Advertisment

ସରକାରକୁ ୩ମାସ ପୂରିଲା: ୬୦ପୃଷ୍ଠାର ଚାର୍ଜସଟ୍ ଆଣିଥିଲା ବିଜେପି, ଚ୍ୟାଲେଞ୍ଜ ଦେଲାଣି ବିଜେଡି, ତଥାପି ଆକ୍ସନ୍ ଶୂନ୍‌

ସୂଚନା ଅନୁସାରେ, ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାରକୁ ଆଜି ୩ମାସ ପୁରିଛି । ବିଜେଡିର ୨୪ବର୍ଷର ଶାସନ କାଳ ମଧ୍ୟରେ ନବୀନ ପଟ୍ଟନାୟକ ସରକାରଙ୍କ ବିରୁଦ୍ଧରେ ରାଜ୍ୟ ବିଜେପି ଯେଉଁ ୬୦ପୃଷ୍ଠାର ଚାର୍ଜସିଟ୍ ଆଣି ୨୫ଟି ପ୍ରଶ୍ନ କରିଥିଲା ତାହା ଏବେ ଶୀତଳଭଣ୍ଡାରରେ ।

ଅଦ୍ୟତନ ହୋଇଛି
Mohan Majhi and Naveen Patnaik

Mohan Majhi and Naveen Patnaik

Advertisment

ନବୀନ ପଟ୍ଟନାୟକ ସରକାରକୁ ଶକ୍ତଝଟକା ଦେଇ ରାଜ୍ୟରେ ବିଜେପି ଏକାକୀ ସରକାର ଗଠନକୁ ଆଜି ୩ମାସ ପୁରିଛି । କିନ୍ତୁ ବିଜେଡିର ୨୪ବର୍ଷର ଶାସନ ବିରୁଦ୍ଧରେ ଭୋଟ ପୂର୍ବରୁ (୨୦୨୪ ଏପ୍ରିଲ ୨୪ତାରିଖ) ଖୋଦ୍ ରାଜ୍ୟ ବିଜେପି ଆଣିଥିବା ୬୦ପୃଷ୍ଠାର ଚାର୍ଜସିଟ୍ ଉପରେ ଏପର୍ଯ୍ୟନ୍ତ ବିଜେପି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇପାରିନାହାନ୍ତି । ଏପରିକି ବିଜେଡି ଶାସନରେ ପୁଳାପୁଳା ଦୁର୍ନୀତି, ମହିଳା ହିଂସା, ଅନିୟମିତତା ଓ ଶାସନ ବ୍ୟବସ୍ଥାକୁ ପଙ୍ଗୁ କରିଦେବାର ଯେଉଁ ପ୍ରକ୍ରିୟା ଚାଲିଥିବାର ଅଭିଯୋଗ ନିଜେ ବିଜେପି କରୁଥିଲା ତା’ ଉପରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ପୋଷ୍ଟମର୍ଟମ ମଧ୍ୟ କରିବାକୁ ବର୍ତ୍ତମାନର ବିଜେପି ସରକାର ଏପର୍ଯ୍ୟନ୍ତ ଆଖିଦୃଶିଆ ପଦକ୍ଷେପ ନେଇପାରିନଥିବା ଜଣାପଡ଼ିଛି । ଏପଟେ ବିଜେଡି ଖୋଲାଖୋଲି ଭାବେ ରାଜ୍ୟର ବିଜେପି ସରକାରଙ୍କୁ ଆକ୍ସନ ନେବାକୁ ଚ୍ୟାଲେଞ୍ଜ ଦେବାକୁ ପଛାଇନାହିଁ ।

