ବୈଜୟନ୍ତ ପଣ୍ଡା ଓ ପୀୟୂଷ ଗୋଏଲ (ଫାଇଲ ଫଟୋ)
ଆଗାମୀ ଆସାମ ଓ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ନିଜ ଦଳର ସାଂସଦ ଓ କେନ୍ଦ୍ରମନ୍ତ୍ରୀମାନଙ୍କୁ ବଡ଼ ଦାୟିତ୍ୱ ଦେଇଛି। ଆସନ୍ତାବର୍ଷ ହେବାକୁ ଥିବା ଆସାମ ବିଧାନସଭା ନିର୍ବାଚନ ପାଇଁ ବରିଷ୍ଠ ସାଂସଦ ତଥା ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନୀ ପ୍ରଭାରୀ ଭାବେ ନିଯୁକ୍ତ କରିଛି।
ସେହିପରି ଜମ୍ମୁ-କଶ୍ମୀର ବିଧାନସଭାର ବିରୋଧୀ ଦଳ ନେତା ସୁନୀଲ କୁମାର ଶର୍ମା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦର୍ଶନ ବେନ ଜର୍ଦୋଶ ସହ ପ୍ରଭାରୀ ଭାବେ ନିଯୁକ୍ତି ପାଇଛନ୍ତି। ଉଭୟ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନ ପରିଚାଳନା କାର୍ଯ୍ୟରେ ସହଯୋଗ କରିବେ।
୨୦୨୧ ଆସାମ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ୭୫ଟି ଆସନ ଦଖଲ କରିବା ସହ କ୍ଷମତା ବଜାୟୀ ରଖିଥିଲା। ଆସାମରେ ପ୍ରଥମଥର ପାଇଁ କୌଣସି ଅଣ କଂଗ୍ରେସ ମେଣ୍ଟ କ୍ରମାଗତ ଦ୍ୱିତୀୟ ଥର ରାଜ୍ୟରେ କ୍ଷମତା ଦଖଲ କରିବାର ରେକର୍ଡ ମଧ୍ୟ କରିଥିଲା। ବିଜେପିର ହିମନ୍ତ ବିଶ୍ୱଶର୍ମା ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ସମୟରେ ମଧ୍ୟ ବୈଜୟନ୍ତ ପଣ୍ଡା ଆସାମ ନିର୍ବାଚନୀ ପ୍ରଭାରୀ ଦାୟିତ୍ୱରେ ରହିଥିଲେ।
ବିଜେପି ଆସାମରେ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଥିବା ବେଳେ ପୁଣି ବୈଜୟନ୍ତ ପଣ୍ଡା(Baijayant Panda)ଙ୍କୁ ନିର୍ବାଚନୀ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ୨୦୨୧ରେ କଂଗ୍ରେସ ମେଣ୍ଟ ୫୦ଟି ଆସନ ଜିତିବା ସହ ୨୦୧୬ ତୁଳନାରେ ଭଲ ପ୍ରଦର୍ଶନ କରିପାରିଥିଲା।
ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ବିଜେପି(BJP) ଶ୍ରୀ ପଣ୍ଡାଙ୍କୁ ସେଠାରେ ପ୍ରଭାରୀ ଓ ସଂଗଠନ ଇନଚାର୍ଜ ଭାବେ ନିଯୁକ୍ତ କରିଥିଲା। ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ୁଥିବା ବିଜେପି ଦୀର୍ଘ ୧୫ ବର୍ଷ ପରେ ଦିଲ୍ଲୀ ଦଖଲ କରିବାକୁ ସକ୍ଷମ ହୋଇଥିଲା। ସେହିପରି ଉତ୍ତର ପ୍ରଦେଶ ଓ ଆସାମର ସଂଗଠନ ଦାୟିତ୍ୱରେ ମଧ୍ୟ ବୈଜୟନ୍ତ ପଣ୍ଡା ଦାୟିତ୍ୱ ସଫଳତାର ସହ ତୁଲାଇ ସାରିଛନ୍ତି।
ଏହି ସଫଳତା ପରେ ଏବେ ବୈଜୟନ୍ତଙ୍କ କାନ୍ଧରେ ଆସାମ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଆସନ୍ତା ବର୍ଷ ମଧ୍ୟ ଭାଗରେ ଆସାମ ବିଧାନସଭା ନିର୍ବାଚନ ହୋଇପାରେ। କିନ୍ତୁ ବିଜେପି ଏବେ ଠାରୁ ଆସାମ ନିର୍ବାଚନ ପ୍ରଭାରୀ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ନିଯୁକ୍ତ କରିଛି।
ଏହାପୂର୍ବରୁ ବିଜେପି ଏକଦା ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ପ୍ରଭାରୀ ଭାବେ ନିଯୁକ୍ତ କରିଥିଲା। ହେଲେ ଏବେ ତାଙ୍କୁ ଆସାମ ଦାୟିତ୍ୱ ଦଳ ହସ୍ତାନ୍ତର କରି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ(Piyush Goyal)ଙ୍କୁ ତାମିଲନାଡୁ ଦାୟିତ୍ୱ ଦେଇଛି। ପୀୟୂଷ ଗୋଏଲ ନିର୍ବାଚନୀ ପ୍ରଭାରୀ ଦାୟିତ୍ୱ ମିଳିଥିଲା ବେଳେ ଅର୍ଜୁନ ରାମ ମେଘୱାଲ ଓ ମୁରଲୀଧର ମୋହୋଲ ସହ ପ୍ରଭାରୀ ଭାବେ ନିଯୁକ୍ତି ପାଇଛନ୍ତି।
ଏହି ଦୁଇ ରାଜ୍ୟରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏବେ ଠାରୁ ବିଜେପି ରଣନୀତି ପ୍ରସ୍ତୁତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/15/baijayant-panda-2025-12-15-12-59-35.jpg)