Advertisment

BJD U-turn : ଉପକୂଳିଆ ନେତାଙ୍କୁ ଜୋନ୍ ଦାୟିତ୍ୱ, ବିବାଦୀୟ ଦିବ୍ୟଶଙ୍କର-ପ୍ରତାପ ଜେନା ବି ସାମିଲ

ସଂଶୋଧିତ କମିଟିରେ ଉପକୂଳ ଓଡ଼ିଶାର ପ୍ରାୟ ୨୫ରୁ ଅଧିକ ଆଗଧାଡ଼ିର ନେତାଙ୍କୁ ମଧ୍ୟ ସାମିଲ କରିବାକୁ ଏକରକମ ବାଧ୍ୟ ହୋଇଛି । ବିବାଦୀୟ ଦିବ୍ୟଶଙ୍କର ମିଶ୍ର ଓ ମାହାଙ୍ଗା ଡବଲ ମର୍ଡର ହତ୍ୟା ଅଭିଯୁକ୍ତ ପ୍ରତାପ ଜେନାଙ୍କୁ ମଧ୍ୟ କମିଟିରେ ସାମିଲ କରିଛି ବିଜେଡି

Naveen-patnaik-123

naveen patnaik

Advertisment

ନୂଆପଡ଼ା ଭୋଟରଙ୍କ ଉପରେ ଜିଲ୍ଲା ବାହାରର ପ୍ରାର୍ଥୀଙ୍କୁ ଲଦି ଦେଇ ନିର୍ବାଚନୀ ମଇଦାନରେ ଲଢ଼େଇ ପୂର୍ବରୁ ଆତ୍ମସମର୍ପଣ କରିସାରିଥିବା ବିଜେଡି ଆଜି ପୁଣିଥରେ ୟୁ-ଟର୍ଣ୍ଣ ନେଇଛି । ସପ୍ତାହକ ପୂର୍ବରୁ ନୂଆପଡ଼ା ଉପନିର୍ବାଚନ ପରିଚାଳନା ପାଇଁ ଜାରି କରିଥିବା ୧୯ଜଣିଆ କମିଟିରେ ଆମୂଳଚୂଳ ପରିବର୍ତ୍ତନ କରିଛି । କେବଳ ସେତିକି ନୁହେଁ ସଂଶୋଧିତ କମିଟିରେ ଉପକୂଳ ଓଡ଼ିଶାର ପ୍ରାୟ ୨୫ରୁ ଅଧିକ ଆଗଧାଡ଼ିର ନେତାଙ୍କୁ ମଧ୍ୟ ସାମିଲ କରିବାକୁ ଏକରକମ ବାଧ୍ୟ ହୋଇଛି । ମମିତା ମେହେର ହତ୍ୟା-ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ବିବାଦୀୟ ଦିବ୍ୟଶଙ୍କର ମିଶ୍ର ଓ ମାହାଙ୍ଗା ଡବଲ ମର୍ଡର ହତ୍ୟା ଅଭିଯୁକ୍ତ ପ୍ରତାପ ଜେନାଙ୍କୁ ମଧ୍ୟ କମିଟିରେ ସାମିଲ କରିଛି ବିଜେଡି ।

Advertisment

ଉପନିର୍ବାଚନ  ମଇଦାନରେ କଂଗ୍ରେସର ଘାସିରାମ ମାଝୀ ଓ ବିଜେପିର ଜୟ ଢ଼ୋଲକିଆ ନିଜର ପ୍ରଚାର ଜୋରଦାର କରିଥିବାବେଳେ ବାହାର ଜିଲ୍ଲାର ନେତ୍ରୀଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ତା’ର ପ୍ରତିବାଦରେ ଗୁରୁବାର ଦଳର ୨୦୨୪ ସାଧାରଣ ନିର୍ବାଚନରେ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ସମେତ ୫୬ଜଣ ସରପଂଚ ଓ ସମିତି ସଭ୍ୟ ଆଜି ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଗତକାଲି ମଧ୍ୟ କୋମନା ବ୍ଲକର ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ଓ ଅନ୍ୟ ୧୮ଜଣ ସରପଂଚ ଓ ୯ଜଣ ସମିତି ସଭ୍ୟ ବିଜେଡି ଛାଡ଼ି ବିଜେପିରେ  ଯୋଗ ଦେଇଥିଲେ ।

ନୂଆପଡ଼ା ଉପନିର୍ବାଚନ ପରିଚାଳନା ପାଇଁ ୫୨ଜଣିଆ କମିଟି

ନୂଆପଡ଼ା ଉପନିର୍ବାଚନ ପରିଚାଳନା ପାଇଁ ବିଜେଡି ଚଳିତମାସ ୮ତାରିଖରେ ୩ଟି କମିଟି ଗଠନ କରି ୧୯ଜଣ ନେତାଙ୍କୁ ଦାୟିତ୍ୱ ନ୍ୟସ୍ତ କରିଥିଲା । ଏଥିରେ ଜଣେ ମଧ୍ୟ ଉପକୂଳବର୍ତ୍ତୀ ଜିଲ୍ଲାର ନେତାଙ୍କୁ ସାମିଲ କରାଯାଇ ନଥିଲା । ମାତ୍ର ଆଜି ପ୍ରକାଶିତ ତାଲିକାରେ ମୋଟ ୫୨ଜଣ ନେତାଙ୍କୁ ଦଳ ନୂଆପଡ଼ା ଉପନିର୍ବାଚନ ଦାୟିତ୍ୱ ନ୍ୟସ୍ତ କରିଛି । ସେଥିରେ ୨୫ରୁ ଅଧିକ ଉପକୂଳ ଓଡ଼ିଶାର ଆଗଧାଡ଼ିର ନେତାମାନେ ସାମିଲ ଅଛନ୍ତି । ତେବେ ଏହି କମିଟିରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ରଙ୍କ ସମେତ ଟୁକୁନି ସାହୁ, ରୋହିତ ପୂଜାରୀ ଓ ନିରଞ୍ଜନ ବିଶିଙ୍କୁ ବାଦ୍ ଦେଇଛି । ଯଦିଓ ଦେବୀଙ୍କୁ ଛାଡ଼ି ଏହି ସମସ୍ତ ନେତାଙ୍କୁ ପୂର୍ବ କମିଟିରେ ସ୍ଥାନ ମିଳିଥିଲା ।

Advertisment

ସର୍ବେସର୍ବାଙ୍କୁ କ୍ଲିନଚିଟ୍ ପାଇଁ ବିଜେଡି ନେତାଙ୍କ ପ୍ରତିଯୋଗିତା

କୋର କମିଟି ଦ୍ୱାରା ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ଅଣଦେଖା କରି ଅନ୍ୟ ଜିଲ୍ଲାରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଣି ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ କରାଯିବା ପଛର ରହସ୍ୟ ଉପରୁ ପରଦା ହଟିବାରେ ଲାଗିଛି । ଗତକାଲି ଦଳୀୟ ପ୍ରାର୍ଥୀ ଘୋଷଣା ପରଠୁ ଦଳର ନେତାମାନେ ଯେଭଳି ଢଙ୍ଗରେ ସ୍ନେହାଙ୍ଗିନୀଙ୍କ ପ୍ରାର୍ôଥତ୍ୱକୁ କ୍ୟାମେରା ଆଗରେ ଯଥାର୍ଥ ଦର୍ଶାଇବାକୁ ପ୍ରୟାସ କରୁଛନ୍ତି ତାହା କେବଳ ବିଜେଡିର ଅଘୋଷିତ ସର୍ବେସର୍ବାଙ୍କ ‘ଅଘୋଷିତ ଡିଲ’କୁ ସୁରକ୍ଷା ଦେବାର ପ୍ରୟାସ ବୋଲି ଚର୍ଚ୍ଚା ହେଉଛି । ଯଦିଓ ଦଳର ଅଧିକାଂଶ ନେତା-କର୍ମୀ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ଓ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟାଶୀଳ ହେବାରେ ଲାଗିଛନ୍ତି ।

