Advertisment

ଦୁର୍ଘଟଣାକୁ ନେଇ ରାଜନୀତି: ନାପସନ୍ଦ କଲେ ବିଜେପି ଓ ବିଜେଡି, ପ୍ରଶ୍ନ ଉଠାଇଲେ ବିଜୟ

‘ଉଦ୍ଧାର କାମ ସରିନଥିବାବେଳେ ରେଳ ମନ୍ତ୍ରୀ ଉଦ୍ଧାର କାମ ସରିଲା ବୋଲି କହିବା ନିନ୍ଦନୀୟ।’

author-image
Ordigital Desk
Bijaya Mohapatra

Bijaya Mohapatra

ବାଲେଶ୍ୱର ଜିଲ୍ଲାର ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାକୁ ନେଇ ରାଜନୀତିକ ବୟାନବାଜି ଓ ଦୋଷାରୋପ ଜାରି ରହିଥିବାବେଳେ ଉଭୟ ବିଜେପି ଓ ବିଜେଡି ଏହାକୁ ନାପସନ୍ଦ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଉତ୍ତମ ସମନ୍ୱୟ ରକ୍ଷା କରି ସୁନ୍ଦର ଭାବେ ପରିସ୍ଥିତିର ମୁକାବିଲା କରିଛନ୍ତି ବୋଲି ଦୁଇ ଦଳ କହିଛନ୍ତି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବର୍ତ୍ତମାନ ସମୟ ରାଜନୀତି କରିବାର ନୁହେଁ ବରଂ ସମସ୍ତ ମୃତାହତଙ୍କ ସହ ଛିଡ଼ା ହେବାର ସମୟ ବୋଲି କହି ସବୁ ଦଳକୁ ଅପିଲ୍ କରିଥିବାବେଳେ ବିଜେଡି ଅନୁରୂପ ଭାବେ ଯେଉଁମାନଙ୍କର ସବୁଥିରେ ରାଜନୀତି କରିବାର ଅଭ୍ୟାସ ସେମାନେ କରନ୍ତୁ ବୋଲି କହି ଟ୍ରେନ ଦୁର୍ଘଟଣାଜନିତ ରାଜନୀତିକ ବୟାନବାଜିରୁ ନିଜକୁ ଦୂରେଇ ରଖିଛି ।

Advertisment

ମହାରାଷ୍ଟ୍ରର କୋହ୍ଲାପୁର ଗସ୍ତରୁ ଫେରି ଆଜି କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆହତଙ୍କୁ ଭେଟିବା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବର୍ତ୍ତମାନ ରାଜନୀତି କରିବାର ସମୟ ନୁହେଁ । ଏଥିପାଇଁ ସେ ସବୁ ରାଜନୀତିକ ଦଳକୁ ହାତଯୋଡ଼ି ଅନୁରୋଧ କରୁଛନ୍ତି କି ପୀଡ଼ିତଙ୍କ ସହ ଛିଡ଼ା ହେବାକୁ ପଡ଼ିବ । ଏଭଳି ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ ଓ ଶବ୍ଦହୀନ କରିଦେଇଛି । ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ଅନ୍ୟ ଏଜେନ୍ସିଗୁଡ଼ିକ ମିଳିତ ଭାବେ ବେଶ୍ ଭଲ କାମ କରୁଛନ୍ତି । ସମସ୍ତ ମୃତକଙ୍କ ଚିହ୍ନଟ ହେଉ ଓ ସେମାନଙ୍କ ପରିବାରକୁ ତାହା ହସ୍ତାନ୍ତର ହେଉ ବୋଲି ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି । ଆହତମାନଙ୍କ ଚିକିତ୍ସା ଠିକ୍ ଚାଲିଛି । ଆହତଙ୍କ ସମ୍ପର୍କୀୟ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ସେ ଆଲୋଚନା କରିଛନ୍ତି । ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି, ସତ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।

ସେହିପରି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଶତାବ୍ଦୀର ସବୁଠୁ ବଡ଼ ବିପର୍ଯ୍ୟୟ ଘଟିଛି । ସମସ୍ତେ ମର୍ମାହତ । ଏ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା ଲୁଚାଇବାର କୌଣସି ଅବକାଶ ନାହିଁ । ଏଭଳି ଗୁଜବକୁ ଗୁରୁତ୍ୱ ଦେବା ଉଚିତ୍ ନୁହେଁ । ଆହତଙ୍କ ଚିକିତ୍ସା, ଶବ ଚିହ୍ନଟକୁ ପ୍ରାଥମିକତା ଦିଆଯାଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସୁନ୍ଦର ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି । କିଛି ଲୋକ ସହିପାରୁନାହାନ୍ତି । ଦେଶ ପ୍ରଂଶସା କରୁଛି । ଆଉ କିଛି ଦଳ ସେମାନଙ୍କର ରାଜନୀତି କରିବାର ଅଭ୍ୟାସ, ସେମାନେ କରୁଥାନ୍ତୁ । ଯେକୌଣସି ପ୍ରକାର ତଦନ୍ତ ହେଉ, ସେଥିରେ ଯିଏ ପ୍ରକୃତ ଦୋଷୀ ସିଏ ଧରାପଡ଼ନ୍ତୁ ବୋଲି ସମସ୍ତେ ଚାହୁଁଛନ୍ତି । ଏହା ବିଜେଡିର ମଧ୍ୟ ଆଭିମୁଖ୍ୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Advertisment

ଅନ୍ୟପକ୍ଷରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୃତ୍ୟୁ ସଂଖ୍ୟା ଯାହା ସରକାରୀ ଭାବେ କୁହାଯାଉଛି, ତାକୁ ସ୍ଥାନୀୟ ଲୋକେ ବିଶ୍ୱାସ କରିପାରୁନାହାନ୍ତି । ଉଦ୍ଧାର କାମ ସରିନଥିବାବେଳେ ରେଳ ମନ୍ତ୍ରୀ ଉଦ୍ଧାର କାମ ସରିଲା ବୋଲି କହିବା ନିନ୍ଦନୀୟ । ମନ୍ତ୍ରୀଙ୍କ ମନ୍ତବ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ଫେବୃୟାରୀ ମାସର ଘଟଣା ସମାନ ଭାବେ ଜୁନ ମାସରେ କେମିତି ଘଟିଲା । ଇଲେକ୍ଟ୍ରୋନିକ୍ସ ସିଷ୍ଟମର ଟେଣ୍ଡର କିଏ ନେଇଥିଲା । ସିବିଆଇ ସେହି କମ୍ପାନୀକୁ ଧରିପାରିବ ତ? ମନ୍ତ୍ରୀ ନିଜକୁ ନିର୍ଦ୍ଦୋଷ କହିପାରିବେନି । ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସଠିକ୍ ତଥ୍ୟ ଦିଆଯାଇନାହିଁ । ତାଙ୍କୁ ଅନ୍ଧାରରେ ରଖାଯାଇଛି । ରିଲେ ରୁମ୍ ଓ ଇଲେକଟ୍ରୋନିକ୍ସ ରୁମକୁ କେହି ଯାଇପାରିବେ ନାହିଁ । ବାରମ୍ବାର ମନ୍ତ୍ରୀ ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ତାଙ୍କ ପାଇଁ ପାର୍ଟି କିଛି ନୁହେଁ ଲୋକଙ୍କ ଜୀବନ ଆଗ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Train Accident Bijoy Mohapatra