Advertisment

ବିଜ୍ଞାପନ ପାଇଁ ଗୁଗଲରେ ୬ ବର୍ଷରେ ଖର୍ଚ୍ଚ ହେଲାଣି ୩୯୦ କୋଟି; ବିଜେପିର ୧୦୦ କୋଟି, କଂଗ୍ରେସର ୪୫ କୋଟି

ବିଜେପି ତା’ର ଡିଜିଟାଲ ପ୍ରଚାର ପାଇଁ ଏଯାଏ ୧୦୧ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହା କଂଗ୍ରେସ, ଡିଏମକେ ଓ ରାଜନୀତିକ ପରାମର୍ଶଦାତା କମ୍ପାନୀ ଇଣ୍ତିଆନ ପଲଟିକାଲ ଆକ୍ସନ କମିଟିର ବିଜ୍ଞାପନ ସହ ସମାନ।

author-image
Hemant Lenka
ଅଦ୍ୟତନ ହୋଇଛି
BJP

BJP

ଭାରତ ଇତିହାସରେ ପ୍ରଥମ ରାଜନୀତିକ ଦଳ ଭାବେ ଶାସକ ବିଜେପି ନିଜର ପ୍ରଚାର ପାଇଁ ସର୍ଚ୍ଚ ଇଞ୍ଜିନ ଗୁଗଲ ଓ ଏହାର ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବରେ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଲାଣି।

Advertisment

ବିଜେପି ତା’ର ଡିଜିଟାଲ ପ୍ରଚାର ପାଇଁ ଏଯାଏ ୧୦୧ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହା କଂଗ୍ରେସ, ଡିଏମକେ ଓ ରାଜନୀତିକ ପରାମର୍ଶଦାତା କମ୍ପାନୀ ଇଣ୍ତିଆନ ପଲଟିକାଲ ଆକ୍ସନ କମିଟିର ବିଜ୍ଞାପନ ସହ ସମାନ। ୨୦୧୮ରୁ ଏଯାବତ ମଧ୍ୟରେ ବିଜେପି ଏହି ପରିମାଣର ଟଙ୍କା ଖର୍ଚ୍ଚ କରିଛି।

୨୦୧୮ ମେ’ ୩୧ରୁ ୨୦୨୪ ଏପ୍ରିଲ ୨୫ ମଧ୍ୟରେ ରାଜନୀତିକ ବିଜ୍ଞାପନ ପାଇଁ ଗୁଗଲରେ ମୋଟ ୩୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ମଧ୍ୟରୁ ବିଜେପିର ଭାଗ ୨୬%। ଗୁଗଲର ରାଜନୀତିକ ବିଜ୍ଞାପନର ସଂଜ୍ଞା ବେଶ ବ୍ୟାପକ। ଏହା ମଧ୍ୟରେ ନ୍ୟୁଜ ସଂସ୍ଥା, ସରକାରୀ କାର୍ଯ୍ୟକ୍ରମର ପ୍ରଚାର କରୁଥିବା ବିଭାଗ ଓ ଅଭିନେତା-ରାଜନେତାକୁ ନେଇ ପ୍ରସ୍ତୁତ ହେଉଥିବା ଗୁଗଲ ବିଜ୍ଞାପନ ରହିଛି।

Advertisment

ଗତ ୬ ବର୍ଷ ମଧ୍ୟରେ ମୋଟ ୨,୧୭,୯୯୨ ବିଜ୍ଞାପନ ଗୁଗଲ ପ୍ରକାଶ କରିଥିବା ବେଳେ ଏହା ମଧ୍ୟରେ ବିଜେପିର ସଂଖ୍ୟା ୭୩% ଅର୍ଥାତ ୧,୬୧,୦୦୦ ରହିଛି। ବିଜେପି ତା’ର ଅଧିକାଂଶ ବିଜ୍ଞାପନରେ କର୍ଣ୍ଣାଟକା, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀବାସୀଙ୍କୁ ଟାର୍ଗେଟ କରିଛି।

କର୍ଣ୍ଣାଟକା ପାଇଁ ୧୦.୮ କୋଟି, ଉତ୍ତର ପ୍ରଦେଶ ପାଇଁ ୧୦.୩ କୋଟି, ରାଜସ୍ଥାନ ପାଇଁ ୮.୫ କୋଟି ଓ ଦିଲ୍ଲୀ ପାଇଁ ଦଳ ୭.୬ କୋଟି ଟଙ୍କା ରାଜନୀତିକ ବିଜ୍ଞାପନରେ ଖର୍ଚ୍ଚ କରିଛି।

ମୋଟ ଉପରେ ଦେଖିଲେ, ବିଭିନ୍ନ ରାଜନୀତିକ ଦଳ ତାମିଲନାଡୁ ପାଇଁ ଗୁଗଲରେ ସର୍ବାଧିକ ରାଜନୀତିକ ବିଜ୍ଞାପନ ପ୍ରକାଶ କରୁଥିବା ବେଳେ ଦ୍ୱିତୀୟରେ ତେଲଙ୍ଗାନା, ତୃତୀୟରେ ଉତ୍ତର ପ୍ରଦେଶ, ୪ର୍ଥରେ କର୍ଣ୍ଣାଟକା ଓ ୫ମରେ ମଧ୍ୟପ୍ରଦେଶ ରହିଛି।

ବିଜେପି ୧୦୦ କୋଟି ଅଧିକ ଟଙ୍କା ଗୁଗଲ ବିଜ୍ଞାପନରେ ଖର୍ଚ୍ଚ କରିଥିବା ବେଳେ ଦ୍ୱିତୀୟରେ କଂଗ୍ରେସ ରହିଛି। କଂଗ୍ରେସ ନିଜର ପ୍ରଚାର ପାଇଁ ୪୫ କୋଟି ଟଙ୍କା ଖର୍ଚ୍ଚ କରିଛି।

୬ ବର୍ଷ ମଧ୍ୟରେ କଂଗ୍ରେସ କେବଳ ୫,୯୯୨ଟି ଅନଲାଇନ ବିଜ୍ଞାପନ ପବ୍ଲିଶ କରିଛି। ଏହା ବିଜେପିର ବିଜ୍ଞାପନ ତୁଳନାରେ ୩.୭%। କଂଗ୍ରେସର ଅଧିକାଂଶ ପ୍ରଚାର କର୍ଣ୍ଣାଟକା ଓ ତେଲଙ୍ଗାନା ଉପରେ ରହିଛି। କର୍ଣ୍ଣାଟକା ଓ ତେଲଙ୍ଗାନା ପାଇଁ ଦଳ ୯.୬ କୋଟି ଲେଖାଏ ଖର୍ଚ୍ଚ କରିଥିବା ବେଳେ ମଧ୍ୟପ୍ରଦେଶ ପାଇଁ ୬.୩ କୋଟି ଟଙ୍କା ଦେଇଛି।

ତାମିଲନାଡୁର ଶାସକ ଦଳ ଡିଏମକେ ଗୁଗଲ ବିଜ୍ଞାପନ ତାଲିକାର ତୃତୀୟ ସ୍ଥାନରେ ରହିଛି। ଦଳ ୨୦୧୮ ମେ’ରୁ ଇତି ମଧ୍ୟରେ ୪୨ କୋଟି ଟଙ୍କା ଗୁଗଲ ପ୍ଲାଟଫର୍ମରେ ଖର୍ଚ୍ଚ କରିଛି। ତାମିଲନାଡୁ ବ୍ୟତୀତ ଡିଏମକେ କର୍ଣ୍ଣାଟକା ପାଇଁ ୧୪ ଲକ୍ଷ ଓ କେରଳ ପାଇଁ ୧୩ କୋଟି ଦେଇଛି।

୨୦୨୩ ନଭେମ୍ବର ମାସ ବିଧାନସଭା ନିର୍ବାଚନ ଯାଏ ବିଆରଏସ୍‌ର ବିଜ୍ଞାପନ ଗୁଗଲରେ ପ୍ରକାଶ ପାଉଥିଲା। ଦଳ ଏହି ସମୟରେ ୧୨ କୋଟି ଖର୍ଚ୍ଚ କରିଥିଲେ ହେଁ କଂଗ୍ରେସ ଠାରୁ ହାରିଥିଲା।

ପ୍ରଶାନ୍ତ କିଶୋରଙ୍କ Indian Political Action Committee (IPAC) ୱାଇଏସ୍‌ଆର କଂଗ୍ରେସ ପାଇଁ ୬.୪ କୋଟି ଓ ଟିଏମସି ପାଇଁ ୪.୮ କୋଟି ଟଙ୍କା ଖର୍ଚ୍ଚ କରିଥିଲା ବୋଲି ତଥ୍ୟ ସାମ୍ନାକୁ ଆସିଛି।

Bjp Lok Sabha Election 2024