
ଓଡ଼ିଶା ରାଜନୀତିରେ ଏକଦା ‘ଅପ୍ରତିଦ୍ୱନ୍ଦ୍ୱୀ ' ଥିବା ବିଜେଡି ଏବେ ଏକ ବଡ଼ଧରଣର ବିସ୍ଫୋରଣ ଆଡ଼କୁ ଗତି କରୁଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଖାସ୍ ଭିକେ ପାଣ୍ଡିଆନଙ୍କ କବଜାରୁ ଦଳକୁ ମୁକ୍ତ କରିବାକୁ ଏକ ବୃହତ୍ ଗୋଷ୍ଠୀ ଜୋରଦାର ଉଦ୍ୟମ କରୁଥିବାବେଳେ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କୁ ଦଳର ଉତ୍ତରାଧିକାରୀ କରିବାକୁ ଅନ୍ୟ ଏକ ଗୋଷ୍ଠୀ ଚାପ ପକାଇବାରେ ଲାଗିଛି ।
ଆଉ ବିଗତ କିଛି ମାସ ଧରି ଦଳରେ ନିଜକୁ କୋଣଠେସା ଅନୁଭବ କରୁଥିବା ପ୍ରଣବପ୍ରକାଶ ଦାସ ଓରଫ ବବି ଏବେ ‘ବିଜୁ ଅନୁଗତ’ମାନଙ୍କ ବଳକୁ ଗୋଟାଇ ନିଜେ ‘ବଳିଦାନ' ନୁହେଁ ବରଂ ‘ବଳ ପ୍ରଦର୍ଶନ' ମୁଦ୍ରାରେ ରହିଥିବା ଜଣାପଡ଼ିଛି । ‘ପାଣ୍ଡିଆନମୁକ୍ତ ବିଜେଡି’ ଓ ‘ସୁଜାତାଙ୍କ ଏଂଟ୍ରି’କୁ ସିଧାସଳଖ ଚ୍ୟାଲେଞ୍ଜ ଦେଇ ଦଳର ଅସନ୍ତୁଷ୍ଟ ବିଧାୟକ ଓ ପରାଜିତ ହେଭିୱେଟ ନେତାମାନଙ୍କ ମେଳିକୁ ପ୍ରୋତ୍ସାହିତ କରିବା ସହ ନବୀନ-ପାଣ୍ଡିଆନ ଯୋଡ଼ିଙ୍କ କ୍ଷମତାକୁ ହାଇଜ୍ୟାକ୍ କରାଇବା ନିମନ୍ତେ ରଣନୀତି ପ୍ରସ୍ତୁତ କରିସାରିଥିବା ଚର୍ଚ୍ଚା ହେଉଛି ।
ଅବଶ୍ୟ ନବୀନଙ୍କ ପୁରୁଣା ଶତ୍ରୁମାନେ (ନିଜର ରାଜନୈତିକ ଅସ୍ତିତ୍ୱ ପାଇଁ ସଂଘର୍ଷରତ ବିଜୁ ଅନୁଗତମାନେ) ଏବେ ପରଦା ପଛରେ ରହି ବବିଙ୍କୁ ‘ବଳ’ ଦେବା ସହ ରାଜନୀତିକ ଗୋଟିଚାଳନା କରୁଥିବା ଜଣାପଡ଼ିଛି ।
‘ପାଣ୍ଡିଆନମୁକ୍ତ ବିଜେଡି’ ପାଇଁ ମାଷ୍ଟରପ୍ଲାନ୍
ଆସନ୍ତା ମାର୍ଚ୍ଚ ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ହିଁ ଓଡ଼ିଶା ରାଜନୀତିରେ ନୂଆ ସମୀକରଣର ମୂଳଦୁଆ ପକାଇବାର ସମ୍ଭାବନା ରହିଛି । ମୋଟ୍ ୪ଟି ରାଜସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ବିଧାନସଭାର ଗଣିତ ଅନୁସାରେ ବିଜେପି ୨ଟି ଓ ବିଜେଡି ଗୋଟିଏ ଆସନ ଜିତିବା ପ୍ରାୟତଃ ଏକରକମ ସ୍ପଷ୍ଟ । ଆଉ ଚତୁର୍ଥ ଆସନଟି କାହା ପାଖକୁ ଯିବ ତାହା ଏବେବି ଅସ୍ପଷ୍ଟ ଓ ଏହା ଉପରେ ସମସ୍ତଙ୍କ ନଜର ରହିଛି । ସୂତ୍ର ଅନୁସାରେ, ବବି ଦାସଙ୍କ ନେତୃତ୍ୱରେ ବିଦ୍ରୋହୀ ଗୋଷ୍ଠୀ ଏବେ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କ ନାଁକୁ ଏହି ଚତୁର୍ଥ ଆସନ ପାଇଁ ଆଗକୁ ବଢ଼ାଇଥିବା ବିଜେଡି ମହଲରେ ଆଲୋଚନା ହେଉଛି ।