Advertisment

ସୂଚନା ଅନୁସାରେ, ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାରକୁ ଆଜି ୩ମାସ ପୁରିଛି । ବିଜେଡିର ୨୪ବର୍ଷର ଶାସନ କାଳ ମଧ୍ୟରେ ନବୀନ ପଟ୍ଟନାୟକ ସରକାରଙ୍କ ବିରୁଦ୍ଧରେ ରାଜ୍ୟ ବିଜେପି ଯେଉଁ ୬୦ପୃଷ୍ଠାର ଚାର୍ଜସିଟ୍ ଆଣି ୨୫ଟି ପ୍ରଶ୍ନ କରିଥିଲା ତାହା ଏବେ ଶୀତଳଭଣ୍ଡାରରେ ।  ‘୨୫ବର୍ଷର ପାପପେଡ଼ି: କେତେଦିନ ସହିବା, ଓଡ଼ିଶାରେ ପରିବର୍ତ୍ତନ ଆଣିବା’ ଶୀର୍ଷକ ଚାର୍ଜସିଟ୍ ଆଣି ବିଜେପି ରାଜ୍ୟରେ ବିଜେଡି ସରକାରରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା, କୁଶାସନ, ସ୍ମାର୍ଟ ସ୍କୁଲ ସ୍ମାର୍ଟ ଦୁର୍ନୀତି, ବିଜୁଳି କେଳେଙ୍କାରୀ, ବିଜେଡି ନେତାମାନଙ୍କ ଅପରାଧ, କଳାପାହାଡ଼ର କଳା କାରନାମା(ଭିକେ ପାଣ୍ଡିଆନଙ୍କ କାର୍ଯ୍ୟ) ସମେତ ଖଣି-ଡାଲି-ଚିଟଫଣ୍ଡ, ଛତୁଆ ଦୁର୍ନୀତି ସମେତ ପରୀ,ମମିତା ମେହେର, ବେବିନା, ଇତିଶ୍ରୀ, ସସ୍ମିତା ଓ ମାଧବୀଲତାଙ୍କୁ ନ୍ୟାୟ, ସରକାରୀ ପାଣ୍ଠିରେ ଦଳୀୟ ପ୍ରଚାର, ଓଡ଼ିଶାର ଖଣି ଲୁଟୁଛି କିଏ ଆଦିକୁ ନେଇ ଭୋଟ୍ ପୂର୍ବରୁ ରାଜ୍ୟ ବିଜେପି ପକ୍ଷରୁ ତତକାଳୀନ ବିଜେଡି ସରକାର ବିରୁଦ୍ଧରେ ଅଭିଯୋଗ ଅଣାଯାଇଥିଲା ।

ଅନ୍ୟପକ୍ଷରେ ବିଜେଡିର ଏଭଳି ଦୁର୍ନୀତି, କଳାକାରନାମା ଓ ମନମୁଖୀ ଶାସନ ବିରୁଦ୍ଧରେ ରାଜ୍ୟବାସୀ ଚଳିତ ନିର୍ବାଚନରେ ଜନାଦେଶ ଦେଇଥିଲେ । ଆଉ ରାଜ୍ୟରେ ବିଜେପିକୁ ସରକାର ଗଢ଼ିବାର ସୁଯୋଗ ଦେଇଛନ୍ତି । ଇତିମଧ୍ୟରେ ବିଜେପି ସରକାରକୁ ୩ମାସ ପୁରିଲାଣି । କିନ୍ତୁ ବିଜେଡି ନେତାମାନଙ୍କ ବିରୁଦ୍ଧରେ ଥିବା ଏହି ସମସ୍ତ ଅଭିଯୋଗ ଘଟଣା ଉପରେ ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବା ଭଳି କୌଣସି ଗୋଟିଏ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ସରକାର ଏପର୍ଯ୍ୟନ୍ତ ସକ୍ଷମ ହୋଇନାହାନ୍ତି । ଫାଇଭ-ଟି ଅଧ୍ୟକ୍ଷ ନାଁରେ ପାଣ୍ଡିଆନ କିଭଳି ଏତେ କ୍ଷମତାଶାଳୀ ହୋଇଥିଲେ ଓ ଶାସନ ବ୍ୟବସ୍ଥାକୁ କବଳିତ କରି ମନଇଚ୍ଛା ସରକାରୀ ନିଷ୍ପତ୍ତି ନେଉଥିଲେ ତା’ର ମଧ୍ୟ ତଦନ୍ତ ପାଇଁ ସରକାର ପଦକ୍ଷେପ ନେଇନାହାନ୍ତି । ବିଜେଡି ଶାସନ କାଳରେ କିଛି ନିର୍ଦ୍ଦିଷ୍ଟ ରାଜନେତା ସୁଚିନ୍ତିତ ଢଙ୍ଗରେ କୋଟିକୋଟି ଟଙ୍କାର ରାଜସ୍ୱ ଲୁଟ୍ କରୁଥିବାର ଅଭିଯୋଗ ଥିଲେ ମଧ୍ୟ ସେ ଦିଗରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏପରିକି ହଜାର ହଜାର କୋଟି ଟଙ୍କାର ଚିଟଫଣ୍ଡ  ଦୁର୍ନୀତି, ବ୍ଲାକରୋଜ୍ ବୁଡ଼ି, ମାହାଙ୍ଗା ଡବଲ ମର୍ଡର, ମମିତା ମେହେର ହତ୍ୟା, ଗୋବିନ୍ଦ ସାହୁ ଆତ୍ମହତ୍ୟା ଓ ନବଦାସ ହତ୍ୟା ମାମଲା ଭଳି ଘଟଣା ପଛରେ କେଉଁମାନେ ସମ୍ପୃକ୍ତ ତା’ର ସାନି ତଦନ୍ତ ଦିଗରେ ବର୍ତ୍ତମାନର ବିଜେପି ସରକାର ବିଗତ ୩ମାସ ମଧ୍ୟରେ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି ।

Advertisment

ଏପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ ରାଜ୍ୟର ବିଜେପି ସରକାରକୁ ଖୋଲା ଚ୍ୟାଲେଞ୍ଜ ଦେଇ ସରକାରଙ୍କ ହାତରେ କଲମ, ପୁଲିସ ଓ ଆଇନ, ସେମାନଙ୍କୁ ଆକ୍ସନ ନେବାକୁ କିଏ ମନା କରୁଛି ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ସେ ଆହୁରି ପାଦେ ଆଗେଇ ଯାଇ କହିଛନ୍ତି ଯେ, ଏଥିରୁ ସ୍ପଷ୍ଟ ଯେ, ନିଷ୍ପତ୍ତି ନେବାରେ ସରକାର ବିଫଳ ହୋଇଛନ୍ତି । କଥା ଆଗ କହୁଛନ୍ତି, ପରେ ଚିନ୍ତା କରୁଛନ୍ତି । ବାମ ହାତ କ’ଣ କରୁଛି ଡାହାଣ ହାତ ଜାଣିପାରୁନି । ଦୁଇହାତ କ’ଣ କରୁଛି ମୁଣ୍ଡ ଜାଣିପାରୁନି । ବିଧାନସଭାରେ ସରକାରଙ୍କ ଉକ୍ତି ଓ କାର୍ଯ୍ୟକାରିତାରେ ତାଳମେଳ ରହୁନାହିଁ । ଯିଏ ସିବିଆଇ ତଦନ୍ତ ଦାବି କରୁଛନ୍ତି ସେ କାହାକୁ ପ୍ରଶ୍ନ କରୁଛନ୍ତି ବୋଲି କହି ଶ୍ରୀ ଦେବ ଓଲଟା ବିଜେପି ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ବିଜେପି ସରକାରକୁ ସିଧାସଳଖ ଟାର୍ଗେଟ୍ କରି କହିଛନ୍ତି ଯେ, ସରକାରକୁ ୩ମାସ ହୋଇଗଲାଣି । ଏବେ କାର୍ଯ୍ୟ କରି ଦେଖାଇବାର ବେଳ । ମିଛ କହି ନିର୍ବାଚନ ଜିତିପାର, କିନ୍ତୁ ଲୋକଙ୍କ ହୃଦୟ ନୁହେଁ ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ବିଜେଡିର ଏକଛତ୍ରବାଦୀ ଶାସନ ବିରୁଦ୍ଧରେ ଜନାଦେଶ ଦେଇଥିବା ରାଜ୍ୟବାସୀଙ୍କ ଆସ୍ଥା ଜିଣିବା ସହ ବିଗତ ୨୫ବର୍ଷର ଶାସନରେ ଯେଉଁସବୁ ଦୁର୍ନୀତି, ଅନିୟମିତତା,ହତ୍ୟା ଓ ଲୁଟ୍ ହୋଇଛି ତା’ର ତଦନ୍ତ କରାଇବାରେ ବିଜେପି ସରକାର କାହିଁକି ଏପର୍ଯ୍ୟନ୍ତ ଆଗ୍ରହ ଦେଖାଉନାହାନ୍ତି । ନବୀନ ସରକାର ଶାସନ କାଳରେ ପାଣ୍ଡିଆନ ଓ ତାଙ୍କ ଟିମ୍ ଦ୍ୱାରା ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଯେଉଁସବୁ ଦୁର୍ନୀତି, ଅନିୟମିତତା ଓ କୁଶାସନ ହୋଇଛି ସେସବୁର ତଦନ୍ତ କେବେ ହେବ, ତା’ଉପରେ  ସମସ୍ତଙ୍କ ନଜର ।

Odisha BjD Bjp Naveen Patnaik Mohan Charan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe