Advertisment

ପୁଲିସ ଓ ଗଞ୍ଜେଇ ମାଫିଆଙ୍କ ଅନୈତିକ ମେଂଟ ପାଇଁ ଫିରିଙ୍ଗିଆ ଥାନା ପୋଡ଼ି: ବିଜେପି

ଏ ଅଂଚଳରେ ଥାନାପୋଡ଼ି ପ୍ରଥମ ନୁହେଁ । ଅତୀତରେ ଦୁଇ ଦୁଇ ଥର ଏଭଳି ଘଟଣା ଘଟିଥିଲେ ମଧ୍ୟ ପୁଲିସ ପ୍ରଶାସନ କାହିଁକି ସତର୍କ ହୋଇ ଅଧିକ ଫୋର୍ସ ମୁତୟନ କରିନଥିଲେ ?

BJP

BJP

Advertisment

ପୁଲିସ ଓ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା ଯୋଗୁ କନ୍ଧମାଳ ଜିଲ୍ଲାରେ ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ହୋଇଛି ବୋଲି ବିଜେପି ଅଭିଯୋଗ କରିଛି । ଏହାସହିତ ଥାନା ପୋଡ଼ିରେ ସମ୍ପୃକ୍ତ ନଥାଇ ସ୍ଥାନୀୟ ସାଧାରଣ ଲୋକଙ୍କୁ ଗିରଫ କିମ୍ବା ଅତ୍ୟାଚାର କଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଉପରେ ବିଜେପି ଚେତାବନୀ ଦେଇଛି ।

Advertisment

ଫିରିଙ୍ଗିଆ ଥାନା ପୋଡ଼ି ମାମଲାରେ ଥାନା ଆଇଆଇସି ତପନ ନାହାକଙ୍କୁ ଆଜି ବଦଳି କରାଯାଇଥିବାବେଳେ ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିବା ବିଜେପି ପ୍ରତିନିଧି ଦଳ ଆଜି କଡ଼ା ଭାଷାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଏହି ଗସ୍ତରୁ ଫେରିବା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ, କନ୍ଧମାଳ ଜିଲ୍ଲା ପୂର୍ବରୁ ଅଦା, ହଳଦୀ, କଦଳୀ ଚାଷ ପାଇଁ ସୁଖ୍ୟାତି ଅର୍ଜନ କରିଥିବା କନ୍ଧମାଳ ଆଜି ଗଂଜେଇ ଚାଷ ପାଇଁ ଚର୍ଚ୍ଚାର ବିଷୟ ସାଜିଛି । ପୁଲିସ ପ୍ରତି ସାଧାରଣ ଲୋକଙ୍କର ଅବିଶ୍ୱାସ ଓ ଘୃଣା ଭାବ ଯୋଗୁଁ ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ଭଳି ସମ୍ବେଦନଶୀଳ ଘଟଣା ଘଟିଯାଇଛି । ଫିରିଙ୍ଗିଆ ଘଟଣାର ମୁଖ୍ୟନାୟକ ତଥା ଫିରିଙ୍ଗିଆ ଥାନାଧିକାରୀ ତପନ ନାହାକ ଓ ସଂପୃକ୍ତ ହୋମଗାର୍ଡଙ୍କୁ ଏଯାଏଁ କାହିଁକି ଗିରଫ କରାଯାଇ ନାହିଁ ? ଗଂଜେଇ ଥିବା ପୁଲିସ ଗାଡିକୁ ଜବତ୍ କରାଯାଇ ନାହିଁ କାହିଁକି ? ଗଞ୍ଜେଇ ଚାଲଣରେ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ କିଏ ସୁରକ୍ଷା ଦେଉଛି ? ବାଡ଼ ଏଠି ଖେତ ଖାଇଥିବାରୁ ତା’ର ପରିଣାମ ଫିରିଙ୍ଗିଆ ଥାନା ପୋଡ଼ି ବୋଲି ଶ୍ରୀ ତ୍ରିପାଠୀ କଟାକ୍ଷ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୩ ତାରିଖ ରାତିରେ ଫିରିଙ୍ଗିଆ ଅଂଚଳର ସାଧାରଣ ଲୋକେ ଗୋଟିଏ ପୁଲିସ ଗାଡ଼ିକୁ ଅଟକାଇଥିଲେ । ସେହି ଗାଡ଼ିରେ ୨ଜଣ ହୋମଗାର୍ଡ ଗଞ୍ଜେଇ ନେଇ ଯାଉଥିଲେ । ସାଧାରଣ ଜନତା ସେମାନଙ୍କୁ ଅଟକାଇ ପଚାରିବାରୁ ସେମାନେ କହିଥିଲେ ଯେ, ଆଇଆଇସି ତପନ ନାହାକ ଗଞ୍ଜେଇ ବିକ୍ରି କରିବାକୁ ପଠାଇଛନ୍ତି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏ ସମସ୍ତ ପ୍ରମାଣ ସ୍ଥାନୀୟ ବାସିନ୍ଦା ଉଚ୍ଚପଦସ୍ତ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ କି ଗଞ୍ଜେଇ ଗାଡିକୁ ଜବତ କରାଗଲା ନାହିଁ । ଏହାପରେ ଗତ ୫ତାରିଖ ଦିନ ସାଧାରଣ ଜନତାଙ୍କ ଅସନ୍ତୋଷ ଉଗ୍ରରୂପ ଧାରଣ କରି ଫିରିଙ୍ଗିଆ ଛକରେ ରାସ୍ତା ଅବରୋଧ କରିବା ସହ ଥାନାକୁ ନିଆଁ ଲଗାଇବା ଭଳି ପରିସ୍ଥିତି ସୃଷ୍ଟି ହେଲା । ପୁଲିସ୍ ପ୍ରଶାସନର ସ୍ଥାନୀୟ ବାସିନ୍ଦାଙ୍କ ଉପରେ ବାରମ୍ବାର ଜୁଲମ୍ କାରଣରୁ ଆଜି ପୁଲିସ୍‌ର ବିଶ୍ୱାସନୀୟତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

Advertisment

ସେ କହିଛନ୍ତି ଯେ, ସରଜମିନ୍ ଯାଂଚବେଳେ ସ୍ଥାନୀୟ ବାସିନ୍ଦା ଯେଉଁ ଅଭିଯୋଗ କରିଛନ୍ତି ତାହା ଅତ୍ୟନ୍ତ ସାଂଘାତିକ । ଫିରିଙ୍ଗିଆ ଅଂଚଳର ସରଳ ଓ ନିରୀହ ଆଦିବାସୀ ଭାଇ ଭଉଣୀମାନଙ୍କୁ ବାହାର ଅଂଚଳରୁ ଆସିଥିବା ମାଫିଆ ଓ ଦଲାଲମାନେ ଗଞ୍ଜେଇ ଚାଷ ପାଇଁ ପ୍ରବର୍ତାଉଛନ୍ତିି ଏବଂ ସ୍ଥାନୀୟ ପୁଲିସ ପ୍ରଶାସନ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତିି । ଯିଏ ଏହି ଅଂଚଳରେ ଗଞ୍ଜେଇ ଚାଷ କରୁନାହିଁ ସେମାନଙ୍କୁ ପୁଲିସ ଅଧିକାରୀ ଡର, ଭୟ, ମାଡ଼, ଧମକ, ମିଛ କେସ୍ ଓ ଗିରଫ କରିବାର ଧମକ ଦେଉଛି । ବାହାର ରାଜ୍ୟର ଦଲାଲଙ୍କ ସହିତ ସ୍ଥାନୀୟ ଅଚଂଳର ପୁଲିସ ଅଧିକାରୀଙ୍କ ସହଯୋଗ ରହୁଥିବାରୁ ପାଟନା, ରାୟପୁର, ବିଶାଖାପାଟଣା, ହାଇଦ୍ରାବାଦ, ମୁମ୍ବାଇ ବିଭିନ୍ନ ଅଂଚଳକୁ ଏହି ଗଞ୍ଜେଇ ଚାଲାଣ ହେଉଛି । ବାସ୍ତବରେ ଗଞ୍ଜେଇ ବେପାରର ମାଷ୍ଟରମାଇଣ୍ଡକୁ ପୁଲିସ ନିଜେ ହିଁ ସୁରକ୍ଷା ଦେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିବା ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଜାଣିବାକୁ ପାଇଛି ।

ଏ ଅଂଚଳରେ ଥାନାପୋଡ଼ି ପ୍ରଥମ ନୁହେଁ । ଅତୀତରେ ଦୁଇ ଦୁଇ ଥର ଏଭଳି ଘଟଣା ଘଟିଥିଲେ ମଧ୍ୟ ପୁଲିସ ପ୍ରଶାସନ କାହିଁକି ସତର୍କ ହୋଇ ଅଧିକ ଫୋର୍ସ ମୁତୟନ କରିନଥିଲେ ? ଥାନା ପୋଡି ଘଟଣା ପରେ ପୋଲିସ ପ୍ରଶାସନ ଆକ୍ରୋଶମୂଳକ ଭାବେ ନିରୀହ ସାଧାରଣ ଜନତାଙ୍କୁ ଗିରଫ କରୁଛି । ଏପରିକି ବୃଦ୍ଧ, ମହିଳା, ଛାତ୍ର, ଦିବ୍ୟାଙ୍ଗଙ୍କୁ ମଧ୍ୟ ବାଦ୍ ଦିଆଯାଉନାହିଁ ଏବଂ ପୋଲିସ୍‌ର ଜୁଲମ୍ ଜାରି ରହିଛି ।  ଦୋଷୀ ପୁଲିସ ଉପରେ ଫୌଜଦାରୀ ମକଦ୍ଦମା ଲଗାଇ ଗିରଫ କରାଯାଉ । ଥାନା ପୋଡ଼ିରେ ସଂପୃକ୍ତ ନଥିବା ଲୋକଙ୍କୁ ପୋଲିସ ଗିରଫ କଲେ କିମ୍ବା ଅତ୍ୟାଚାର କଲେ ସେ ଅଂଚଳରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ବିଜେପି ଚେତାବନୀ ଦେଇଛି ।

ଉଲ୍ଲେଖଯୋଗ୍ୟ , ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ରାଜ୍ୟ ଉପସଭାପତି ତଥା ବିଧାୟକ ନାଉରୀ ନାଏକଙ୍କ ନେତୃତ୍ୱରେ ବିଧାୟକ ସୁବାଷ ପାଣିଗ୍ରାହୀ, ବିରଂଚି ତ୍ରିପାଠୀ, ଅଶୋକ ମିଶ୍ର, ସୁକାନ୍ତ ପାଣିଗ୍ରାହୀ, କନ୍ଧମାଳ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଘୁମୁସୁର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ଗଂଜାମ ଜିଲ୍ଲା ସଭାପତି ବିଭୂତି ଜେନା ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ସ୍ଥାନୀୟ ବାସିନ୍ଦା, ପୁଲିସ ପ୍ରଶାସନ ଓ ଜିଲ୍ଲା ଏସପିଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe