Advertisment

Bihar Election: ୧୫ ଆସନ ଦିଅ ନଚେତ ନିର୍ବାଚନ ଲଢ଼ିବୁ ନାହିଁ: କଡ଼ା ଚେନାବନୀ ଦେଲା ବିଜେପିର ସହଯୋଗୀ ଦଳ

କେବଳ ମାଞ୍ଝୀ ନୁହନ୍ତି, ଏନଡିଏରେ ଥିବା ଚିରାଗ ପାଶୱାନ ମଧ୍ୟ ଅଧିକ ସଂଖ୍ୟକ ଆସନରେ ପ୍ରାର୍ଥୀ ଦେବାକୁ ଚାହୁଁଛନ୍ତି। ଏହି ଟଣାଓଟରା ଯୋଗୁ ଏଯାଏ ଏନଡିଏ ସିଟ ଶେୟାରିଂ ଫର୍ମୁଲାକୁ ଚୂଡ଼ାନ୍ତ କରିପାରି ନାହିଁ।

author-image
Hemant Lenka
Modi

ମାଞ୍ଝୀ ଓ ମୋଦି (ଫାଇଲ ଫଟୋ)

ବିହାର ନିର୍ବାଚନ(Bihar Election) ପାଖେଇ ଆସୁଥିବା ବେଳେ କ୍ଷମତାସୀନ ଏନଡିଏରେ ସିଟ ଶେୟାରିଂ ଫର୍ମୁଲାକୁ ନେଇ ଫାଟ ଦେଖିବାକୁ ମିଳିଛି। ବିଜେପିକୁ କଡ଼ା ଚେତାବନୀ ଦେଇଛି ସହଯୋଗୀ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ବା ଏଚଏଏମ। ଦଳର ମୁଖ୍ୟ ଜିତନ ରାଜ ମାଞ୍ଝୀ ବିହାର ନିର୍ବାଚନ ପୂର୍ବରୁ ବିଜେପି ଖୋଲାଖୋଲି ଭାବେ ୧୫ ଆସନ ମାଗିଛନ୍ତି।

Advertisment

ଯଦି ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାକୁ ୧୫ଟି ଆସନ ମିଳିବ ନାହିଁ, ତା’ହେଲେ ଦଳ ଆଦୌ ରାଜ୍ୟରେ ନିର୍ବାଚନ ଲଢ଼ିବ ନାହିଁ ବୋଲି ସେ ରୋକଠୋକ ଶୁଣାଇ ଦେଇଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଞ୍ଝୀ ଏପରି ଚେତାବନୀ ଦେଇଥିଲେ ହେଁ ବିଜେପି ନେତୃତ୍ୱାଧୀନ ଏନଡିଏ ସହ ରହିବେ ବୋଲି ସ୍ପଷ୍ଟ କରିଛନ୍ତି। 

ସେ କହିଛନ୍ତି, “ଆମେ ଏନଡିଏ ନେତାମାନଙ୍କୁ ସିଟ ଦେବାକୁ ଅନୁରୋଧ କରୁଛୁ। କାରଣ ଆମେ ଅପମାନିତ ଅନୁଭବ କରୁଛୁ। ଆମକୁ ସମ୍ମାନଜନକ ସଂଖ୍ୟକ ଆସନରେ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଉ। ଏହାଦ୍ୱାରା ଆମେ ଗୋଟିଏ ରାଜନୀତିକ ଦଳ ଭାବେ ସ୍ୱୀକୃତି ପାଇପାରିବୁ।

Advertisment

ଯଦି ଆମକୁ ପ୍ରସ୍ତାବିତ ୧୫ ଆସନ ମିଳିବ ନାହିଁ, ତା’ହେଲେ ଆମେ ନିର୍ବାଚନ ଲଢ଼ିବୁ ନାହିଁ। ଆମେ ଏନଡିଏକୁ ସମର୍ଥନ କରିବୁ। କିନ୍ତୁ ରାଜ୍ୟରେ ନିର୍ବାଚନ ଲଢ଼ିବୁ ନାହିଁ। ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନାହିଁ। ଆମ ଦଳ ସ୍ୱୀକୃତି ପାଉ ବୋଲି ମୁଁ ଚାହୁଁଛି।” 

ଏନଡିଏରେ ଏବେ ସିଟ୍‌ ଶେୟାରିଂ ଡିଲ୍‌କୁ ଚୂଡ଼ାନ୍ତ କରିବା ପାଇଁ ଆଲୋଚନା ଚାଲିଛି। ଏସବୁ ଭିତରେ ମାଞ୍ଝୀ ପୂର୍ବରୁ ମଧ୍ୟ ତାଙ୍କ ଦଳ ୧୫ଟି ଆସନରେ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା କହିଥିଲେ। କିମ୍ବଦନ୍ତୀ କବି ରମଧାରୀ ସିଂହ ଦିନକରଙ୍କ ଲାଇନକୁ ଉଦ୍ଧାର କରି ସେ ୧୫ ଗାଁ ଅର୍ଥାତ ୧୫ଟି ଆସନ ଚାହୁଁଥିବା କହିଥିଲେ। 

ଏବେ ସେ ୧୫ଟି ଆସନ ନ ମିଳିଲେ, ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏ ସମ୍ପର୍କରେ ବିଜେପି କିମ୍ବା ଏନଡିଏରେ ଥିବା କୌଣସି ଦଳର ନେତାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

କେବଳ ମାଞ୍ଝୀ ନୁହନ୍ତି, ଏନଡିଏରେ ଥିବା ଚିରାଗ ପାଶୱାନ ମଧ୍ୟ ଅଧିକ ସଂଖ୍ୟକ ଆସନରେ ପ୍ରାର୍ଥୀ ଦେବାକୁ ଚାହୁଁଛନ୍ତି। ଏହି ଟଣାଓଟରା ଯୋଗୁ ଏଯାଏ ଏନଡିଏ ସିଟ ଶେୟାରିଂ ଫର୍ମୁଲାକୁ ଚୂଡ଼ାନ୍ତ କରିପାରି ନାହିଁ। 

ତଥାପି କୁହାଯାଉଛି ଯେ ବିହାରର ୨୪୩ଟି ଆସନରୁ ବିଜେପି ଓ ଜେଡିୟୁ ସମାନ ୧୦୦ଟି ଲେଖାଏ ଆସନରେ ଲଢ଼ିବେ। ଚିରାଗଙ୍କୁ ୨୪, ମାଞ୍ଝୀଙ୍କ ଦଳକୁ ୧୦  ଓ ମେଣ୍ଟରେ ଥିବା ଉପେନ୍ଦ୍ର କୁଶୱାଙ୍କ ପାର୍ଟିକୁ ୬ଟି ଆସନ ମିଳି ପାରେ। କୁଶୱା ଏହି ପ୍ରସ୍ତାବରେ କୌଣସି ପ୍ରକାରର ଆପତ୍ତି ଉଠାଇ ନାହାନ୍ତି। କିନ୍ତୁ ମାଞ୍ଝୀ ଓ ଚିରାଗ ପ୍ରସ୍ତାବିତ ଆସନରେ ଆଦୌ ଖୁସି ନାହାନ୍ତି। 

Bihar Election