ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତକୁ ବିରୋଧ କରିବ ବିଜେପି

ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସବୁ ସ୍ଥାନରେ କାର୍ଯ୍ୟକ୍ରମ ରହିଛି ସେଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ନିଷ୍ପତ୍ତି ହୋଇଛି ।

ପ୍ରଦୀପ ପୁରୋହିତ

  • Published: Saturday, 04 March 2023
  • , Updated: 04 March 2023, 10:26 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତାକାଲି ପଶ୍ଚିମଓଡ଼ିଶା ଗସ୍ତକୁ ବିଜେପି ବିରୋଧ କରିବ । ମୁଖ୍ୟମନ୍ତ୍ରୀଙ୍କର ଯେଉଁ ସବୁ ସ୍ଥାନରେ କାର୍ଯ୍ୟକ୍ରମ ରହିଛି ସେଠାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଆଜି ଭୁବନେଶ୍ୱରରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ । ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରି ବିଜେପି ବିକ୍ଷୋଭ ଓ ପ୍ରତିବାଦ କରିବ । ୨୦୧୬ ମସିହାରେ ବରଗଡ଼ର ସୋହେଲାଠାରେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନିଜେ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୧୦୦ଟଙ୍କା ଲେଖାଏଁ ବୋନସ ଦେବେ ଓ ପଶ୍ଚିମଓଡ଼ିଶା ବିକାଶ ପାଇଁ ୩୫ହଜାର କୋଟି ଟଙ୍କାର ଆବଂଟନ ଘୋଷଣା କରିଥିଲେ । ଏହି ପ୍ରତିଶ୍ରୁତି ଏ ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । କିନ୍ତୁ ବରଗଡ଼ରେ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଆଉ କିଛି ନୂଆ ଘୋଷଣା କରିବେ । ତେଣୁ ଅନ୍ୟ କିଛି ଘୋଷଣା କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜର ପୂର୍ବ ପ୍ରତିଶ୍ରୁତି ସମ୍ପର୍କରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ ଦାବି କରିଛନ୍ତି ।

ଶ୍ରୀ ପୁରୋହିତ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୋହେଲା-ନୂଆପଡ଼ା ମଧ୍ୟରେ ବିଜୁ ଏକ୍ସପ୍ରେସ ୱେକୁ ଦ୍ୱିତୀୟ ଥର ପାଇଁ ଉଦଘାଟନ କରିବାକୁ ଯାଉଛନ୍ତି । ଏହି ଜାତୀୟ ରାଜପଥ ନିର୍ମାଣର ସମସ୍ତ ଅର୍ଥ କେନ୍ଦ୍ର ସରକାରଙ୍କ ପାଣ୍ଠିରେ ହୋଇଥିବାବେଳେ କେବଳ ଶ୍ରେୟ ନେବାକୁ ମୁଖ୍ୟମନ୍ତ୍ରୀ ଏହାକୁ ଦ୍ୱିତୀୟଥର ଉଦଘାଟନ କରିବେ ବୋଲି ସେ କହିଛନ୍ତି । ବିଜେଡି ସରକାର କିଭଳି ବିଭ୍ରାନ୍ତ କରନ୍ତି ଏହା ତା’ର ଉଦାହରଣ ।

୨୦୨୨ ସୁଦ୍ଧା ଗଙ୍ଗାଧର ମେହେର ପ୍ରକଳ୍ପ ଅନ୍ତର୍ଗତ ହୀରାକୁଦ ଡ୍ୟାମରୁ ଜଳ ଆସି ବିଜେପୁର ଅଂଚଳରେ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ତାହା ବି ପୂରଣ ହେଲାନି । ଯେହେତୁ ମୁଖ୍ୟମନ୍ତ୍ରୀ କେବଳ ମିଛ ପ୍ରତିଶ୍ରୁତି ଦେଉଛନ୍ତି, ତେଣୁ ବିଜେପି ତାଙ୍କୁ ପଶ୍ଚିମଓଡ଼ିଶା ଗସ୍ତବେଳେ ବିରୋଧ କରିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

Related story