Advertisment

ରାତି ପାହିଲେ ପାଣ୍ଡିଆନ୍‌ ଯିବେ ଗଞ୍ଜାମ; ତା’ପୂର୍ବରୁ କାନ୍ଥ ବାଡ଼ରେ ଛାଇ ଯାଇଛି ବିରୋଧାତ୍ମକ ଲେଖା

ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ରାଜ୍ୟରେ ଚାଲିଥିବା ସଚିବ ଶାସନ ବ୍ୟବସ୍ଥାକୁ ନେଇ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Pandian

Pandian

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଗସ୍ତ ପୂର୍ବରୁ ୫- ଟି ସଚିବଙ୍କୁ ବଢୁଛି ବିରୋଧ। ସଭାସ୍ଥଳଠୁ ଆରମ୍ଭ କରି ରାସ୍ତାକଡ ପର୍ଯ୍ୟନ୍ତ, ସବୁଠି ମୁଖ୍ୟମନ୍ତ୍ରୀ-ବିଧାୟକ ଓ ସଚିବଙ୍କ ନାଁରେ ଦେଖିବାକୁ ମିଳିଛି ବିରୋଧାତ୍ମକ ଲେଖା। ଅନ୍ୟପକ୍ଷରେ ୫- ଟି ସଚିବଙ୍କ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ୧୧ଟି ପ୍ରଶ୍ନ ପଚାରିଥିବା ବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସଚିବ ଶାସନଙ୍କୁ ନେଇ ଭି.କେ ପାଣ୍ଡିୟାନଙ୍କୁ ଟାର୍ଗେଟ୍ କରିଛନ୍ତି।

Advertisment

ଆସନ୍ତାକାଲିଠୁ ୩ ଦିନିଆ ଗଞ୍ଜାମ ଗସ୍ତରେ ଯାଉଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ୍। ହେଲେ ତା’ ପୂର୍ବରୁ ଦେଖାଦେଲାଣି ବିବାଦ। ଫାଇଭ-ଟି ସଚିବଙ୍କୁ ବିରୋଧ କରି କାନ୍ଥ ବାଡ଼ରେ ଲେଖାଯାଇଛି ବିଭିନ୍ନ ସ୍ଲୋଗାନ। କନିଶି ବ୍ଲକ, ତହସିଲ ଅଫିସ୍, ଦୋକାନ ଘର, ସବୁଠି ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସଚିବଙ୍କ ବିରୋଧରେ ମାଳ ମାଳ ଲେଖା ଲେଖାଯାଇଛି। ବିଦ୍ୟୁତ ଖୁଣ୍ଟ ଓ କାନ୍ଥରେ ଲେଖାଯାଇଛି “ନବୀନ କାଠରେ, ପାଣ୍ଡିଆ ମଞ୍ଚରେ”; “ମାୟା ନବୀନ, ଚାକର ଶାସନ”, ଶୋଇଛି ନବୀନ, ଉଡେ ପାଣ୍ଡିଆନ୍‌”, “ଚାକର ବିଜେଡି, ଗୁମାସ୍ତା ରାଜୁତି” .... ଏମିତି କେତେ କ’ଣ ଲେଖାଯାଇଛି।

ସେପଟେ ପାଣ୍ଡିଆନ୍‌ଙ୍କ ଗସ୍ତକୁ ନେଇ ଟାର୍ଗେଟ କରିଛି ବିଜେପି। ଜିଲ୍ଲାର ବିକାଶକୁ ନେଇ ରାଜ୍ୟ ସରକାରଙ୍କୁ ପଚାରିଛି ଅନେକ ପ୍ରଶ୍ନ। ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନହେବା, ଦାଦନ ଖଟିବାକୁ ଲୋକେ ବାହାର ରାଜ୍ୟକୁ ଯିବା, ମେଡିକାଲରେ ଡାକ୍ତର ଅଭାବ ଭଳି ୧୧ଟି ପ୍ରସଙ୍ଗରେ ପ୍ରଶ୍ନ ପଚାରିଛି ବିଜେପି। ତା’ସହ ମାତ୍ର ୨ କିଲୋମିଟର ରସ୍ତାକୁ ଗାଡ଼ିରେ ନଯାଇ ହେଲିକେପ୍ଟରରେ ଯିବାକୁ ମଧ୍ୟ କଡା ଭାଷାରେ ସମାଲୋଚନା କରିବା ସହ ସରକାରୀ ଅର୍ଥରେ ଏହା ବିଜେଡି କାର୍ଯ୍ୟକ୍ରମ ବୋଲି ଆଭିଯୋଗ ଆଣି ବର୍ଷିଛି।

Advertisment

ଅନ୍ୟପକ୍ଷରେ ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ରାଜ୍ୟରେ ଚାଲିଥିବା ସଚିବ ଶାସନ ବ୍ୟବସ୍ଥାକୁ ନେଇ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି। ମନ୍ତ୍ରୀ ବଡ଼ ନା ସଚିବ ବଡ଼ ଏବଂ ଗଣତନ୍ତ୍ର ନା ଅମଲାତନ୍ତ୍ର ବଡ଼ ବୋଲି ପ୍ରଶ୍ନ କରିବା ସହ ସରକାରରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ କରିଛନ୍ତି ପ୍ରଦୀପ। ତା’ସହ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହି ଗଂଜାମ ଜିଲ୍ଲାପାଳ, ଡିଆଇଜି ସତ୍ୟବ୍ରତ ଭୋଇଙ୍କ ଉପରେ ବର୍ଷିଛନ୍ତି ପ୍ରଦୀପ। ସ୍ଥାନୀୟ ଜନ ପ୍ରତିନିଧି ଭାବେ କାଲିର ସଭାସ୍ଥଳକୁ ସେ ନିଶ୍ଚେ ଯିବେ ବୋଲି କହିବା ସହ ଯଦି ତାଙ୍କ ଉପରେ ଆକ୍ରମଣ ହୁଏ, ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି।

କଂଗ୍ରେସ ମଧ୍ୟ ୫-ଟି ସଚିବଙ୍କ ଗସ୍ତଙ୍କୁ କଡ଼ା ସମୋଲାଚନା କରିଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ୫-ଟି ସଚିବଙ୍କୁ ଏତେ ବିରୋଧ କାହିଁକ ? ଦିନେ ନିଜେ ଜିଲ୍ଲାପାଳ ଥିବା ଗଂଜାମ ଜିଲ୍ଲାରେ ପୁଣି ପାଣ୍ଡିଆନଙ୍କୁ ଏତେ ବିରୋଧର କାରଣ କଣ? ଏସବୁ ପ୍ରଶ୍ନ ଭିତରେ ବିଜେଡି କହିଛି ବିରୋଧୀ ଅସହିଷ୍ଣୁ ହୋଇ ଏଭଳି ଅଭିଯୋଗ ଆଣୁଛନ୍ତି।

Ganjam Bjd Vk Pandian BjD Odisha Politics