/odisha-reporter/media/post_attachments/uploads/2021/08/BJP-9.jpg)
BJP
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଦିବାସୀଙ୍କ ଅଧିକାରକୁ ରାଜ୍ୟ ସରକାର ଉଦ୍ଦେଶ୍ୟମୂଳକ ଭାବେ କ୍ଷୂଣ୍ଣ କରୁଛନ୍ତି। ୨୨ବର୍ଷ ଧରି ଆଦିବାସୀଙ୍କୁ ସେମାନଙ୍କର ହକରୁ ବଂଚିତ କରିଛନ୍ତି । ଆଦିବାସୀଙ୍କୁ ନ୍ୟାୟ ନମିଳିଲେ ପଂଚାୟତସ୍ତରକୁ ଯାଇ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।
ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ ଆଜି ଦଳର ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ବିଜେଡି ସରକାର ସ୍ଥାଣୁତା ଓ ଅପାରଗତା ଯୋଗୁ ରାଜ୍ୟର ମୋଟ ଜନସଂଖ୍ୟାର ୨୩ ପ୍ରତିଶତ ଥିବା ଅନୁସୂଚିତ ଜନଜାତି ବର୍ଗର ଲୋକେ ଦିନକୁ ଦିନ ପଛେଇବାରେ ଲାଗିଛନ୍ତି। ଆଦିବାସୀ ବିକାଶ ପରିଷଦରେ ନିଜ ଦଳୀୟ ନେତାଙ୍କୁ ଥଇଥାନ କରିବା, ଜଙ୍ଗଲ ଜମି ପଟ୍ଟା ପ୍ରଦାନରେ ଆଦିବାସୀଙ୍କ ଭାବାବେଗ ସହ ଖେଳିବାକୁ ବିଜେଡି ସରକାର ପଛାଉ ନାହିଁ ।‘ବସୁନ୍ଧରା ଯୋଜନା’ରେ ପ୍ରତ୍ୟେକ ଗ୍ରାମାଂଚଳ ପରିବାରକୁ ୪ଡିସିମିଲ ଏବଂ ସହରାଂଚଳରେ ଥିବା ପ୍ରତ୍ୟେକ ପରିବାରକୁ ୨ଡିସିମିଲ ଘରଡିହ ପଟ୍ଟା ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ ରାଜ୍ୟ ସରକାର ହିତାଧିକାରୀ ଚିହ୍ନଟ କରିବାରେ ବିଫଳ ହୋଇଛନ୍ତି ।
ଆଦିବାସୀ ବିରୋଧୀ ରାଜ୍ୟ ସରକାର ଏହି ଆଇନକୁ ଖୋଲାଖୋଲି ଉଲଂଘନ କରି ଖଣିଜ ପାଣ୍ଠିକୁ ଦଳୀୟ କାର୍ଯ୍ୟ ଓ ନେତାଙ୍କ ପାଇଁ ବ୍ୟବହାର କରୁଛନ୍ତି । ଶାସନ ପ୍ରଣାଳୀକୁ ଗ୍ରାମାଭିମୁଖି କରିବା ହେଉଛି କେନ୍ଦ୍ର ସରକାରଙ୍କ ମୂଳ ଉଦ୍ଦେଶ୍ୟ ଏବଂ ଗ୍ରାମସଭାକୁ ଗୁରୁତ୍ୱ ଦେଇଛନ୍ତି । ପଂଚଦଶ ଅର୍ଥ କମିଶନଙ୍କ ସୁପାରିକ୍ରମେ ଆସୁଥିବା ଅନୁଦାନ ଅର୍ଥକୁ ଆଦିବାସୀମାନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯାଉନାହିଁ । ରାଜ୍ୟ ସରକାର ଗ୍ରାମସଭାକୁ କୋଣଠେସା କରିଦେଇ ଆଦିବାସୀମାନଙ୍କୁ ପ୍ରତାରଣା କରୁଥିବାରୁ କାର୍ଯ୍ୟକାରିଣୀ ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ଏକଲବ୍ୟ, ଆଶ୍ରମ ଓ ସେବାଶ୍ରମ ବିଦ୍ୟାଳୟ ସମେତ ଆବାସିକ ବିଦ୍ୟାଳୟଗୁଡିକର ଦୟନୀୟ ହଷ୍ଟେଲ ବ୍ୟବସ୍ଥା, ଛାତ୍ରଛାତ୍ରୀ ଅନୁପାତରେ କମ୍ ସଂଖ୍ୟାରେ ଶିକ୍ଷକ, ବାଳିକା ଆବାସିକ ବିଦ୍ୟାଳୟରେ ନିର୍ଯ୍ୟାତନା ଆଦି ଘଟଣାରେ ରାଜ୍ୟ ସରକାର ସଂପୂର୍ଣ୍ଣ ନୀରବ ରହିବା ଏବଂ ସମସ୍ୟାର ସମାଧାନ ପାଇଁ କର୍ଣ୍ଣପାତ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ । ଆଦିବାସୀ ବିଧାୟକ, ବିଭିନ୍ନ ବିଭାଗର ଅଧ୍ୟକ୍ଷ, ସେମାନଙ୍କ ଅଧିକାରରୁ ବଂଚିତ ହେଉଛନ୍ତି । ରାଜ୍ୟ ସରକାର ଜାଣିଶୁଣି ଆଦିବାସୀ ଓ ଜନଜାତି ବର୍ଗର ଲୋକଙ୍କୁ ଉପେକ୍ଷା କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।
ଆଜି ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଗଜେନ୍ଦ୍ର ସିଂ ପଟେଲଙ୍କ ସମେତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚାର ଅଧ୍ୟକ୍ଷ ସମୀର ଓରାଙ୍ଗ, ରାଜ୍ୟ ପ୍ରଭାରୀ ଲକ୍ଷ୍ମଣ ଟୁଡ଼ୁ, ସହପ୍ରଭାରୀ ମହେଶ ଗାଗଡ଼ା ପ୍ରମୁଖଙ୍କ ସମେତ ଜନଜାତି ବର୍ଗର ସମସ୍ତ ବିଧାୟକ, ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକାରିଣୀରେ ପୌର ଓ ପଂଚାୟତ ନିର୍ବାଚନ ଦିଗରେ ଆବଶ୍ୟକ ପ୍ରସ୍ତୁତି ପାଇଁ ମଧ୍ୟ ଆଲୋଚନା ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
