Advertisment

ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା ଘଟଣା: କଂଗ୍ରେସ- ବିଜେପି ମୁହାଁମୁହିଁ

ପୁଲିସ୍‌ ଗୁଳି ମାଡ଼ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ତୃତୀୟ ଶୁଟରକୁ ଚିହ୍ନଟ କରି ସାରିଛି। କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହିଁ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ଦାବି କରିଛି।

author-image
Hemant Lenka
Mumbai

Mumbai

ଏନସିପିର ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ଶନିବାର ବିଳମ୍ବିତ ସନ୍ଧ୍ୟାରେ ସିଦ୍ଦିକିଙ୍କୁ ବାନ୍ଦ୍ରାରେ ଥିବା ପୁଅଙ୍କ ଅଫିସ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା।

Advertisment

ବିଭିନ୍ନ ମହଲରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ପୁଲିସ୍‌ ଗୁଳି ମାଡ଼ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ତୃତୀୟ ଶୁଟରକୁ ଚିହ୍ନଟ କରି ସାରିଛି। କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହିଁ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ଦାବି କରିଛି।

ପୁଲିସ୍‌ ଏହାର ଯାଞ୍ଚ କରୁଥିବା ବେଳେ ଘଟଣାକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେପି ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାର ଘଟଣାକୁ ନେଇ ରାଜନୀତି ନ କରିବାକୁ ନିବେଦନ କରିଛନ୍ତି। କିନ୍ତୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମହାରାଷ୍ଟ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ମହାରାଷ୍ଟ୍ରରେ ଏବେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଥିବା ସେ ଅଭିଯୋଗ କରିଛନ୍ତି।

Advertisment

ରାହୁଲ କହିଛନ୍ତି, “ବାବା ସିଦ୍ଦିକିଙ୍କ ହତ୍ୟା ଅତ୍ୟନ୍ତ ଦୁଃଖଦାୟକ ଓ ଆଶ୍ଚର୍ଯ୍ୟଜନକ। ଏହି କଷ୍ଟକର ସମୟରେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଏପରି ଭୟଙ୍କର ଘଟଣା ମହାରାଷ୍ଟ୍ରର ଆଇନ ଶୃଙ୍ଖଳା ସ୍ଥିତି ପୂରା ଭୁଶୁଡ଼ି ପଡ଼ିଥିବା ପ୍ରମାଣିତ କରିଛି। ସରକାର ଯେମିତି ହେଲେ ଉତ୍ତରଦାୟିତ୍ୱ ନିଅନ୍ତୁ। ନ୍ୟାୟ ନିଶ୍ଚିତ ଭାବେ ମିଳିବା ଦରକାର।”

ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀଙ୍କ କହିବା କଥା ମହାରାଷ୍ଟ୍ରର ମାହାୟୁତି ସରକାର ଦୋଷୀଙ୍କ ବିରୋଧରେ ଠିକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏକନାଥ ସିନ୍ଦେଙ୍କ ଶିବସେନା, ବିଜେପି ଓ ଅଜିତ ପାୱାରଙ୍କ ଏନସିପି ମହାରାଷ୍ଟ୍ରରେ ମାହାୟୁତି ସରକାର ଗଠନ କରିଛନ୍ତି।

ଭଣ୍ଡାରୀ କହିଛନ୍ତି, “ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାୱାରଙ୍କ ଏନଡି ସରକାର ଘଟଣାର ୨୪ ଘଣ୍ଟା ମଧ୍ୟରେ ୨ ଅଭିଯୁକ୍ତଙ୍କୁ ଗିରଫ କରିସାରିଛନ୍ତି। ତୃତୀୟ ଅଭିଯୁକ୍ତକୁ ଖୋଜା ଚାଲିଛି ଓ ସେ ଖୁବଶୀଘ୍ର ଗିରଫ ହେବେ। ଏହାକୁ ନେଇ ରାଜନୀତି ହେବା କଥା ନୁହେଁ। ବାବା ସିଦ୍ଦିକି ଜଣେ ପ୍ରମୁଖ ନେତା ଥିଲେ। ମହାରାଷ୍ଟ୍ରରେ କେହି ବି ଆଇନ ଜାଲରୁ ଖସି ପାରିବେ ନାହିଁ। ”

୩ ଜଣ ବନ୍ଧୁକଧାରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରିଥିଲେ। ଆଜି ସକାଳ ପ୍ରାୟ ୬ଟା ବେଳେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ଲୀଳାବତୀ ହସ୍ପିଟାଲର କୁପର ହସ୍ପିଟାଲକୁ ଅଣାଯାଇଥିଲା। ବାବର ସିଦ୍ଦିକିଙ୍କୁ ଆକ୍ରମଣ କରିଥିବା ୩ ଜଣ ଯୁବକ କିଛି ଦିନ ପୂର୍ବରୁ ହିଁ ବନ୍ଧୁକ ପାଇଥିଲେ। ବାବାଙ୍କୁ ମାରିବା ପାଇଁ ସେମାନଙ୍କୁ ୫୦ ହଜାର ଟଙ୍କା ଦିଆଯାଇଥିଲା।

୨୫ରୁ ୩୦ ଦିନ ତଳେ ସେମାନେ କୁର୍ଲାରେ ଗୋଟିଏ ଭଡ଼ା ଘରେ ରହୁଥିଲେ ଓ ମାସକ ପାଇଁ ସେମାନେ ୧୪ ହଜାର ଟଙ୍କା ଦେବେ ବୋଲି ସ୍ଥିର ହୋଇଥିଲା। ଗୁଳି ମାରିବା ପୂର୍ବରୁ ସେମାନେ ଶୁଟିଂ କେଉଁଠି କରାଯିବ, ସିଦ୍ଦିକିଙ୍କ ଘର ଓ ଅଫିସ ସମ୍ପର୍କରେ ସବୁ ତଥ୍ୟ ହାସଲ କରିଥିଲେ। ଏହାପରେ ଶନିବାର ରାତି ପ୍ରାୟ ୯.୧୫ରେ ସେମାନେ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରିଥିଲେ।

Maharashtra Govt Maharashtra Police Maharashtra