
Nuapada Byelection
ନୂଆପଡ଼ା ବିଧାନସଭା ଉପନିର୍ବାଚନ ପରିଚାଳନା ପାଇଁ ବିଜେଡି ନିଜର ୧୯ଜଣିଆ କମିଟି ଗଠନ କରିଛି । ମାତ୍ର ଏହି କମିଟିରେ କୌଣସି ଜଣେ ବି ଉପକୂଳିଆ ନେତାଙ୍କୁ ସାମିଲ କରିନାହିଁ । ଏପରିକି ନୂଆପଡ଼ାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ମୃତ୍ୟୁ ପରେ ସେଠାକୁ ୩ଥର ଯାଇ ମାମଲାତି କରୁଥିବା ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କୁ ମଧ୍ୟ ଶକ୍ତ ଝଟକା ଲାଗିଛି । ତାଙ୍କର ଖାସ୍ ଅନୁଗତ ଭାବେ ପରିଚିତ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ନେତାମାନଙ୍କୁ ମଧ୍ୟ କମିଟିରୁ ଦୂରେଇ ରଖାଯାଇଛି । ଯଦିଓ ଗତ ୩ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ବବି ଦାସଙ୍କ ସହ ଉପନିର୍ବାଚନ ପରିଚାଳନା ଓ ଦଳୀୟ ରଣନୀତି ପ୍ରସଙ୍ଗରେ ଆଲୋଚନା କରିଥିଲେ କିନ୍ତୁ ଉପକୂଳର ବରିଷ୍ଠ ନେତାମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଏଥିରୁ ଦୂରେଇ ରଖାଯିବ ବୋଲି କୌଣସି ଆଭାସ ଦେଇନଥିବା ଜଣାପଡ଼ିଛି । ତେବେ ବିଜେଡିର ଅଘୋଷିତ ସର୍ବେସର୍ବା ଏହି ଗୁରୁତ୍ୱପୂର୍ଣ୍ଣ କମିଟିରୁ ଉପକୂଳ ଓଡ଼ିଶାର ପ୍ରଭାବଶାଳୀ ନେତାମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଦୂରେଇ ରଖି କୌଣସି ଏକ ବଡ଼ଧରଣର ‘ଡିଲ୍’ କରିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ପରଦା ପଛରେ ରହି ସେ ଉପନିର୍ବାଚନରେ ଦଳର ପରାଜୟର ଦୋଷ ନେତାମାନଙ୍କ ଉପରେ ଲଦି ନିଜେ ବିଜୟର(ଯଦି ଦଳୀୟ ପ୍ରାର୍ଥୀ ଜିତନ୍ତି) ଶ୍ରେୟ ନେବାର ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି ।
ନୂଆପଡ଼ା ପାଇଁ ୩ଟି କମିଟି ଗଢ଼ିଲା ବିଜେଡି
ନୂଆପଡ଼ା ଉପନିର୍ବାଚନ(NuaapadaByElection) ପରିଚାଳନା ପାଇଁ ଦଳ ପକ୍ଷରୁ ଷ୍ଟିୟରିଂ କମିଟି, ଜୋନାଲ କମିଟି ଓ ଲୋକାଲ ଆକ୍ସନ କମିଟି ଗଠନ କରାଯାଇଛି । ତେବେ ଏହି କମିଟିଗୁଡ଼ିକରେ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ଜଣେ ବି ନେତାଙ୍କୁ ସାମିଲ କରାଯାଇ ନାହିଁ । ୬ଜଣିଆ ଷ୍ଟିୟରିଂ କମିଟିରେ ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ନିରଞ୍ଜନ ବିଶି ଓ ଆୟୁବ୍ ଖାନଙ୍କୁ ରଖାଯାଇଥିବାବେଳେ ୧୦ଜଣିଆ ଜୋନାଲ କମିଟିରେ ବିଧାୟକ କଳିକେଶ ନାରାୟଣ ସିଂହଦେଓ ଓ ଶାରଦା ନାୟକଙ୍କୁ ନୂଆପଡ଼ା ଏନଏଏସି ଏବଂ ରୋହିତ ପୂଜାରୀ ଓ ବିକ୍ରମ ପଣ୍ଡାଙ୍କୁ ଖରିଆର ଏନଏସି ଦାୟିତ୍ୱ ନ୍ୟସ୍ତ ହୋଇଛି । ସୁଦାମ ମାର୍ଣ୍ଡି, ଦେବେଶ ଆଚାର୍ଯ୍ୟ, ସରୋଜ ମେହେର, ମନୋହର ରନ୍ଧାରୀ ପ୍ରଦୀପ ମାଝୀ ଓ ଯୋଗେଶ ସିଂଙ୍କୁ ମଧ୍ୟ ଏହି କମିଟିରେ ସ୍ଥାନ ମିଳିଛି । ୩ଜଣିଆ ଲୋକାଲ ଆକ୍ସନ କମିଟିରେ ଅଧିରାଜ ପାଣିଗ୍ରାହୀ, ଅବନୀ ଯୋଶୀ ଓ ମନୋଜ ମିଶ୍ରଙ୍କୁ ସାମିଲ କରାଯାଇଛି ।
ତେବେ ଏହି କମିଟିରେ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାର ଜଣେ ବି ନେତାଙ୍କୁ ରଖାଯାଇ ନାହିଁ । କଳାହାଣ୍ଡି ଜିଲ୍ଲାର ବିଜେଡି ନେତା ଦିବ୍ୟଶଙ୍କର ମିଶ୍ର, ପୁଷ୍ପେନ୍ଦ୍ର ସିଂହଦେଓ, ଭୂପିନ୍ଦର ସିଂ ଓ ପ୍ରଦୀପ ଦିଶାରୀଙ୍କ ସମେତ ପଦ୍ମନାଭ ବେହେରାଙ୍କ ଭଳି ନେତାଙ୍କୁ ମଧ୍ୟ ନିର୍ବାଚନ ପରିଚାଳନା ଦାୟିତ୍ୱରୁ ଦୂରେଇ ରଖାଯାଇଛି । ତେବେ ଉପନିର୍ବାଚନକୁ ଦୃଷ୍ଟିରେ ରଖି ୧୧ଜଣ ନେତାଙ୍କୁ ଦଳର ରାଜ୍ୟ ପଦାଧିକାରୀ ଭାବେ ଥଇଥାନ କରାଯାଇଛି ।ଖରିଆରର ରାଜେଶ ନିଗମ ଓ ପଦମପୁରର ରାଜୁ ଘିବେଲାଙ୍କୁ ସମ୍ପାଦକ, ସନ୍ତୋଷ ପଟ୍ଟନାୟକଙ୍କୁ ସମ୍ପାଦକ ସମତେ କୋମନାର ମନୋଜ ମିଶ୍ରଙ୍କ ସମେତ ସୁଧୀର ଦାସ, ଇରାନୀ ରାୟ, ଅଳକା ମହାନ୍ତି ଓ ଲମ୍ବୋଦର ନିଆଲଙ୍କୁ ସାଧାରଣ ସମ୍ପାଦକ, ପୁଷ୍ପେନ୍ଦ୍ର ସିଂହଦେଓ ଓ ଗଣେଶ୍ୱର ବେହେରାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଏବଂ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଉପସଭାପତି ଭାବେ ଥଇଥାନ ହୋଇଛନ୍ତି ।
ଉପକୂଳିଆ ଓ କଳାହାଣ୍ଡି ଜିଲ୍ଲାର ନେତାଙ୍କୁ ଝଟକା
ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ମଧ୍ୟ ଚେତା ପଶିନଥିବା ବିଜେଡି ନେତାମାନଙ୍କ ଚାଟୁକାରିତାକୁ ଶକ୍ତ ଝଟକା ଲାଗିଛି । ସୂତ୍ର ଅନୁସାରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କମିଟି ଗଠନ ହୋଇଛି । ଦଳର ରାଜନୀତିକ ବ୍ୟାପାର କମିଟି ମଧ୍ୟ ଏହାର ଟେର ପାଇନଥିବା ଜଣେ ସଦସ୍ୟ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି । ଏପରିକି ନବୀନ ଗତ ୩ତାରିଖରେ ନୂଆଦିଲ୍ଲୀକୁ ଯେଉଁ ୩ଜଣ ନେତା ଦେବୀପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ ଓ ନିରଞ୍ଜନ ପୂଜାରୀଙ୍କୁ ଡାକି ନୂଆପଡ଼ା ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିଥିଲେ ସେମାନଙ୍କ ମଧ୍ୟରୁ କେବଳ ନିରଞ୍ଜନଙ୍କୁ ହିଁ କମିଟିରେ ସାମିଲ କରାଯାଇଛି। ଏପରକିି ଏଭଳି ଏକ କମିଟି ଗଠନରେ ଦଳର ଆଗଧାଡ଼ିର ନେତାମାନଙ୍କୁ ସାମିଲ କରାଯିବ ନାହିଁ ବୋଲି ମଧ୍ୟ ନବୀନ କୌଣସି ସୂଚନା ମଧ୍ୟ ଦେଇନଥିଲେ । ସେମାନଙ୍କୁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଏହି ନେତାମାନଙ୍କ ଅଜାଣତରେ ଏଭଳି କମିଟି ଗଠନ କରାଯାଇଥିବା ସୂଚନା ମିଳିଛି । ଦଳର କୋରଟିମ୍ ସଦସ୍ୟ ବୋଲାଉଥିବା ନେତା ଦେବୀଙ୍କ ସମେତ ପ୍ରତାପ ଜେନା, ପ୍ରଣବପ୍ରକାଶ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ଓ ପ୍ରତାପ ଦେବ ପ୍ରମୁଖଙ୍କୁ ସାମନ୍ୟତମ ଗୁରୁତ୍ୱ ମିଳିନାହିଁ । ଯଦିଓ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ମୃତ୍ୟୁ ପରେ ସେଠାରେ ଦଳୀୟ କର୍ମୀ ଓ ନେତାମାନଙ୍କ ମନୋବଳ ବୃଦ୍ଧି ତଥା ସଂଗଠନକୁ ସକ୍ରିୟ କରିବା ନିମନ୍ତେ ବବି ୩ଥର ଓ ଦେବୀ ମିଶ୍ର ୨ଥର ଗସ୍ତ କରିଛନ୍ତି । ନୂଆପଡ଼ା ଯାଇ ମାମଲାତି କରି କର୍ମୀଙ୍କୁ ସଂଗଠିତ କରିବା ମଧ୍ୟ ବବିଙ୍କୁ ମହଙ୍ଗା ପଡ଼ିଛି । ଅଧିରାଜଙ୍କ ମାଧ୍ୟମରେ ସେ ଏହି ନିର୍ବାଚନକୁ ପରିଚାଳନା କରିବା ପାଇଁ ଯେଉଁ ରଣନୀତି କରିଥିଲେ ତାହା ମଧ୍ୟ ଫସର ଫାଟିଥିବା ଚର୍ଚ୍ଚା ହେଉଛି ।
କିଏ ଗଢ଼ିଲା କମିଟି, ଦଳରେ ଅସନ୍ତୋଷ
ସୂତ୍ର ଅନୁସାରେ, ଉପନିର୍ବାଚନ ପରିଚାଳନା ପାଇଁ ଯେଉଁ ୩ଟି କମିଟି ଗଠନ ହୋଇଛି ସେନେଇ କାହା ସହ ମଧ୍ୟ ବିଚାରବିମର୍ଶ ହୋଇନାହିଁ । ଏପରିକି ଏଥିପାଇଁ ଦଳର ରାଜନୀତିକ ବ୍ୟାପାର କମିଟି ଓ କୋର ଟିମକୁ ମଧ୍ୟ ବିଶ୍ୱାସକୁ ନିଆଯାଇନାହିଁ । ଆଂଚଳିକତା ଆଳରେ ଦଳ ପଶ୍ଚିମ ଓଡ଼ିଶାର ନିର୍ଦ୍ଦିଷ୍ଟ ନେତାମାନଙ୍କ ଉପରେ ଦାୟିତ୍ୱ ଦେଉଛି ଓ ଦିବଂଗତ ବିଧାୟକଙ୍କ ପରିବାର ପ୍ରତି ସହାନୁଭୂତି ଭୋଟକୁ ନିଜର ମୁଖ୍ୟ ଅସ୍ତ୍ର କରି ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଚାହୁଁଛି ବୋଲି କୁହାଯାଉଛି । ମାତ୍ର ପରଦା ପଛରେ ରହି ଉପନିର୍ବାଚନ ପରିଚାଳନା ପାଇଁ ଦଳର ଅଘୋଷିତ ସର୍ବେସର୍ବା ପାଣ୍ଡିଆନ ଯେଉଁ କମିଟି ଗଢିଛନ୍ତି ତାହା ମାଧ୍ୟମରେ ସେ ଦଳୀୟ କ୍ଷମତାର ଆଉ ଏକ ନୂଆ ସମୀକରଣର ମୂଳଦୁଆ ପକାଉଥିବା ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ଦଳ ନୂଆପଡ଼ାରେ ଦିବଂଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟଙ୍କୁ ପ୍ରାର୍ଥୀ କରିବ ବୋଲି ସଙ୍କେତ ଦେଇସାରିଛି । ସେଠାରେ ଆସନ୍ତା ନଭେମ୍ବର ୧୧ରେ ଭୋଟ୍ ଗ୍ରହଣ ହେବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
