‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ସରକାରୀ ବିଜ୍ଞାପନକୁ ନେଇ ତେଜିଲା ରାଜନୀତି। ସରକାରୀ ବିଜ୍ଞାପନରେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ଥିବାରୁ ଏହାକୁ ନେଇ ଟାର୍ଗେଟ କରିଛି ବିଜେପି ।
ବିଜେଡିର ଭୋଟ୍ ବ୍ୟାଙ୍କ ବୃଦ୍ଧି ପାଇଁ ଏହା ଏକ ପ୍ଲାନ୍ ବୋଲି ବିଜେପି ଅଭିଯୋଗ କରିବା ସହ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି।
ମୋହନ ମାଝୀ କହିଛନ୍ତି, ଆଜିଠାରୁ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଏକ ନୂତନ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନା ଯେପରି ରାଜ୍ୟ ସରକାର ଓଡ଼ିଶାରେ ଲାଗୁ କରିବାକୁ ଯାଉଛନ୍ତି, ଆଗାମୀ ଦିନରେ ଭୋଟ ବ୍ୟାଙ୍କ ପାଇଁ କରୁଥିବା ସ୍ପଷ୍ଟ ହେଉଛି। ୨୩ ବର୍ଷର ଶାସନ ସତ୍ତ୍ୱେ ହାରିବା ଭୟ ରହୁଥିବାରୁ, ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ସ୍ଥାନିତ କରିଛନ୍ତି। ଦଳୀୟ ଚିହ୍ନ ଆଧାରରେ ସରକାରୀ ବିଜ୍ଞପ୍ତି ପ୍ରକାଶ କରାଯାଉଛି। ଏହାକୁ ବିରୋଧ କରାଯିବ, କୋର୍ଟରେ ଚ୍ୟାଲେଞ୍ଜ କରାଯିବ । ଏହି ଯୋଜନା ଦିଶାହୀନ ଭାବେ କରାଯାଇଛି। କେବଳ ଭୋଟ ବ୍ୟାଙ୍କ ସୃଷ୍ଟି କରି ବିଜେଡିକୁ ଜିତାଇବା ପାଇଁ ଏପରି ଯୋଜନା କରାଯାଇଛି। ଆବଶ୍ୟକ ସ୍ଥଳେ ବିଜେପି କୋର୍ଟକୁ ଯିବ । ଏନେଇ ଦଳୀୟ ବୈଠକରେ ନିଷ୍ପତ୍ତି ନିଆଯିବ ।
ଏହି ଯୋଜନାକୁ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏନେଇ ସେ କହିଛନ୍ତି, ୨୩ ବର୍ଷର ଶାସନ ପରେ ବି ବିଜୁ ଜନତା ଦଳ ନୂଆ ବୋତଲରେ ପୁରୁଣା ମଦ ଭଳି କାର୍ଯ୍ୟକ୍ରମ କରୁଛନ୍ତି। ପ୍ରଥମେ ଦଳ ମୁଖିଆ ନିଜ ଦଳର ଉତ୍ତରୀୟ ଓ ବ୍ୟାଚ୍କୁ ନେଇ ଗର୍ବ ଅନୁଭବ କରନ୍ତୁ, ତାପରେ ଯେତେ କାର୍ଯ୍ୟକ୍ରମ କଲେ ବିଜେଡି ଲୋକପ୍ରିୟ ହୋଇପାରିବ ।
ଅପରପକ୍ଷେ, ଏନେଇ ନିଜ ପ୍ରତିକ୍ରିୟା ରଖି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ କହିଛନ୍ତି, ଗ୍ରାମାଞ୍ଚଳ ବିକାଶ ପାଇଁ ଏ ସରକାର ସବୁବେଳେ ଧ୍ୟାନ ଦେଇ ଆସିଛି। ଏଥିପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଆଜି ‘ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ’ ଆରମ୍ଭ କରାଯାଇଛି। ପ୍ରତି ଗାଁ, ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ନିର୍ଦ୍ଦିଷ୍ଟ ସମୟସୀମାରେ ଶେଷ ହେବ । ଲୋକମାନେ ନିଷ୍ପତ୍ତି ନେବେ ତାଙ୍କ ଗାଁରେ କ’ଣ ଉନ୍ନତିମୂଳକ କାମ କରାଯିବ ।
ସରକାରୀ କାର୍ଯ୍ୟକ୍ରମରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ କହିଛନ୍ତି, ଶଙ୍ଖ ସବୁବେଳେ ପବିତ୍ରତାର ପ୍ରତୀକ । ବିଜେପି ଜନଔଷଧୀ କାର୍ଯ୍ୟକ୍ରମର ନାଁ କ’ଣ ରଖିଛି। ଆମ ଯୋଜନା ଲୋକଙ୍କ ପାଇଁ କରାଯାଉଛି। ମେ ଲୋକଙ୍କ ପାଖକୁ ଯାଉଛି, ସେମାନେ ତାଙ୍କ ପାଖକୁ ଯାଇ ପାରୁ ନାହାନ୍ତି, ତେଣୁ କୁଆଡେ ଯିବେ ତାହା ସେମାନଙ୍କ ଇଚ୍ଛା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।