/odisha-reporter/media/post_attachments/uploadimage/library/16_9/16_9_0/Rahul_1719830464.jpg)
Rahul
ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସଂସଦରେ କଥା କଟାକଟି ଦେଖିବାକୁ ମିଳିଛି। ଆଜି ଲୋକସଭାରେ ରାହୁଲ ଗାନ୍ଧି ଭାଷଣ ଦେଉଥିବା ବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଜେପିର ଜୟ ଶ୍ରୀରାମ ନାରାକୁ କାଉଣ୍ଟର କରିବା ପାଇଁ ରାହୁଲ ଗାନ୍ଧି ଆଜି ପୁଣିଥରେ ଜୟ ସମ୍ବିଧାନ ନାରା ଦେଇଛନ୍ତି।
ତେବେ ରାହୁଲଙ୍କ ଭାଷଣକୁ ପ୍ରଧାନମନ୍ତ୍ରୀ ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ହିନ୍ଦୁ ସଂପ୍ରଦାୟ ପ୍ରତି ଅପମାନ ବୋଲି କହି ସମାଲୋଚନା କରିଛନ୍ତି।
ଆଜି ରାହୁଲ ଗାନ୍ଧି ଭାଷଣ ବେଳେ ସମ୍ବିଧାନର କପି ଠାରୁ ଆରମ୍ଭ କରି ଭଗବାନ ଶିବ, ପ୍ରଫେଟ ମହମ୍ମଦ ଓ ଗୁରୁ ନାନକଙ୍କ ଛବି ପ୍ରଦର୍ଶିତ କରିଥିଲେ। ବିଜେପି ଓ ଆରଏସଏସକୁ ସେ ସମାଲୋଚନା କରି ସେମାନେ ସମସ୍ତ ହିନ୍ଦୁଙ୍କ ପ୍ରତିନିଧିତ୍ୱ କରନ୍ତି ନାହିଁ ବୋଲି ରାହୁଲ କହିଥିଲେ।
ତେବେ ରାହୁଲ ଗାନ୍ଧି ଭାଷଣ ଦେବା ବେଳେ ମୋଦି ଦୁଇ ଥର ନିଜ ଆସନରେ ଛିଡ଼ା ହୋଇ ଏହାକୁ ବିରୋଧ କରିଥିଲେ। ସମଗ୍ର ହିନ୍ଦୁ ସଂପ୍ରଦାୟକୁ ହିଂସା ସୃଷ୍ଟିକାରୀ କହିବା ଗୋଟିଏ ଗୁରୁତ୍ୱର ପ୍ରସଙ୍ଗ ବୋଲି ମୋଦି କହିଥିଲେ। ଏଥିସହ ସମ୍ବିଧାନ ତାଙ୍କୁ ବିରୋଧୀ ଦଳର ନେତା ପଦକୁ ସମ୍ମାନ ଦେବା ଶିଖାଇଥିବା ମୋଦି କହିଥିଲେ।
ତେବେ ମୋଦିଙ୍କୁ କାଉଣ୍ଟର କରି ରାହୁଲ ଗାନ୍ଧି କହିଛନ୍ତି, ବିଜେପି ଓ ଆରଏସଏସ୍ ପୂରା ହିନ୍ଦୁ ସଂପ୍ରଦାୟର ପ୍ରତିନିଧିତ୍ୱ କରୁନାହାନ୍ତି। ରାହୁଲ ଗାନ୍ଧି ନିଜ ଭାଷଣରେ ବିଜେପି ଓ ଆରଏସ୍ଏସ୍କୁ ଟାର୍ଗେଟ କରୁଥିବା ବେଳେ ଗୃହରେ ପ୍ରବଳ ନାରାବାଜୀ ହୋଇଥିଲା।
ଶାସକ ଦଳର ସଦସ୍ୟମାନେ ରାହୁଲଙ୍କ ବୟାନକୁ ବିରୋଧ କରିଥିଲେ। ସେହିପରି ସେ ଭଗବାନ ଶିବଙ୍କ ଫଟୋ ପ୍ରଦର୍ଶିତ କରୁଥିବା ବେଳେ ଏଥିପାଇଁ ବାଚସ୍ପତି ଓମ ବିର୍ଲା ଅନୁମତି ଦେଇ ନଥିଲେ। ତଥାପି ରାହୁଲ ଗାନ୍ଧି ଏହାକୁ ପ୍ରଦର୍ଶିତ କରିଥିଲେ।
ରାହୁଲ ଗାନ୍ଧି କହିଛନ୍ତି, “ଆମର ମହା ପୂର୍ବପୁରୁଷମାନେ ଅହିଂସା କଥା କହିଛନ୍ତି। କିନ୍ତୁ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ବାସ୍ତବରେ ଘୃଣା ସୃଷ୍ଟି କରୁଛନ୍ତି। ଆପାଣମାନେ ହିନ୍ଦୁ ହିଁ ନୁହନ୍ତି।”
ରାହୁଲ ଗାନ୍ଧି ନିଜର ଭାଷଣ ଆରମ୍ଭରେ ଭାରତର ବିଚାରଧାରା, ସମ୍ବିଧାନ ଓ ସମ୍ବିଧାନ ଉପରେ ହେଉଥିବା ଆକ୍ରମଣକୁ ରୋକିବା ପାଇଁ ଉଦ୍ୟମ କରୁଥିବା ଲୋକଙ୍କ ଉପରେ ସଂପୂର୍ଣ୍ଣ ଭାବେ ବ୍ୟବସ୍ଥିତ ଢଙ୍ଗରେ ଆକ୍ରମଣ କରାଯାଉଥିବା କହିଥିଲେ।
ଅନେକ ବିରୋଧୀ ଦଳର ନେତାଙ୍କୁ ବ୍ୟକ୍ତିଗତ ଭାବେ ଆକ୍ରମଣ କରାଯାଉଥିବା ବେଳେ ଆଉ କିଛି ନେତାଙ୍କୁ ଏବେ ବି ଜେଲରେ ରଖାଯାଇଥିବା ସେ କହିଛନ୍ତି। ଏଠାରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କଥା ପରୋକ୍ଷରେ ଉଦାହରଣ ଦେଇ କହିଛନ୍ତି।
ରାହୁଲ କହିଛନ୍ତି, “ଯଦି ଆପଣ ଭଗବାନ ଶିବଙ୍କ ଛବିକୁ ଦେଖିବେ, ତା’ହେଲେ ହିନ୍ଦୁମାନେ କେବେ ହେଲେ ଭୟ ଓ ଘୃଣାର ପରିବେଶ ସୃଷ୍ଟି କରନ୍ତି ନାହିଁ ବୋଲି ଜାଣିପାରିବେ। କିନ୍ତୁ ବିଜେପି ୨୪ ଘଣ୍ଟା ଘୃଣା ଓ ଭୟର ପ୍ରଚାର କରୁଛି।” ସେ ପ୍ରଫେଟ ମହମ୍ମଦ ଓ ଗୁରୁ ନାନକଙ୍କ ଫଟୋ ମଧ୍ୟ ପ୍ରଦର୍ଶିତ କରିଥିଲେ।
ସେ କହିଛନ୍ତି, “ଡରନ୍ତୁ ନାହିଁ... ଡରନ୍ତୁ ନାହିଁ। ଅଭୟ ମୁଦ୍ରା ହେଉଛି କଂଗ୍ରେସର ଚିହ୍ନ। ଏହା ସୁରକ୍ଷାର ପ୍ରତୀକ। ଏହା ଭୟକୁ ଦୂର କରେ ଓ ହିନ୍ଦୁତ୍ୱ, ଇସଲାମ, ଶିଖ, ବୌଦ୍ଧ ଓ ଅନ୍ୟ ଭାରତୀୟ ଧର୍ମର ଧାର୍ମିକ ସୁରକ୍ଷା କରିଥାଏ।”
ଅନ୍ୟପକ୍ଷରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏପରି ବୟାନକୁ ହିନ୍ଦୁଙ୍କ ପ୍ରତି ଅପମାନ ଓ ଏଥିପାଇଁ ରାହୁଲ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
