/odisha-reporter/media/post_attachments/uploadimage/library/16_9/16_9_0/BJP_1703431054.jpg)
BJP
ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ କ୍ଷମତାସୀନ ବିଜେଡିର ଗଡ଼ ଭାଙ୍ଗିବାକୁ ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ସ୍ୱତନ୍ତ୍ର ରଣନୀତି। ଉଭୟ ଦଳର ନେତା ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତୃତ୍ୱକୁ ଭେଟିବା ସହ ବିଜେଡିର ମୁକାବିଲା କରିବା ପାଇଁ ମନ୍ତ୍ର ନେଇ ଫେରିଛନ୍ତି।
ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇବାକୁ ଟାର୍ଗେଟ ରଖିଛି ବିଜେପି। ଏଥିଲାଗି ଦଳୀୟ ନେତା କୋଟିଏ ଘର ବୁଲି ମୋଦି ସରକାରର ସଫଳତା ବାର୍ତ୍ତା ଦେବେ। ଏଣେ ନୂଆ ପ୍ରଭାରୀ ସହ ସାଂଗଠନିକ ପରିବର୍ତ୍ତନ କରି ଦଳକୁ ଅଧିକ ସକ୍ରିୟ କରିବା ଲକ୍ଷ୍ୟରେ ରହିଛି କଂଗ୍ରେସ।
ନିକଟରେ ବିଜେପିର ବିଧାୟକମାନେ ଦିଲ୍ଲୀ ଯିବା ସହ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ସେଠାରୁ ଫେରିବା ପରେ ରାଜ୍ୟ ବିଜେପି ଶିବିର ବେଶ ଉତ୍ସାହିତ ହୋଇ ଉଠିଛି। ଦଳର ଟାର୍ଗେଟ ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ ହାସଲ କରିବା। ଏଥିଲାଗି କୋଟିଏ ପରିବାର ପାଖରେ ପହଞ୍ଚିବ ରାଜ୍ୟ ବିଜେପି।
ସାଧାରଣ ନିର୍ବାଚନକୁ ୪ମାସ ବାକି ଥିବା ବେଳେ ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତୃତ୍ୱ ଠାରୁ ଏଇ ମନ୍ତ୍ର ନେଇ ଫେରିଛନ୍ତି ଦଳୀୟ ବିଧାୟକ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱସନୀୟତା ୮୦ ପ୍ରତିଶତରୁ ଅଧିକ। ତାଙ୍କ କାର୍ଯ୍ୟ ଶୈଳୀର ପ୍ରଭାବ ରାଜ୍ୟ ଭୋଟରଙ୍କ ଉପରେ ନିଶ୍ଚିତ ପଡ଼ିବ। ଦଳ ୫୦ ପ୍ରତିଶତ ଭୋଟ ଲକ୍ଷ୍ୟ ହାସଲ ଲାଗି ବୁଥ୍ ଓ ୱାର୍ଡସ୍ତରରେ ଘରକୁ ଘର ବୁଲିବେ ଦଳୀୟ ନେତା ଓ କର୍ମୀ।
ବିଧାୟକମାନେ ହଜାରେରୁ ଦୁଇ ହଜାର ଓ ସାଂସଦ ୪ରୁ ୫ ହଜାର ଘରକୁ ବୁଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ଦେବାକୁ ନିର୍ଦ୍ଦେଶ ପାଇଛନ୍ତି। ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ଓଡ଼ିଶାରେ ବି ବିଜେପି ମୋଦି ଗ୍ୟାରେଣ୍ଟି ଷ୍ଟ୍ରାଟେଜି ଆପଣାଇବ ବୋଲି ଦିଲ୍ଲୀରୁ ଫେରି ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।
ସେପଟେ ରାଜ୍ୟ କଂଗ୍ରେସ ନେତାମାନେ ବି ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ଗୁରୁମନ୍ତ୍ର ନେଇ ଫେରିଛନ୍ତି। ସେହିପରି ଚେଲ୍ଲା କୁମାରଙ୍କ ସ୍ଥାନରେ ପୂର୍ବତନ ଆଇପିଏସ୍ ତଥା ଝାରଖଣ୍ଡର ଟାଣୁଆ ନେତା ଡକ୍ଟର ଅଜୟ କୁମାରଙ୍କୁ ଓଡ଼ିଶା ଦାୟିତ୍ୱ ମିଳିଛି। ୨୪ ନିର୍ବାଚନ ପାଇଁ ଦଳର ନେତା ଘରକୁ ଘର ବୁଲି ଭୋଟରଙ୍କୁ ଭେଟୁଛନ୍ତି।
କିନ୍ତୁ ଦଳ ଯେଉଁ ମାତ୍ରାରେ ସକ୍ରିୟ ଦେଖାଯିବା କଥା ତାହା ପରିଲକ୍ଷିତ ହେଉନି। ତେଣୁ ହାଇକମାଣ୍ଡ ଓଡ଼ିଶାରେ ସାଂଗଠନିକ ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥି ସହିତ କର୍ମୀଙ୍କ ମନରେ ଉତ୍ସାହ ଭରିବା ଲାଗି ରାହୁଲ ଓ ପ୍ରିୟଙ୍କା ଗାନ୍ଧି ଖୁବଶୀଘ୍ର ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି।
ତେବେ ବିଜେପି ଓ କଂଗ୍ରେସର ତତ୍ପରତାକୁ ନେଇ ଆଦୌ ବିଚଳିତ ନୁହେଁ ବିଜେଡି। ଲୋକେ ବିଜେଡି ସହ ଅଛନ୍ତି ଓ ଷଷ୍ଠ ଥର ପାଇଁ ଦଳ ସରକାର କରିବ ବୋଲି ଦମ୍ଭୋକ୍ତ କରିଛି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି।
ଦୁର୍ନୀତି ଠାରୁ ଆରମ୍ଭ କରି ଚାଷୀ ସମସ୍ୟା ଓ ବେକାରୀ ଭଳି ରାଜ୍ୟରେ ଅନେକ ପ୍ରସଙ୍ଗ ରହିଛି। କିନ୍ତୁ ବିଜେପି ଓ କଂଗ୍ରେସ ଏହାକୁ ପ୍ରଭାବଶାଳୀ ଢଙ୍ଗରେ ଉଠାଇ ପାରୁନାହାନ୍ତି। ତେବେ ଦିଲ୍ଲୀରୁ ମନ୍ତ୍ର ନେଇ ଆସିବା ପରେ ଉଭୟ ଦଳର ଆଭିମୁଖ୍ୟରେ କି ପରିବର୍ତ୍ତନ ହେଉଛି ଓ କିଏ ବିଜେଡିକୁ ଟକ୍କର ଦେବ ତାହା ଆକଳନ କରାଯାଇପାରିବ ବୋଲି ରାଜନୀତିକ ସମୀକ୍ଷକମାନେ ମତ ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