ଦଳ ସୂତ୍ରରୁ ଜଣାପଡ଼ିଛି ଯେ, ଜୟ ଢ଼ୋଲକିଆଙ୍କ ପରିବର୍ତ୍ତେ ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରିବା ପାଇଁ ଦଳର ଅଘୋଷିତ ସର୍ବେସର୍ବା ଓ ତାଙ୍କ ଖାସ୍ ଅନୁଗତ ଗତ କିଛିଦିନ ଧରି କସରତ ଚଳାଇଥିଲେ । ଆଉ କୋର୍ ଟିମକୁ ମୋହରା ମଧ୍ୟ ସଜାଇବାକୁ ପଛାଇ ନଥିଲେ । ନିଜର ଅପକର୍ମରୁ ସୁରକ୍ଷିତ ରହିବା ପାଇଁ ବିଜେଡିର ଅଘୋଷିତ ସର୍ବେସର୍ବା ଉପରେ ପଡ଼ି ବିଜେପିକୁ ଖୁସି କରିବା ଚକ୍କରରେ ଜିଲ୍ଲା ବାହାରର ପ୍ରାର୍ଥୀଙ୍କୁ ନୂଆପଡ଼ା ଭୋଟରଙ୍କ ଉପରେ ଲଦି ଦେବାର ରଣନୀତି କରିଛନ୍ତି । ବିଜେଡି ଭୋଟ୍ ବିଭାଜନ ହେଲେ ତା’ର ଅଧିକ ଫାଇଦା ବିଜେପିକୁ ମିଳିବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । 

ସାଧାରଣ ନିର୍ବାଚନରେ ଭିକେ ପାଣ୍ଡିଆନ ନିର୍ବାଚନୀ ପ୍ରଚାର କରିବା ଦ୍ୱାରା ଦଳ ଯେଉଁ ଢଙ୍ଗରେ କ୍ଷତି ସହିଲା ଓ ସରକାରରୁ ବିଦା ହୋଇଗଲା ଏବେ ସେହି ଫର୍ମୂଲାରେ ନୂଆପଡ଼ାବାସୀଙ୍କୁ ଭାବନାତ୍ମକ ଆଘାତ ଦେବା ପାଇଁ ଅନ୍ୟ ଜିଲ୍ଲାରୁ ପ୍ରାୟ ୧୬ମାସ ତଳେ ୨୯ହଜାର ଭୋଟ୍ ବ୍ୟବଧାନରେ ପରାଜିତ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଣି ନୂଆପଡ଼ାବାସୀଙ୍କ ଉପରେ ଲଦି ଦିଆଯାଇଛି । ଏହାସହିତ ନୂଆପଡ଼ା ବିଜେଡିରେ କେହି ଜଣେବି ଯୋଗ୍ୟ ମହିଳା କିମ୍ବା ପୁରୁଷ ନଥିବା ମଧ୍ୟ ବିଜେଡି ନେତୃତ୍ୱ ସିଧାସଳଖ ପ୍ରମାଣିତ କରିବାକୁ ଚାହିଁଛନ୍ତି । ପରଦା ପଛରେ ରହି ଦଳକୁ ତଳିତଳାନ୍ତ କରିବାରେ ଲାଗିଥିବା ଅଘୋଷିତ ସର୍ବେସର୍ବା ନୂଆପଡ଼ା ଉପନିର୍ବାଚନ ପ୍ରଚାର ମଇଦାନକୁ ବିଜେଡି(BJD) ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଓହ୍ଲାଇ ଉଭୟ ଦଳ ଓ ଦଳପତିଙ୍କ ସମ୍ମାନକୁ ବାଜି ଳଗାଇବାକୁ ପଛାଇ ନଥିବା ଚର୍ଚ୍ଚା ହେଉଛି ।

କାହାକୁ କେଉଁଠି ମିଳିଛି ଦାୟିତ୍ୱ

ନୂଆପଡ଼ା ବ୍ଲକ(୧୮ଜଣ): ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ସଞ୍ଜୟ ଦାସବର୍ମା ,ଅରୁଣ ସାହୁ , ପ୍ରତାପ ଜେନା , ଦିବ୍ୟଶଙ୍କର ମିଶ୍ର , ପ୍ରୀତିରଞ୍ଜନ ଘଡ଼ାଇ,ଧ୍ରୁବ ସାହୁ,ମନୋହର ରନ୍ଧାରୀ ,ପ୍ରଦୀପ ଦିଶାରୀ,ତୁଷାରକାନ୍ତି ବେହେରା, ବ୍ରଜ କିଶୋର ପ୍ରଧାନ, ରମେଶ ଚନ୍ଦ୍ର ବେହେରା,ଶାରଦା ପ୍ରସନ୍ନ ଜେନା,ରୋମାଂଚ ରଞ୍ଜନ ବିଶ୍ୱାଳ,ସୁଦର୍ଶନ ହରିପାଲ,ପ୍ରଶାନ୍ତ କୁମାର ବେହେରା,ଦେବୀ ରଞ୍ଜନ ତ୍ରିପାଠୀ ଓ ନିହାର ରଞ୍ଜନ ବେହେରାଙ୍କୁ ବ୍ଲକର ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି ବିଜେଡି ।


ନୂଆପଡ଼ା ଏନଏସି (୮ଜଣ): ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ଶାରଦା ପ୍ରସାଦ ନାୟକ , ଦେବେଶ ଆଚାର୍ଯ୍ୟ , ମନୋରମା ମହାନ୍ତି , ଦୀପାଳି ଦାସ , ଆୟୁବ ଖାନ୍ , ରୀତା ସାହୁ ଓ ସ୍ୱରୂପ ଦାସ କାର୍ଯ୍ୟ କରିବେ ।

କୋମନା ବ୍ଲକ (୧୮ଜଣ): ସେହିପରି ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ପ୍ରତାପ ଦେବ , ଅଧିରାଜ ପାଣିଗ୍ରାହୀ , ପୁଷ୍ପେନ୍ଦ୍ର ସିଂହଦେଓ , ଯୋଗେଶ ସିଂହ,ରବି ନନ୍ଦ,ପ୍ରଦୀପ ମାଝୀ ,ନଳିନୀକାନ୍ତ ପ୍ରଧାନ,ବ୍ୟୋମକେଶ ରାୟ,ସୁଶାନ୍ତ କୁମାର ରାଉତ ,ସୁଭାଶିଷ ଖୁଂଟିଆ , ଜଗନ୍ନାଥ ସାରକା , ସରୋଜ ମେହେର,ବିଶ୍ୱରଞ୍ଜନ ମଲ୍ଲିକ,ଅବିନାଶ ସାମଲ, ଈଶ୍ୱର ପାଣିଗ୍ରାହୀ,ରୋହିତ ଯୋଶେଫ ତିର୍କୀ ଓ ଉମାକାନ୍ତ ସାମନ୍ତରାୟ।

ଖରିଆର ରୋଡ୍ ଏନଏସି(୮ଜଣ) : ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ବିକ୍ରମ ପଣ୍ଡା , କଳିକେଶ ନାରାୟଣ ସିଂହଦେଓ , ପ୍ରଦ୍ୟୁମ୍ନ ତ୍ରିପାଠୀ , ସୌଭିକ ବିଶ୍ୱାଳ , ଗୌତମ ବୁଦ୍ଧ ଦାସ , ପ୍ରଶାନ୍ତ ମୁଦୁଲି ଏବଂ ରୁଦ୍ର ପ୍ରସାଦ ମହାରଥୀ ନିର୍ବାଚନୀ ପରିଚାଳନା କରିବେ ବୋଲି ଜଣାପଡ଼ିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe