Advertisment

ନୂଆବର୍ଷରେ ବିଜେପି-କଂଗ୍ରେସକୁ ମିଳିବେ ନୂଆ ମୁଖିଆ! ନବୀନ ବାଛିପାରନ୍ତି ନୂଆ ସେନାପତି

ବିଜେପିର ସାଂଗଠନିକ ପର୍ବ ଶେଷ ପର୍ଯ୍ୟାୟରେ। ସେପଟେ ପିସିସି ସଭାପତି ପାଇଁ ଦିଲ୍ଲୀ ହାଇକମାଣ୍ଡଙ୍କ ନିଷ୍ପତ୍ତି ଅପେକ୍ଷାରେ କଂଗ୍ରେସ। ନୂଆ କ୍ରାଇସିସ୍ ମ୍ୟାନେଜରଙ୍କୁ ଦାୟିତ୍ୱ ଦେଇପାରନ୍ତି ନବୀନ।

author-image
Debadatta Aryashrestha
BJP, BJD and Congress

BJP, BJD and Congress

ନୂଆବର୍ଷରେ ନୂଆ ମୁଖିଆ ଦେଖିବ ରାଜ୍ୟ ବିଜେପି ଏବଂ କଂଗ୍ରେସ। ବିଜେଡିରେ ନବୀନ ସୁପ୍ରିମୋ ଥିଲେ ବି ସାମ୍ନାକୁ ଆଣିପାରନ୍ତି ନୂଆ ନେତୃତ୍ୱ। ବିଜେପିର ସାଂଗଠନିକ ପର୍ବ ଶେଷ ପର୍ଯ୍ୟାୟରେ ଥିବାବେଳେ ଖୁବଶୀଘ୍ର ଘୋଷଣା ହେବ ସଭାପତିଙ୍କ ନାମ। କୁହାଯାଉଛି ନିର୍ବାଚନୀ ସଫଳତା ପାଇଁ ମନମୋହନଙ୍କୁ ପୁଣିଥରେ ଦାୟିତ୍ୱ ମିଳିପାରେ। ଗୋଲକ ମହାପାତ୍ର ଓ ସମୀର ମହାନ୍ତିଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି। ସେପଟେ ପିସିସି ସଭାପତି ପାଇଁ କସରତ ଆରମ୍ଭ ହୋଇଥିବାବେଳେ କାହାକୁ କେନ୍ଦ୍ର ନେତୃତ୍ୱ ମୁକୁଟ ପିନ୍ଧାଉଛନ୍ତି, ତା'ଉପରେ ନଜର। ଆଉ ପରାଜୟ ପରେ ବିଜେଡି ଏଥର କିଛି ଢାଞ୍ଚାଗତ ପରିବର୍ତ୍ତନ କରି ଜଣେ କ୍ରାଇସିସ ମ୍ୟାନେଜରଙ୍କୁ ଦାୟିତ୍ୱ ଦେଇପାରେ।

Advertisment

ଶାସକ ଦଳ ବିଜେପିର ସାଂଗଠନିକ ପର୍ବ ଶେଷ ପର୍ଯ୍ୟାୟରେ। ବୁଥ୍ ପରେ ମଣ୍ଡଳ ସଭାପତି ଚୟନ ପ୍ରକ୍ରିୟା ଜାରି ରହିଛି। ତା'ପରେ ଜିଲ୍ଲା ଏବଂ ପରେ ରାଜ୍ୟ ସଭାପତି ସ୍ଥିର ହେବେ। ପ୍ରଥମ ଥର ପାଇଁ ଏକାକୀ ସରକାରକୁ ଆସିଥିବାରୁ ବିଜେପି ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ। ତେଣୁ ରାଜ୍ୟ ବିଜେପିର କିଏ ମଙ୍ଗ ଧରିବେ ତାକୁ ନେଇ ଚର୍ଚ୍ଚା ଜାରି ରହିଛି। ସରକାର ଆଣିବାରେ ଏବେର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଛି। ତେଣୁ ସରକାର ଏବଂ ସଂଗଠନ ଭିତରେ ସମନ୍ୱୟ ରଖି ପାରୁଥିବା ବ୍ୟକ୍ତି, ସରକାରୀ ଏଜେଣ୍ଡାକୁ ଦଳୀୟ ସ୍ତରରେ ସଫଳ କରିବାର ଦକ୍ଷତା ରଖୁଥିବା ନେତାକୁ ମିଳିପାରେ ଦାୟିତ୍ୱ। କୁହାଯାଉଛି ମନମୋହନ ସାମଲଙ୍କ କାର୍ଯ୍ୟକାଳ ମଧ୍ୟ ବଢ଼ାଇ ଦିଆଯାଇପାରେ। ଏହାବାଦ୍ ଉପସଭାପତି ଗୋଲକ ମହାପାତ୍ର ଓ ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ନାଁ ବି ଚର୍ଚ୍ଚା ହେଉଛି।

ଅନ୍ୟପଟେ ମୁଖ୍ୟ ବିରୋଧୀ ଦଳ ବିଜେଡିରେ ଯଦିଓ ନବୀନ ସୁପ୍ରିମୋ ଅଛନ୍ତି, କିନ୍ତୁ ରାଜ୍ୟସ୍ତରୀୟ କମିଟି ଏ ଯାଏଁ ଦଳ ତିଆରି କରିପାରୁନାହିଁ। କୁହାଯାଉଛି ସୁପ୍ରିମୋ ଯଦିଓ ନବୀନ ରହିବେ, ସେନାପତି ଭାବେ ଜଣେ ବରିଷ୍ଠ ନେତାଙ୍କୁ ନିଯୁକ୍ତ କରାଯିବ। ପୂର୍ବରୁ ଯେମିତି ସାଂଗଠନିକ ସଂପାଦକ ଭାବେ ପ୍ରଣବ ପ୍ରକାଶ ଦାସଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତେବେ ପରାଜୟ ପରେ ଦଳରେ ପ୍ରଣବ ପ୍ରକାଶଙ୍କୁ ନେଇ ଅସନ୍ତୋଷ ଜାରି ରହିଛି। ଯେଉଁଥିପାଇଁ ଦେବୀପ୍ରସାଦ ମିଶ୍ରଙ୍କୁ ୧୫ ଜଣିଆ କୋର୍ଡିନେସନ କମିଟିର ଅସ୍ଥାୟୀ ଅଧ୍ୟକ୍ଷ କରି କାର୍ଯ୍ୟକ୍ରମ କରୁଛି ଦଳ। ଚଳିତ ଥର ବିଜେଡି କିଛି ଢାଞ୍ଚାଗତ ପରିବର୍ତ୍ତନ କରିପାରେ ବୋଲି କୁହାଯାଉଛି। ଦଳ ଭିତରେ ଥିବା କନ୍ଦଳ ଏବଂ ଅସନ୍ତୋଷକୁ ମ୍ୟାନେଜ କରିବାର ଦକ୍ଷତା ରଖୁଥିବା ଲୋକକୁ ଗୁରୁ ଦାୟିତ୍ୱ ମିଳିପାରେ। ପରାଜୟ ପରେ ବରିଷ୍ଠଙ୍କୁ ଦଳ ଗୁରୁତ୍ୱ ଦେଉଥିବାରୁ ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟାସାଚୀଙ୍କ ଭଳି ନେତାଙ୍କୁ ଗୁରୁ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି।

Advertisment

ଅନ୍ୟପଟେ କଂଗ୍ରେସ ବି ନିର୍ବାଚନ ପରଠାରୁ ବିନା ମୁଖିଆରେ ଚାଲିଛି। ସଭାପତି ଚୟନ ପାଇଁ ଚରଣ ଦାସ ମହନ୍ତ ଏବଂ ମୀନାକ୍ଷୀ ନଟରାଜନଙ୍କୁ କେନ୍ଦ୍ର ଦାୟିତ୍ୱ ଦେଇଛି। ଏହା ଭିତରେ ସେମାନେ ଓଡିଶା ଆସି ନେତାଙ୍କ ସହ ମାନସମନ୍ଥନ କରିଛନ୍ତି। କିନ୍ତୁ ଏଯାଏଁ ନାଁ ସ୍ଥିର ହୋଇପାରୁନି। କୁହାଯାଉଛି ଏକ ଯୁବ ଚେହେରା ଖୋଜୁଛନ୍ତି କେନ୍ଦ୍ର ନେତୃତ୍ୱ। ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, ମହମ୍ମଦ ମୋକିମ, ଶ୍ରୀକାନ୍ତ ଜେନା , ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି।

BjD Bjp Congress Naveen Patnaik Odisha Politics Manmohan Samal PCC President