Advertisment

ଦିଲ୍ଲୀ ଭୋଟକୁ ମଝିରେ ଗୋଟିଏ ଦିନ: ଅରବିନ୍ଦ କେଜ୍ରିୱାଲ ବନାମ ପିଏମ ନରେନ୍ଦ୍ର ମୋଦି

ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ହେବାକୁ ଥିବା ବେଳେ ୮ରେ ରେଜଲ୍ଟ ପ୍ରକାଶ ପାଇବ।

author-image
Hemant Lenka
PM Modi

PM Modi

ଦିଲ୍ଲୀ ଭୋଟକୁ ମଝିରେ ଗୋଟିଏ ଦିନ ବାକି ରହିଛି। ଆଜି ପ୍ରଚାରର ଶେଷ ଦିନ। ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆପ୍‌ ଓ ବିଜେପି ସମେତ କଂଗ୍ରେସ ମଧ୍ୟ ସବୁ ବଳ ଲଗାଇବାରେ ବ୍ୟସ୍ତ। କଂଗ୍ରେସ ଭୋଟରଙ୍କୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରୁଥିଲେ ହେଁ ଆପ୍‌ ଓ ବିଜେପିର ପଲ୍ଲା ଦିଲ୍ଲୀରେ ଭାରି ରହିଛି। କୁହାଯାଉଛି ଦିଲ୍ଲୀରେ ତ୍ରିପାକ୍ଷିକ ଲଢ଼େଇ ହେବ। କିନ୍ତୁ ବାସ୍ତବରେ ଏବେ ଆପ୍‌ ଓ ବିଜେପି ମଧ୍ୟରେ ପ୍ରକୃତ ଯୁଦ୍ଧ ଦେଖିବାକୁ ମିଳିଛି। 

Advertisment

ଦିଲ୍ଲୀ ଭୋଟକୁ ଆଉ ୪୮ ଘଣ୍ଟା ଥିବାରୁ ଆପ୍‌ ଓ ବିଜେପି ମଧ୍ୟରେ ଲଢ଼େଇ ଚରମସୀମାରେ ପହଞ୍ଚିଛି। ଉଭୟ ଦଳ ପକ୍ଷରୁ ପ୍ରଚାର ମଙ୍ଗ ହେଭିୱେଟମାନେ ସମ୍ଭାଳିଛନ୍ତି। ଆପ୍‌ ବସ୍‌ ଅରବିନ୍ଦ କେଜ୍ରିୱାଲ ପ୍ରଚାରକୁ ଜୋରଦାର କରିଥିବା ବେଳେ ବିଜେପି ପାଇଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗ ଧରିଛନ୍ତି। ଉଭୟ ଦଳର ହେଭିୱେଟ ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ ଚେଷ୍ଟା କରୁଛନ୍ତି।

ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ବହିରୁ ଗୋଟିଏ ପୃଷ୍ଠା ଆଣି ଆଜି ସକାଳେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ କହିବା କଥା ଯେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସାଧାରଣ ଲୋକଙ୍କ ପାଇଁ କିଛି ବି କରି ନାହାନ୍ତି। ସେମାନେ ଗୋଟିଏ ଦଶନ୍ଧି ହେଲା କେବଳ ନିଜର ଶିଳ୍ପପତି ବନ୍ଧୁମାନଙ୍କୁ ଫାଇଦା ଦେଇଛନ୍ତି।

Advertisment

ବିଜେପି କହୁଥିବା ଡବଲ ଇଞ୍ଜିନ ସରକାର ପ୍ରସଙ୍ଗରେ ଆପ୍‌ ବସ୍‌ କେଜ୍ରିୱାଲ କହିଛନ୍ତି, “ଏହା ସ୍ପଷ୍ଟ ହୋଇଛି ଯେ ଯଦି ଏମିତି ସରକାର(ଡବଲ ଇଞ୍ଜିନ ସରକାର) କ୍ଷମତାରେ ରହିବ, ତା’ହେଲେ ସେମାନେ ନିଜର ଚକା ତଳେ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ଦଳି ଦେବେ।”

ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ଏଣିକି ୧୨ ଲକ୍ଷ ଟଙ୍କା ଯାଏ ଆୟ କରୁଥିବା ଲୋକଙ୍କୁ କୌଣସି ପ୍ରକାରର ଆୟକର ଦେବାକୁ ପଡ଼ିବ ନାହିଁ। ଏହି ପ୍ରସଙ୍ଗ ମଧ୍ୟ କେଜ୍ରିୱାଲ ଉଠାଇଛନ୍ତି।

ସେ କହିଛନ୍ତି, “ଆପଣମାନେ ସେମାନଙ୍କୁ(ବିଜେପି) କମ ସିଟ୍‌ ଲୋକସଭାରେ ଦେବା ମାତ୍ରେ(ବିଜେପି ୩୦୩ଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୨୪୦ଟି ଜିତିଛି) ସେମାନେ ତୁରନ୍ତ ୧୨ ଲକ୍ଷ ଟଙ୍କାର ରିହାତି ଦେଇଛନ୍ତି। ଏବେ ଆପଣମାନେ ଯଦି ଦିଲ୍ଲୀରେ ସେମାନଙ୍କୁ ହରାଇ ଦେବେ, ତା’ହେଲେ ସମସ୍ତ ଦ୍ରବ୍ୟ ଗୁଡ଼ିକ ଉପରେ ଲାଗୁଥିବା ଜିଏସ୍‌ଟି ଅଧା ହୋଇଯିବ।” ନିର୍ବାଚନ କମିଶନ ଭାରତୀୟ ଜନତା ପାର୍ଟି ନିକଟରେ ଆତ୍ମସମର୍ପଣ କରି ଦେଇଥିବା ମଧ୍ୟ କେଜ୍ରିୱାଲ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମଧ୍ୟ ଯୁବଗୋଷ୍ଠୀଙ୍କୁ ସମ୍ବୋଧନ କରି ଆପ୍‌କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଦିଲ୍ଲୀରେ ମୁଁ ଶୁଣିବାକୁ ପାଇଛି ଯେ ସେମାନେ(ଆପ୍‌) ପିଲାମାନଙ୍କୁ ୯ମ ଶ୍ରେଣୀ ପରେ ପଢ଼ିବାକୁ ଦେଉ ନାହାନ୍ତି। ଯେଉଁମାନେ ପାସ୍‌ ହେବାର ଗ୍ୟାରେଣ୍ଟୀ ରହିଛି, କେବଳ ସେମାନଙ୍କୁ ପଢ଼ିବାକୁ ଅନୁମତି ମିଳୁଛି। ଏହାର କାରଣ ହେଲା ଯେ ଯଦି ରେଜଲ୍ଟ ଖରାପ ହେବ, ତା’ହେଲେ ସେମାନଙ୍କ(ଆପ୍‌) ଛବି ମଳିନ ପଡ଼ିଯିବ। ଖାସ ଏହି କାରଣ ପାଇଁ ବେଇମାନ କାମ ହେଉଛି।”

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶିକ୍ଷା ଗୋଟିଏ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି। ୩ ପ୍ରମୁଖ ଦଳ-ଆପ, ବିଜେପ ଓ କଂଗ୍ରେସ ଶିକ୍ଷାର୍ଥୀମାନଙ୍କୁ ମାଗଣା ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ତେଣୁ ପ୍ରଚାର ବେଳେ ଏହାର ଝଲକ ବି ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଡାହାଣ ହାତ କୁହାଯାଉଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଜଙ୍ଗପୁରାରେ ଜୋରଦାର ପ୍ରଚାର କରିଛନ୍ତି। ଏଠାରେ କେଜ୍ରିୱାଲଙ୍କ ଅତି ଖାସ ମନୀଷ ସିସୋଦିଆ ଆପ୍‌ ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି। ଏଠାରେ ଶାହ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ପ୍ରସଙ୍ଗ ଉଠାଇ ଆପ୍‌କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, “ସିସୋଦିଆ ଏଠାକୁ ଆସୁଛନ୍ତି। ଆପଣମାନେ ତାଙ୍କୁ ପଚାରିବେ ଯେ ତାଙ୍କୁ କାହିଁକି ପତପାରଗଞ୍ଜ ଆସନ ଛାଡ଼ିବାକୁ ପଡ଼ିଲା? ଜଣେ ଉପ ମୁଖ୍ୟମନ୍ତ୍ରୀ ଭାବେ ସେ ଗୋଟିଏ କାମ କରିଥିଲେ। ସେ ମନ୍ଦିର, ସ୍କୁଲ ଓ ଗୁରୁଦ୍ୱାର ନିକଟରେ ମଦ ଦୋକାନ ଖୋଲିଥିଲେ। ସେ ଏକମାତ୍ର ଶିକ୍ଷା ମନ୍ତ୍ରୀ ଯିଏ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେଲ ଯାଇଥିଲେ।” ୨୦୨୦ରେ ସିସୋଦିଆ ପତପାରଗଞ୍ଜ ଆସନରୁ ବିଜୟୀ ହୋଇଥିଲେ। ତେଣୁ ଶାହ ଏଠାରେ ଉକ୍ତ ପ୍ରସଙ୍ଗ ଉଠାଇଛନ୍ତି।

ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ହେବାକୁ ଥିବା ବେଳେ ୮ରେ ରେଜଲ୍ଟ ପ୍ରକାଶ ପାଇବ। ଆପ୍‌ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ଦଖଲ ଉଦ୍ଦେଶ୍ୟ ରହିଥିବା ବେଳେ ବିଜେପି ୨୭ ବର୍ଷ ପରେ ସରକାର ଗଠନ କରିବା ପାଇଁ ସବୁ ବାଜିରେ ଲଗାଇ ଦେଇଛି। କଂଗ୍ରେସ ଦୁଇଟି ଯାକ ବିଧାନସଭା ନିର୍ବାଚନରେ ଖାତା ଖୋଲି ପାରି ନଥିଲା। ଏଥର ଦଳ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି।

PM Modi Arvind Kejriwal Delhi Election