ରାଜ୍ୟସଭା ନିର୍ବାଚନରେ ବିଜେଡିର ପ୍ରାର୍ଥୀ କିଏ ହେବ ଓ କ’ଣ ତାଙ୍କର ଯୋଗ୍ୟତା ରହିବା ଦରକାର, ସେନେଇ ଦଳ ଆଜି ଇସାରା ଦେଇଛି। ବିଜେଡିର ବରିଷ୍ଠ ନେତା ତଥା ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡା ରାଜ୍ୟସଭା ପାଇଁ ସମ୍ଭାବ୍ୟ ଦଳୀୟ ପ୍ରାର୍ଥୀ ଚୟନର ‘ମାପକାଠି’ ବା ‘ପାରାମଟିର’ ନିର୍ଦ୍ଧାରଣ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏ ଦିଗରେ ବିଚାର କରିବା ଉଚିତ୍ ବୋଲି କହିଛନ୍ତି। ଦଳୀୟ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପୂର୍ବରୁ ଅଶୋକଙ୍କ ଏହି ‘ମାପକାଠି’ ପରୋକ୍ଷରେ ବିଜେଡି ରାଜନୀତିରେ ନୂଆ ବିବାଦର ମଞ୍ଜି ବୁଣିଛି ।
ରାଜ୍ୟସଭା ପାଇଁ ବିଜେଡିର ସମ୍ଭାବ୍ୟ ଆଶାୟୀ ତାଲିକାରେ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା,ଟୁକୁନି ସାହୁ, ସୁଜାତା କାର୍ତ୍ତିକେୟନ୍ ଓ ସନ୍ତୃପ୍ତ ମିଶ୍ର ପ୍ରମୁଖ ରହିଥିବାବେଳେ ସୁପ୍ରିମୋଙ୍କ ପ୍ରତି ଆନୁଗତ୍ୟ ଏବଂ ଦଳ ପାଇଁ ଅବଦାନ ଥିବା ନେତାଙ୍କୁ ହିଁ ରାଜ୍ୟସଭା ପ୍ରାର୍ଥୀ କରିବା ନିମନ୍ତେ ଅଶୋକଙ୍କ ବୟାନ ଏବେ ନବୀନଙ୍କ ଉପରେ ସୁଚିନ୍ତିତ ଢଙ୍ଗରେ ଚାପ ସୃଷ୍ଟି ପାଇଁ ପ୍ରୟାସ ବୋଲି ଚର୍ଚ୍ଚା ହେଉଛି।
ଅଶୋକଙ୍କ ଏହି ବୟାନ ମଧ୍ୟ ସିଧାସଳଖ ନବୀନଙ୍କ ରାଜନୀତିକ ସଚିବ ସନ୍ତୃପ୍ତ ମିଶ୍ରଙ୍କ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି। ବିଗତ ମାସେ-ଦେଢ଼ମାସ ଧରି ସନ୍ତୃପ୍ତ ଯେଭଳି ଅଚାନକ ଦଳୀୟ ବ୍ୟାପାରରେ ସକ୍ରିୟ ହେବାସହ ଗଣମାଧ୍ୟମରେ ନିଜର ଉପସ୍ଥିତି ଜାହିର କରାଉଛନ୍ତି ତାହା ତାଙ୍କର ରାଜ୍ୟସଭା ଯିବାର ମୋହକୁ ପଦାରେ ପକାଇ ଦେଇଛି।
କିଏ ହେବେ ରାଜ୍ୟସଭା ପ୍ରାର୍ଥୀ, ଅଶୋକ ଦେଲେ ଇସାରା
ବିଜେଡି ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ପଣ୍ଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟସଭା ପାଇଁ କିଏ ପ୍ରାର୍ଥୀ ହେବେ ଓ ଦଳ ପାଇଁ କ’ଣ ଭଲ ହେବ ସେନେଇ ଦଳର ନେତା ନିଶ୍ଚିତ ଚିନ୍ତା କରୁଥିବେ। କିନ୍ତୁ ଏହି ପ୍ରାର୍ଥୀ ଚୟନକୁ ନେଇ କିଛି ପାରାମିଟର ରହିବା ଦରକାର। ଯାହାଙ୍କର ଦଳ ପ୍ରତି ଅବଦାନ ଥିବ, ସର୍ବୋଚ୍ଚ ନେତା(ନବୀନ ପଟ୍ଟନାୟକ)ଙ୍କ ପ୍ରତି ଆନୁଗତ୍ୟ ରହିଥିବ ଓ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ସେ ସାମିଲ ହେଉଥିବେ। ତାଙ୍କର ସାଂଗଠନିକ କ୍ଷେତ୍ରରେ ଓ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଦକ୍ଷତା ମଧ୍ୟ ଥିବ ସେଭଳି ନେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଚୟନରେ ଅଗ୍ରାଧିକାର ଦେବା ଉଚିତ୍ । ଜାତୀୟସ୍ତରରେ ବି ଅନ୍ୟ ଦଳଗୁଡ଼ିକ ପୁରୁଖା ନେତାମାନଙ୍କୁ ରାଜ୍ୟସଭା ପାଇଁ ପ୍ରାଥମିକତା ଦିଅନ୍ତି। ତେଣୁ ଦଳର ସ୍ୱାର୍ଥ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗ୍ରହଣୀୟତା ଥିବା ନେତାଙ୍କୁ ପ୍ରାର୍ଥୀ କରିବା ଦିଗରେ ଦଳର ନେତା ବିଚାର କରିବେ ବୋଲି ଅଶୋକ କହିଛନ୍ତି।
ସେ ପରୋକ୍ଷରେ ଦଳ ପାଇଁ ଅବଦାନ ଓ ଆନୁଗତ୍ୟ ଥିବା ପୁରୁଖା ନେତାଙ୍କୁ ରାଜ୍ୟସଭା ଯିବା ସପକ୍ଷରେ ଯୁକ୍ତି ବାଢ଼ିଥିବାବେଳେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିବା ସନ୍ତୃପ୍ତଙ୍କୁ ରାଜ୍ୟସଭା ମୋହ ଉପରେ ଚେକ୍ ଦେବାକୁ ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି।
ସନ୍ତୃପ୍ତ ଅଚାନକ ସକ୍ରିୟ, ଆଶାୟୀ ଅସନ୍ତୃଷ୍ଟ
ଦଳର ରାଜ୍ୟସଭା ପ୍ରାର୍ଥୀତ୍ୱ ନେଇ ଶ୍ରୀ ପଣ୍ଡା ଯେଉଁ ମାପଦଣ୍ଡର ଇସାରା ଦେଇଛନ୍ତି ସେଥିରେ ସନ୍ତୃପ୍ତ ମିଶ୍ର କେଉଁଠି ବି ଖାପ୍ ଖାଉନାହାନ୍ତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କର୍ପୋରେଟ ଜଗତରୁ ଆସିଥିବା ସନ୍ତୃପ୍ତଙ୍କୁ ଦଳ କଟକ ଭଳି ପ୍ରତିଷ୍ଠିତ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ସେ ପରାଜିତ ହେବାସତ୍ତ୍ୱେ ତାଙ୍କୁ ବିଗତ ଦେଢ଼ବର୍ଷ ପୂର୍ବରୁ ନବୀନଙ୍କ ରାଜନୀତିକ ସଚିବ ଓ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି (ରାଜନୀତିକ ବ୍ୟାପାର କମିଟି)ର ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା । ପୁରୁଖା ଦଳୀୟ ନେତାମାନଙ୍କୁ ଅଣଦେଖା କରି ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଖାସ୍ ଅନୁଗତ ଭାବେ ପରିଚିତ ସନ୍ତୃପ୍ତଙ୍କୁ ଦଳରେ ଏଭଳି ପୁରସ୍କୃତ କରାଯାଇଥିଲା ବୋଲି (BijuJanataDal) ଦଳୀୟ ସୂତ୍ରରୁ ଜଣାପଡ଼ିଛି ।
ଏବେ ରାଜ୍ୟସଭା ନିର୍ବାଚନ(Odisha Rajya Sabha election)କୁ ଦୃଷ୍ଟିରେ ରଖି ବିଗତ ମାସେ ଦେଢ଼ମାସ ପୂର୍ବରୁ ସନ୍ତୃପ୍ତ ଅଚାନକ ସକ୍ରିୟ ହୋଇଥାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ପାଣ୍ଡିଆନଙ୍କ ଖାସ୍ ସନ୍ତୃପ୍ତ ଏବେ ବିଭିନ୍ନ ଉପାୟରେ ଗଣମାଧ୍ୟମରେ ନିଜର ଉପସ୍ଥିତି ଜାହିର କରିବା ସହ ଶଙ୍ଖ ଭବନ ଓ ନବୀନ ନିବାସରେ ମଧ୍ୟ ଦୃଶ୍ୟମାନ ହେବାରେ ଲାଗିଛନ୍ତି। ଏପରିକି ସେ ବିଜେଡିର ଜଣେ ପୁରୁଖା ନେତା ଓ ତାଙ୍କର ଅବଦାନ ଦଳ ପ୍ରତି ଯଥେଷ୍ଟ ବୋଲି ଦର୍ଶାଇବାକୁ ମଧ୍ୟ ପଛାଉନାହାନ୍ତି। ଯାହାକୁ ଦଳର ନେତାମାନେ ନାପସନ୍ଦ କରୁଥିବାବେଳେ ଅଶୋକଙ୍କ ବୟାନ ସେମାନଙ୍କ ପାଇଁ ଆଶ୍ୱସ୍ତିକର ପାଲଟିଛି।
