୍ୱ ଏନେଇ ଦଳର ରାଜନୀତିକ ବ୍ୟାପାର କମିଟି(ପିଏସି) କିମ୍ବା କୋର ଟିମ୍ ସଦସ୍ୟଙ୍କୁ ଅବଗତ କରାଇବାକୁ ଉଚିତ୍ ମଣିନଥିଲେ କିମ୍ବା କୌଣସି ବିଚାରବିମର୍ଶ କରିନଥିବା ବିଜେଡି ସୂତ୍ରରୁ ଜଣାପଡ଼ିଛି । ରାଜନୀତିକ ବ୍ୟାପାର କମିଟିର ଜଣେ ସଦସ୍ୟଙ୍କ କହିବା ଅନୁସାରେ, ଏଭଳି ନିଲମ୍ବନ ନିଷ୍ପତ୍ତି ସମ୍ପର୍କରେ ସେମାନେ ଗଣମାଧ୍ୟମରୁ ହିଁ ଜାଣିବାକୁ ପାଇଥିଲେ । ଜଣେ ଅଣରାଜନୀତିକ ବ୍ୟକ୍ତିଙ୍କ ଇସାରାରେ ଦଳ ଯେଭଳି ଚାଲିଛି ତାହା ବିଜେଡି ପାଇଁ ଆତ୍ମଘାତୀ ସାବ୍ୟସ୍ତ ହେବ । ଆଉ ଭବିଷ୍ୟତରେ ଦଳ ଭିତରେ ଏକ ବଡ଼ ଧରଣର ବିଦ୍ରୋହର ବାତାବରଣକୁ ମଧ୍ୟ ପ୍ରୋତ୍ସାହିତ କରିଛି ।

ଖୋଲା ଚ୍ୟାଲେଞ୍ଜ ଆଗରେ ବିଜେଡିର ପଛଘୁଂଚା: ପ୍ରମାଣ କାହିଁ?

ଅରବିନ୍ଦ ମହାପାତ୍ର ସିଧାସଳଖ ଗଣମାଧ୍ୟମ ସାମ୍ନାରେ ତଥ୍ୟ ପ୍ରମାଣ ମାଗିବା ସହ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଯଦି ବିଜେଡି ପାଖରେ କୌଣସି ଅଡିଓ, ଭିଡିଓ କିମ୍ବା ବୈଠକର ଫଟୋ ରହିଛି, ତେବେ ତାହାକୁ ସାର୍ବଜନୀନ କରିବାରେ ସମସ୍ୟା କେଉଁଠି? ପ୍ରମାଣ ଦେବା ପରିବର୍ତ୍ତେ ନିର୍ଦ୍ଦିଷ୍ଟ ମୁଖପାତ୍ରଙ୍କ ମୁହଁରେ ମିଡ୍ ଡେ ଅପରେସନ୍ ଭଳି କଥା କହିବା ମଧ୍ୟ ଦଳର ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ନବୀନ ପଟ୍ଟନାୟକଙ୍କ ଦସ୍ତଖତକୁ ମୋହରା କରିି ନବୀନ ନିବାସରୁ ଯେଉଁ ଖେଳ ଖେଳାଯାଉଛି, ତାହା ବିଜେଡିର ମୂଳଦୁଆକୁ ଦୋହଲାଇ ଦେଇଥିବା ଚର୍ଚ୍ଚା ହେଉଛି । 

ଯଥାର୍ଥ କାରଣ ନଦର୍ଶାଇ ଓ ସ୍ପଷ୍ଟୀକରଣ ନମାଗି ବିଧାୟକଙ୍କୁ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକ କହି ଦଳରୁ ବାହାର କରିବା ବିଜେଡିର ଏକଛତ୍ରବାଦୀ ମାନସିକତାକୁ ପଦାରେ ପକାଇ ଦେଇଛି । ଯଦି ବିଜେଡି ଶୀଘ୍ର ନିଜର ଆଭିମୁଖ୍ୟ ସ୍ପଷ୍ଟ ନକରେ ଏବଂ ‘ମିଡ୍ ଡେ ଅପରେସନ’ର ପ୍ରମାଣ ସର୍ବସାଧାରଣରେ ନରଖେ, ତେବେ ଏହା କେବଳ ଏକ ରାଜନୈତିକ ଡ୍ରାମା ଭାବେ ଲୋକଙ୍କ ମନରେ ରହିଯିବ । ଯାହା ଦଳର ଭାବମୂର୍ତ୍ତି ଆହୁରି କ୍ଷତିଗ୍ରସ୍ତ କରିବ ବୋଲି କୁହାଯାଉଛି ।

ଅପମାନିତ କରି ବିଦା କରିବା ବିଜେଡିର ପୁରୁଣା ଅଭ୍ୟାସ

ନିଜର ନେତାମାନଙ୍କୁ ଅପମାନିତ ଓ ଲାଂଛିତ କରି ବିଦା କରିବା ହେଉଛି ବିଜେଡିର ପୁରୁଣା ଅଭ୍ୟାସ । ଦଳର ବିଗତ ୫-୭ବର୍ଷର ଇକୋସିଷ୍ଟମକୁ ଦେଖିଲେ ଏହା ସ୍ପଷ୍ଟ । ଦଳର କିଛି ନିର୍ଦ୍ଦିଷ୍ଟ ନେତାଙ୍କୁ ମୁହଁରେ ଗାଳି କରାଇ ବିଦା କରିବାର ଶୈଳୀ ଏବେ ବିଜୟ ମହାପାତ୍ରଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ମାତ୍ର ଏବେ ପ୍ରଶ୍ନ ଉଠୁଛି, ନବୀନ ପଟ୍ଟନାୟକ ପ୍ରକୃତରେ ସତ୍ୟ ଜାଣିଛନ୍ତି ନା କେବଳ ପାଣ୍ଡିଆନଙ୍କ କହିବାନୁସାରେ ଦସ୍ତଖତ କରି ଚାଲିଛନ୍ତି?

 ନିଲମ୍ବନ ପଛର ପ୍ରକୃତ ସୂତ୍ରଧାର କିଏ ଓ ନବୀନ ନିବାସର ମୋହରା ସାଜି କିଏ ଦଳକୁ ଧ୍ୱଂସ କରିବାକୁ ବସିଛି, ତାକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଥିବାବେଳେ ଏହି ଅସ୍ଥିରତା ବିଜେଡିର ପତନର ପ୍ରଥମ ପାହାଚ ବୋଲି ଚର୍ଚ୍ଚା ହେଉଛି । ଯାଜପୁର ଜିଲ୍ଲାର ୨୦ଜିଲ୍ଲା ପରିଷଦ ସଦସ୍ୟ ଓ ଆଗଧାଡ଼ିର ଶତାଧିକ ନେତା ବିଜେପିରେ ମିଶିବା ପରେ ଏହା ସ୍ପଷ୍ଟ ହେବାରେ ଲାଗିଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।