ଏପରିକି ଦିଲ୍ଲୀପଙ୍କୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଯୋଗସୂତ୍ର ରକ୍ଷା କରି ନିଜ ପାଇଁ ରାଜ୍ୟସଭା ଟିକେଟ୍ ହାସଲ କରିବା ନିମନ୍ତେ ମଧ୍ୟ କୁହାଯାଇଛି, ଯାହାଫଳରେ ବିଜେଡିର ବିଦ୍ରୋହୀ ବିଧାୟକଙ୍କ ସମର୍ଥନରେ ସେ ରାଜ୍ୟସଭା ଯାଇପାରିବେ । ତେବେ ଏହା କେବଳ ଏକ ନିର୍ବାଚନ ନୁହେଁ, ବରଂ ପାଣ୍ଡିଆନ ଓ ନବୀନ ନିବାସର ନିୟନ୍ତ୍ରଣରୁ ଦଳକୁ ମୁକ୍ତ କରିବା ପାଇଁ ଏକ ସୁଚିନ୍ତିତ ରଣନୀତି ଓ କ୍ଷମତାକୁ ହାଇଜାକ୍ ନିମନ୍ତେ ମୂଳଦୁଆ ପଡ଼ିବ ବୋଲି ଚର୍ଚ୍ଚା ହେଉଛି ।
ବିଜେପିର ‘ୱିନ୍ ୱିନ୍ ସ୍ଥିତି’ ଓ ଦିଲ୍ଲୀପ ରାୟଙ୍କ ରି-ଏଂଟ୍ରି
ରାଜ୍ୟରେ ସରକାର ଥିବାରୁ ବିଜେପି ରାଜ୍ୟସଭାର ଏହି ଚୁତର୍ଥ ଆସନକୁ ନିଜ ନିୟନ୍ତ୍ରଣରେ ରଖିବାକୁ ସବୁ କଳାକୌଶଳକୁ ଆପଣାଇବା ପ୍ରାୟତଃ ସ୍ପଷ୍ଟ । ଯଦି ଚତୁର୍ଥ ପ୍ରାର୍ଥୀଙ୍କ ଆସନ ପାଇଁ ନିଜ ପସନ୍ଦର ପ୍ରାର୍ଥୀଙ୍କ ସପକ୍ଷରେ ବିଜେପିକୁ ନବୀନ ପଟ୍ଟନାୟକଙ୍କ ସମର୍ଥନ ନମିଳେ, ତେବେ ବିଜେପି ନିଜର ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟଙ୍କୁ ଆଗକୁ ଆଣିବାର ସମ୍ଭାବନା ରହିଛି । ବିଜୁ ଅନୁଗତଙ୍କ ମଧ୍ୟରେ ଅଧିକ ଚର୍ଚ୍ଚିତ ଦିଲ୍ଲୀପ ରାୟ ରାଜ୍ୟସଭା ପାଇଁ ନିଜ ସପକ୍ଷରେ ସଂଖ୍ୟା ଯୋଗାଡ଼ କରିବାର କଳାରେ ବି ମାହିର । ପୂର୍ବରୁ ଏଭଳି ଚକମା ମଧ୍ୟ ଦିଲ୍ଲୀପ ଦେଇ ସାରିଛନ୍ତି ।
ତେଣୁ ଦିଲ୍ଲୀପ ବିଜେପି ପ୍ରାର୍ଥୀ ହେଲେ ଏହା ବିଜେଡିରେ ଏକ ବଡ଼ଧରଣର ଫାଟ ସୃଷ୍ଟି କରିବ ବୋଲି ଜଳଜଳ ଦିଶିଲାଣି। ଦିଲ୍ଲୀପଙ୍କ ଜରିଆରେ ବିଜେଡିକୁ ପୁଣି ଥରେ ଏହାର ପୁରୁଣା ‘ବିଜୁ ଅନୁଗାମୀ' ଶୈଳୀକୁ ଫେରାଇ ନେବା ପାଇଁ ବବି ଗୋଷ୍ଠୀ କସରତ ଚଳାଇଛନ୍ତି । କାରଣ ଏହାଦ୍ୱାରା ବିଜେପିକୁ ଗୋଟିଏ ଅଧିକ ରାଜ୍ୟସଭା ଆସନ ମିଳିବ ଏବଂ ବିଜେଡି ଭିତରେ ଚାଲିଥିବା ଗୋଷ୍ଠୀ କନ୍ଦଳ ମଧ୍ୟ ଦଳକୁ ନିର୍ଣ୍ଣାୟକ ମୋଡ଼କୁ ନେଇଯିବାର ଆଶଙ୍କା ରହିଛି ।
ଆଉ ବିଜେପି ଦିଲ୍ଲୀପଙ୍କୁ ଆୟୁଧ କରି ବିଜେଡିକୁ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ନେବାର ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇନପାରେ । ଯାହାକି ନବୀନଙ୍କ ନେତୃତ୍ୱ ପ୍ରତି ଓ ତାଙ୍କ ରାଜନୈତିକ ଜୀବନରେ ସବୁଠାରୁ ବଡ଼ ବିପର୍ଯ୍ୟୟ ହେବ ବୋଲି ଆକଳନ କରାଯାଉଛି । ଆଉ ଏହା ବିଜେପି ପାଇଁ ‘ୱିିନ୍-ୱିନ୍' ସ୍ଥିତି ହେବ ।
ଓଡ଼ିଶାର ଏକନାଥ ସିନ୍ଧେ ହେବେ କି ବବି?
ନବୀନ (BJD Naveen Patnaik)ଙ୍କ ନିରବତା ତଥା ପାଣ୍ଡିଆନ ଉପରେ ମାତ୍ରାଧିକ ନିର୍ଭରଶୀଳତା, ଦଳ ଭିତରେ ପାଣ୍ଡିଆନ ପ୍ରତି ତୀବ୍ର ଆକ୍ରୋଶ ଯୋଗୁ ନବୀନ-ପାଣ୍ଡିଆନ ବିରୋଧୀ ‘ବିଜୁ ଅନୁଗତମାନେ’ ପରଦା ପଛରେ ରହି ଏବେ ବବିଙ୍କୁ ‘ହିରୋ’ ସଜାଇବାକୁ ଗୋଟି ଚଳାଇଛନ୍ତି । ଦିଲ୍ଲୀପ ଓ ଅନ୍ୟ ବିଜେପି ନେତାମାନଙ୍କ ସହାୟତାରେ କେନ୍ଦ୍ରୀୟ ବିଜେପିର ଆଶୀର୍ବାଦ ଓ ବବିଙ୍କ ପାଖରେ ଥିବା ପାଣ୍ଠି ମାଧ୍ୟମରେ ବିଜେଡିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପାଇଁ ଏଭଳି ଚକ୍ରବ୍ୟୁହ ରଚନା ହୋଇଥିବା ଜଣାପଡ଼ିଛି । ପାଣ୍ଡିଆନଙ୍କ ପ୍ରତି ଦଳ ଭିତରେ ଥିବା ଆକ୍ରୋଶ ହିଁ ପରୋକ୍ଷରେ ଏବେ ବବିଙ୍କୁ ‘ଓଡ଼ିଶାର ଏକନାଥ’ ଭୂମିକାରେ ଅବତୀର୍ଣ୍ଣ କରାଇଛି ଓ ଦଳର ପ୍ରାୟ ୭୦ ପ୍ରତିଶତରୁ ଅଧିକ ବିଧାୟକଙ୍କ ସମର୍ଥନ ମଧ୍ୟ ପାଣ୍ଡିଆନବିରୋଧୀଙ୍କ ପାଖରେ ରହିଛି । ଯାହା ବବିଙ୍କ ପାଇଁ ପରୋକ୍ଷରେ ଆଶୀର୍ବାଦ ବୋଲି କୁହାଯାଉଛି ।
ବିଜେଡିର ଏଭଳି ସ୍ଥିତି ମଧ୍ୟ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ପାଇଁ ‘କର୍ଣ୍ଣ ମଲେ ପାଂଚ, ଅର୍ଜୁନ ମଲେ ବି ପାଂଚ’ ସଦୃଶ ହୋଇଛି । ନବୀନଙ୍କ ବୟାସଧିକ୍ୟ ଓ ପାଣ୍ଡିଆନଙ୍କ ପ୍ରତି ଥିବା ରାଜ୍ୟବାସୀଙ୍କ ଆକ୍ରୋଶ ମଧ୍ୟରେ ‘ନବୀନ-ପାଣ୍ଡିଆନ ବିଜେଡି’କୁ ନିଜ ସହ ରଖିବା ବିଜେପି ପାଇଁ ଆଗାମୀ ଦିନରେ ସମସ୍ୟା ବଢ଼ାଇବାର ଆଶଙ୍କା ରହିଛି । ତେଣୁ ବବିଙ୍କ ନେତୃତ୍ୱରେ ‘ବିଦ୍ରୋହୀ ବିଜେଡି’କୁ ବଳଶାଳୀ କରାଇ ରାଜ୍ୟରେ ନିଜ ପାଇଁ ଦୀର୍ଘସ୍ଥାୟୀ ସହଯୋଗୀ ସୃଷ୍ଟି କରିବାକୁ ବିଜେପି ନେତୃତ୍ୱ ଅଧିକ ପସନ୍ଦ କରିବେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।
ମୋକିମଙ୍କ ନୂଆ ମଂଚ ଓ ବିଦ୍ରୋହୀଙ୍କ ଗୁପ୍ତ ବୈଠକ
କଂଗ୍ରେସରୁ ବିଦା ହୋଇଥିବା ମହମ୍ମଦ ମୋକିମ ଖୁବଶୀଘ୍ର ନୂଆ ଆଞ୍ଚଳିକ ଦଳ ଗଠନ କରିବ ବୋଲି ଘୋଷଣା କରିସାରିଛନ୍ତି । ମୋକିମ୍ ବିଭିନ୍ନ ରାଜନୀତିକ ନେତା(ବିଜୁ ଅନୁଗତ)ମାନଙ୍କୁ ଭେଟିବା ଓ ବିଭିନ୍ନ ଅଂଚଳ ଗସ୍ତ କରିବା ପରେ ସେହି ପ୍ରସ୍ତାବିତ ଦଳରେ ଅସନ୍ତୁଷ୍ଟ ବିଜେଡି ଓ କଂଗ୍ରେସ ନେତା-କର୍ମୀମାନେ ସାମିଲ ହେବେ ବୋଲି ଜଣାପଡ଼ିଛି । ତେବେ ଗଣମାଧ୍ୟମରେ ମୋକିମଙ୍କ ସମ୍ଭାବ୍ୟ ନୂଆ ଦଳକୁ ନେଇ ଚର୍ଚ୍ଚା-ବିଚାରବିମର୍ଶ ଜୋର ହେଉଥିଲେ ମଧ୍ୟ ବାସ୍ତବରେ ପରଦା ପଛରେ ଦିଲ୍ଲୀପଙ୍କ ମ୍ୟାନେଜମେଂଟରେ ‘ବିଜେଡିକୁ ହାଇଜାକ’ ପାଇଁ ମାର୍ଗ ପ୍ରଶସ୍ତ କରାଯାଉଥିବା ଚର୍ଚ୍ଚା ହେଉଛି ।
କଟକରୁ ଗୋପାଳପୁର, ଝୁମୁକା ଫାର୍ମହାଉସରୁ ବାସୁଦେବପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଜେଡି ନେତାମାନେ ମେଳି କରିବା ଏବଂ ଜଣେ ପରେ ଜଣେ ବରିଷ୍ଠ ନେତାଙ୍କ ବୟାନବାଜି ପରେ ‘ପାଣ୍ଡିଆନମୁକ୍ତ ବିଜେଡି’ ନିମନ୍ତେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଥିବାର ସନ୍ଦେହ ଧୀରେଧୀରେ ଦୃଢ଼ ହେବାରେ ଲାଗିଛି । ସମସ୍ତଙ୍କ ନଜର ମୋକିମଙ୍କ ସମ୍ଭାବ୍ୟ ଦଳ ଉପରେ ରହିଥିବାବେଳେ ବିଜୁ ଅନୁଗତ ନେତାମାନଙ୍କ ଦ୍ୱାରା ବବିଙ୍କୁ ବଳଶାଳୀ କରାଇ ବିଜେଡିକୁ ହାଇଜାକ୍ ପାଇଁ ମାର୍ଗ ପ୍ରଶସ୍ତ କରାଯାଉଥିବା ଜଣାପଡ଼ିଛି ।
ମାର୍ଚ୍ଚରେ ସ୍ପଷ୍ଟ ହେବ ବିଜେଡିର ଭାଗ୍ୟ
ତେବେ ରାଜ୍ୟସଭା ନିର୍ବାଚନ (Rajya Sabha Election) ପରେ ହିଁ ବିଜେଡିର ସ୍ଥିତି ଓ ଅସ୍ତିତ୍ୱ ସ୍ପଷ୍ଟ ହୋଇଯିବ । ଯଦି ବବି ଦାସ ଓ ଦିଲ୍ଲୀପ ରାୟଙ୍କ ରଣନୀତି ସଫଳ ହୁଏ, ତେବେ ନବୀନ ପଟ୍ଟନାୟକଙ୍କ ପାଖରେ କେବଳ ‘ସଭାପତି’ ପଦ ରହିବ ଆଉ ଦଳର କ୍ଷମତା ଚାଲିଯିବ ‘ବିଦ୍ରୋହୀ'ଙ୍କ ହାତକୁ । ପାଣ୍ଡିଆନଙ୍କ ପ୍ରତିଆରାକୁ ଶେଷ କରିବା ପାଇଁ ଏହା ବିଜେଡି ଭିତରେ ଥିବା ଏକ ବଡ଼ ଧରଣର ‘ରାଜନୈତିକ ସର୍ଜିକାଲ ଷ୍ଟ୍ରାଇକ୍' ବୋଲି ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