ଅଶୋକଙ୍କ ବୟାନ ପରେ ରାଜ୍ୟସଭା ପ୍ରାର୍ଥୀ ଦୌଡ଼ରେ ଆଗରେ ଥିବା ସନ୍ତୃପ୍ତଙ୍କ ସାଂଗଠନିକ ଦକ୍ଷତା ଓ ଦଳ ପ୍ରତି ଅବଦାନ-ଆନୁଗତ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତା’ଛଡ଼ା ଦଳ ପାଖରେ ଏବେ ପାଣ୍ଠିର ଅଭାବ ନାହିଁ। ଦଳ କ୍ଷମତାରେ ଥିବାବେଳେ ଯେତିକି କର୍ପୋରେଟ ଚାନ୍ଦା ପାଉଥିଲା ତା’ଠୁ ଢ଼େର ଅଧିକ ସମ୍ପୃକ୍ତ କର୍ପୋରେଟ ସଂସ୍ଥାକୁ ଫାଇଦା ମଧ୍ୟ ଦେଉଥିଲା। ତେଣୁ କର୍ପୋରେଟ ଚାନ୍ଦା ସଂଗ୍ରହ ଆଳରେ ସନ୍ତୃପ୍ତଙ୍କୁ ଆଗକୁ ଅଣାଯାଉଥିବା ଯୁକ୍ତି ପ୍ରଭାବହୀନ ପାଲଟିବା ସହ ଏହି ‘ପାରାସୁଟ୍ ନେତାଙ୍କ ରାଜ୍ୟସଭା ଯିବା ଆଶାକୁ ମଧ୍ୟ ଅଶୋକ ବୁଲେଇବଙ୍କେଇ ଚେକ୍ ଦେଇଥିବା ଚର୍ଚ୍ଚା ହେଉଛି।
ଦଳ ଭିତରେ ବିଦ୍ରୋହର ପୂର୍ବାଭାସ କି?
ଅଶୋକ ପଣ୍ଡାଙ୍କ ଏହି ବୟାନ କେବଳ ଏକ ବକ୍ତବ୍ୟ ନୁହେଁ, ବରଂ ଏହା ବିଜେଡି ଭିତରେ ଦାନା ବାନ୍ଧୁଥିବା ଅସନ୍ତୋଷକୁ ଇସାରା ଦେଉଥିବା ଜଣାପଡ଼ିଛି। ପାଣ୍ଡିଆନଙ୍କ ଖାସ୍ ଭାବେ ସନ୍ତୃପ୍ତ ନିଜର ଉପସ୍ଥିତି ବିଜେଡିରେ ଜାହିର କରୁଥିଲେ ମଧ୍ୟ ଅଶୋକଙ୍କ ଭଳି ପୁରୁଖା ନେତାମାନେ ତାଙ୍କର ମାମଲାତିକୁ ଗ୍ରହଣ କରିବା ଚକ୍କରରେ ନଥିବା ସ୍ପଷ୍ଟ ହୋଇଛି। ପାଣ୍ଡିଆନ ପରଦା ପଛରେ ରହି ସନ୍ତୃପ୍ତଙ୍କୁ ରାଜ୍ୟସଭା ପାଇଁ ଆଗକୁ ଆଣିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି।
ଯେଉଁଥିପାଇଁ ଅଶୋକ ପଣ୍ଡା ଆଜି ଇସାରା ଇସାରାରେ ବର୍ତ୍ତମାନ ପରିପ୍ରେକ୍ଷୀରେ ପାଣ୍ଡିଆନଙ୍କ ପସନ୍ଦ ଅପେକ୍ଷା ଦଳର ଆବଶ୍ୟକତା ଓ ଆଂଚଳିକ ସ୍ୱାର୍ଥ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ପଷ୍ଟ କରିଛନ୍ତି। ଯଦି ସନ୍ତୃପ୍ତଙ୍କ ଭଳି ଜଣେ ଅଣରାଜନୈତିକ ବ୍ୟକ୍ତିଙ୍କୁ ବିଜେଡି ରାଜ୍ୟସଭା ପଠାଯାଏ, ତେବେ ଏହା ଦେବୀ ମିଶ୍ର ଓ ବବି ଦାସଙ୍କ ଭଳି ପୁରୁଖା ନେତାମାନଙ୍କ ପାଇଁ ଅପମାନ ସଦୃଶ ହେବ । ଆଉ ପାଣ୍ଡିଆନଙ୍କ କାର୍ଯ୍ୟଶୈଳୀକୁ ନେଇ ସୁପ୍ତ ଥିବା ଅସନ୍ତୋଷ ଉଗ୍ରରୂପ ନେବାର ଆଶଙ୍କା ରହିଛି।
ସୂଚନାଯୋଗ୍ୟ, ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ଗୋଟିଏ ଆସନ ଜିଣିବାରେ ସକ୍ଷମ। ଆଉ ଶାସକ ବିଜେପି ବାକି ୩ଟି ରାଜ୍ୟସଭା ଆସନକୁ ନିଜ ଦଖଲରେ ରଖିବ ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us