Advertisment

ଫାଇଭ-ଟି ଓ ବବିଙ୍କ କ୍ରୀତଦାସ ବୟାନକୁ ନେଇ ବର୍ଷିଲେ ବିରୋଧୀ, ପୁଣି ଚିହିଁକି ଉଠିଲା ବିଜେଡି

ମୁଖ୍ୟମନ୍ତ୍ରୀଙ୍କ ସଚିବ ସିଏ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସିଏ ଜଣେ କର୍ମଚାରୀ ହୋଇପାରନ୍ତି । କିନ୍ତୁ ତାଙ୍କୁ ସିଏମଓ ବୋଲି କହିଲେଣି ଜଣେ ବିଧାୟକ। ସେହି ବିଧାୟକ ନିଜକୁ କ୍ରୀତଦାସ ବି କହିଲେଣି ।

BJP, BJD, Congress

BJP, BJD, Congress

Advertisment

‘ଫାଇଭ-ଟି’କୁ ନେଇ ଆଜି ପୁଣିଥରେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ଫାଇଭ-ଟି କ’ଣ ସିଏମଓ(ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ) କି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରିବା ସହ ଜଣେ ବିଧାୟକ ନିଜକୁ କ୍ରୀତଦାସ କହିବାକୁ ନାପସନ୍ଦ କରିଥିଲେ । ତେବେ ଶ୍ରୀ ମିଶ୍ରଙ୍କ ଏଭଳି ଅଭିଯୋଗକୁ ନେଇ ବିଜେଡି ଚିହିଁକି ଉଠିଛି ଓ ଆଜି ତାଙ୍କୁ ପୁଣିଥରେ ବ୍ୟକ୍ତିଗତ ସମାଲୋଚନା କରିଛି ।

Advertisment

ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ‘ଫାଇଭ-ଟି କେମିତି ସିଏମଓ’ ହେଲେ ବୋଲି ପ୍ରଶ୍ନ କରିବା ସହ ଯିଏ ମୁଖ୍ୟମନ୍ତ୍ରୀଙ୍କ ସଚିବ ସିଏ କିଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହୋଇଯିବ ତାହା ସେ ଜାଣିପାରୁନାହାନ୍ତି ବୋଲି କହିବାପରେ ବିଜେଡି ବିଧାୟକମାନେ କେନ୍ଦ୍ର ସରକାର ୫କିଲୋ ଚାଉଳ କାଟିବା ପ୍ରସଙ୍ଗରେ ବ୍ୟାନର-ପୋଷ୍ଟର ଧରି ନିଜ ନିଜ ସିଟରେ ପ୍ରତିବାଦ କରିଥିଲେ। ଯାହାକୁ ନେଇ ଗୃହରେ ଉଭୟ ବିରୋଧୀ ଓ ଶାସକ ମୁହାଁମୁହିଁ ହେବାରୁ ବାଚସ୍ପତି ଗୃହକୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ଗୃହ ବାହାରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଥିଲେ ଯେ, ଫାଇଭ-ଟି କହିଲାମାନେ ବିଜେଡି ସଦସ୍ୟମାନେ ଏକଥାକୁ କେଉଁ ଦିଗକୁ ନେଇଯାଉଛନ୍ତି, ସେ ଜାଣିପାରୁନାହାନ୍ତି । ‘ଫାଇଭ-ଟି’ର ସବୁ ଜାଗାରେ ଆବଶ୍ୟକତା କ’ଣ? ଜଣେ କହୁଛନ୍ତି ଫାଇଭ-ଟି ହେଉଛି ଚିନ୍ତାଧାରା-ବିଚାରଧାରା । ଏବେ କହିଲେଣି ଫାଇଭ-ଟି ହେଉଛି ସିଏମଓ । ଗୋଟିଏ ବିଚାରଧାରା କିଭଳି ସିଏମଓ କେମିତି ହେବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ସିଏ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସିଏ ଜଣେ କର୍ମଚାରୀ ହୋଇପାରନ୍ତି । କିନ୍ତୁ ତାଙ୍କୁ ସିଏମଓ ବୋଲି କହିଲେଣି ଜଣେ ବିଧାୟକ। ସେହି ବିଧାୟକ ନିଜକୁ କ୍ରୀତଦାସ ବି କହିଲେଣି । ସେ ଦ୍ୱାରପାଳ ଭୂମିକା ତୁଲାଇଲେ । ଜଣେ ବିଧାୟକ ନିଜର ସମ୍ମାନ ରକ୍ଷା କରିବାର ଆବଶ୍ୟକତା ରହିଛି । ସମ୍ପୃକ୍ତ ବିଧାୟକଙ୍କର ପିତା ଜଣେ ସ୍ୱାଭିମାନୀ ନେତା ଥିଲେ । କିନ୍ତୁ ବିଧାୟକ ହେଉଛନ୍ତି ଜଣେ ଲୋକପ୍ରତିନିଧି, ଆଉ ନିଜକୁ କ୍ରୀତଦାସ ବୋଲି କହୁଛନ୍ତି । ଏହି କଥାକୁ ବିଧାନସଭାରେ ଉଠାଇବାକୁ ଚାହୁଁଥିଲି । କାରଣ ଏବେ ବିଶ୍ୱରୁ କ୍ରୀତଦାସ ପ୍ରଥା ଉଠିଗଲାଣି । ଭାରତବର୍ଷରୁ କ୍ରୀତତାସ,ଗୋତିପ୍ରଥା କେବେଠୁ ଉଠିଲାଣି । ଶାସକ ଦଳ ସଦସ୍ୟମାନେ ଜାଣିଥିଲେ ଯେ, ଏହି ପ୍ରସଙ୍ଗ ଗୃହରେ ଉଠିବ,ତେଣୁ ସେମାନେ ଚାଉଳ କଥା ଉଠାଇଲେ। କୋଭିଡଜନିତ ରିଲିଫ କେନ୍ଦ୍ର ସରକାର ଦେଉଥିଲେ । ତାକୁ କମେଇଦେଲେ । ଟଙ୍କିକିଆ ଚାଉଳ ଦେଇ ଓଡ଼ିଶା ସରକାର ଯେଉଁ ଶ୍ରେୟ ନେବାକୁ ଚାହୁଁଥିଲେ, ସେମାନେ ଦିଅନ୍ତୁ, କିଏ ତାଙ୍କୁ ମନା କରୁଛି ।

Advertisment

ଅନ୍ୟପକ୍ଷରେ ଶ୍ରୀ ମିଶ୍ରଙ୍କ ଅଭିଯୋଗ ଉପରେ ବିଜେଡି ବିଧାୟିକା ଲତିକା ପ୍ରଧାନ ଗୃହ ବାହାରେ ବୟାନ ରଖି ସିଧାସଳଖ ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିଛନ୍ତି । ସେ କହିଛନ୍ତି ଯେ, “ଓଡ଼ିଶାର ବିକାଶ ହେଉଛି କିନ୍ତୁ ବିରୋଧୀଦଳ ନେତାଙ୍କୁ ଫାଇଭ-ଟି ଭୂତ ଘାରିଛି । ଫାଇଭ-ଟି ମାଧ୍ୟମରେ ପ୍ରତ୍ୟେକ ସ୍କୁଲର କାୟାକଳ୍ପ ପରିବର୍ତ୍ତନ ହୋଇଗଲା. ମନ୍ଦିରଗୁଡ଼ିକର ଯେଉଁ ପରିବର୍ତ୍ତନ ହୋଇଛି, ତାକୁ ରାତିଅଧିଆ ଦେଖି ସେ ବିଚଳିତ ଏବଂ ବାଚାଳ ହୋଇଯାଉଛନ୍ତି । ତାଙ୍କର ମାନସିକ ଭ୍ରମ ସୃଷ୍ଟି ହେଉଛି । ସେ ସବୁବେଳେ ବିଧାନସଭାରେ ଖାଲି ଫାଇଭ-ଟି ଓ ସିଏମଓ କଥା କହୁଛନ୍ତି । ତିନି ତିନି ଜଣ ଆଇଏସ ଅଫିସର ଫାଇଭ-ଟି କାର୍ଯ୍ୟକୁ ତଦାରଖ କରୁଛନ୍ତି, ସାରା ଓଡ଼ଶା ବୁଲୁଛନ୍ତି, ଲୋକଙ୍କ ଯାହା ଆବଶ୍ୟକତା, ଓଡ଼ିଶାର ଆବଶ୍ୟକତା ଅନୁସାରେ କାର୍ଯ୍ୟ କରୁଛନ୍ତି । ବିରୋଧୀ ଦଳ ନେତାଙ୍କର ମାନସିକ ଦୋଷ ରହିଛି । ତାଙ୍କର ଯଦି ଚିକିତ୍ସା ଦରକାର ତା’ହେଲେ ରାଜ୍ୟ ସରକାର ସାହାଯ୍ୟ କରିବେ ବୋଲି ଶ୍ରୀମତୀ ପ୍ରଧାନ କଟାକ୍ଷ କରିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ବିଧାୟକମାନଙ୍କର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି। ଯେକୌଣସି ଦଳର ବିଧାୟକ ହୁଅନ୍ତୁ ନା କାହିଁକି,ନିଜର ପଦମର୍ଯ୍ୟାଦା ରଖିବା ଦରକାର। ଦଳମତ ନିର୍ବିଶେଷରେ କୌଣସି ବିଧାୟକ କାହାକୁ ଚାକର କି କ୍ରୀତଦାସ କହିବା, ବିଧାୟକମାନଙ୍କର ମର୍ଯ୍ୟାଦା ହାନି କରୁଛି । ତେଣୁ ଏଭଳି ଶବ୍ଦ କହିବା ଉଚିତ୍ ନୁହେଁ । ଜଣେ ବିଧାୟକ ନବରଙ୍ଗପୁର ଗସ୍ତରେ ଯାଇ ଏଭଳି କହିଛନ୍ତି ତାକୁ ଆମେ ନିନ୍ଦା କରୁଛୁ ବୋଲି ଶ୍ରୀ ସାଲୁଜା କହିଛନ୍ତି ।

Odisha Police BjD State Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe