ତାମିଲନାଡୁ ରାଜନୀତି ସବୁବେଳେ ମେଣ୍ଟ ଉପରେ ନିର୍ଭ କରେ। ନିକଟରେ ଏହାର ଅନେକ ଉଦାହରଣ ଆମେ ଦେଖିଛୁ। ଏଆଇଏଡିଏମକେ ଓ ବିଜେପି ୨୦୨୪ ଲୋକସଭା ନିର୍ବାଚନ ଅଲଗା ଅଲଗା ଲଢ଼ିଥିଲେ। ଏହାର ରେଜଲ୍ଟ ମଧ୍ୟ ଆଦୌ ଉତ୍ସାହଜନକ ନଥିଲା। ୨୦୨୬ରେ ତାମିଲନାଡୁ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ବିଜେପି-ଏଆଇଏଡିଏମକେ ଶୁକ୍ରବାର ଠାରୁ ଏକାଠି ହୋଇଛନ୍ତି। କିନ୍ତୁ ଏଆଇଏଡିଏମକେ ହେଉଛି ଦୁଇ ଭାଗ ହୋଇ ସାରିଥିବା ଦଳ। ସେହିପରି ବିଜେପି ତାମିଲନାଡୁରେ ନିଜର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଥିବା ଗୋଟିଏ ଦଳ। ତେଣୁ ଉଭୟ ଦଳ ମେଣ୍ଟ କରି କ’ଣ ପାଇବାକୁ ଓ କ’ଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି?
ତାମିଲନାଡୁ ନିର୍ବାଚନ ମେଣ୍ଟର ଖେଳ। ଏଆଇଏଡିଏମକେ ଓ ବିଜେପି ମେଣ୍ଟ କ୍ଷମତାସୀନ ଡିଏମକେ ବିରୋଧୀ ଭୋଟ ଉପରେ ନିର୍ଭରଶୀଳ। ମେଣ୍ଟରେ ବିଜେପି କମ ସିଟ୍ ପାଇବ। ବିଜେପିର ଆଣ୍ଟି ଡିଏମକେ ଭୋଟ ନିଶ୍ଚିତ ଭାବେ ଏଆଇଏଡିଏମକେକୁ ଯିବ। କିନ୍ତୁ ଏଆଇଏଡିଏମକେର ଭୋଟ ବିଜେପିକୁ ଯିବା ସମ୍ଭାବନା କମ। ଯଦି ଏହା ସତ, ତା’ହେଲେ ବିଜେପି ତା’ର ତାମିଲନାଡୁ ସଭାପତି କେ ଆନ୍ନାମଲାଇଙ୍କ ବଳି ଚଢ଼ାଇ କାହିଁକି ମେଣ୍ଟ କରିବାକୁ ଆଗେଇ ଆସିଲା? ବିଜେପିକୁ କ୍ଷମତାସୀନ ଡିଏମକେ ଯିଏ କି ଗୋଟିଏ ଦ୍ରାବିଡିଆନ ପାର୍ଟି ତାମିଲ ବିରୋଧୀ ଭାବେ ଚିତ୍ରଣ କରି ଆସୁଛି। ଏପରି ସ୍ଥିତିରେ ରାଜ୍ୟର ଅନ୍ୟତମ ଦ୍ରାବିଡିଆନ ପାର୍ଟି ଏଆଇଏଡିଏମକେ କାହିଁକି ବିଜେପି ସହ ମେଣ୍ଟ କଲା?
ଏଆଇଏଡିଏମକେ ସହ ଡିଲ ପାଇଁ ଆନ୍ନାମଲାଇଙ୍କ ବଳି ଦେଲା ବିଜେପି?
୨୦୨୪ରେ ଆନ୍ନାମଲାଇଙ୍କ ନେତୃତ୍ୱାଧୀନ ବିଜେପି ଅବଶ୍ୟ ଗୋଟିଏ ହେଲେ ଲୋକସଭା ଆସନ ତାମିଲନାଡୁରେ ଜିତି ପାରି ନଥିଲା। କିନ୍ତୁ ଆଇପିଏସରୁ ନେତା ବନିଥିବା ଆନ୍ନାମଲାଇ ବିଜେପିର ଭୋଟ ଶେୟାରକୁ ୭%କୁ ବୃଦ୍ଧି କରିପାରିଥିଲେ। ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଉଠାଇ ରାଜ୍ୟରେ ବିଜେପିକୁ ସକ୍ରିୟ ରଖିଥିଲେ। ରିପୋର୍ଟରେ ଦାବି କରାଯାଇଛି ଯେ ଏଆଇଏଡିଏମକେ ସହ ମେଣ୍ଟ ସେତେବେଳେ ସମ୍ଭବ ହେଲା ଯେତେବେଳେ ବିଜେପି ଆନ୍ନାମଲାଇଙ୍କୁ ତାମିଲନାଡୁ ସଭାପତି ପଦରୁ ହଟାଇଲା।
କାରଣ ଆନ୍ନାମଲାଇ ଏଆଇଏଡିଏମକେର ପୁରୁଖା ନେତ୍ରୀ ଜେ ଜୟଲଳିତା ଓ ସିଏନ ଆନ୍ନାଦୁରାଇଙ୍କୁ ସମାଲୋଚନା କରିଥିଲେ। ଏଥିଯୋଗୁ ୨୦୨୩ରେ ଏଆଇଏଡିଏମକେ ଓ ବିଜେପି ଅଲଗା ହୋଇଯାଇଥିଲେ। ବିଜେପିର ତାମିଲନାଡୁ ଶାଖା ନୂଆ ସଭାପତି ପାଇବାକୁ ଯାଉଥିବା ସ୍ପଷ୍ଟ ହେବାର କିଛି ଘଣ୍ଟା ପରେ ଏଆଇଏଡିଏମକେ ସହ ଦଳର ମେଣ୍ଟ ଚୂଡ଼ାନ୍ତ ରୂପ ନେଇଥିଲା। ଏବେ ବିଜେପିର ରାଜ୍ୟ ସଭାପତି ଭାବେ ନୈନାର ନଗେନ୍ଦ୍ରନ କାମ କରିବେ। ଆନ୍ନାମଲାଇ ହିଁ ତାଙ୍କ ନାଁ ସଭାପତି ପଦ ପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ ସମସ୍ତେ ଗ୍ରହଣ ବି କରିଛନ୍ତି।
୨୦୧୧ ଓ ୨୦୧୬ ବିଧାନସଭା ନିର୍ବାଚନରେ ଉଭୟ ଦଳ ଅଲଗା ଅଲଗା ଲଢ଼ିଥିଲେ। ଏହି ସମୟରେ ଏଆଇଏଡିଏମକେ ଯଥାକ୍ରମେ ୨୦୩ ଓ ୧୩୬ଟି ଆସନ ଜିତିଥିଲା। ଏଥିସହ ସରକାର ବି ଗଠନ କରିଥିଲା। ୨୦୨୧ ବିଧାନସଭା ନିର୍ବାଚନରେ ଉଭୟ ଏକାଠି ଲଢ଼ିଥିଲେ ଓ ୨୩୪ ଆସନରୁ ୬୬ଟିରେ ଜିତିଥିଲେ। ଏଆଇଏଡିଏମକେ ୬୨ଟି ଓ ବିଜେପି କେବଳ ୪ଟି ଆସନ ଜିତି ପାରିଥିଲା।
୨୦୧୬ ଜୟଲଳିତାଙ୍କ ମୃତ୍ୟଚୁ ପରେ ଏଆଇଏଡିଏମକେ ଅପେକ୍ଷାକୃତ ଭାବେ ଦୁର୍ବଳ ହୋଇଯାଇଛି। କିନ୍ତୁ ଏବେ ଏହାର ବିଶ୍ୱସ୍ତ ଭୋଟ ବ୍ୟାଙ୍କ ରହିଛି। ଏହି ଭୋଟ ବ୍ୟାଙ୍କ ତାମିଲନାଡୁରେ ବିଜେପି ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ୨୦୨୧ ବିଧାନସଭା ନିର୍ବାଚନରେ ଏଆଇଏଡିଏମକେର ଭୋଟ ଭାଗ ୩୯.୭% ରହିଥିଲା। ଏଥିରୁ ଏଆଇଏଡିଏମକେର ବିଶ୍ୱସ୍ତ ଭୋଟ ବ୍ୟାଙ୍କର ଉଦାହରଣ ସ୍ପଷ୍ଟ ଭାବେ ମିଳିଛି।
ମେଣ୍ଟ କରି କ’ଣ ହାସଲ କରିବାକୁ ଚାହୁଁଛନ୍ତି ଏଆଇଏଡିଏମକେ ଓ ବିଜେପି?
ଶୁକ୍ରବାର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ ନିଶ୍ଚିତ କରିଥିଲେ ଯେ ତାଙ୍କ ଦଳ ଓ ଏଆଇଏଡିଏମକେ ଏକାଠି ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏନଡିଏ ମେଣ୍ଟ ଅଧୀନରେ ଉଭୟ ଦଳ ନିର୍ବାଚନ ମୈଦାନକୁ ଓହ୍ଲାଇବେ। ତାମିଲନାଡୁରେ ମେଣ୍ଟର ନେତୃତ୍ୱ ଏଆଇଏଡିଏମକେର ମୁଖ୍ୟ କେ ପଲାନିସ୍ୱାମୀ ନେବେ।
ଜୟଲଳିତାଙ୍କ ମୃତ୍ୟୁ ପରେ ଏଆଇଏଡିଏମକେରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଯାଇଥିଲା। ପଲାନିସ୍ୱାମୀ ଓ ତତ୍କାଳୀନ ଦଳର ମୁଖ୍ୟ ଓ ପନ୍ନିରସେଲଭମଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏଥିଯୋଗୁ ଦଳକୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ରାଜନୀତିକ ପଣ୍ଡିତଙ୍କ ମତରେ ବିଧାନସଭା ନିର୍ବାଚନରେ କିଛି ପାଇବା ପାଇଁ ଉଭୟ ଦଳକୁ ମେଣ୍ଟର ଆବଶ୍ୟକ ରହିଥିଲା। ଇପିଏସ୍ ମେଣ୍ଟର ଚେହେରା ହୋଇଥିବାରୁ ତାମିଲନାଡୁରେ ଆନ୍ଧ୍ର ପ୍ରଦେଶର ଝଲକ ଦେଖିବାକୁ ମିଳିଛି।
ଆନ୍ଧ୍ରରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ବଡ଼ ଭାଇ ଓ ବିଜେପି ସାନ ଭାଇ ଭୂମିକାରେ ରହିଥିଲେ। ଏଠାରେ ମଧ୍ୟ ସମାନ ସ୍ଥିତି ଦେଖାଯାଇଛି। ୨୦୨୪ ଆନ୍ଧ୍ର ବିଧାନସଭା ନିର୍ବାଚନରେ ଚନ୍ଦ୍ରବାବୁଙ୍କ ଟିଡିପି, ପବନ କଲ୍ୟାଣଙ୍କ ଜନ ସେନା ଓ ବିଜେପି ମିଳିତ ଭାବେ ଲଢ଼ିଥିଲେ। ବିଜେପି ୮ଟି ଆସନ ଜିତିଥିବା ବେଳେ ଟିଡିପି ୧୩୫ ଓ ଜନ ସେନା ୨୧ଟି ଆସନ ଜିତି ମେଣ୍ଟ ସରକାର ଗଠନ କରିଛନ୍ତି। ପୂର୍ବରୁ ଆନ୍ଧ୍ରରେ କ୍ଷମତାରେ ଥିବା ୱାଇଏସଆର କଂଗ୍ରେସ ୧୧ଟି ଆସନକୁ ଖସି ଆସିଥିଲା।
୨୦୨୪ ଲୋକସଭା ନିର୍ବାଚନ ମଧ୍ୟ ବିଧାନସଭା ଭୋଟ ବେଳେ ହୋଇଥିଲା। ଏଥିରେ ଟିଡିପି ନେତୃତ୍ୱାଧୀନ ମେଣ୍ଟ ୨୫ଟି ଆସନରୁ ୨୧ଟି ଜିତିଥିଲା। ସମାନ କଥା ତାମିଲନାଡୁରେ ରିପିଟ କରିବାକୁ ବିଜେପି ଲକ୍ଷ୍ୟ ରଖିଛି।
୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଓ ଏଆଇଏଡିଏମକେ ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ। ବିଶେଷଜ୍ଞଙ୍କ ମତରେ ୩୯ଟି ଲୋକସଭା ଆସନରୁ ୧୩ଟି ସ୍ଥାନରେ ଦୁଇ ଦଳ ମଧ୍ୟରେ ଭୋଟ ବିଭାଜନ ହୋଇଥିଲା। ପରିସଂଖ୍ୟନକୁ ଦେଖିଲେ ଏଆଇଏଡିଏମକେ ଓ ବିଜେପି ମେଣ୍ଟ ବାହାରକୁ ଭଲ ଦେଖାଯାଉଛି। ଯଦି ଆପଣମାନେ ସଂଖ୍ୟାକୁ ଦେଖିବେ, ତା’ହେଲେ ୨୦୨୧ ବିଧାନସଭା ନିର୍ବାଚନରେ ଏଆଇଏଡିଏମକେ ଓ ଡିଏମକେ ମଧ୍ୟରେ ଭୋଟ ଶେୟାର ବ୍ୟବଧାନ ମାତ୍ର ୫% ରହିଥିଲା।
କିନ୍ତୁ ସିଟ୍କୁ ଦେଖିଲେ ଉଭୟ ଦଳ ମଧ୍ୟରେ ବହୁତ ବଡ଼ ବ୍ୟବଧାନ ଦେଖିବାକୁ ମିଳିଥିଲା। ତେଣୁ ୨୦୨୬ ବିଧାନସଭା ନିର୍ବାଚନ ଏଆଇଏଡିଏମକେ ଓ ବିଜେପି ପାଇଁ କିଛି କମାଲ କରିବାର ଶ୍ରେଷ୍ଠ ସୁଯୋଗ। ଯଦି ୨୦୨୪ ଲୋକସଭା ନିର୍ବାଚନ ଭଳି ସେମାନେ କିଛି କରିଥାଆନ୍ତେ, ତା’ହେଲେ ଡିଏମକେ ଓ ଏହାର ମେଣ୍ଟ ଦଳଗୁଡ଼ିକ ବେଶ ସହଜରେ ବାଜି ମାରି ନେଇଥାଆନ୍ତେ।
ତାମିଲନାଡୁ ନିର୍ବାଚନ ସମୀକରଣ ଅଭିନେତାରୁ ନେତା ହୋଇଥିବା ବିଜୟଙ୍କ ଯୋଗୁ ମଧ୍ୟ ବଦଳି ପାରେ। ବିଜୟ ନିକଟରେ ଟିଭିକେ ନାମରେ ଦଳ ଲଞ୍ଚ କରିଛନ୍ତି। ୨୦୨୪ରେ ତାଙ୍କ ଦଳ ନିର୍ବାଚନ ଲଢ଼ି ନଥିଲା। କିନ୍ତୁ ବିଜୟ ୨୦୨୬ରେ ମୈଦାନକୁ ଓହ୍ଲାଇବେ। ବିଜୟ କ୍ରମାଗତ ଭାବେ ବିଜେପି ଓ ଡିଏମକେକୁ ସମାଲୋଚନା କରି ଚାଲିଛନ୍ତି। କିନ୍ତୁ ଏଆଇଏଡିଏମକେ ପ୍ରତି ସେ ବେଶ ସତର୍କତାର ସହ ବୟାନ ଦେଉଛନ୍ତି।
ଯୁବଗୋଷ୍ଠୀ ଓ ପ୍ରଥମଥର ଭୋଟ ଦେବାକୁ ଯାଉଥିବା କିଶୋରଙ୍କ ମଧ୍ୟରେ ବିଜୟଙ୍କୁ ନେଇ ବେଶ କ୍ରେଜ ରହିଛି। ସହରାଞ୍ଚଳ ଓ ମଧ୍ୟବିତ୍ତଙ୍କ ଭୋଟକୁ ପ୍ରଭାବିତ କରିବାରେ ତାଙ୍କ ଦଳ ଟିଭିକେ ସଫଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବିଜୟଙ୍କ ଏଣ୍ଟ୍ରୀ ରାଜ୍ୟ ନିର୍ବାଚନକୁ ଅଲଗା ଦିଗକୁ ନେଇପାରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।