Advertisment

Rajya Sabha Elections: ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ରାଜ୍ୟସଭା ନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବିଜେପି ରାଜ୍ୟ ସଭାପତି  ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି ଦଳ।  ବିଜେପି କେନ୍ଦ୍ରୀୟ କମିଟି ପକ୍ଷରୁ ସେମାନଙ୍କ ନାମ ଘୋଷଣା କରିଛି।

Manmohan

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

Advertisment

ରାଜ୍ୟସଭା ନିର୍ବାଚନ ପାଇଁ ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବିଜେପି କେନ୍ଦ୍ରୀୟ କମିଟି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ଦୁଇ ଜଣଙ୍କ ନାଁ ରହିଛି। ସେମାନେ ହେଉଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାର। ସୁଜିତ କୁମାର ଏବେ ରାଜ୍ୟସଭା ସଦସ୍ୟ ଅଛନ୍ତି। ତାଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୨ ତାରିଖରେ ଶେଷ ହେଉଛି।

Advertisment

ସେହିପରି ଏହି ତାଲିକାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନଙ୍କ ନାମ ରହିଛି। ସେ ଏବେ ବିହାର ବିଧାନସଭାର ସଦସ୍ୟ ଅଛନ୍ତି। ନିକଟରେ ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ସେ ବିହାରରୁ ପ୍ରାର୍ଥୀ ହେବେ। 

୧୦ଟି ରାଜ୍ୟର ମୋଟ ୩୭ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ଆଜି ବିଭିନ୍ନ ରାଜ୍ୟର ୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଓଡ଼ିଶାରେ ୪ଟି ରାଜ୍ୟସଭା ଆସନରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

Advertisment

ବିହାରରେ ୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନଙ୍କ ସହିତ ଶିବେସନ କୁମାରଙ୍କୁ ଏଠାରୁ ପ୍ରାର୍ଥୀ କରିଛି ଦଳ। ଆସାମର ୩ଟି ଆସନରେ ନିର୍ବାଚନ ହେବାକୁ ଥିବା ବେଳେ ୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ସେମାନେ ହେଉଛନ୍ତି ତେରାଶ ଗୋୱେଲ ଓ ଜୋଗେନ ମୋହନ। ଛତିଶଗଡ଼ରେ ୨ଟି ଆସନରେ ନିର୍ବାଚନ ହେବାକୁ ଥିବା ବେଳେ ଜଣେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ସେ ହେଉଛନ୍ତି ଲକ୍ଷ୍ମଣ ବର୍ମା। ହରିୟାଣାରେ ୨ଟି ଆସନ ଖାଲି ହେବାକୁ ଯାଉଥିବା ବେଳେ ଦଳ ଗୋଟିଏ ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି। ସଞ୍ଜୟ ଭାଟିଆଙ୍କ ନାଁ ଦଳ ଘୋଷଣା କରିଛି। ପଶ୍ଚିମବଙ୍ଗରେ ୫ଟି ଆସନରେ ରାଜ୍ୟସଭା ନିର୍ବାଚନ ହେବାକୁ ଥିବା ବେଳେ ଜଣେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ପଶ୍ଚିମବଙ୍ଗରୁ ଦଳ ରାହୁଲ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଛି।

ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିହାରକୁ ଛାଡ଼ି ଦେଲେ ଦଳ ଏହି ସବୁ ରାଜ୍ୟଗୁଡ଼ିକରେ ଆଉ ପ୍ରାର୍ଥୀ ଦେଇ ନପାରେ। ତାମିଲନାଡୁରେ ୬ଟି ରାଜ୍ୟସଭା ଆସନରେ ନିର୍ବାଚନ ହେବାକୁ ଥିବା ବେଳେ ସେଠାକାର ବିଧାନସଭାରେ ବିଜେପିର ମାତ୍ର ୪ ଜଣ ସଦସ୍ୟ ଅଛନ୍ତି। ତେଲେଙ୍ଗାନା ଓ ହିମାଚଳ ପ୍ରଦେଶ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେପି ପ୍ରାର୍ଥୀ ଦେବାର ସମ୍ଭାବନା ନାହିଁ। ତେଲେଙ୍ଗାନାରେ ୨ଟି ଓ ହିମାଚଳ ପ୍ରଦେଶରେ ଗୋଟିଏ ଆସନରେ ରାଜ୍ୟସଭା ନିର୍ବାଚନ ହେବ। 

ମହାରାଷ୍ଟ୍ରରେ ୭ଟି ରାଜ୍ୟସଭା ଆସନରେ ନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରି ନାହିଁ। ପରବର୍ତ୍ତୀ ସମୟରେ ଦଳ ପୁଣି ତାଲିକା ପ୍ରକାଶ କରିପାରେ। ସେହିକ୍ରମରେ ଓଡ଼ିଶାର ଆଉ ୨ଟି ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିପାରେ ବୋଲି କୁହାଯାଉଛି। କାରଣ ଦଳ ଏଠାରେ ୪ ପ୍ରାର୍ଥୀଙ୍କ ପାଇଁ ୧୬ ସେଟ୍ ନାମାଙ୍କନପତ୍ର କିଣିସାରିଛି। ସେହିପରି ବିଭିନ୍ନ ସମୟରେ ରାଜ୍ୟ ବିଜେପିର କେତେକ ବଡ଼ ନେତା କହିଥିଲେ ଯେ ଦଳ ୩ଟି ଆସନରେ ନିଶ୍ଚିତ ବିଜୟୀ ହେବ।  

ଏସବୁ ଭିତରେ ଖବର ଆସିଛି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନ ଲଢ଼ିବେ। ସେ ନିଜେ ଏହା ଘୋଷଣା କରିଛନ୍ତି। ସେ ୫ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ। ପୂର୍ବରୁ ଥରେ ବିଜେଡିକୁ ଚକ୍‌ମା ଦେଇ ରାଜ୍ୟସଭା ଯିବାର ଅଭିଜ୍ଞତା ତାଙ୍କର ରହିଛି। ବିଜେପି ତାଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରିଛି। 

ଅନ୍ୟପକ୍ଷରେ ରାଜ୍ୟସଭା ନିର୍ବାଚନ ପାଇଁ ପୂର୍ବରୁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି। ଦଳ ସଂତୃପ୍ତ ମିଶ୍ରଙ୍କ ତୃତୀୟ ଆସନ ପାଇଁ ପ୍ରାର୍ଥୀ କରିଥିବା ବେଳେ ଚତୁର୍ଥ ଆସନ ପାଇଁ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିଛି। ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଦଳ କମନ୍ କ୍ୟାଣ୍ଡିଡେଟ୍ କରିଛି। ତାଙ୍କୁ କଂଗ୍ରେସ ମଧ୍ୟ ସମର୍ଥନ କରିବ ବୋଲି ଘୋଷଣା କରିସାରିଛି।

ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ବିଜେପି ସମର୍ଥନ କରିବ ନାହିଁ ବୋଲି ପୂର୍ବରୁ କହିସାରିଛି। ତେଣୁ ଦଳ ଦିଲ୍ଲୀପ ରାୟଙ୍କୁ ଚତୁର୍ଥ ଆସନ ପାଇଁ ସମର୍ଥନ କରିବ। ୨୦୨୪ରେ ଦିଲ୍ଲୀପ ରାୟ ବିଜେପି ଟିକେଟରେ ରାଉରକେଲା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ।    

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe