Advertisment

ନାମାଙ୍କନ ଦାଖଲ କଲେ ମନ୍ମଥ ଓ ଅପରାଜିତା; ମୁହାଁମୁହିଁ ହେଲେ ସମର୍ଥକ

ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡିର ମନ୍ମଥ ରାଉତରାୟ ଆଜି ବିରାଟ ଶୋଭାଯାତ୍ରାରେ ନିଜ ହଜାର ହଜାର ସମର୍ଥକଙ୍କ ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି।

ଅଦ୍ୟତନ ହୋଇଛି
BJD & BJP Candidate nomination

BJD & BJP Candidate nomination

Advertisment

ଭୁବନେଶ୍ୱର ଲୋକସଭା ଆସନ ନିମନ୍ତେ ଆଜି ନାମାଙ୍କନ ଦାଖଲ କରିଛନ୍ତି ଦୁଇ ହେଭିୱେଟ ନେତା। ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡିର ମନ୍ମଥ ରାଉତରାୟ ଆଜି ବିରାଟ ଶୋଭାଯାତ୍ରାରେ ନିଜ ହଜାର ହଜାର ସମର୍ଥକଙ୍କ ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି। ତେବେ ନାମାଙ୍କନ ଦାଖଲ ବେଳେ ଉଭୟ ପ୍ରାର୍ଥୀଙ୍କ ସମର୍ଥକ ମୁହାଁମୁହିଁ ହୋଇଥିବା ବେଳେ କିଛି ସମୟ ପାଇଁ ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା।

Advertisment

ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଜି ସକାଳେ ପ୍ରଥମେ ନିଜ ବାସଭବନରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ  ସମର୍ଥକଙ୍କ ସହ ମା’ ଭୁଆଷୁଣି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ନିଜ ସମର୍ଥକଙ୍କ ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଏକ ଖୋଲା ଜିପ୍‌ରେ ଯାଇଥିଲେ। ଏହି ସମୟରେ ଅପରାଜିତା ଏକ ବିଶାଳ ରୋଡ ଶୋ’ କରିଥିବା ବେଳେ ତାଙ୍କର ହଜାର ହଜାର ସମର୍ଥକ ଏଥିରେ ସାମିଲ ହୋଇଥିଲେ। ଏହାପରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ।

 ଅପରାଜିତାଙ୍କ ପାଖେପାଖେ ତାଙ୍କ ପୁଅ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏଥିସହ ତାଙ୍କ ସମର୍ଥକ ପ୍ରିୟଦର୍ଶୀ ମିଶ୍ର, ପ୍ରଶାନ୍ତ ଜଗଦ୍ଦେବ, ବାବୁ ସିଂ ପ୍ରମୁଖ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ଥିଲେ।

Advertisment

ସେହିପରି ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ମଧ୍ୟ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଭୁଙ୍କ ଆଶୀର୍ବାଦ ନେଇ ନାମାଙ୍କନ ପାଇଁ ବାହାରିଥିଲେ ମନ୍ମଥ। ତେବେ ନାମାଙ୍କନ ଦାଖଲ ପୂର୍ବରୁ ମନ୍ମଥ ଲିଙ୍ଗରାଜ ମନ୍ଦିରରୁ ଦୌଡ଼ି ଦୌଡ଼ି ଜଟଣୀରେ ପହଞ୍ଚିଥିଲେ। ଏହାପରେ ଗୋଡ଼ିପୋଖରୀ ଛକରୁ ନିଜ ସମର୍ଥକଙ୍କ ସହ ଶଗଡ଼ ଜରିଆରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସମର୍ଥକମାନେ ପାଇକ ବେଶରେ ସଜ୍ଜିତ ହୋଇଥିବା ବେଳେ ଶଙ୍ଖ ଧ୍ୱନିରେ ଚତୁଃର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିଥିଲା। ସେଠାରୁ ମନ୍ମଥ ବିରାଟ ଶୋଭାଯାତ୍ରାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଥିଲେ ।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଭୟ ବିଜେପି ଓ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରୁଥିବା ବେଳେ ବାହାରେ ଉପୁଜିଥିଲା ମୁହାଁମୁହିଁ ସ୍ଥିତି । ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟଙ୍କ ସମର୍ଥକ ମୁହାମୁହିଁ ହୋଇଥିଲେ। ଫଳରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ହୋହଲ୍ଲାରେ ପ୍ରକମ୍ପିତ ହେଉଥିବା ବେଳେ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା। ଏହାକୁ କେନ୍ଦ୍ର କରି କାର୍ଯ୍ୟାଳୟ ବାହାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଖୋର୍ଦ୍ଧା ଏସ୍‌ପି, ଡିଏସ୍‌ପିଙ୍କ ସମେତ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ ହୋଇଥିଲେ। ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ପରେ ଏସ୍‌ପି ଉଭୟ ପକ୍ଷଙ୍କ ସହ ଆଲୋଚନା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।  

ନିର୍ବାଚନ ଅଧିକାରୀ ଉଭୟ ପ୍ରାର୍ଥୀଙ୍କୁ ଏକ ସମୟରେ ପ୍ରାର୍ଥିପତ୍ର ଦାଖଲ ଅନୁମତି କେମିତି ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଭୟ ଦଳର ଶହ ଶହ  ସମର୍ଥକ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ ବି ସେମାନଙ୍କୁ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ପୁଲିସ ଫୋର୍ସ ମୁତୟନ କରାଯାଇନି । ପ୍ରଶାସନର ପରିଚାଳନାଗତ ତ୍ରୁଟି ପାଇଁ ଏଭଳି ସ୍ଥିତି ହୋଇଥିବା ଚର୍ଚ୍ଚା ହେଉଛି।

ମେ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ମତଦାନ ହେବ।  ତେବେ ଏଥର କାହାର ବାଜିମାତ ହେବ, କିଏ ଯିବ ସଂସଦ ତାହା ଉପରେ ସମସ୍ତଙ୍କ ନଜର। 

Bjp BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe